ଆସନ୍ତାକାଲି ପାଳନ ହେବ ମାଣ୍ଡିଆ ଦିବସ; ସାଧାରଣରେ ଆଦୃତ କରିବା ନେଇ ରହିଛି ଲକ୍ଷ୍ୟ

ସାଧାରଣ ଲୋକଙ୍କ ନିକଟରେ ମାଣ୍ଡିଆକୁ ଆଦୃତ କରିବା ନେଇ ଲକ୍ଷ୍ୟ ରଖିଛନ୍ତି ସରକାର। ଓଡ଼ିଶା ମିଲେଟ ମିଶନ ଦ୍ବାରା ନିଆଯାଇଥିବା ପଦକ୍ଷେପକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ମିଳିଛି ।

କାଲି ମାଣ୍ଡିଆ ଦିବସ

କାଲି ମାଣ୍ଡିଆ ଦିବସ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ବର: ମାର୍ଗଶିର ମାସ ପ୍ରଥମ ଗୁରବାର ଅର୍ଥାତ ଆସନ୍ତାକାଲି ମାଣ୍ଡିଆ ଦିବସ ପାଳନ କରାଯିବ। ମାଣ୍ଡିଆ ସାଧାରଣ ଲୋକଙ୍କ ପାଖରେ ପରିଚିତ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ କୃଷି ସଚିବ ଅରବିନ୍ଦ ପାଢୀ ସୂଚନା ପ୍ରଦାନ କରିଥିଲେ। ଏହି ହିତକର ଶସ୍ୟର ବହୁଳ ପ୍ରଚାର ଓ ବ୍ଯବହାର ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ।

ଏବେ ରାଜ୍ୟର ୧୯ ଟି ଜିଲ୍ଲାରେ ମିଲେଟ ମିଶନ କାର୍ଯ୍ୟକାରୀ ହେଉଛି। ମାଣ୍ଡିଆ ଉତ୍ପାଦନ ଓ ଏହାର ପ୍ରଚାର ପ୍ରସାରକୁ ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ମାଣ୍ଡିଆ ଦିବସ ପାଳନ କରୁଛନ୍ତି ରାଜ୍ୟ ସରକାର।  ଓଡ଼ିଶା ମିଲେଟ ମିଶନ ଦ୍ବାରା ନିଆଯାଇଥିବା ପଦକ୍ଷେପକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ମିଳିଛି । କେନ୍ଦ୍ର ସରକାର ଏହି ମଡେଲକୁ ଆପଣାଇବାକୁ ବିଭିନ୍ନ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରଣାଳୟ ଓ ବିଭାଗରେ ହେବାକୁ ଥିବା ମିଟିଂ ଓ କ୍ୟାଣ୍ଟିନରେ ମାଣ୍ଡିଆ ପ୍ରସ୍ତୁତ ଲଡୁ, ମିକ୍ସଚର, ସ୍ନାକ୍ସ୍, ପୁରି, ଇଡିଲି, ଦୋଷା ଓ ବିସ୍କୁଟ୍ ପରଷିବାକୁ ନିର୍ଦ୍ଦେଶ ଦିଆଯାଇଛି।କେବଳ ସେତିକି ନୁହେଁ ନୀତି ଆୟୋଗ ମଧ୍ୟ ଏହାକୁ ଏକାଧିକ ଥର ପ୍ରଶଂସା କରିଛନ୍ତି ।

ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ମିଲେଟ୍‍ ଉତ୍ପାଦନ ତଥା ବ୍ୟବହାର ପାଇଁ ପ୍ରଚାର ପ୍ରସାର କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। କୃଷି ଓଡ଼ିଶାରେ ମିଲେଟ୍‍ ଏବେ ‘ମାସ୍କଟ’ ଭାବେ ପରିଚିତ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମାଣ୍ଡିଆର ପ୍ରଚାର ପ୍ରସାର ଓ ଖାଦ୍ୟ ଥାଳିରେ ଲଘୁ କ୍ଷୁଦ୍ରଶସ୍ୟର ପୁନରୁଦ୍ଧାର ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ଓଡ଼ିଶା ମିଲେଟ୍‍ ମିଶନ୍‍’।



ଜାତିସଂଘ ଦ୍ୱାରା ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‍ ବର୍ଷ ଭାବରେ ଘୋଷଣା କରାଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ମିଲେଟ୍‍ ବର୍ଷକୁ ସକ୍ରିୟ ଭାବରେ ପାଳନ କରିବା ସହିତ ମିଲେଟ୍‍ ବ୍ୟବହାରର ପୁନଃମୂଲ୍ୟାୟନ ଦିଗରେ ପଦକ୍ଷେପ ନିଆଯାଇଛି।

ଓଡ଼ିଶା ମିଲେଟ୍‍ ମିଶନ ପକ୍ଷରୁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ମିଶନ୍‍ ଶକ୍ତି ଅନ୍ତର୍ଗତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ମୂଲ୍ୟଯୁକ୍ତ ଉଦ୍ୟୋଗକୁ ପ୍ରୋତ୍ସାହିତ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମିଲେଟ୍‍ ଶକ୍ତି ଆଉଲେଟ୍‌ ଓ କାଫେ ଖୋଲାଯାଉଛି। ୨୦୧୮-୧୯ ରେ ୫ ହଜାର ୭୪୦ ଜଣ ଚାଷୀ ମାଣ୍ଡିଆ ଚାଷ କରୁଥିବା ବେଳେ ୨୦୨୦-୨୧ ରେ ୨୪ ହଜାର ୩୨୪ ଚାଷୀ ମାଣ୍ଡିଆ ଚାଷ କରିଛନ୍ତି। ୨୦୧୮-୧୯ ରେ ୧୮ ହଜାର କୁଇଣ୍ଟାଲ, ୨୦୧୯-୨୦ ରେ ୯୪ ହଜାର କୁଇଣ୍ଟାଲ ଓ ୨୦୨୦-୨୧ ରେ ୧ ଲକ୍ଷ ୯୪ ହଜାର ୪୮୦ କ୍ୱିଣ୍ଟାଲ ମାଣ୍ଡିଆ ଉତ୍ପାଦନ ହୋଇଛି।
Published by:Soumya Das
First published: