ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ (ପ୍ରତୀକାତ୍ମକ ଛବି)
News18 Odia Digital
କଟକ: ଆଜି ପ୍ରକାଶ ପାଇବ ଚଳିତବର୍ଷର ମାଟ୍ରିକ ପରିକ୍ଷା ଫଳ । ଫଳ ପ୍ରକାଶନ ପାଇଁ ସମସ୍ତ ବ୍ୟବସ୍ଥାକୁ ଚୁଡ଼ାନ୍ତ କରିଛି ବୋର୍ଡ଼ । ଆଜି ସକାଳ ୧୦ଟା ବେଳେ ପରୀକ୍ଷା କମିଟିର ବୈଠକ ବସିବା ପରେ ଅପରାହ୍ନ ଗୋଟାଏ ବେଳେ କଟକ ସ୍ଥିତ ବୋର୍ଡ଼ କାର୍ଯ୍ୟାଳୟରେ ପରୀକ୍ଷା ଫଳର ପୁସ୍ତିକା ଉନ୍ମୋଚିତ ହେବ ।
ତେବେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ମାଟ୍ରିକ ପରୀକ୍ଷାର ମୂଲ୍ୟାୟନ ମୁଖ୍ୟତଃ ତିନିଟି ପଦ୍ଧତିରେ କରାଯାଇଛି । ପ୍ରଥମ ପଦ୍ଧତିରେ ଫର୍ମେଟିଭ ଆସେସମେଣ୍ଟ ଓ ସମେଟିଭ ୧ ପରୀକ୍ଷାର ମାର୍କକୁ ଗ୍ରହଣ କରାଯାଇ ତାହାକୁ ଦ୍ଵିଗୁଣିତ କରାଯାଇ ପରୀକ୍ଷା ଫଳ ପ୍ରସ୍ତୁତ ହୋଇଛି । ଦ୍ବିତୀୟ ପଦ୍ଧତିରେ ସମେଟିଭ ୨ ପରୀକ୍ଷାର ମାର୍କକୁ ଦୁଇଗୁଣିତ କରାଯାଇ ପରୀକ୍ଷାର ଫଳକୁ ପ୍ରସ୍ତୁତ କରାଯାଇଛି । ତୃତୀୟ ପଦ୍ଧତିରେ ସମସ୍ତ ଫର୍ମେଟିଭ ଆସେସମେଣ୍ଟ ପରୀକ୍ଷା ଫଳର ୨୦ ପ୍ରତିଶତ ମାର୍କ ଓ ସମେଟିଭ ଆସେସମେଣ୍ଟ ୧ ର ୩୦ ପ୍ରତିଶତ ମାର୍କ ଓ ସମେଟିଭ ଆସେସମେଣ୍ଟ ୨ର ୫୦ ପ୍ରତିଶତ ମାର୍କକୁ ଗ୍ରହଣ କରାଯାଇ ଫଳ ପ୍ରସ୍ତୁତ କରାଯାଇଛି ।
"ତିନୋଟି ଯାକ ପଦ୍ଧତି ଭିତରୁ ପରୀକ୍ଷାର୍ଥୀ ଯେଉଁ ପଦ୍ଧତିରେ ସର୍ବାଧିକ ନମ୍ବର ରଖିଛନ୍ତି ତାକୁ ଆଧାର କରି ଚୂଡ଼ାନ୍ତ ଫଳ ପ୍ରସ୍ତୁତ କରାଯାଇଥିବା ବୋର୍ଡ଼ ପକ୍ଷରୁ କୁହାଯାଇଛି । ଏହି ନୂଆ ବ୍ୟବସ୍ଥାରେ ମୂଲ୍ୟାୟନ କାର୍ଯ୍ୟ ବହୁତ ଜଟିଳ ଥିଲା । ତେବେ ଏଥିରେ ଯେପରି କୌଣସି ତ୍ରୁଟି ନ ରୁହେ ସେଥିପ୍ରତି ଆମେ ବିଶେଷ ଧ୍ୟାନ ଦେଇଛୁ,"କହିଛନ୍ତି ବୋର୍ଡ଼ର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ।
ସେପଟେ ପାଠପଢା ଓ ପରୀକ୍ଷା ପରିଚାଳନା ଓ ମୂଲ୍ୟାୟନ ପ୍ରକ୍ରିୟାକୁ ନେଇ ପରୀକ୍ଷାର୍ଥୀ ସନ୍ତୋଷ ପ୍ରକାଶ କରିବା ସହ ଫଳ ପ୍ରକାଶନକୁ ନେଇ ଉତ୍ସାହିତ ଅଛନ୍ତି ପରୀକ୍ଷାର୍ଥୀ । "ପରୀକ୍ଷା ଫଳ ବାହାରୁ ଥିବାରୁ ମୁଁ ଖୁସି ଅଛି ଓ ଆଶାବାଦୀ ଅଛି ଯେ ମୋର ୯୦ ପ୍ରତିଶତ ନମ୍ବର ଆସିବ । କିଛି ବିଷୟରେ ପାଠ୍ୟକ୍ରମ ବାହାରୁ ପ୍ରଶ୍ନ ଆସିଥିବାରୁ ଗ୍ରେସ ମାର୍କ ମିଳିବ ବୋଲି ମୁଁ ଆଶା କରୁଛି," କହିଛନ୍ତି ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା କଟକର ଛାତ୍ର ଶୁଭମ ମହାନ୍ତି ।
ଅପରାହ୍ନ ଦୁଇଟାରେ ବୋର୍ଡର ଦୁଇଟି ଯାକ ୱେବ ସାଇଟ www.bseodisha.ac.in ଓ www.bseodisha.nic.in ରେ ଫଳ ପ୍ରକାଶ ପାଇବ। ସେହିପରି ପରୀକ୍ଷାର୍ଥୀ ମାନେ ମଧ୍ୟ ମୋବାଇଲ ମାଧ୍ୟମରେ ଫଳାଫଳ ଜାଣିପାରିବେ।ନିଜର ମୋବାଇଲ ରୁ OR10 ଏବଂ ନିଜର ରୋଲ ନମ୍ବର କୁ ଟାଇପ କରି 5676750 କୁ ପଠାଇଲେ ଫଳାଫଳ ଜାଣି ପାରିବେ ।
ଚଳିତବର୍ଷ ରାଜ୍ୟରେ ୩୫୪୦ ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀ ଏହି ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ୪୪୪୩ ଜଣ ମଧ୍ୟମା ଏବଂ ୯୩୭୮ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।