News18 Odia Digital
ଭୁବନେଶ୍ୱର: କରୋନା କଟକଣା ଯୋଗୁଁ ସ୍କୁଲ ଓ କଲେଜ ସବୁ ବନ୍ଦ ଥିବା ବେଳେ ବୋର୍ଡ଼ ପରୀକ୍ଷା ନେଇ ଉଭୟ ଛାତ୍ରଛାତ୍ରୀ ଓ ସରକାରଙ୍କୁ ଘାରିଛି ଚିନ୍ତା । ରାଜ୍ୟରେ ମାଟ୍ରିକ ପରୀକ୍ଷା ସାଧାରଣତଃ ଫେବୃଆରୀ ଶେଷ ସପ୍ତାହରେ ଓ ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ପ୍ରଥମ ସପ୍ତାହରେ ହେଉଥିବା ବେଳେ ଏ ବର୍ଷ ବିଳମ୍ବରେ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ପରୀକ୍ଷା ନ କରିବା ଭଳି କୌଣସି ନିଷ୍ପତ୍ତି ନିଆଯାଇନାହିଁ ।
ପରୀକ୍ଷା ପୂର୍ବରୁ ତିନି ମାସ କ୍ଳାସ କରାଯାଇ ପାଠ ପଢ଼ାଯିବ । ଡିସେମ୍ବର ୩୧ ତାରିଖ ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲାଯିବା ନେଇ ବିଚାର ବିମର୍ଶ ପରେ ସରକାର ସ୍ପଷ୍ଟ କରିବେ । ଯଦି କେନ୍ଦ୍ର ସରକାରଙ୍କ ପକ୍ଷରୁ ପରୀକ୍ଷା ବନ୍ଦ ବା ସ୍ଥଗିତ କରିବା ନେଇ କୌଣସି ନିଷ୍ପତ୍ତି ନିଆଯାଏ ତେବେ ରାଜ୍ୟ ସରକାର ତା’ ଉପରେ ବିଚାର କରିବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।
ଏହା ବି ପଢ଼ନ୍ତୁ | ପୁରୁଷ ଭାବରେ ଲାଳିତ ପାଳିତ ହୋଇ ବଡ଼ ହୋଇଥିବା ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଗର୍ଭବତୀ ହେଲେ; ତାଙ୍କର ଗର୍ଭାଶୟ ମିଳିଲା
‘‘ମ୍ୟାଟ୍ରିକ୍ ବୋର୍ଡ଼ ପରୀକ୍ଷା ଓ ପ୍ଲସ୍ ଟୁ ପରୀକ୍ଷା ହେବ । ଚଳିତ ଶିକ୍ଷା ବର୍ଷରେ ଏହି ଦୁଇଟି ପରୀକ୍ଷା ସୁନିଶ୍ଚିତ ହେବ । ବାକି ପରୀକ୍ଷାରେ ବିଳମ୍ବ ହେବ । ଆଠ ମାସ ହେବ ସ୍କୁଲ ବନ୍ଦ ରହିଛି । ପିଲାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ପରୀକ୍ଷା ପୂର୍ବରୁ ତିନି ମାସ ପାଠପଢ଼ା ହେବ । ତା’ ପରେ ପରୀକ୍ଷା କରାଯିବ,’’ କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ଶ୍ରେଣୀ ଗୃହ ପାଠପଢ଼ାକୁ ନେଇ ଛାତ୍ରଛାତ୍ରୀ ବେଶ୍ ଆଗ୍ରହ ପ୍ରକାଶ କରିଛନ୍ତି । ଅନଲାଇନ କ୍ଳାସ ମାଧ୍ୟମରେ ଅଧିକାଂଶ କଥା ବୁଝି ନ ହେବା ସହ ଡାଉଟ କ୍ଲିଅର ହେଉ ନ ଥିବା କହିଛନ୍ତି । ତେଣୁ କ୍ଳାସ ହେଲେ ଡାଉଟ ଥିବା ପାଠ ବୁଝି ହେବ ବୋଲି କହିଛନ୍ତି ସେମାନେ ।
ଏହା ବି ପଢ଼ନ୍ତୁ | ଆଲାହାବାଦ ହାଇ କୋର୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ପତ୍ନୀ ବେୱଫା କି ନୁହେଁ? DNA ଟେଷ୍ଟ କରି କରିପାରିବେ ପ୍ରମାଣ
ଶିକ୍ଷାବିତମାନଙ୍କ ମତରେ ତିନି ମାସ ସହିତ ଆଉ ଦୁଇ ମାସ ସମୟ ଦିଆଯିବା ଉଚିତ ପରୀକ୍ଷା ପୂର୍ବର ଶ୍ରେଣୀଗୃହ ପାଠପଢ଼ାକୁ । ଆଜି ବି ଅଧାରୁ ଅଧିକ ପିଲା ଅନଲାଇନ କ୍ଳାସରୁ ବଞ୍ଚିତ ହେଉଛନ୍ତି ଓ ସିଲାବସ ଆରମ୍ଭ କରିପାରିନାହାନ୍ତି । ପରୀକ୍ଷା ଆଉ ଟିକେ ବିଳମ୍ବରେ ହେଉ ବୋଲି କହିଛନ୍ତି ସେମାନେ ।
‘‘ଅନଲାଇନ କ୍ଳାସରେ ଅନେକ ଅସୁବିଧା ହେଉଛି । ଇଣ୍ଟରନେଟ ଭରସା ଅନଲାଇନ କ୍ଳାସ ପାଇଁ । ଶିକ୍ଷକଙ୍କ ସହ କଥାବାର୍ତ୍ତା ହେବା ଓ ଡାଉଟ୍ କ୍ଲିଅର କରିବା ବି ସହଜ ହେଉନି । ତେଣୁ ପରୀକ୍ଷା ପୂର୍ବରୁ କ୍ଳାସ ହେଲେ ଅନେକ ସୁବିଧା ହେବ,’’ କହିଛନ୍ତି ଦଶମ ଶ୍ରେଣୀ ଛାତ୍ରୀ ପ୍ରଜ୍ଞା ନିବେଦିତା ।
ଓଡ଼ିଶାରେ ପ୍ରତି ବର୍ଷ ଦଶମ ଶ୍ରେଣୀରେ ପ୍ରାୟ ୬ ଲକ୍ଷ ଓ ଦ୍ୱାଦଶରେ ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥା’ନ୍ତି । ଏହି ୧୦ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର କି ପଦକ୍ଷେପ ନେବେ ଓ ପରୀକ୍ଷା ପାଇଁ ହେବାକୁ ଥିବା ନୂଆ କ୍ୟାଲେଣ୍ଡରର ରୂପ ରେଖ କଣ ହେବ ଏବେ ତା’ରି ଉପରେ ସଭିଙ୍କ ନଜର ।
Published by:Anand Shankar Thankur Das
First published: