News 18 Odia Digital
ମୟୂରଭଞ୍ଜ: ଆଉ ମାତ୍ର ୨ ଦିନର ଅପେକ୍ଷା । ୩ଦିନିଆ ମୟୂରଭଞ୍ଜରେ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (president draupadi murmu) । ଦେଖନ୍ତୁ କିଭଳି ସଜେଇ ହେଉଛି ପାହାଡପୁରର ସମେତ ଏହାର ଆଖପାଖ ଅଞ୍ଚଳ ।
ରାଷ୍ଟ୍ରପତି ହେବା ପରେ ପ୍ରଥମ କରି ନିଜ ଜନ୍ମମାଟିକୁ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ତେଣୁ ଜୋରସୋରରେ ଚାଲିଛି ସ୍ବାଗତ ପ୍ରସ୍ତୁତି । ଯୁଦ୍ଧକାଳୀନ ଭିତ୍ତିରେ ପରିଷ୍କାର ପରିଚ୍ଛନ୍ନ ସହ ରାସ୍ତାଘାଟ ନିର୍ମାଣ ଚାଲିଛି । ସେହିପରି ବିଦ୍ୟୁତ୍ ମରାମତି ସମେତ ପ୍ରସ୍ତୁତ ହେଉଛି ଅସ୍ଥାୟୀ ହେଲିପ୍ୟାଡ୍ (helipad) । କେବଳ ସେତିକି ନୁହେଁ, ରାଷ୍ଟ୍ରପତିଙ୍କ ରାତ୍ରୀଯାପନ ନିମନ୍ତେ ଝାଡ଼ଖଣ୍ଡର ଟାଟାନଗରରୁ ପୂର୍ତ୍ତ ବିଭାଗର ଡାକବଙ୍ଗଳାକୁ ଅଣାଯାଇଛି ସ୍ବତନ୍ତ୍ର ଖଟ ଓ ବିଛଣା । ବସିବା ନିମନ୍ତେ ବିଶିଷ୍ଟ କାରିଗରଙ୍କ ଦ୍ବାରା ନିର୍ମାଣ କରାଯାଉଛି ସ୍ବତନ୍ତ୍ର ଚୌକି । ଏପଟେ ଚକାଚକ ନଜର ଆସୁଛି ଏସଏଲଏସ୍ ସ୍ମାରକୀ ଆବାସିକ ବିଦ୍ୟାଳୟ ।
ରାଷ୍ଟ୍ରପତି ହେବା ପରେ ମଧ୍ୟ ମୟୂରଭଞ୍ଜ ସମ୍ପର୍କରେ ସବୁବେଳେ ଖବର ରଖିଥାନ୍ତି ଦ୍ରୌପଦୀ ମୁର୍ମୁ । ମୟୂରଭଞ୍ଜ ବାସିନ୍ଦା ମଧ୍ୟ ନିଜ ମାଟିର ଝିଅକୁ ସ୍ବାଗତ କରିବା ନେଇ ଉତ୍ସାହିତ । ୩ ଦିନିଆ ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବେ ରାଷ୍ଟ୍ରପତି । ରାଇରଙ୍ଗପୁରରେ ପହଞ୍ଚିବା ପରେ ନିଜ ଗାଁ ଉପରବେଡା ଏବଂ ଶାଶୁଘର ପାହାଡ଼ପୁର ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ । ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଶିମିଳିପାଳ ଅଭୟାରଣ୍ୟ ବୁଲିବେ । ବାରିପଦା ସ୍ଥିତ ତକତପୁର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମଧ୍ୟ ସାମିଲ ହେବେ ।
ଗସ୍ତ ସମୟରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିଭୂର୍ତ୍ତିରେ ମାଲ୍ୟାର୍ପଣ ସହ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ସହ କଥା ହେବେ ରାଷ୍ଟ୍ରପତି । ସମୟ ପାଖେଇବା ସହ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଖୁବଶୀଘ୍ର ସମସ୍ତ ପ୍ରସ୍ତୁତି ଶେଷ ହେବା ନେଇ ଆଶା ରଖିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ସେହିପରି ଗସ୍ତକୁ ନେଇ ଊତ୍ସାହିତ ଛାତ୍ରଛାତ୍ରୀ । ସମସ୍ତଙ୍କ ଅପେକ୍ଷା ରାଷ୍ଟ୍ରପତିଙ୍କ ଆଗମନର ସେହି ଶୁଭ ମୁହୂର୍ତ୍ତ୍ବକୁ ।
ରିପୋର୍ଟ- ପ୍ରିୟବ୍ରତ ମିଶ୍ର
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।