News18 Odia Digital
ଭୁବନେଶ୍ୱର: ଶେଷରେ ରାଜ୍ୟର ୬.୧୯ ଲକ୍ଷ ଛାତ୍ରଛାତ୍ରୀଙ୍କ ଦ୍ବନ୍ଦ୍ୱ ଦୂର କରି ସରକାର ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ବାତିଲ୍ କରିଛନ୍ତି । ଏହା ସହ ଗତ କିଛି ଦିନ ହେବ ରାଜ୍ୟରେ ମାଟ୍ରିକ ପରୀକ୍ଷା ନେଇ ଲାଗି ରହିଥିବା ସସପେନ୍ସର ଅନ୍ତ ହୋଇଛି । କରୋନା ସଂକ୍ରମଣକୁ ଆଖିରେ ରଖି ଓ ସି.ବି.ଏସ୍.ଇ. ଓ ଆଇ.ସି.ଏସ୍.ଇ. ପରୀକ୍ଷା ପରେ ରାଜ୍ୟର ବୋର୍ଡ଼ ଅଫ ସେକେଣ୍ଡାରୀ ଏଜୁକେସନ (ବି.ଏସ୍.ଇ.) ଦ୍ୱାରା ପରିଚାଳିତ ମ୍ୟାଟ୍ରିକ୍ ପରୀକ୍ଷାକୁ ବାତିଲ କରାଯାଇଛି । ମେ ୩ ତାରିଖରେ ରାଜ୍ଯରେ ମ୍ୟାଟ୍ରିକ୍ ପରୀକ୍ଷା ହେବାର ଥିଲା ।
‘‘ଗତ କିଛି ଦିନ ତଳେ ମୁଖ୍ୟ ମନ୍ତ୍ରୀ ଦଶମ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିଥିଲେ । ଜୁନ ମାସରେ ନିଷ୍ପତ୍ତି ନିଆଯାଇଥାନ୍ତା, ହେଲେ ଏବେ ୧୦ ଦିନ ଭିତରେ ପିଲାଙ୍କ ସ୍ୱାର୍ଥ ଓ ଆଗାମୀ ପାଠପଢାକୁ ଦୃଷ୍ଟିରେ ରଖି ଆଜି ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ଉଭୟ ବି.ଏସ୍.ଇ. ଓ ମଦ୍ରାସା ପରୀକ୍ଷା ବାତିଲ କରାଯାଇଛି । ପରବର୍ତ୍ତୀ ସମୟରେ ଫଳ କେମିତି ଓ କେବେ ପ୍ରକାଶ ପାଇବ ତାହା ବୋର୍ଡ଼଼ ଅଧ୍ୟକ୍ଷ ସ୍ପଷ୍ଟ କରିବେ,’’ କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ଏହା ବି ପଢ଼ନ୍ତୁ | Reliance କମ୍ପାନୀ ଅକ୍ସିଜେନ୍ ଉତ୍ପାଦନ ବଢ଼ାଇଲା; କରୋନା ପ୍ରଭାବିତ ରାଜ୍ୟମାନଙ୍କୁ ମାଗଣାରେ ଯୋଗାଉଛି
ବର୍ତ୍ତମାନ ଫଳ ପ୍ରକାଶନ କେମିତି ହେବ ଓ କେଉଁ ଆଧାରରେ ମାର୍କିଂ ହେବ ତାହା ଏକ ବଡ଼ ପ୍ରଶ୍ନ ହୋଇଛି । ଚଳିତ ବର୍ଷ ମାଟ୍ରିକ ପାଠପଢା ସମୟରେ ଚାରିଟି ପର୍ଯ୍ୟାୟରେ ହୋଇଥିଲା ପ୍ରି-ବୋର୍ଡ଼ ପରୀକ୍ଷା । ଥରେ ୪୦ ମାର୍କ, ୬୦ମାର୍କ ଓ ଦୁଇ ଥର ୮୦ ମାର୍କର ପରୀକ୍ଷା ହୋଇଥିଲା । ତାକୁ ଆଧାର କରି ବୋର୍ଡ଼ ପରୀକ୍ଷା ଫଳାଫଳର ନିଷ୍ପତ୍ତି ହେବ ବୋଲି ଆଶା କରାଯାଉଛି । ତେବେ ବୋର୍ଡ଼ କର୍ତ୍ତୃପକ୍ଷ ଏଥି ପାଇଁ ତିନି ଦିନର ସମୟ ନେଇଛନ୍ତି । ତିନି ଦିନ ପରେ ସ୍ପଷ୍ଟ ହେବ କେଉଁ ଆଧାରରେ ବାହାରିବ ଫଳ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଲକଡାଉନ୍ ରାଜ୍ୟମାନଙ୍କ ପାଇଁ ଶେଷ ବିକଳ୍ପ ହେଉ: କହିଲେ PM ନରେନ୍ଦ୍ର ମୋଦି; ଦେଖନ୍ତୁ VIDEO
‘‘ପରୀକ୍ଷା ବାତିଲ ହୋଇଛି । ହେଲେ ପିଲାଙ୍କୁ ମାର୍କ ଦେବାକୁ ହେବ ଓ ଫଳ ବାହାର କରିବାକୁ ହେବ । ତେଣୁ ଏହା ଉପରେ ବୋର୍ଡ଼ ତର୍ଜମା କରୁଛି । ତିନି ଦିନ ପରେ ସ୍ପଷ୍ଟ ଭାବେ ଜଣାଇଦିଆଯିବ କଣ ରହିବ ମାର୍କିଂ ପ୍ରକ୍ରିୟା,’’ କହିଛନ୍ତି ବି.ଏସ୍.ଇ. ସଭାପତି ରମାସିସ ହାଜରା ।
ଏହା ବି ପଢ଼ନ୍ତୁ | ମେ ୧ ତାରିଖରୁ ଦେଶରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତେ ନେଇପାରିବେ କରୋନା ଭ୍ୟାକ୍ସିନ୍
ବୋର୍ଡ଼ ପରୀକ୍ଷା ବାତିଲ ହେବାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ଦେଖିବାକୁ ମିଳିଛି ମିଶ୍ର ପ୍ରତିକ୍ରିୟା । ଗତ ୧୪ ମାସ ହେବ ଛାତ୍ରଛାତ୍ରୀ ବୋର୍ଡ଼ ପରୀକ୍ଷା ପ୍ରସ୍ତୁତି ପାଇଁ ଅନେକ ପରିଶ୍ରମ କରିଥିବା ବେଳେ ଶେଷ ମୁହୂର୍ତ୍ତରେ ପରୀକ୍ଷା ବାତିଲ ହୋଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି । ମେଧାବୀ ପିଲାଙ୍କ କରିଅର କେଉଁଠି ନା କେଉଁଠି ପ୍ରଭାବିତ ହେବ ବୋଲି କହିଛନ୍ତି ଅନେକ ଛାତ୍ରଛାତ୍ରୀ । ହେଲେ କୋଭିଡ ସ୍ଥିତିରେ ରାଜ୍ୟ ସରକାର ସଠିକ ନିଷ୍ପତ୍ତି ନେଇଛନ୍ତି ବୋଲି ଅନେକ ଛାତ୍ରଛାତ୍ରୀ ମତ ଦେଇଛନ୍ତି । ପ୍ରି-ବୋର୍ଡ଼ ପରୀକ୍ଷା ସମ୍ପୂର୍ଣ ବୋର୍ଡ଼ ପରୀକ୍ଷା ଢାଞ୍ଚାରେ ହୋଇଥିବାରୁ ସେହି ଆଧାରରେ ନମ୍ବର ଦିଆଯିବା ଉଚିତ ବୋଲି ସେମାନେ କହିଛନ୍ତି।
ଏହା ବି ପଢ଼ନ୍ତୁ | ସାବଧାନ! Corona ଭୂତାଣୁ ମୁଖ୍ୟତଃ ବାୟୁ ମାଧ୍ୟମରେ ହିଁ ବ୍ୟାପୁଛି ବୋଲି ଦୃଢ଼ ପ୍ରମାଣ ମିଳିଲା
‘‘ସି.ବି.ଏସ୍.ଇ. ଓ ଆଇ.ସି.ଏସ୍.ଇ. ପିଲାମାନେ ଏକାଦଶ ଶ୍ରେଣୀ ପାଠ ପଢିବାକୁ ପ୍ରସ୍ତୁତ ହେଉଛନ୍ତି । ଆମେ ବି ପ୍ଲସ୍୨ ପଢ଼ିବୁ। ଏହି ନିଷ୍ପତ୍ତି ଓ ସ୍ପଷ୍ଟୀକରଣ ଆଗରୁ ହେବାର ଥିଲା,’’ କହିଛନ୍ତି ୟୁନିଟ ୬ ହାଇ ସ୍କୁଲ ଛାତ୍ର ରାଜୀବ ଲୋଚନ ।
ଶିକ୍ଷାବିତମାନଙ୍କ ମତ କିନ୍ତୁ କିଛି ଅଲଗା ରହିଛି । ବୋର୍ଡ଼ ପରୀକ୍ଷାକୁ ଏତେ ଜଲଦି ବାତିଲ କରିବା ନିଷ୍ପତ୍ତି ଠିକ ନୁହେଁ ବୋଲି ଅନେକ କହିଛନ୍ତି । ଏବେ ଯୁକ୍ତ୨ ବୋର୍ଡ଼ ପରୀକ୍ଷା ଉପରେ ଜୁନ ମାସ ସ୍ଥିତି ଦେଖି ସରକାର ନିଷ୍ପତ୍ତି ନେବେ । ତା’ରି ଉପରେ ସଭିଙ୍କ ନଜର ।