News18 Odia Digital
ଭୁବନେଶ୍ବର: ପ୍ରତ୍ୟାହୃତ ହୋଇଛି ଶିକ୍ଷକ ଆନ୍ଦୋଳନ। ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିବା ନେଇ ଶିକ୍ଷକ ସଙ୍ଘ ନିଷ୍ପତ୍ତି ନେଇଛି। ସଙ୍ଘର ଷ୍ଟିୟରିଂ କମିଟିରେ ନିଷ୍ପତ୍ତି ପରେ ଆନ୍ଦୋଳନ ପ୍ରତ୍ୟାହାର ନେଇ ଘୋଷଣା କଲା ଶିକ୍ଷକ ସଙ୍ଘ।
୪ ଦିନ ହେବ ୩ ଦଫା ଦାବି ନେଇ ପ୍ରତିବାଦ ଜାରି ରଖିଥିଲା ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ। ୨୦୦୧ରୁ ନିଯୁକ୍ତି ପାଇଥିବା ଚାକିରିଆଙ୍କ ଠିକା ପ୍ରଥା ଉଚ୍ଛେଦ କରି ୬ ବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରି ସହ ମିଶାଇ ୬ଟି ଇନକ୍ରିମେଣ୍ଟ ଦେବା। କେନ୍ଦ୍ରୀୟ ହାରରେ ଦରମା ଦେବା। ନ୍ୟୁ ପେନସନ ସ୍କିମ ଉଚ୍ଛେଦ କରି ପୁରୁଣା ପେନସନ ସ୍କିମ୍ ଲାଗୁ କରିବା ଭଳି ତିନି ଦଫା ନେଇ ପ୍ରତିବାଦ କରିଥିଲା ସଂଘ।
ସରକାରଙ୍କ ସହ ଦୁଇ ଥର ଆଲୋଚନା ବିଫଳ ପରେ ବୁଧବାର ମୁଖ୍ୟ ଶାସନ ସଚିବଙ୍କ ସହ ସଙ୍ଘର ଏକ ବୈଠକ ବସିଥିଲା। ବୈଠକ ପରେ ସମସ୍ୟାର ସମାଧାନ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷାତାରେ ଏକ କମିଟି ଗଠନ କରାଯାଇଥିଲା। କମିଟିର ସଦସ୍ୟ ରହିବେ ସ୍କୁଲ ଓ ଗଣଶିକ୍ଷା ସଚିବ, ଅର୍ଥ ବିଭାଗ ସଚିବ। ଆସନ୍ତା୧୬ରେ ପୁଣି ସରକାର-ଶିକ୍ଷକ ସଙ୍ଘ ମଧ୍ୟରେ ବସିବ ବୈଠକ।
ଆସନ୍ତା ୧୬ ତାରିଖରୁ ୨୦ ତାରିଖ ମଧ୍ୟରେ ସଙ୍ଘର ଦାବି ନେଇ ସରକାରଙ୍କ ପାଖରେ ଏହି କମିଟି ଉପସ୍ଥାପନ କରାଯିବ। ଏହାପରେ ସରକାର ନିଷ୍ପତି ନେବେ। ସରକାରଙ୍କ ପକ୍ଷରୁ ଏଭଳି ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଛି ସଙ୍ଘ। ୨୦ ତାରିଖ ସୁଦ୍ଧା ସରକାର କୌଣସି ପଦକ୍ଷେପ ନ ନେଲେ ୨୧ ତାରିଖରୁ ପୁନର୍ବାର ଆନ୍ଦୋଳନ ତେଜିବ ବୋଲି ସଙ୍ଘ ଚେତାବନୀ ଦେଇଛି।
ଗୋଟେପଟେ ବିଧାନସଭା ବାହାରେ ଶିକ୍ଷକ ସଂଘ ପ୍ରତିବାଦ ଜାରି ରଖିଥିବା ବେଳେ ବିଧାନସଭା ଭିତରେ ଶିକ୍ଷକଙ୍କ ସମର୍ଥନରେ ବାହାରିଥିଲେ ବିରୋଧୀ।
୩ ଦିନ ହେବ ପ୍ରସଙ୍ଗକୁ ନେଇ ବିରୋଧୀ ତମ୍ବି ତୋଫାନ କରିଥିବା ବେଳେ ବୁଧବାର ବି ଗୃହରେ ଶିକ୍ଷକଙ୍କ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ତମ୍ବି ତୋଫାନ ହୋଇଥିଲା। ଶୂନ୍ୟକାଳରେ ଶିକ୍ଷକଙ୍କ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ବିରୋଧୀ। ସମସ୍ୟାର ସମାଧାନ ପାଇଁ ବିରୋଧୀ ଅଡି ବସିଥିଲେ।
ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବାଚସ୍ପତିଙ୍କ ପୋଡ଼ିଅମ ତଳେ ଧାରଣାରେ ବସିଥିଲେ। କହିଥିଲେ ଶିକ୍ଷକଙ୍କ ସମସ୍ୟାର ସମାଧାନ ନ ହେଲେ କ୍ୱଟରକୁ ଛାଡ଼ିବେନି ଶିକ୍ଷକ। ତେଣୁ ବିଧାନସଭାରେ ବସିବି କହି ପୋଡ଼ିଅମ ତଳେ ଧାରଣାରେ ବସିଥିଲେ।
ପରବର୍ତ୍ତୀ ମୁହୂର୍ତ୍ତରେ କଂଗ୍ରେସ ଓ ବିଜେପି ସଦସ୍ୟ ବି ପ୍ରତିବାଦ ପୋଡ଼ିଅମ ନିକଟରେ ପ୍ରତିବାଦ କରିବା ସହ କିଛି କଂଗ୍ରେସ ସଦସ୍ୟ ବି ପୋଡ଼ିଅମ ତଳେ ବସି ପ୍ରତିବାଦ କରିଥିଲେ। ମୁଖ୍ୟ ଶାସନ ସଚିବଙ୍କୁ ବିଧାନସଭା ଡକାଇ ସମସ୍ୟାର ସମାଧାନ କରିବାକୁ ଦାବି କରିଥିଲେ କଂଗ୍ରେସ ସଦସ୍ୟ। ହୋ ହାଲ୍ଲା ନାରାବାଜି ଯୋଗୁଁ ଗୃହ ସ୍ୱାଭାବିକ ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ବି ସମାଧାନର ବାଟ ବାହାରି ପାରିନଥିଲା। ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ ବାଚସ୍ପତି।
ପୁନର୍ବାର ଗୃହ ଆରମ୍ଭ ହେବା କ୍ଷଣି କଂଗ୍ରେସ ସଦସ୍ୟ ଶିକ୍ଷକ ସମସ୍ୟା ଉଠାଇ ପ୍ରତିବାଦ କରିଥିଲେ। ବାଚସ୍ପତିଙ୍କ ପ୍ରକୋଷ୍ଠଙ୍କୁ ମୁଖ୍ୟ ଶାସନ ସଚିବଙ୍କୁ ଓ ଶିକ୍ଷକ ପ୍ରତିନିଧିଙ୍କୁ ଡକାଇ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ। ବିଜେପି ସଦସ୍ୟ ବି ସମାନ ପ୍ରସଙ୍ଗ ଉଠାଇ ପ୍ରତିବାଦ କରିଥିଲେ। ବିଜେଡି ବିଧାୟକ ଅମର ଶତପଥୀ କହିଥିଲେ ଯେ ଶିକ୍ଷକଙ୍କ ସମସ୍ୟା ପ୍ରତି ସରକାର ସଚେତନ ଅଛନ୍ତି। ଆଲୋଚନା ଜାରି ରଖିଛନ୍ତି। କିନ୍ତୁ ବିରୋଧୀଙ୍କ ଏପରି ଆଚରଣ ଗ୍ରହଣୀୟ ନୁହେଁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।