ରାଜଧାନୀ ଏକ୍ସପ୍ରେସରୁ ଲକ୍ଷାଧିକ ଟଙ୍କା ଜବତ ମାମଲା; ତଦନ୍ତ ଆରମ୍ଭ କଲା ଆୟକର ବିଭାଗ ଓ ଇଡି

୨୦ ପ୍ରତିଶତ କମ୍ ମୂଲ୍ୟ ଦେଇ ବଜାରରୁ ପୁରୁଣା ଟଙ୍କା ସଂଗ୍ରହ କରିବା ଓ ସେହି ଟଙ୍କାଗୁଡ଼ିକୁ ବ୍ୟାଙ୍କରେ ଜମା କରି ନୂଆ ନୋଟ ଆଣି ସେଗୁଡ଼ିକ ରାଜ୍ୟ ବହାରକୁ ରପ୍ତାନୀ କାରବାରରେ ଭୁବନେଶ୍ବରର ପ୍ରାୟ ୨୦ରୁ ଉର୍ଦ୍ଧ୍ବ ବ୍ୟବସାୟୀ ସମ୍ପୃକ୍ତ ଅଛନ୍ତି।

ରାଜଧାନୀ ଏକ୍ସପ୍ରେସରୁ ଲକ୍ଷାଧିକ ଟଙ୍କା ଜବତ ମାମଲା

ରାଜଧାନୀ ଏକ୍ସପ୍ରେସରୁ ଲକ୍ଷାଧିକ ଟଙ୍କା ଜବତ ମାମଲା

  • Share this:
News18 Odia Digital

କଟକ: ରାଜଧାନୀ ଏକ୍ସପ୍ରେସରୁ ନଗଦ ୨୪ ଲକ୍ଷ ୫୦ ହଜାର ଟଙ୍କା ଜବତ ଘଟଣାର ତଦନ୍ତରୁ ଏବେ ନୂଆ ନୂଆ ତଥ୍ୟ ସାମନାକୁ ଆସିବାରେ ଲାଗିଛି । ବିଶେଷ କରି ବଜାରରୁ ପୁରୁଣା ନୋଟଗୁଡ଼ିକୁ କମିଶନ ଆଧାରେ ସଂଗ୍ରହ କରି ସେଗୁଡ଼ିକୁ ବ୍ୟାଙ୍କରେ ଜମା କରିବା, ଏହା ବଦଳରେ ବ୍ୟାଙ୍କରୁ କେବଳ ୧୦ ଟଙ୍କିଆ ଓ ୨୦ ଟଙ୍କିଆ ନୂଆ ନୋଟ ବଣ୍ଡଲ ହାସଲ କରିବା ଓ ସେହି ଟଙ୍କାକୁ ରାଜ୍ୟ ବାହାରକୁ ଚାଲାଣ କରିବା ନେଇ ଚାଲିଥିବା ଏକ ଅଭିନବ ବ୍ୟବସାୟ ବାବଦର ଆରପିଏଫ ତଦନ୍ତରୁ ଜଣା ପଡ଼ିଛି।

ତେବେ ବୁଧବାର ଦିନ ଧରା ପଡ଼ିଥିବା ଟଙ୍କା ଭୁବନେଶ୍ବରରେ ରହି ଏହି ବ୍ୟବସାୟ କରୁଥିବା ଜଣେ ବ୍ୟବସାୟୀଙ୍କର ଓ ସମ୍ପୃକ୍ତ ବ୍ୟବସାୟୀ ଏହି ଟଙ୍କାକୁ ଦିଲ୍ଲୀର ଆଉ ଜଣେ ବ୍ୟବସାୟୀଙ୍କ ନିକଟକୁ ପଠାଉଥିଲା । ଆଉ ଦିଲ୍ଲୀର ସେହି ବ୍ୟବସାୟୀ ଶହ ଶହ ନୂଆ ନୋଟକୁ ବ୍ୟବାହର କରି ଲକ୍ଷାଧିକ ଟଙ୍କାର ମାଳା ପ୍ରସ୍ତୁତ କରି ଏହାକୁ ବଡ଼ ବଡ଼ ବିବାହ କାର୍ଯ୍ୟକ୍ରମର ଆୟୋଜନ କରୁଥିବା ଗ୍ରାହକମାନଙ୍କୁ ପ୍ରଦାନ କରୁଥିବା କଥା ମଧ୍ୟ ସମାନାକୁ ଆସିଛି। ଏହା ବ୍ୟତୀତ ଏହି ଟାଙ୍କା ନେଇ ଯାଉଥିବା ସମୟରେ ଧରା ପଡ଼ିଥିବା ଯାଜପୁର ବାସିନ୍ଦା ଅରୁଣ ସ୍ବାଇଁ କେବଳ ଜଣେ ମିଡିଲ୍ ମ୍ୟାନ ଥିବା ଆରପିଏଫ ତଦନ୍ତରୁ ଜଣା ପଡ଼ିଛି।

"ଅରୁଣ ସ୍ବାଇଁ କେବଳ ଜଣେ ମିଡିଲ୍ ମ୍ୟାନ ଥିଲା । ପୂର୍ବରୁ ମଧ୍ୟ ଅନେକ ଥର ସେ ଟଙ୍କା ନେଇ ଦିଲ୍ଲୀ ଯାଇସାରିଛନ୍ତି । ଏଥ ପାଇଁ ତାକୁ ୪ ରୁ ୫ ହଜାର ଟଙ୍କାର କମିଶନ ମିଳେ। ଏହି ଟଙ୍କାକୁ ଦିଲ୍ଲୀର କିଛି ବ୍ୟବସାୟୀଙ୍କ ପାଖକୁ ପହଁଞ୍ଚାଯାଏ । ସେହି ବ୍ୟବସାୟୀମାନେ ଗ୍ରାହକଙ୍କ ଅର୍ଡର ମୁତାବକ ଏହି ନୂଆ ନୋଟ ଗୁଡ଼ିକରେ ଆକର୍ଷଣୀୟ ମାଳା ତିଆରି କରିଥାନ୍ତି । ଆଉ ସେହି ମାଳାକୁ ବଡ଼ ବଡ଼ ବିବାହ ଉତ୍ସବରେ ବର କନ୍ୟାଙ୍କୁ ପିନ୍ଧା ଯାଇଥାଏ," କହିଛନ୍ତି କଟକ ଆରପିଏଫ ଥାନା ଅଧିକାରୀ ପ୍ରବୀଣ କୁମାର।

ବୁଧବାର ଦିନ ଟଙ୍କା ଜବତ କରିବା ପରେ ଆର.ପି.ଏଫ.ଏହି ମାମଲାକୁ ଆୟକର ବିଭାଗକୁ ହସ୍ତାନ୍ତରିତ କରିଛି। ଆଉ ଆୟକର ବିଭାଗ ଟଙ୍କା ସହ ଏହାକୁ ନେଇ ଟ୍ରେନରେ ଯାତ୍ରା କରୁଥିବା ଅରୁଣ ସ୍ବାଇଁକୁ ନିଜ ସାଥିରେ ମୁଖ୍ୟାଳୟକୁ ନେଇ ତଦନ୍ତ ଆରମ୍ଭ କରିଛି । ଆୟକର ବିଭାଗରୁ ମିଳିଥିବା ସୂଚନା ମୁତାବକ ବେଆଇନ ଭାବେ ଏହି ଟଙ୍କା କାରବାର କରୁଥିବା ଭୁବନେଶ୍ବରର ସମ୍ପୃକ୍ତ ବ୍ୟବସାୟୀଙ୍କୁ ନୋଟିସ କରାଯାଇଥିଲେ ମଧ୍ୟ ସେ ବିଭାଗ ସମ୍ମୁଖରେ ହାଜର ନ ହେବାରୁ ଜବତ ହୋଇଥିବା ଟଙ୍କାକୁ ରିଜର୍ଭ ବ୍ୟାଙ୍କରେ ଜମା କରି ଦିଆଯାଇଛି।

ଏହା ବ୍ୟତୀତ ଏହି ଘଟଣାରେ ବେଆଇନ ଅର୍ଥ କାରବାର କଥା ସାମନାକୁ ଆସିବା ପରେ ଇଡି ମଧ୍ୟ ଏହି ଏହାର ଛାନବିନ ଆରମ୍ଭ କରୁଥିବା ଜଣା ପଡ଼ିଛି। ଏହି ଅର୍ଥ କାରବାର କରୁଥିବା ବ୍ୟବସାୟୀ ଜଣଙ୍କ କେଉଁ ସୁତ୍ରରୁ ଏତେ ଟଙ୍କା ସଂଗ୍ରହ କରୁଥିଲେ ଓ ଏହି ଟଙ୍କର ମୂଳ ଉତ୍ସ କ'ଣ ତାହା ଯାଞ୍ଚ କରିବ ଇଡି । ଏହି ଘଟଣା ଭୁବନେଶ୍ବର ରେଳଷ୍ଟେନର ସୁରକ୍ଷା ବ୍ୟବସ୍ଥାରେ ଥିବା ଫାଟକୁ ମଧ୍ୟ ଉଜାଗର କରିଛି । ପ୍ଲାଟଫର୍ମ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ଯାତ୍ରୀମାନଙ୍କ ଲଗେଜକୁ ଷ୍ଟେସନରେ ଲାଗିଥିବା ସ୍କାନରରେ ଯାଞ୍ଚ କରାଯାଇଥାଏ । କିନ୍ତୁ ଅଭିଯୁକ୍ତ ଅରୁଣ ସ୍କାନରକୁ ମାତ ଦେଇ ୪ଟି ଟଙ୍କା ଭର୍ତ୍ତି ବ୍ୟାଗ ସହିତ ଟ୍ରେନରେ ବସିଲା ତାହାକୁ ନେଇ ଆରମ୍ଭ ହୋଇଛି ତନାଘନା।

"ଭୁବନେଶ୍ବର ଷ୍ଟେସନରେ ଏହି ଟଙ୍କା ଭର୍ତ୍ତି ବ୍ୟାଗ ଗୁଡ଼ିକୁ କିପରି ଚିହ୍ନଟ କରାଯାଇ ପାରିନଥିଲା ସେ ନେଇ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି। ଏଥି ପାଇଁ ଭୁବନେଶ୍ବର ଷ୍ଟେସନର ସିସିଟିଭିକୁ ମଧ୍ୟ ଯାଞ୍ଚ କରାଯାଉଛି," କହିଛନ୍ତି ରେଳବାଇ ପୋଲିସ ଫୋର୍ସର ସହକାରୀ ସୁରକ୍ଷା କମିଶନର ସରୋଜ ଦାସ।

ଆରପିଏଫର ତଦନ୍ତରୁ ଆହୁରି ମଧ୍ୟ ଜଣା ପଡ଼ିଛି କି ୨୦ ପ୍ରତିଶତ କମ ମୂଲ୍ୟ ଦେଇ ବଜାରରୁ ପୁରୁଣା ଟଙ୍କା ସଂଗ୍ରହ କରିବା ଓ ସେହି ଟଙ୍କାଗୁଡ଼ିକୁ ବ୍ୟାଙ୍କରେ ଜମା କରି ନୂଆ ନୋଟ ଆଣି ସେଗୁଡ଼ିକ ରାଜ୍ୟ ବହାରକୁ ରପ୍ତାନୀ କାରବାରରେ ଭୁବନେଶ୍ବରର ପ୍ରାୟ ୨୦ରୁ ଉର୍ଦ୍ଧ୍ବ ବ୍ୟବସାୟୀ ରହିଛନ୍ତି । ପ୍ରତି ବ୍ୟବସାୟୀ ନିଜ ନିଜ ଟିମରେ ପ୍ରାୟ ୪୦ରୁ ୫୦ ଜଣ ଏଜେଣ୍ଟ ମଧ୍ୟ ରଖିଛନ୍ତି। ଏହି ବ୍ୟବସାୟୀମାନେ ନିୟମିତ ବ୍ୟବଧାନରେ ଟ୍ରେନ ଯୋଗେ ଟଙ୍କା ଚାଲାଣ କରିଥାନ୍ତି।
Published by:Lipina Das
First published: