News18 Odia Digital
କଟକ: ଗାଁ ନୁହେଁ, ଏଣିକି ସହରରେ ବି ଦିନକୁ ଦିନ ବଢୁଛି ମାଣ୍ଡିଆର ଚାହିଦା। ମାଣ୍ଡିଆରୁ ପ୍ରସ୍ତୁତ ସାମଗ୍ରୀ ଏବେ ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟିଛି। ଏଥିପାଇଁ ଖୁବ୍ ଶୀଘ୍ର କଟକରେ ଆରମ୍ଭ ହେବାକୁ ଯାଉଛି ମିଲେଟ ଶକ୍ତି କାଫେ ଓ ମ୍ୟୁଜିୟମ। ତେବେ ଉଦ୍ଘାଟନ ପୂର୍ବରୁ କାଫେର ପ୍ରମୋସନ ଓ ପ୍ରଦର୍ଶନ ସମୟରେ ମାଣ୍ଡିଆରୁ ପ୍ରସ୍ତୁତ ଭଳିକି ଭଳି ସୁସ୍ବାଦୁ ବ୍ୟଞ୍ଜନର ମଜା ନେଇଛନ୍ତି କଟକବାସୀ।
ମାଣ୍ଡିଆ ଆଉ ଗାଁ ଗହଳି କିମ୍ବା ବଣ ଜଙ୍ଗଲ ଘେରା ପର୍ବତ୍ୟ ଅଞ୍ଚଳରେ ସୀମିତ ନାହିଁ। ମାଣ୍ଡିଆ ଏବେ ସହରାଞ୍ଚଳର ଲୋକଙ୍କ ବି ପ୍ରଥମ ପସନ୍ଦ ପାଲଟିଲାଣି। ଏଥିପାଇଁ ରାଜ୍ୟ ସରକାର ବି ଯଥେଷ୍ଟ ପ୍ରୋତ୍ସାହନ ଦେଉଛନ୍ତି ମଣ୍ଡିଆକୁ।
କଟକ ସହରରେ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ମିଲେଟ ଶକ୍ତି କାଫେ। ବାରବାଟୀ ପ୍ୟାଲେସ ପରିସରରେ ନିର୍ମାଣ କରାଯାଇଛି ଏହି ମିଲେଟ କାଫେ। ଯାହାର ଦାୟିତ୍ବ ନେଇଛନ୍ତି ମିଶନ ଶକ୍ତିର ମହିଳାମାନେ। ଆସନ୍ତା ସପ୍ତାହରେ ଏହାର ଉଦ୍ଘାଟନ କରାଯିବ।
ତେବେ ଉଦ୍ଘାଟନ ପୂର୍ବରୁ ଶନିବାର କାଫେର କରାଯାଇଥିଲା ପ୍ରମୋସନ ଓ ପ୍ରଦର୍ଶନ। ମାଣ୍ଡିଆରୁ ପ୍ରସ୍ତୁତ ମୋମୋ, କେକ, କାକରା ଓ ମଣ୍ଡା ପିଠା ସାଙ୍ଗକୁ ଭଳିକି ଭଳି ଗରମା ଗରମ ସୁସ୍ବାଦୁ ବ୍ୟଞ୍ଜନ ବି ତିଆରି ହୋଇଥିଲା। ତେବେ ପ୍ରମୋସନ ହେଉ ହେଉ କାଫେରେ ଗହଳି ଲାଗିଥିଲା।
କେବଳ ମିଲେଟ କାଫେ ନୁହଁ ବରଂ ଆସନ୍ତା ୨ ମାସ ମଧ୍ୟରେ ବାରବାଟୀ ପ୍ୟାଲେସ ପରିସରରେ ଖୋଲିବ ମିଲେଟ ମ୍ୟୁଜିୟମ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ସରକାର ଓ ମିଶନଶକ୍ତି ସହଯୋଗରେ ଏବେ ମାଣ୍ଡିଆର ପ୍ରଚାର ପ୍ରସାର କରାଯାଉଛି। ମିଲେଟ ମ୍ୟୁଜିୟମ ହେଲେ ଏଠାରୁ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ସାମଗ୍ରୀ ସାଧାରଣ ଲୋକ ପାଇପାରିବେ।
ଖାଲି ସେତିକି ନୁହେଁ ବରଂ ଏହି ମ୍ୟୁଜିୟମରେ ଅଡିଓ ଭିଜୁଆଲ ମାଧ୍ୟମରେ ଚାଷୀ, ମାଣ୍ଡିଆ ଚାଷ ସମ୍ପର୍କରେ ଯେପରି ଜ୍ଞାନ ଆହରଣ କରି ପାରିବେ ସେ ନେଇ ବ୍ୟବସ୍ଥା ରହିବ।
ସବୁଠାରୁ ବଡ଼ କଥା ହେଲା କଟକ ମିଲେଟ ଏକ୍ସଟେନ୍ସନ ଆଣ୍ଡ ସେଲସ ସେଣ୍ଟର ଜରିଆରେ ସହରରେ ବିଭିନ୍ନ ସ୍ଥାନରେ ମାଣ୍ଡିଆ କାଉଣ୍ଟର ଖୋଲାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି।
ପଢ଼ନ୍ତୁ ଏହି ଖବର: Toll Tax Hike: ଏପ୍ରିଲ ୧ରୁ ହାଇୱେ ଓ ଏକ୍ସପ୍ରେସ-ୱେରେ ଗାଡ଼ି ଚଳାଇବା ହେବ ମହଙ୍ଗାଆଗାମୀ ଦିନରେ ମାଣ୍ଡିଆ ଓ ଏଥିରୁ ପ୍ରସ୍ତୁତ ସାମଗ୍ରୀକୁ କିପରି ବିଦ୍ୟାଳୟ ସ୍ତରରେ ପହଞ୍ଚାଇ ପିଲାଙ୍କୁ ସୁସ୍ଥ ଓ ନିରୋଗ ରଖାଯାଇ ପାରିବ ସେ ନେଇ ଯୋଜନା କରୁଛି ଜିଲ୍ଲା ପ୍ରଶାସନ।
କଟକରୁ ଦ୍ବିବେନ୍ଦୁ ମିଶ୍ର ନ୍ୟୁଜ୧୮ ଓଡ଼ିଆନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।