News18 Odia Digital
ଭୁବନେଶ୍ବର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ସାମ୍ନାକୁ ଆସିଲା ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ। ହତ୍ୟା ପୂର୍ବରୁ ମାନସ ଲେଖିଥିଲେ ଚିଠି। ଯେଉଁ ଚିଠିରେ ଅପହରଣ ଠାରୁ ଆରମ୍ଭ କରି ନିର୍ଯ୍ୟାତନା ପର୍ଯ୍ୟନ୍ତ ଉଲେଖ ଥିଲା। ୩ ପୃଷ୍ଠାର ଏହି ଚିଠିକୁ ପାଇଥିଲେ ଆଶ୍ରମର କେୟାର ଟେକର। ଚିଠିକୁ ପଢ଼ିବା ପରେ ସେ ଶର୍ମିଷ୍ଠାଙ୍କୁ ଦେଇଥିବା କହିଛନ୍ତି।
ଦୟାଲ ଆଶ୍ରମ କାମ କରୁଥିବା କେୟାରଟେକର କହିଛନ୍ତି, "ମାନସକୁ ଅପହରଣ କରି ଆଶ୍ରମରେ ରଖାଯାଇଥିଲା। ଆଶ୍ରମରେ ଥିବା ଉପର ମହଲରେ ତାଙ୍କୁ ଘର ଭିତରେ ବନ୍ଦ କରି ରଖାଯାଇଥିଲା। ମୁଁ ତାଙ୍କ ପାଇଁ ଖାଇବାକୁ ଦେଲେ ବି ସେ ଖାଉନଥିଲେ। ତେବେ କାହିଁକି ମାନସଙ୍କୁ ଘର ଭିତରେ ବନ୍ଦ କରି ରଖାଯାଇଥିଲା ସେନେଇ ଶର୍ମିଷ୍ଠା କହିନଥିଲେ। ପରେ ଗୋଟିଏ ଦିନ ମୁଁ ନଥିବା ବେଳେ ମାନସକୁ ସେମାନେ ନେଇଯାଇଥିଲେ। ମୁଁ ଆସିବା ପରେ ଦେଖିଲି ମାନସ ଥିବା ଘର ଖୋଲା ରହିଛି। ଶର୍ମିଷ୍ଠା ମାଡମକୁ ପଚାରିବାରୁ ସେ କହିଥିଲେ ତାଙ୍କୁ ଛାଡ଼ି ଦିଆଯାଇଛି। ହେଲେ ମୁଁ ଘର ସଫା କରୁଥିବା ବେଳେ ମାନସ ଥିବା ଘରୁ ଏକ ହାତ ଲେଖା ଚିଠି ପାଇଥିଲି। ଯେଉଁଥିରେ ଲେଖାଥିଲା, ‘‘ମୁଁ ମାନସ ସ୍ଵାଇଁ। ମୋତେ ଅପହରଣ କରି ଏଠାରେ ରଖା ଯାଇଛି । ମୁଁ ଯଦି ମରିଯାଏ ତେବେ ମୋ ମୃତ ଦେହକୁ ଏମାନଙ୍କ ଠାରୁ ନେଇଯିବ।’’ ପରେ ଶର୍ମିଷ୍ଠା ମାଡମ ମୋ ହାତରୁ ଚିଠି ନେଇଯାଇଥିଲେ।’’
ଏହି ଚିଠି ସମ୍ବନ୍ଧୀୟ ସମ୍ପୃକ୍ତ କେୟାରଟେକରକୁ ଚାନ୍ଦବାଲି ପୋଲିସ ପଚରାଉଚରା କରିଛି। ତାଙ୍କୁ କାହିଁକି ଅପହରଣ କରାଗଲା। କାହିଁକି ତାକୁ ବନ୍ଦ କୋଠରୀରେ ନିର୍ଯାତନା ଦିଆଗଲା। ମୃତ୍ୟୁ ପୂର୍ବରୁ ସବୁକିଛି ଲେଖିଥିଲା ମାନସ। ବୋଧହୁଏ ମାନସ ଜାଣିଥିଲା, ବନ୍ଦ କୋଠରୀରୁ ମୁକୁଳିବା ତାପାଇଁ ଅସମ୍ଭବ। ସେଥିପାଇଁ ୩ ପୃଷ୍ଠାର କାଗଜରେ ଛାଡ଼ି ଦେଇ ଯାଇଥିଲା ନିଜର ମୃତ୍ୟୁର କାରଣ।
ସେପଟେ ମାନସ ହତ୍ୟାକରୀ ଶର୍ମିଷ୍ଠା ରାଉତ ଓ ପୂର୍ବତନ ସୂଚନା ଲୋକସମ୍ପର୍କ ଟେକନିକାଲ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମ୍ପର୍କର ଫିଟୁଛି ଗୁମର। ଆଶ୍ରମର ଜଣେ ସଦସ୍ୟ କହିଛନ୍ତି ଯେ ପ୍ରତି ଶନିବାର ନିରଞ୍ଜନ ସେଠି ଆଶ୍ରମକୁ ଆସନ୍ତି। ତାଙ୍କୁ ମଦ ଆଣିବା ପାଇଁ ପଠାନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଶର୍ମିଷ୍ଠା ଓ ନିରଞ୍ଜନ ଆଶ୍ରମର ଉପର ମହଲା ମଦ୍ୟପାନ କରନ୍ତି। ନିରଞ୍ଜନ ଓ ଶର୍ମିଷ୍ଠା ସମ୍ପର୍କକୁ ନେଇ ସମ୍ପୃକ୍ତ ଯୁବକକୁ ପୋଲିସ ପଚରାଉଚରା କରିଥିବା ଜଣା ପଡ଼ିଛି।
ସେପଟେ ଚାନ୍ଦବାଲି ପୋଲିସ ଠାରୁ ତଥ୍ୟ ନେବା ପରେ, ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ କ୍ରାଇମ ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ଶୁକ୍ରବାର କ୍ରାଇମ ବ୍ରାଞ୍ଚର ଟିମ ଚାନ୍ଦବାଲି ଥାନାରେ ଖୋଳତାଡ଼ କରିବା ପରେ ମାନସଙ୍କୁ ଅପହରଣ କରା ଯାଇଥିବା ନାଲଗୁଣ୍ଡା-ପଳାଶପୁର ଗ୍ରାମକୁ ଯାଇ ଖୋଲତାଡ଼ କରିଛି। ଅପହରଣ ଘଟଣାର ପ୍ରତ୍ୟକ୍ଷଦର୍ଶୀ କୁହା ଯାଉଥିବା ରମେଶ ପାତ୍ରଙ୍କୁ ପଚାରଉଚରା କରିଛନ୍ତି।
ସୂଚନାଯୋଗ୍ୟ, ମାନସ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଭାର କ୍ରାଇମ୍ ବ୍ରାଞ୍ଚ ଆରମ୍ଭ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଧରିବା ପାଇଁ ରାଜ୍ୟ ବାହାରେ ଡେରା ପକାଇଛି କ୍ରାଇମ୍ ବ୍ରାଞ୍ଚ ଟିମ। ସେପଟେ ଚିପ ପଛର ରହସ୍ୟ ଜାଣିବା ପାଇଁ ନିରଞ୍ଜନ ସେଠୀଙ୍କୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।