News18 Odia Digital
ଭୁବନେଶ୍ୱର: ବାହାର ରାଜ୍ୟରୁ ଓଡ଼ିଶା ଫେରୁଥିବା ଶ୍ରମିକମାନଙ୍କୁ ଖାଦ୍ୟ ନିରାପତ୍ତାରୁ ବଞ୍ଚିତ ନ କରିବାକୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଓଡିଶାକୁ ଫେରୁଥିବା ସବୁ ଯୋଗ୍ୟ ଶ୍ରମିକମାନଙ୍କ ପାଖରେ ରାସନ କାର୍ଡ ଥାଉ କି ନ ଥାଉ, ଏହି ଶ୍ରମିକ ଓ ତାଙ୍କ ପରିବାର ଯେପରି ରାସନ ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ବରିଷ୍ଠ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
କରୋନା ଭାଇରସ୍ ସଂକ୍ରମଣର ମୁକାବିଲା ପାଇଁ ଜାରି ହୋଇଥିବା ଲକଡାଉନ ଯୋଗୁଁ ଅନେକ ଲୋକ ଗୋଟିଏ ସ୍ଥାନରେ ଫସି ରହିଛନ୍ତି । ଏହି କାରଣରୁ ଗରିବ ଓ ଦିନ ମଜୁରିଆମାନେ ଖାଇବାକୁ ପାଉନାହାନ୍ତି । ଏପରିକି ରାସନ କାର୍ଡ ଥିବା ଲୋକେ ବି ଠିକ୍ ଭାବେ ସାମଗ୍ରୀ ପାଇ ପାରୁନାହାନ୍ତି । ଯେଉଁମାନଙ୍କର ରାସନ କାର୍ଡ ଅଛି, ସେମାନେ ନିଜ ଅଞ୍ଚଳରୁ ଦୂରରେ ରହିଥିବାରୁ ସରକାରଙ୍କ ସାମଗ୍ରୀ ମଧ୍ୟ ପାଇ ପାରୁନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମ କୋର୍ଟ ‘‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’’ ନୀତିକୁ ଅସ୍ଥାୟୀ ଭାବେ ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଏହା ଦ୍ୱାରା ଲୋକମାନେ ଯେ କୌଣସି ସ୍ଥାନରୁ ମଧ୍ୟ ରାସନ ସାମଗ୍ରୀ ପାଇପାରିବେ ।
କେନ୍ଦ୍ର ସରକାର ପୂର୍ବରୁ ବି ‘‘ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ଼’’ ବ୍ୟବସ୍ଥା ଲାଗୁ କରିବାକୁ ଚିନ୍ତା କରୁଛନ୍ତି । ଜୁନ ମାସରୁ ଏହା ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯିବ । ହେଲେ ଲକଡାଉନ ବେଳେ ଏହାର ଆବଶ୍ୟକତା ଅଧିକ ଥିବାରୁ ସୁପ୍ରିମ କୋର୍ଟ ତତ୍କାଳ ଭାବେ ଏହାକୁ ଲାଗୁ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।
ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିସ ଏନ.ଭି. ରମନ୍ନା, ଜଷ୍ଟିସ ସଞ୍ଜୟ କିଷନ କାଉଲ ଓ ଜଷ୍ଟିସ ବିଆର ଗାଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କୁ ‘‘ଗୋଟିଏ ଦେଶ ଓ ଗୋଟିଏ ରାସନ କାର୍ଡ’’ ନୀତି ଆପଣାଇବାକୁ ପରାମର୍ଶ ଦିଆଯାଇଛି । ଏହାକୁ ତତ୍କାଳ ଭାବେ କେନ୍ଦ୍ର ସରକାର ଲାଗୁ କରିପାରିବେ କି ନାହିଁ ତା’ର ବିଚାର କରନ୍ତୁ । ବର୍ତ୍ତମାନ ସ୍ଥିତିରେ ଏହି ନୀତି ଆପଣାଇବା ଅଧିକ ଜରୁରୀ । କାରଣ ଏହା ଦ୍ୱାରା ଆର୍ଥିକ ସ୍ତରରେ ପଛୁଆ ଥିବା ଲୋକ ଓ ପ୍ରବାସୀ ଶ୍ରମିକମାନେ ନିଜ ରାସନ କାର୍ଡ ବଳରେ ଯେ କୌଣସି ସ୍ଥାନରୁ ବି ସରକାରଙ୍କ ସବସିଡି ସାମଗ୍ରୀ ପାଇପାରିବେ ବୋଲି ଖଣ୍ଡପୀଠ କହିଛନ୍ତି ।
ଓଡ଼ିଶାର ଶାସକ ଦଳ ବିଜେଡିର ବିଧାୟକମାନେ କହିଛନ୍ତି ଯେ ଯେଉଁ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ରାଜ୍ୟକୁ ଫେରିବେ ସେମାନଙ୍କ ପାଖରେ ରାସନ କାର୍ଡ ଥାଉ କି ନ ଥାଉ, ସେମାନଙ୍କ ପରିବାରକୁ କେମିତି ଚାଉଳ ମିଳିବ ସରକାର ସେଥି ପ୍ରତି ଧ୍ୟାନ ଦେଇଛନ୍ତି ।
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।