ମାଟ୍ରିକ ପରୀକ୍ଷା: ୬ ତାରଖରୁ ମିଳିବ ଆଡମିଟ୍ କାର୍ଡ଼; ତୃଟିଶୂନ୍ୟ ମୂଲ୍ୟାଙ୍କନ ପାଇଁ ବୋର୍ଡ଼ର ନୂଆ ପ୍ରୟାସ

ଏଥର ମାଟ୍ରିକ ପରୀକ୍ଷାର ମୂଲ୍ୟାଙ୍କନକୁ ତୃଟିଶୂନ୍ୟ କରିବା ପାଇଁ ଦୁଇଥାକିଆ ମୂଲ୍ୟାଙ୍କନ ବ୍ୟବସ୍ଥା କରିଛି ବୋର୍ଡ଼ । ପ୍ରତି ମୂଲ୍ୟାଙ୍କନ କେନ୍ଦ୍ରରେ ୨ଟି କମ୍ପ୍ୟୁଟରରେ ଖାତା ମୂଲ୍ୟାଙ୍କନର ଡାଟା ଏଣ୍ଟ୍ରି ହେବ । ପ୍ରଥମ ଥର ଲାଗି ପ୍ରତି ପ୍ରଶ୍ନର ଉତ୍ତରକୁ ଦେଖିବା ପାଇଁ ଜଣେ ଲେଖାଏଁ ଶିକ୍ଷକ ନିଯୁକ୍ତ ହେବେ ।

ମାଟ୍ରିକ ପରୀକ୍ଷା: ୬ ତାରଖରୁ ମିଳିବ ଆଡମିଟ୍ କାର୍ଡ଼; ତୃଟିଶୂନ୍ୟ ମୂଲ୍ୟାଙ୍କନ ପାଇଁ ବୋର୍ଡ଼ର ନୂଆ ପ୍ରୟାସ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: February 3, 2020, 8:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଆସନ୍ତା ୧୯ ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ ପରୀକ୍ଷା ପାଇଁ ଆସନ୍ତା ୬ ତାରିଖ ଗୁରୁବାର ଠାରୁ ପରୀକ୍ଷାର୍ଥୀମାନଙ୍କୁ ଆଡମିଟ୍‌ କାର୍ଡ ଦେବା କାମ ଆରମ୍ଭ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ କୁହାଯାଇଛି । ଏଥର ମୂଲ୍ୟାଙ୍କନକୁ ତୃଟିଶୂନ୍ୟ କରିବା ପାଇଁ ବୋର୍ଡ କେତେକ ଅଭିନବ ଯୋଜନା ପ୍ରସ୍ତୁତ କରିଛି ।

ଆଡମିଟ୍‌ କାର୍ଡ ପାଇଁ ହେଇଥିବା ବ୍ୟବସ୍ଥା ଅନୁସାରେ ବୋର୍ଡ ପକ୍ଷରୁ ସ୍କୁଲଗୁଡିକୁ ଦିଆଯାଇଥିବା ୟୁଜର ଆଇଡି ଓ ପାସୱାର୍ଡ ବ୍ୟବହାର କରି ସ୍କୁଲର ପ୍ରଧାନ ଶିକ୍ଷକ ବୋର୍ଡର ୱେବସାଇଟରୁ ନିଜ ନିଜ ସ୍କୁଲର ପରିକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ଡାଉନଲୋଡ୍‌ କରି ସେମାନଙ୍କୁ ଦେବେ ।

ଏ ବର୍ଷ ରାଜ୍ୟରେ ୨,୭୬୭ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ମୋଟ ୫ ଲକ୍ଷ ୪୭୦ ହଜାର ୭୪୭ ଜଣ ମାଟ୍ରିକ ପରୀକ୍ଷାର୍ଥୀ ।

‘‘୧୦ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ପ୍ରଶ୍ନପତ୍ରଗୁଡ଼ିକୁ ନୋଡାଲ ସେଣ୍ଟରମାନଙ୍କୁ ପଠାଯିବ । ପ୍ରଥମ ଥର ଲାଗି ପ୍ରତ୍ୟେକ ପ୍ରଶ୍ନପତ୍ରରେ ସ୍ବତନ୍ତ୍ର କୋଡ୍‌ ରହୁଥିବାରୁ ଯଦି ପ୍ରଶ୍ନପତ୍ର ଲିକ୍‌ ହୋଇ ଭାଇରାଲ୍‌ ହୁଏ ତେବେ ତାହା ଅତି ସହଜରେ ଧରା ପଡିଯିବ,’’ କହିଛନ୍ତି ବୋର୍ଡ଼ର ପରୀକ୍ଷା ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତି ।

ଚ଼ଳିତ ବର୍ଷ ମାଟ୍ରିକ ପରୀକ୍ଷାର ମୂଲ୍ୟାଙ୍କନକୁ ତୃଟିଶୂନ୍ୟ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି ବୋର୍ଡ । ଏହି କ୍ରମରେ ମୂଲ୍ୟାଙ୍କନ ଦୁଇଥାକିଆ ହେବ । ଏହି ବ୍ୟବସ୍ଥା ଅନୁଯାଇ ପ୍ରତିଟି ମୂଲ୍ୟାଙ୍କନ କେନ୍ଦ୍ରରେ ଦୁଇଟି କମ୍ପ୍ୟୁଟରରେ ଖାତା ମୂଲ୍ୟାଙ୍କନର ଡାଟା ବା ନମ୍ବରକୁ ଏଣ୍ଟ୍ରି କରାଯିବ । ଯଦି କୌଣସି ପ୍ରଥମ କମ୍ପ୍ୟୁଟରରେ ଭୁଲ ଡାଟା ଏଣ୍ଟ୍ରି ହେଲା ତେବେ ଦ୍ବୀତିୟ କମ୍ପ୍ୟୁଟରରେ ଏଣ୍ଟ୍ରି ସମୟରେ ଚିହ୍ନଟ ହୋଇ ପାରିବ । ଖାତା ଦେଖା ନିର୍ଭୁଲ ହେବା ସହ ପରୀକ୍ଷାର୍ଥୀମାନେ ମଧ୍ୟ ନିର୍ଭୁଲ ନମ୍ବର ପାଇ ପାରିବେ ।

ଏହା ସହ ପ୍ରଥମ ଥର ଲାଗି ପ୍ରତିଟି ପ୍ରଶ୍ନର ଉତ୍ତରକୁ ଦେଖିବା ପାଇଁ ଜଣେ ଲେଖାଏଁ ଶିକ୍ଷକଙ୍କୁ ନିଯୁକ୍ତ କରାଯିବର ବ୍ୟବସ୍ଥା ହୋଇଛି ।

ମାଧ୍ୟମିକ ଶିକ୍ଷା ପରିଷଦର କଟକରେ ଥିବା ମୁଖ୍ୟାଳୟ


‘‘ଯଦି କୌଣସି ବିଷୟର ପ୍ରଶ୍ନପତ୍ରରେ ୧୫ଟି ପ୍ରଶ୍ନ ରହିଛି, ତେବେ ପ୍ରତି ପ୍ରଶ୍ନ ପାଇଁ ଜଣେ ଲେଖାଏଁ କରି ୧୫ଟି ପ୍ରଶ୍ନ ପାଇଁ ୧୫ ଜଣ ଶିକ୍ଷକ ରହିବେ । ଗୋଟିଏ ବଡ଼ ହଲରେ ଏହି ଖାତା ଦେଖା କାର୍ଯ୍ୟ ହେବ । ପ୍ରଥମ ଶିକ୍ଷକ ଏକ ନମ୍ବର ପ୍ରଶ୍ନର ଉତ୍ତରକୁ ମୂଲ୍ୟାଙ୍କନ କରିବା ପରେ ସେହି ପ୍ରଶ୍ନ ସମ୍ବଳିତ ଉତ୍ତର ଖାତାକୁ ତାଙ୍କ ପାଖରେ ବସିଥିବା ଅନ୍ୟ ଜଣେ ଶିକ୍ଷକଙ୍କୁ ଦେବେ । ଏବଂ ଏହି ପ୍ରକ୍ରିୟା ଶେଷ ପ୍ରଶ୍ନ ପର୍ଯ୍ୟନ୍ତ ଚ଼ାଲିବ,’’ କହିଛନ୍ତି ବୋର୍ଡର ସମ୍ପାଦକ ଶ୍ରୀକାନ୍ତ ତରାଇ ।

ପରୀକ୍ଷା ପରିଚ଼ାଳନା ସମ୍ପର୍କିତ ନୂଆ ପଦକ୍ଷେପ ବାବଦରେ ଅବଗତ କରିବା ପାଇଁ ସୋମବାର ଠାରୁ ପ୍ରତିଟି ଜୋନକୁ ଯାଇ ବୈଠକ କରିବେ ବୋର୍ଡର ସମ୍ପାଦକ । ସୋମବାର ଦିନ ବୋର୍ଡର ବାଲେଶ୍ବର ସ୍ଥିତ ଜୋନ କାର୍ଯ୍ୟାଳୟରେ ଏହି ବୈଠକ କରାଯିବ ।

ଗତ ବର୍ଷ ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ହେବା ଏବଂ ଏଥିରେ ପରିକ୍ଷା ପରିଚାଳନା ଦାୟୀତ୍ବରେ ଥିବା ଶିକ୍ଷକଙ୍କ ଭୂମିକା ଥିବାରୁ ବୋର୍ଡକୁ ଅନେକ ନିନ୍ଦା ଓ ଅପବାଦର ସାମନା କରିବାକୁ ପଡ଼ିଥିଲା ।
First published: February 3, 2020, 8:56 PM IST
corona virus btn
corona virus btn
Loading