ମାଟ୍ରିକ୍ ପରୀକ୍ଷା ଆଜି; ରାଜ୍ୟରେ ୨,୮୦୦ଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ୧,୦୦୦ଟି ସମ୍ବେଦନଶୀଳ

ପରୀକ୍ଷା କେନ୍ଦ୍ରକୁ କେହି ମୋବାଇଲ ଫୋନ୍ ନେଇ ପାରିବେ ନାହିଁ, ଏପରିକି ସେଣ୍ଟର୍ ଅଧୀକ୍ଷକ ବି । ମୋ’ଟ ୧୧୩ଟି ସ୍ବାର୍ଡ ଗଠନ କରାଯାଇଛି, ଆଉ ପ୍ରଥମ ଥର ଲାଗି ଯୁକ୍ତ ୨ ଓ ଯୁକ୍ତ ୩ କଲେଜର ଅଧ୍ୟାପକମାନଙ୍କୁ ନିୟୋଜିତ କରାଯାଇଛି ।

ମାଟ୍ରିକ୍ ପରୀକ୍ଷା ଆଜି; ରାଜ୍ୟରେ ୨,୮୦୦ଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ୧,୦୦୦ଟି ସମ୍ବେଦନଶୀଳ
କଟକରେ ଆଡମିଟ୍‌ କାର୍ଡ଼ ସଂଗ୍ରହ କରିବା ପରେ ଦୁଇ ଜଣ ଛାତ୍ରୀ
  • News18 Odia
  • Last Updated: February 19, 2020, 12:21 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଆଜି ରାଜ୍ୟରେ ଆରମ୍ଭ ହେଉଛି ମାଟ୍ରିକ୍‌ ପରୀକ୍ଷା । ଏଥର ସମଗ୍ର ରାଜ୍ୟରେ ମୋ’ଟ ୨,୮୮୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ମୋଟ ୬,୬୦,୯୦୫ ଜଣ ପରୀକ୍ଷାର୍ଥୀ । ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି ବୋର୍ଡ଼ ।

ପ୍ରତି ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ପରୀକ୍ଷା ଅବଜରଭର୍‌ ଭାବେ ନିୟୋଜିତ କରାଯାଇଛି । ୨,୮୦୦ଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ସମ୍ବେଦନଶୀଳ ଥିବା ୧,୦୦୦ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରାର ବ୍ୟବସ୍ଥା କରାଯାଇଛି । ପରୀକ୍ଷା କେନ୍ଦ୍ରକୁ କେହି ବି ମୋବାଇଲ ଫୋନ୍‌ ନେଇ ଯିବା ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଚ଼ଳିତ ବର୍ଷ ପରୀକ୍ଷା ପାଇଁ ୧୧୩ଟି ସ୍ବାର୍ଡ ଗଠନ କରାଯାଇଥିବା ବେଳେ ପ୍ରଥମ ଥର ଲାଗି ଯୁକ୍ତ ୨ ଓ ଯୁକ୍ତ ୩ କଲେଜର ଅଧ୍ୟାପକମାନଙ୍କୁ ନିୟୋଜିତ କରାଯାଇଛି । ସେହି ଅଧ୍ୟାପକମାନଙ୍କ ସହ ସୋମବାର ଦିନ ବୈଠକ କରିଛନ୍ତି ବୋର୍ଡ଼ କର୍ତ୍ତୃପକ୍ଷ ।

‘‘ସବୁ ପରିକ୍ଷାର୍ଥୀଙ୍କୁ ଆଡମିଟ୍‌ କାର୍ଡ଼ ପ୍ରଦାନ କରାଯାଇସାରିଛି । ପରୀକ୍ଷା କେନ୍ଦ୍ରକୁ କାହାରିକୁ ମୋବାଇଲ ଫୋନ୍‌ ନେଇ ଯିବା ପାଇଁ ଅନୁମତି ଦିଆଯିବ ନାହିଁ । ଏପରିକି ସେଣ୍ଟର୍‌ ଅଧୀକ୍ଷକଙ୍କୁ ମଧ୍ୟ ପରୀକ୍ଷା ହଲ୍‌ ଭତରକୁ ମୋବାଇଲ ଫୋନ୍‌ ନେବା ଉପରେ ଆମେ କଟକଣା ଜାରି କରିଛୁ । ତେଣୁ ଚ଼ଳିତ ବର୍ଷ ପରୀକ୍ଷା ପରିଚ଼ାଳନା ଶୃଙ୍ଗଳିତଭାବେ ସମ୍ପନ୍ନ ହେବ ବୋଲି ଆଶା କରୁଛୁ,’’ କହିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡର ସମ୍ପାଦକ ଶ୍ରୀକାନ୍ତ ତରାଇ ।

ଏହା ଛଡ଼ା ଗତ ବର୍ଷର ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ରୋକିବା ଲାଗି ପ୍ରଶ୍ନପତ୍ରଗୁଡ଼ିକରେ ସ୍ବତନ୍ତ୍ର କୋର୍ଡ଼ ବ୍ୟବସ୍ଥା ହୋଇଥିବା ସତ୍ୱେ ଏ ଥର ଭାଇରାଲ ହେଲେ ଅଭିଯୁକ୍ତମାନଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଥିବା ବୋର୍ଡ ପକ୍ଷରୁ କୁହାଯାଇଛି ।

ଛାତ୍ର ଜୀବନର ଏହି ଅତି ମହତ୍ୱପୂର୍ଣ୍ଣ ସୋପାନକୁ ଅତିକ୍ରମ କରିବା ପାଇଁ ପରୀକ୍ଷାର୍ଥୀମାନେ ନିଜ ନିଜ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ନିଜ ନିଜ ସ୍କୁଲରୁ ଆଡମିଟ କାର୍ଡ ସଂଗ୍ରହ କରିଛନ୍ତି ସେମାନେ । ସୋମବାର ଅପରାହ୍ଣ ପର୍ଯ୍ୟନ୍ତ କଟକ ସ୍ଥିତ ବୋର୍ଡ଼ ସ୍କୁଲରୁ ମାଟ୍ରିକ ପରୀକ୍ଷାର୍ଥୀମାନେ ସେମାନଙ୍କର ଆାଡମିଟ କାର୍ଡ଼ ସଂଗ୍ରହ କରୁଥିବାର ଦେଖାଯାଇଥିଲା ।

‘‘ରାତି ୨ଟା ପର୍ଯ୍ୟନ୍ତ ପଢ଼ିବାକୁ ପଡୁଛି । ସକାଳୁ ଉଠି ପୁଣି ଟଉସନ ଯିବାକୁ ପଡୁଛି । ପରୀକ୍ଷା ପାଇଁ ଦିନ ଯାକ ବହୁତ ପରିଶ୍ରମ କରିବାକୁ ପଡୁଛି । ଅଧିକାଂଶ ବିଷୟରେ ଥିବା ଶଙ୍କା ଦୁର ହୋଇଛି, କିନ୍ତୁ ଇଂରାଜୀ ବିଷୟକୁ ନେଇ ଟିକେ ଚ଼ିନ୍ତା ରହିଛି,’’ କହିଛନ୍ତି ବୋର୍ଡ଼ ସ୍କୁଲର ମାଟ୍ରିକ ପରୀକ୍ଷାର୍ଥୀ ସ୍ମୃତିରେଖା ।

ସେହି ସ୍କୁଲର ଛାତ୍ରୀ ଅନିମା ଗିରି କହିଛନ୍ତି: ‘‘ପରୀକ୍ଷାକୁ ନେଇ ଟେନସନ୍‌ ତ ରହିବ, କିନ୍ତୁ ଅବିଭାବକ ଓ ଶିକ୍ଷକମାନଙ୍କ ପରାମର୍ଶ ମିଳୁଥିବାରୁ ମନରେ ସାହସ ଆସୁଛି’’।
First published: February 19, 2020, 12:21 AM IST