ମାର୍ଗଶୀର ମାସ ପ୍ରଥମ ଗୁରୁବାର ପାଳନ ହେବ ‘ମାଣ୍ଡିଆ ଦିବସ’

ଚଳିତବର୍ଷ ନଭେମ୍ବର ୧୦ ତାରିଖରେ ପାଳନ ହେବ ମାଣ୍ଡିଆ ଦିବସ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢୀ ।

ମାର୍ଗଶୀର ମାସ ପ୍ରଥମ ଗୁରୁବାର ପାଳନ ହେବ ‘ମାଣ୍ଡିଆ ଦିବସ’

ମାର୍ଗଶୀର ମାସ ପ୍ରଥମ ଗୁରୁବାର ପାଳନ ହେବ ‘ମାଣ୍ଡିଆ ଦିବସ’

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ରାଜ୍ୟରେ ପାଳିତ ହେବ ମାଣ୍ଡିଆ ଦିବସ । ମାର୍ଗଶୀର ମାସ ପ୍ରଥମ ଗୁରବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯିବ । ଚଳିତବର୍ଷ ନଭେମ୍ବର ୧୦ ତାରିଖରେ ପାଳନ ହେବ ଏହି ଦିବସ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢୀ । ପରିବେଶ ଓ ସ୍ୱାସ୍ଥ୍ୟ ପାଇଁ ହିତକର ପୁଷ୍ଟି ଶସ୍ୟର ବହୁଳ ପ୍ରଚାର ଓ ବ୍ୟବହାର କରିବା ଏହାର ମୂଳ ଲକ୍ଷ୍ୟ ରଖାଯାଇଛି ।



ଉଲ୍ଲେଖଯୋଗ୍ୟ, ପୁଷ୍ଟିରେ ଭରପୁର ମାଣ୍ଡିଆ । ଏଥିରୁ ପ୍ରସ୍ତୁତ ବିସ୍କୁଟ, ମିକ୍ସଚର, ନିମିକି, ସେଓ, ପିଠା, ଛତୁଆ ଆଦି ସ୍ବାଦିଷ୍ଟ ଓ ଶରୀର ପାଇଁ ହିତକର । ମାଣ୍ଡିଆ ଉତ୍ପାଦନ ଓ ଏହାର ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଏବେ ରାଜ୍ୟର ୧୯ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ମିଲେଟ ମିଶନ । ଓଡ଼ିଶା ମିଲେଟ ମିଶନ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି । କେନ୍ଦ୍ର ସରକାର ଓଡ଼ିଶା ମଡେଲକୁ ଆପଣାଇବାକୁ ବିଭିନ୍ନ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ନୀତି ଆୟୋଗ ମଧ୍ୟ ଏହାକୁ ଏକାଧିକ ଥର ପ୍ରଶଂସା କରିଛନ୍ତି । ମନ୍ତ୍ରଣାଳୟ ଓ ବିଭାଗରେ ହେବାକୁ ଥିବା ମିଟିଂ ଓ କ୍ୟାଣ୍ଟିନରେ ମାଣ୍ଡିଆ ପ୍ରସ୍ତୁତ ଲଡୁ, ମିକ୍ସଚର, ସ୍ନାକ୍ସ୍, ପୁରି, ଇଡିଲି, ଦୋଷା ଓ ବିସ୍କୁଟ୍ ପରଷିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଖାଦ୍ୟ ମନ୍ତ୍ରଣାଳୟ ।

ଓଡ଼ିଶାରେ ଦିନକୁ ଦିନ ବଢୁଛି ମାଣ୍ଡିଆ ଚାହିଦା । ୨୦୧୮-୧୯ରେ ୫ ହଜାର ୭୪୦ ଜଣ ଚାଷୀ ମାଣ୍ଡିଆ ଚାଷ କରୁଥିବା ବେଳେ ୨୦୨୦-୨୧ରେ ୨୪ହଜାର ୩୨୪ ଚାଷୀ ମାଣ୍ଡିଆ ଚାଷ କରିଛନ୍ତି । ସେହିପରି ମାଣ୍ଡିଆ ଉତ୍ପାଦନ ବଢିଛି । ୨୦୧୮-୧୯ରେ ୧୮ ହଜାର କୁଇଣ୍ଟାଲ, ୨୦୧୯-୨୦ରେ ୯୪ ହଜାର କୁଇଣ୍ଟାଲ ଓ ୨୦୨୦-୨୧ ରେ ୧ଲକ୍ଷ ୯୪ ହଜାର ୪୮୦ କୁଇଣ୍ଟାଲ ମାଣ୍ଡିଆ ଉତ୍ପାଦନ ହୋଇଛି ।

ମିଲେଟ ଉତ୍ପାଦନ ଓ ଏହାର ଚାଷକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଓଡ଼ିଶାର ସମକକ୍ଷ କେହି ନୁହନ୍ତି । ଓଡ଼ିଶା ମିଲେଟ ମିଶନର ସଫଳତାକୁ ସ୍ୱୀକୃତି ମିଳିଛି । ଉତ୍ପାଦନ ଓ ଚାଷ ପାଇଁ ପ୍ରୋତ୍ସାହନ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୋଷକ ଅନାଜ ପୁରସ୍କାର ମଧ୍ୟ ମିଳିଛି । ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ମିଲେଟ୍‍ ଉତ୍ପାଦନ ତଥା ବ୍ୟବହାର ପାଇଁ ପ୍ରଚାର ପ୍ରସାର କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି । କୃଷି ଓଡ଼ିଶାରେ ମିଲେଟ୍‍ ଏବେ ‘ମାସ୍କଟ’ ଭାବେ ପରିଚିତ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମିଲେଟ୍‍ର ପ୍ରଚାରପ୍ରସାର ଓ ଖାଦ୍ୟ ଥାଳିରେ ଲଘୁ କ୍ଷୁଦ୍ରଶସ୍ୟର ପୁନରୁଦ୍ଧାର ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ଓଡ଼ିଶା ମିଲେଟ୍‍ ମିଶନ୍‍’।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ କୃଷି ବିଭାଗ ଦ୍ୱାରା ରାଜ୍ୟର ୧୯ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହୋଇଛି । ଏହା ଚାଷୀଙ୍କ ଚାଷଜମି ଓ ଲୋକଙ୍କ ଦୈନିକ ଆହାରରେ ମିଲେଟ୍‍କୁ ପୁର୍ନଜୀବିତ କରି ଅନେକ ଚାଷୀଙ୍କ ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରିଛି । ଏହି ମିଲେଟ୍‍ ମିଶନ୍‍ ମାଧ୍ୟମରେ ଗ୍ରାମୀଣ ତଥା ସହରାଞ୍ଚଳର ମହିଳା ରୋଜଗାରକ୍ଷମ ହୋଇପାରିଛନ୍ତି । କେବଳ ସେତିକି ନୁହେଁ, ମାଣ୍ଡିଆର ବ୍ୟବହାର ବଢ଼ାଇବା ପାଇଁ କୃଷି ବିଭାଗ ଅଧୀନରେ ଓଡ଼ିଶା ମିଲେଟ୍‍ ମିଶନ୍‍ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି । ସହର ତଥା ଗ୍ରାମାଞ୍ଚଳର ମିଲେଟ୍‌ ଜାତୀୟ ଖାଦ୍ୟ ସାମଗ୍ରୀର ପ୍ରଚାର ପ୍ରସାର ପାଇଁ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଯାହାକି ଦେଶରେ ପ୍ରଥମ । ମିଲେଟ୍‍ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶା ମିଲେଟ୍‍ ମିଶନ୍‍ ଦ୍ୱାରା ନିଆଯାଇଥିବ ପଦକ୍ଷେପକୁ ସର୍ବୋତ୍ତମ ମଡେଲ ମଧ୍ୟରୁ ଗୋଟିଏ ବୋଲି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସ୍ୱୀକୃତି ମିଳିଛି । ଏହା ସହିତ ଭାରତ ସରକାର ମିଲେଟ୍‍ର ପ୍ରୋତ୍ସାହନ ପାଇଁ ଓଡ଼ିଶା ମଡେଲ୍‍କୁ ଆପଣାଇବା ପାଇଁ ଅନ୍ୟ ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି ।

ଅନ୍ୟପଟେ ଜାତିସଂଘ ଦ୍ୱାରା ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‍ ବର୍ଷ ଭାବରେ ଘୋଷଣା କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ମିଲେଟ୍‍ ବର୍ଷକୁ ସକ୍ରିୟ ଭାବରେ ପାଳନ କରିବା ସହିତ ମିଲେଟ୍‍ ବ୍ୟବହାରର ପୁନଃମୂଲ୍ୟାୟନ ଦିଗରେ ପଦକ୍ଷେପ ନିଆଯାଇଛି । ଓଡ଼ିଶା ମିଲେଟ୍‍ ମିଶନ ପକ୍ଷରୁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ମିଶନ୍‍ ଶକ୍ତି ଅନ୍ତର୍ଗତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ମୂଲ୍ୟଯୁକ୍ତ ଉଦ୍ୟୋଗକୁ ପ୍ରୋତ୍ସାହିତ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ମିଲେଟ୍‍ ଶକ୍ତି ଆଉଲେଟ୍‌ ଓ କାଫେ ଖୋଲାଯାଉଛି । ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ହୋଇଥିବା ମାଣ୍ଡିଆ ତଥା କ୍ଷୁଦ୍ର ଶସ୍ୟରୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଛି । ଏହାସହିତ ଏହି ଲଘୁ କ୍ଷୁଦ୍ର ଖାଦ୍ୟ ଶସ୍ୟ(ମିଲେଟ୍‍)କୁ ପ୍ରୋସେସିଂ କରାଯାଇ ପ୍ୟାକେଜିଂ ମଧ୍ୟ କରୁଛନ୍ତି । ଏହାବ୍ୟତିତ ମିଲେଟ୍‍ର ପ୍ରୋସେସିଂ ପରେ ସେଥିରୁ ମାଣ୍ଡିଆ ପାଉଡର, ମାଣ୍ଡିଆ ଆରିଷା, ଏଣ୍ଡୁରୀ, କାକରା, ମାଣ୍ଡିଆ ଲଡ଼ୁ, ମିକ୍ସର, ପିଠା, ମୁଡ଼୍‍କି ଆଦି ଭଳି ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ଏହାସହିତ ଏସ.ଏଚ୍.ଜି ମହିଳାମାନଙ୍କ ସହାୟତାରେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଏହାର ପ୍ରଚାରପ୍ରସାର କରାଯାଉଛି ।
Published by:Soubhagya Mishra
First published: