News 18 Odia Digital
ବ୍ରହ୍ମପୁର; ସହରରେ ଆଉ ଏଣେତେଣେ ପଡ଼ିବ ନାହିଁ ସରକାରୀ ମେଡ଼ିକାଲରୁ ବାହାରୁଥିବା ବର୍ଜ୍ୟବସ୍ତୁ । ଏଗୁଡ଼ିକୁ ସଂଗ୍ରହ କରି ବିଶୋଧନ ନିମନ୍ତେ ନୂଆ ପଦକ୍ଷେପ ହାତକୁ ନେଇଛି ବିଏମସି । ଆଜି ବିଏମସି ପକ୍ଷରୁ ବିଏମସି କାର୍ଯ୍ୟାଳୟ ପରିସରରେ ଏକ ଗାଡ଼ିର ଶୁଭାରମ୍ଭ ହୋଇଛି । ଏହି ଗାଡ଼ିକୁ ଶୁଭାରମ୍ଭ କରିଛନ୍ତି ବିଏମସି କମିଶନର ଜେ.ସୋନାଲ ଓ ମେୟର ସଂଘମିତ୍ରା ଦଳେଇ ।
‘‘ଏହି ଗାଡ଼ି ପ୍ରତିଦିନ ସହରରେ ରହିଥିବା ୮ଟି ସହରାଞ୍ଚଳ ପ୍ରାଥମିକ ୬ଟି ସହରାଞ୍ଚଳ ଆରୋଗ୍ୟ କେନ୍ଦ୍ରରେ ପହଞ୍ଚିବ । ସେଠାରେ ବର୍ଜ୍ୟବସ୍ତୁ ସଂଗ୍ରହ କରିବ । ସହରର ଏହି ୧୪ଟି ସରକାରୀ ମେଡ଼ିକାଲରୁ ବର୍ଜ୍ୟବସ୍ତୁକୁ ସଂଗ୍ରହ କରିବା ପରେ ଏହାକୁ ବିଶୋଧନ ଓ ବିନିଷ୍ଟକରଣ ନିମନ୍ତେ ଶେରଗଡ଼ରେ ରହିଥିବା ପ୍ଲାଣ୍ଟକୁ ପଠାଯିବ । ସେଠାରେ ସଂଗୃହିତ ବର୍ଜ୍ୟବସ୍ତୁର ବିଶୋଧନ ହେବ । ମେଡ଼ିକାଲ ଗୁଡ଼ିକରେ ରୋଗୀମାନଙ୍କ ଚିକିତ୍ସା ପଦ୍ଧତିରୁ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁ ଗୁଡ଼ିକ ଏଣେ ତେଣେ ପଡ଼ି କ୍ଷତିକାରକ ହେଉଥିଲା । ସମୁଦାୟ ଆବର୍ଜନାର ତାହା ୧୫ ପ୍ରତିଶତ ଭାଗ ହୋଇଥିଲେ ବି ଏହା ବିପଦଜନକ । ଏହା ସାଧରଣ ଆବର୍ଜନା ସହିତ ମିଶିଯାଉଥିବାରୁ ବିଭିନ୍ନ ସମୟରେ ଜଟିଳ ଅବସ୍ଥା ସୃଷ୍ଟି କରିବା ସହ ବିଭିନ୍ନ ରୋଗ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ମେଡ଼ିକାଲର ବର୍ଜ୍ୟବସ୍ତୁ ନିମନ୍ତେ ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି,‘‘ ବିଏମସି କମିଶନର ଜେ.ସୋନାଲ ।
‘‘ମେଡ଼ିକାଲର ବର୍ଜ୍ୟବସ୍ତୁକୁ ସଂଗ୍ରହ ନିମନ୍ତେ ପ୍ରକିୟା ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ଗୋଟିଏ ଗାଡ଼ି ବ୍ୟବହାର କରାଯାଇଛି । ପରେ ପରବର୍ତ୍ତୀ ସମୟରେ ଆଉ ଏକ ଗାଡ଼ି ମଧ୍ୟ ବୁଲିବ । ଏହା ସହିତ ଆଗାମୀ ଦିନରେ ମେଡ଼ିକାଲରୁ ବାହାରୁଥିବା ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁକୁ ଅଲଗା କରାଯିବ । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ମଧ୍ୟ କାର୍ଯ୍ୟରେ ଅନ୍ତଭୁକ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି,‘‘ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ । ଆଜି ଏହି ଗାଡ଼ିର ଶୁଭାରମ୍ଭ ହେବା ପରେ ସହରର ବିଭିନ୍ନ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ନଗର ଚିକିତ୍ସାଳୟକୁ ଯାଇ ମେଡ଼ିକାଲରୁ ବାହାରିଥିବା ବର୍ଜ୍ୟବସ୍ତୁକୁ ସଂଗ୍ରହ କରାଯାଇଥିଲା ।
‘‘ପୂର୍ବରୁ ମେଡ଼ିକାଲରୁ ଯେଉଁ ବର୍ଜ୍ୟବସ୍ତୁ ବାହାରୁଥିଲା ତାହା ବିଏମସିର ସାଧାରଣ ଅଳିଆ ବୁହା ଗାଡ଼ି ଆସି ସଂଗ୍ରହ କରୁଥିଲା । ଉକ୍ତ ଆବର୍ଜନା ତଥା ବର୍ଜ୍ୟବସ୍ତୁକୁ ମହୁଡ଼ା ରହିଥିବା ପ୍ଲାଣ୍ଟକୁ ପଠାଯାଉଥିଲା । ସେଠାରେ ତାହାର ବିଶୋଧନ ହେଉଥିଲା । କିନ୍ତୁ ବର୍ତ୍ତମାନ ସ୍ୱତନ୍ତ୍ର ଭାବେ କେବଳ ମେଡ଼ିକାଲରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ସଂଗହ କରି ଏହାର ବିଶୋଧନ ପଦକ୍ଷପ ଅତି ଉତ୍ତମ । ଏହାଦ୍ୱାରା ସାଧାରଣ ଆବର୍ଜନାରୁ ମେଡ଼ିକାଲରୁ ବାହାରୁଥିବା ଆବର୍ଜନା ଭିନ୍ନ ହେବା ସହିତ ମେଡ଼ିକାଲ ପରିସର ମଧ୍ୟ ସଫାସୁତୁରା ରହିପାରିବ ବୋଲି କହିଛନ୍ତି,‘‘ ନଗର ଚିକିତ୍ସାଳୟର ଡ଼ାକ୍ତର ପ୍ରଶାନ୍ତ ପାତ୍ର ।
‘‘କେବଳ ଯେ ସରକାରୀ ମେଡ଼ିକାଲର ବର୍ଜ୍ୟବସ୍ତୁକୁ ସଂଗ୍ରହ କରି ବିଏମସି ଚୁପ ବସିଲେ ହେବ ନାହିଁ । ବରଂ ଘରୋଇ ମେଡ଼ିକାଲରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ମଧ୍ୟ ବିଏମସି ବିଶୋଧନ କରିବାର ଆବଶ୍ୟକତା ରହିଛି । କାରଣ ଘରୋଇ ମେଡ଼ିକାଲରୁ ବାହାରୁଥିବା ବର୍ଜ୍ୟବସ୍ତୁ ଗୁଡ଼ିକୁ ମେଡ଼ିକାଲର କର୍ମଚାରୀମାନେ ବାହାରେ ଫିଙ୍ଗି ଦେଉଛନ୍ତି । ଯାହାଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏଦିଗରେ ବିଏମସି ଧ୍ୟାନ ଦେବାକୁ ଦାବି କରିଛନ୍ତି,‘‘ ବ୍ରହ୍ମପୁର ବାସିନ୍ଦା ଅଶୋକ ଶୁକ୍ଳ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।