୧୨୬ ବର୍ଷ ବୟସରେ ପଦ୍ମଶ୍ରୀ ସ୍ୱାମୀ ଶିବାନନ୍ଦଙ୍କ ବାର୍ତ୍ତା; କରନ୍ତୁ ଯୋଗ ରୁହନ୍ତୁ ନିରୋଗ

ପଦ୍ମଶ୍ରୀ ସ୍ୱାମୀ ଶିବାନନ୍ଦ ୧୨୬ବର୍ଷ ବୟସରେ ଯୋଗ କରି ସୁସ୍ଥ ରହିଛନ୍ତି । ଦିନକୁ ୨ ଘଣ୍ଟା ଚାଲୁଛନ୍ତି, ଶୀର୍ଷାସନ କରୁଛନ୍ତି। ଶିବାନନ୍ଦଙ୍କ ଜୀବନ ମନ୍ତ୍ର ‘ଅଭିଳାଶ ନାହିଁ, ରୋଗ ନାହିଁ’। ଯୁବପିଢୀ ଗୀତା ପଢନ୍ତୁ ଓ ଜୀବନଚର୍ଯ୍ୟାକୁ ବଦଳାନ୍ତୁ ବୋଲି ବାର୍ତ୍ତା ଦେଇଛନ୍ତି ସ୍ୱାମୀ ଶିବାନନ୍ଦ।

୧୨୬ ବର୍ଷ ବୟସରେ ପଦ୍ମଶ୍ରୀ ସ୍ୱାମୀ ଶିବାନନ୍ଦଙ୍କ ବାର୍ତ୍ତା; କରନ୍ତୁ ଯୋଗ ରୁହନ୍ତୁ ନିରୋଗ

୧୨୬ ବର୍ଷ ବୟସରେ ପଦ୍ମଶ୍ରୀ ସ୍ୱାମୀ ଶିବାନନ୍ଦଙ୍କ ବାର୍ତ୍ତା; କରନ୍ତୁ ଯୋଗ ରୁହନ୍ତୁ ନିରୋଗ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ବାର୍ଦ୍ଧକ୍ୟ ତାଙ୍କୁ ଛୁଇଁବ ନାହିଁ ବୋଲି ଯେମିତି ରାଣ ଖାଇଛି । ୧୨୬ଟି ବସନ୍ତକୁ ପାର୍‌ ହୋଇସାରିଥିଲେ ବି ଯୁବ ସୁଲଭ ମନ ଏବେ ବି ଫିକା ପଡ଼ିନାହିଁ । ସେ ପ୍ରବଚକ ନୁହଁନ୍ତି, କିନ୍ତୁ ବୟସ୍କଙ୍କ ମଧ୍ୟରେ ଯୁବତ୍ୱର ଉର୍ଜା ଭରିପାରୁଥିବା ଜଣେ ସିଦ୍ଧ ପୁରୁଷ। ନାଁ ତାଙ୍କର ସ୍ୱାମୀ ଶିବାନନ୍ଦ। ପଦ୍ମଶ୍ରୀ ପୁରସ୍କାର ଗ୍ରହଣ ବେଳେ ରାଷ୍ଟ୍ରପତିଙ୍କ ପାଦ ଛୁଇଁ ମୁଣ୍ଡିଆ ମାରି ଚର୍ଚ୍ଚାକୁ ଆସିଥିବା ସ୍ୱାମୀ ଶିବାନନ୍ଦଙ୍କ ଜୀବନ କାହାଣୀ ଯେତିକି ପ୍ରେରଣାଦାୟୀ ସେତିକି ଅନୁକରଣୀୟ। ଆଜି ଏକ ସତସଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପୁରୀ ସୁନ୍ଦରା ଯାଗାକୁ ଆସିଥିଲେ । ନ୍ୟୁଜ ୧୮ ଓଡ଼ିଆ ଜାଣିବାକୁ ଚାହିଁଥିଲା ଏହି ପ୍ରେରଣାଦାୟୀ ଜୀବନ କାହାଣୀ।



୧୨୬ ବର୍ଷରେ ସ୍ୱାମୀ ଶିବାନନ୍ଦ ଯୁବ ସୁଲଭ ଭାବେ ଜୀବନ ନିର୍ବାହ କରୁଥିବାର ରହସ୍ୟ ପଚାରିବାରେ ସେ କହିଥିଲେ, ‘ନୋ ଡିଜାୟାର, ନୋ ଡିଜିଜ’ ଅର୍ଥାତ ଅଭିଳାଶ ନାହିଁ ତ ରୋଗ ନାହିଁ। ଏହା ହିଁ ତାଙ୍କ ଜବୀନର ମନ୍ତ୍ର। ଅବିଭକ୍ତ ବାଂଲାଦେଶର ସିଲହଟରେ ୧୮୯୬ ମସିହା ଅଗଷ୍ଟ ୮ ତାରିଖରେ ଜନ୍ମ ଗ୍ରହଣ କରିଥିବା ଶିବାନନ୍ଦଙ୍କ ବାପା ଶ୍ରୀନାଥ ଗୋସ୍ୱାମୀ ଭିକ୍ଷା ବୃତ୍ତି କରି ଘର ଚଳାଉଥିଲେ। ଶିବାନନ୍ଦଙ୍କୁ ୪ ବର୍ଷ ହୋଇଥିବା ବେଳେ ବାପା ନେଇ ତାଙ୍କୁ ନଦିଆ ନବଦ୍ୱୀପ ଆଶ୍ରମରେ ଛାଡ଼ିଦେଲେ। ତାଙ୍କ ଭଉଣୀ ଆରତି ଖାଦ୍ୟ ଅଭାବରୁ ଆରପାରିକୁ ଚାଲିଗଲେ। ୬ ବର୍ଷ ହୋଇଥିବା ବେଳେ ବାପା ଶ୍ରୀନାଥ ଓ ମା’ ଭଗବତୀ ଦେବୀଙ୍କର ଦେହାନ୍ତ ହୋଇଗଲା। ୬ ବର୍ଷ ବୟସରେ ତାଙ୍କୁ ଯେବେ ବାପା ମା’ଙ୍କ ମୁହଁରେ ନିଆଁ ଦେବାକୁ କୁହାଗଲା, ସେ କହିଲେ ମୋତେ ଜନ୍ମ ଦେଇଥିବା ବ୍ୟକ୍ତିଙ୍କ ମୁହଁରେ ମୁଁ ନିଆଁ ଦେବି ନାହିଁ। ବରଂ ପାଦରେ ନିଆଁ ଦେବି। ସେୟା ହିଁ ହେଲା। ସେବେଠୁ‌ ସେ ଆଶ୍ରମରେ ଜୀବନ ନିର୍ବାହ କଲେ। ତାଙ୍କର ଉକ୍ତି ଥିଲା, ଏ ବିଶ୍ୱ ମୋ ଘର, ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ମୋ ପରିବାର। ସେବେଠାରୁ ଅବହେଳିତ ତଥା କୁଷ୍ଠ ରୋଗୀଙ୍କୁ ସେ ଯଥା ସମ୍ଭବ ଦାନ ଦେଇ ଆସୁଛନ୍ତି।

ସ୍ୱାମୀ ଶିବାନନ୍ଦଙ୍କ ମତରେ ଭଗବାନଙ୍କଠାରୁ ଗୁରୁ ମହାନ। ମାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ବହୁତ ଶ୍ରଦ୍ଧା କରନ୍ତି। ୫୦ ବର୍ଷ ହେଲା ପ୍ରତି ବର୍ଷ ପୁରୀ ଆସୁଛନ୍ତି। ମହାପ୍ରଭୁଙ୍କ ଯୋଗୁଁ ସେ ସୁସ୍ଥ ଥିବା ମଧ୍ୟ କହିଛନ୍ତି। ତାଙ୍କର ବଡ଼ ଆଶ୍ରମ ନାହିଁ କି କାହାଠାରୁ ଦାନ ନିଅନ୍ତି ନାହିଁ। ବନାରସରେ ଏବେ ଏକ ବଖରିଆ ଘରେ ଜୀବନଯାପନ କରୁଛନ୍ତି। ଭୋର ୩ଟାରୁ ଉଠିବା ପରେ ୨ ଘଣ୍ଟା ଚାଲିବା ସହ ମନ୍ତ୍ର ଉଚ୍ଚାରଣ କରୁଛନ୍ତି। ପରେ ଘଣ୍ଟାଏ ଯୋଗାଭ୍ୟାସ କରୁଛନ୍ତି। ଶୀର୍ଷାସନ ଭଳି ଯୋଗ କରି ଚମତ୍କୃତ କରୁଛନ୍ତି। ମୁଢ଼ି, ନରମ ଭାତ, ଅମୃତଭଣ୍ଡା ସହ ସିଝାସିଝି ଖାଦ୍ୟ ହେଉଛି ତାଙ୍କର ସବୁଦିନର ଆହାର। ରାଷ୍ଟ୍ରପତିଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିବାର କାରଣ ପଚାରିବାରେ କହିଛନ୍ତି, ସମସ୍ତଙ୍କ ମଧ୍ୟରେ ନାରାୟଣ ଅଛନ୍ତି। ସେଇ ନାରାୟଣଙ୍କୁ ସେ ନମନ କରନ୍ତି। ଛୋଟ ପିଲାଙ୍କର ମଧ୍ୟ ପାଦ ଛୁଇଁ ମୁଣ୍ଡିଆ ମାରନ୍ତି। ନିକଟରେ କୋଲକାତାର ଉଡଲାଣ୍ଡ ହସ୍ପିଟାଲ ତାଙ୍କ ଶରୀରର ବିଭିନ୍ନ ଅଙ୍ଗ ପରୀକ୍ଷା କରିବା ପରେ ଚମତ୍କୃତ ହୋଇଥିଲେ। ମସ୍ତିଷ୍କ ଓ ହୃଦୟ ଯୁବକଙ୍କ ଭଳି ରହିଥିବା ବେଳେ ବିନା ଚଷମାରେ ସେ ଖବରକାଗଜ ଓ ବହି ପଢ଼ିପାରୁଛନ୍ତି। ଏବେ ବଞ୍ଚିବା ପାଇଁ ମେଡିସିନ ଏକମାତ୍ର ସାହାରା ପାଲଟିଥିବା ବେଳେ ସ୍ୱାମୀ ଶିବାନନ୍ଦ ଜୀବନକୁ ହାତ ମୁଠାରେ ଆୟତ୍ତ କରି ବଞ୍ଚିବାର କଳା ଶିଖାଇଛନ୍ତି।
Published by:Soubhagya Mishra
First published: