ସୁଜିତ୍ ମଲ୍ଲିକ୍ | News18 Odia Digital
ଯାଜପୁର: ଜୀବନର ଅଧାରୁ ଉର୍ଦ୍ଧ ବିତିଯାଇଥିଲେ ବି ପାଠପଢ଼ା ପ୍ରତି ଥିବା ଅଦମନୀୟ ଆଗ୍ରହ ଯୋଗୁଁ ଜଣେ ୫୭ ବର୍ଷୀୟ ମହିଳା ଚ଼ଳିତ ଥର ମ୍ୟାଟ୍ରିକ୍ ପରୀକ୍ଷାରେ ପରୀକ୍ଷାର୍ଥୀ ଭାବେ ଭାଗ ନେଇଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କପିଳେଶ୍ବରପୁର ଗାଁର ଅର୍ଚ୍ଚନା ସର ପ୍ରମାଣ କରିଦେଇଛନ୍ତି ଯେ ଜିଜ୍ଞାସା ଓ ଜିଗୀଷା ଆଗରେ ବୟସ କେବେ ପ୍ରତିବନ୍ଧକ ସାଜେନାହିଁ ।
ଜଣେ ସାଧାରଣ ଗୃହିଣୀ ହୋଇଥିବା ସତ୍ତ୍ୱେ ଅର୍ଚ୍ଚନା ମ୍ୟାଟ୍ରିକ ପରୀକ୍ଷା ଦେବା ପାଇଁ ଇଚ୍ଛା କରିବା ଓ ସେଥି ପାଇଁ ପ୍ରସ୍ତୁତ ହେବା ଦେଖି ସେ ଅଞ୍ଚଳରେ ଅନେକ ଲୋକ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । କେତେକ ତାଙ୍କ ବୟସ ଆଡ଼େ ଇଙ୍ଗିତ କରି ପରିହାସ ମଧ୍ୟ କରିଥିଲେ । ହେଲେ ନିଜ ପରିବାର ତରଫରୁ ଅର୍ଚ୍ଚନାଙ୍କୁ ମିଳିଥିଲା ପୂରା ସହଯୋଗ ।
‘‘ମଣିଷ ଜାଣିଲେ ହିଁ ଜିଣିବ । ନ ଜାଣିଲେ ପଛରେ ରହିଯିବ । ଜାଣିବା ପାଇଁ ପାଠପଢ଼ା ଜରୁରୀ । ଏଥି ପାଇଁ ବୟସ କେବେ ପ୍ରତିବନ୍ଧକ ହୋଇପାରେନା । ଅଧିକ ପଢିଲେ ହିଁ ତ ଅନେକ କଥା ଜାଣିହେବ । ସେଥି ପାଇଁ ମୁଁ ମ୍ୟାଟ୍ରିକ୍ ପରୀକ୍ଷା ଦେବାକୁ ମନ ବଳାଇଲି । ଚ଼ଳିତ ପରୀକ୍ଷାରେ ନିଶ୍ଚେ ମତେ ସଫଳତା ମିଳିବ ବୋଲି ମୋ’ର ଆଶା ଓ ବିଶ୍ବାସ । ସୁଯୋଗ ମିଳିଲେ ଆଗକୁ ମଧ୍ୟ ପଢ଼ା ଜାରି ରଖିବି,’’ କହିଛନ୍ତି ଦୁଇ କଲେଜରେ ପଢ଼ୁଥିବା ପୁଅଝିଅଙ୍କ ମାଆ ଅର୍ଚ୍ଚନା ସର ।
ଅର୍ଚ୍ଚନାଙ୍କ ପରିବାରରେ ପ୍ରାୟ ସମସ୍ତେ ଉଚ୍ଚଶିକ୍ଷିତ । ହେଲେ ସେ ସୁଯୋଗ ଅଭାବରୁ ଦୀର୍ଘ ବର୍ଷ ହେବ ଅଧାରୁ ହିଁ ପାଠପଢା ଛ଼ାଡ଼ିଦେଇଥିଲେ । ବୟସ ବଢିବା ପରେ ବି ତାଙ୍କ ଇଛାଶକ୍ତି ତାଙ୍କୁ ପୁଣି ଥରେ ପାଠପଢ଼ା ପ୍ରତି ଆକର୍ଷିତ କରିଥିଲା । ଚ଼ଳିତ ପରୀକ୍ଷାରେ ଜଣେ ସାଧରଣ ପରୀକ୍ଷାର୍ଥୀଙ୍କ ପରି ସେ ପରୀକ୍ଷା କେନ୍ଦ୍ରରେ ବସି ମ୍ୟାଟ୍ରିକ ପରୀକ୍ଷା ଦେଉଛନ୍ତି ।

ଜଣେ ଝିଆରୀ ଠାରୁ ପାଠ ପଢ଼ାରେ ସହାୟତା ନିଅନ୍ତି ଅର୍ଚ୍ଚନା ।
‘‘ଆମ ଘରେ ପ୍ରାୟ ସମସ୍ତେ ଶିକ୍ଷିତ ହୋଇଥିବା ସତ୍ତ୍ୱେ କେତେକ ପାରିବାରିକ ଅସୁବିଧା ଯୋଗୁଁ ସେ ସେତେବେଳେ ମ୍ୟାଟ୍ରିକ୍ ପାସ୍ କରିପାରିନଥିଲା । ମୁଁ ପାଠ ପଢି ଚାକିରି କରିଛି । ହେଲେ ସେ ମ୍ୟାଟ୍ରିକ୍ ପାସ୍ କରିନଥିବାରୁ ତା’ ମନରେ କ୍ଷୋଭ ଥିଲା । ସେ ଏତେ ବର୍ଷ ବୟସରେ ମ୍ୟାଟ୍ରିକ୍ ପରୀକ୍ଷା ଦେବାକୁ ମନ ବଳାଇଛି ବୋଲି ଆମେ ସମସ୍ତେ ଖୁସି । ସେ ନିଶ୍ଚୟ ଉତ୍ତୀର୍ଣ୍ଣ ହେବ ବୋଲି ମୁଁ ଆଶା କରୁଛି,’’ କହିଛନ୍ତି ଅର୍ଚ୍ଚନାଙ୍କ ବଡ଼ ଭଉଣୀ ସରସ୍ବତୀ ପଣ୍ଡା । ସେ ଜଣେ ଶିକ୍ଷୟତ୍ରୀ ।
ସବୁ ସାଧାରଣ ଗୃହିଣୀଙ୍କ ପରି ଅର୍ଚ୍ଚନା ମଧ୍ୟ ସର୍ବଦା ନିଜ ଘରକାମରେ ବ୍ୟସ୍ତ ରହନ୍ତି । ବହୁତ କଷ୍ଟରେ ମିଳୁଥିବା ଫୁରସତ୍ ସମୟ ହିଁ ସେ କିଛି ମାତ୍ରାରେ ପାଠପଢ଼ାରେ ଲଗାନ୍ତି । ଚଳିତ ଥର ମ୍ୟାଟ୍ରିକ ପରୀକ୍ଷା ଦେବାକୁ ସ୍ଥିର କରିବା ପର ଠାରୁ ସେ ଦିନକୁ ପାଞ୍ଚରୁ ଛଅ ଘଣ୍ଟା ପାଠ ପଢ଼ିବାକୁ ଚେଷ୍ଟା କରିଥିଲେ ବୋଲି କହିଛନ୍ତି ।
‘‘ନାନୀ ଆମର ଆମକୁ ସବୁ କାମଧନ୍ଦାରେ ସାହାଯ୍ୟ କରନ୍ତି । ନିଜେ ଛାତ୍ରୀ ଥିବା ସମୟରେସେ ମ୍ୟାଟ୍ରିକ୍ ପରୀକ୍ଷା ଦେଇପାରିନଥିଲେ । ଏ ଥର ସେ ମ୍ୟାଟ୍ରିକ୍ ପରୀକ୍ଷା ଦେଉଥିବାର ଦେଖି ଆମେ ବେଶ୍ ଖୁସି । ଆମମାନଙ୍କ ପକ୍ଷରୁ ତାଙ୍କୁ ଖୁବ୍ ସମର୍ଥନ ମିଳିଛି । ଏ ବୟସରେ ମ୍ୟାଟ୍ରିକ୍ ପରୀକ୍ଷା ଦେଉଥବାରୁ ସେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି,’’ କହିଛନ୍ତି ଅର୍ଚ୍ଚନାଙ୍କ ଝିଆରୀ ରଶ୍ମିତା ଦାସ ।
ଗତ ବୁଧବାର ମ୍ୟାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ଅର୍ଚ୍ଚନା ନିଜ ପିଲାଙ୍କ ଠାରୁ ସାନ ବୟସର ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା କେନ୍ଦ୍ରରେ ବସି ମାତୃଭାଷା ଓଡ଼ିଆ ବିଷୟର ପରୀକ୍ଷା ଦେଇଛନ୍ତି । ସେ ପତ୍ର ବିନିମୟ ପାଠ୍ୟକ୍ରମରେ ମ୍ୟାଟ୍ରିକ ପରୀକ୍ଷା ଦେବାକୁ ପ୍ରସ୍ତୁତି ଚ଼ଳାଇଥିଲେ । ଏହି ପରୀକ୍ଷାରେ ସଫଳତା ପାଇବେ ବୋଲି ସେ ନିଜେ ଓ ତାଙ୍କ ପରିବାର ଲୋକେ ବେଶ୍ ଆଶାବାଦୀ ଅଛନ୍ତି ।
''ତାଙ୍କୁ ଏବେ ବୟସ ୫୭ ବର୍ଷ ହୋଇଥିବା ସତ୍ତ୍ୱେ ସେ ମ୍ୟାଟ୍ରିକ୍ ପରୀକ୍ଷା ଦେଉଥିବାରୁ ଆମେ ପିଲାମାନେ ବି ବେଶ୍ ଆନନ୍ଦିତ । ଏଥି ପାଇଁ ଆମେ ମଧ୍ୟ ତାଙ୍କୁ ଉତ୍ସାହିତ କରୁଛୁ । ତାଙ୍କର ଏଥି ପାଇଁ ଆଗ୍ରହ ଥିବାରୁ ସେ ନିଶ୍ଚିତରୂପେ ପରୀକ୍ଷାରେ କୃତକାର୍ଯ୍ୟ ହେବେ ବୋଲି ଆମର ଆଶା ଓ ବିଶ୍ବାସ,’’ କହିଛନ୍ତି ଅର୍ଚ୍ଚନାଙ୍କ ପୁତୁରା ବ୍ରଜ ସୁନ୍ଦର ଦାସ ।
ଉତ୍ତୀର୍ଣ ବୟସରେ ପାଠପଢ଼ି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆଗ୍ରହ ଦେଖାଇଥିବା ସାଧାରଣ ଗୃହିଣୀ ଅର୍ଚ୍ଚନା ନିଶ୍ଚୟ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।