ପୁରୀରେ ଅଛି ପାକିସ୍ତାନର ସ୍ମାରକୀ: ଶ୍ରୀଜଗନ୍ନାଥ ସଂସ୍କୃତି ସହ ନିବିଡ଼ ସମ୍ପର୍କ ଥିବା ଲାହୋରର ମଠ
ଜଗନ୍ନାଥ ସଂସ୍କୃତି ଯେତିକି ବ୍ୟାପକ, ପୁରୀର ମଠମାନଙ୍କ ପରମ୍ପରା ବି ସେତିକି ବିସ୍ମୟକର । ଗୁଣ୍ଡିଚ଼ା ମନ୍ଦିର ନିକଟରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏକ ମଠ ପୁରୀ ଓ ପାକିସ୍ତାନର ଲାହୋର ମଧ୍ୟରେ ଦିନେ ଥିବା ସମ୍ପର୍କର ମୂକ ସାକ୍ଷୀ ।

ରାମଦାସ ମଠର ଭଗ୍ନାବଶେଷର ଏକ ଅଂଶ
- News18 Odia
- Last Updated: February 19, 2020, 12:19 AM IST
ପୁରୀ: ଶ୍ରୀ ଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ର ପୁରୀ ଓ ସେଠାରୁ ପରିବ୍ୟାପ୍ତ ଜଗନ୍ନାଥ ସଂସ୍କୃତି ସହିତ ରହିଛି ପାକିସ୍ତାନୀ ସହର ଲାହୋରର ସମ୍ପର୍କ । ଗୁଣ୍ଡିଚ଼ା ମନ୍ଦିର ନିକଟରେ ଭକ୍ତ ନିବାସ ପରିସରରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବାଳକ ରାମଦାସ ମଠ ଏହି ସମ୍ପର୍କର ମୂକ ସାକ୍ଷୀ ।
ସେତେବେଳର ଅଖଣ୍ଡ ଭାରତର ଅଙ୍ଗ ଥିବା ଲାହୋରରୁ ଜଗନ୍ନାଥଙ୍କ ପ୍ରତି ଆକର୍ଷିତ ହୋଇ ଶ୍ରୀକ୍ଷେତ୍ର ଆସିଥିଲେ ବାଳକ ରାମଦାସ ନାମକ ସାଧୁ । ତାଙ୍କ ଗୁରୁ କହିଥିଲେ ଶ୍ରୀକ୍ଷେତ୍ରରେ ଥିବା ଜଗନ୍ନାଥଙ୍କୁ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହେବ । ତତ୍କାଳୀନ ମୋଗଲ ସମ୍ରାଟ ବାଳକ ରାମଦାସଙ୍କ ଚ଼ମତ୍କାରିତାରେ ପ୍ରଭାବିତ ହୋଇ ତାଙ୍କୁ ଧନରତ୍ନ ସହିତ ସସମ୍ମାନେ ଶ୍ରୀକ୍ଷେତ୍ରରେ ପହଞ୍ଚାଇଥିଲେ । ପୁରୀରେ ସେ ସ୍ଥାପନ କରିଥିଲେ ଲାହୋର ମଠ ଓ ହରିଶଙ୍କର ମନ୍ଦିର ।
‘‘ଶ୍ରୀକ୍ଷେତ୍ର ସହ ଯୋଡ଼ି ହୋଇ ରହିଛି ପାକିସ୍ଥାନର ଲାହୋରର ସମ୍ପର୍କ । ସେତେବେଳେ ଲାହୋର ସମେତ ଅଖଣ୍ଡ ଭାରତର କୋଣାନୁକୋଣରୁ ଅନେକ ସାଧୁ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ । ମୋଗଲ ଶାସନ ସମୟରେ ଲାହୋରର ବାଳକ ରାମଦାସ ଗୁରୁଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀକ୍ଷେତ୍ର ଆସିବା ବେଳେ ତତ୍କାଳୀନ ମୋଗଲ ସମ୍ରାଟ ତାଙ୍କୁ ବାଟ ଓଗାଳିଥିଲେ । ହେଲେ ପରେ ତାଙ୍କ ଭକ୍ତି ଓ ଦାଢତ୍ୟ ଭାବରେ ବିମୋହିତ ହୋଇ ତାଙ୍କୁ ସମ୍ମାନର ସହିତ ଶ୍ରୀକ୍ଷେତ୍ରରେ ପହଞ୍ଚାଇଥିଲେ,’’ କହିଛନ୍ତି ଐତିହ୍ୟ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ମିଶ୍ର ।

ରାମଦାସ ମଠ ପରିସରରେ ଥିବା ହରିଶଙ୍କର ମନ୍ଦିର
ଶ୍ରୀକ୍ଷେତ୍ରରେ ଜଗନ୍ନାଥ ସଂସ୍କୃତି ଯେତିକି ପୁରାତନ ଓ ବ୍ୟାପକ, ଏଠାରେ ଥିବା ମଠମାନଙ୍କ ପରମ୍ପରା ବି ସେତିକି ପୁରାତନ ଓ ବିସ୍ମୟକର । ଏହି ପରମ୍ପରାରେ ଏଠି ଖାଲି ପଞ୍ଜାବୀ, ତାମିଲ୍ ଓ ନେପାଳୀ ମଠ ନୁହେଁ, ବରଂ ପାକିସ୍ତାନର ସହର ଲାହୋର ସହ ଜଡ଼ିତ ମଠ ମଧ୍ୟ ରହିଛି ।
ଇତିହାସ ପୃଷ୍ଠାରୁ ଏହି ଚ଼ମତ୍କାର ପ୍ରସଙ୍ଗ ଆଣି ପ୍ରଫେସର ମିଶ୍ର କହିଛନ୍ତି ଯେ ବାଳକ ରାମଦାସଙ୍କ ପୁରୀରେ ଅବସ୍ଥାନ ସମୟରେ ପୁରୀର ଗଜପତି ମହାରାଜ ତାଙ୍କ ଜଗନ୍ନାଥ ଭକ୍ତିରେ ଅଭିଭୁତ ହୋଇ ତାଙ୍କୁ ବାଲିଘାଟ (ବାଲିଗୁଆଳି) ମୌଜାର ହାତୀଶାଳରେ ଜମି ଦେଇଥିଲେ ରହିବା ପାଇଁ । ଆଉ ବାଳକ ରାମଦାସ ସେଇଠି ହରିଶଙ୍କର ମନ୍ଦିର ପ୍ରତିଷ୍ଠା କରିବା ସହ ତା’ ଭିତରେ ପତିତପାବନଙ୍କୁ ସିଂହାସନରେ ଓ ସମ୍ମୁଖରେ ରାମେଶ୍ୱରଙ୍କୁ ସ୍ଥାପନ କରି ହରିହର ଉପାସନାର ପ୍ରଚ଼ାର କରିଥିଲେ ।
‘‘ବାଳକ ରାମଦାସ ପୁରୀରେ ନିର୍ମାଣ କରିଥିଲେ ଲାହୋର ମଠ ଓ ହରିଶଙ୍କର ମନ୍ଦିର । ବର୍ତ୍ତମାନ ତାହା କେବଳ ରାମଦାସ ମଠ ନାମରେ ପରିଚିତ । ସେଠାରେ ହରିହରଙ୍କ ଉପାସନା କରାଯାଉଛି । ଗୋଟିଏ ମନ୍ଦିରରେ ସେ ଶିବ ଓ ବିଷ୍ଣୁଙ୍କ ଉପାସନା ଆରମ୍ଭ କରିଥିଲେ,’’ କହିଛନ୍ତି ପ୍ରଫେସର ମିଶ୍ର ।
ସଂସ୍କୃତି ବିଷାରଦ ତଥା ଗବେଷକ ଡଃ ନରେଶ ଚନ୍ଦ୍ର ଦାଶ କହିଛନ୍ତି ଯେ ଅଖଣ୍ଡ ଭାରତ ସମୟରେ ଓଡ଼ିଶା ବାହାରୁ ୧୧୦ରୁ ଅଧିକ ସାଧୁସନ୍ଥ ପୁରୀ ଆସିଥିଲେ । ନୈଷ୍ଠିକ ବ୍ରାହ୍ଣଣ ବାଳକ ରାମଦାସ ମୋଗଲ ଶାସନ ସମୟରେ ଲାହୋରରୁ ଶ୍ରୀକ୍ଷେତ୍ର ଆସିବା ପାଇଁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ତତ୍କାଳୀନ ମୋଗଲ ସମ୍ରାଟ ତାଙ୍କୁ ଅଟକାଇ ଜେଲରେ ରଖିଥିଲେ ।
‘‘ମୋଗଲ ସମ୍ରାଟ ବାଳକ ରାମଦାସଙ୍କ ଶତ ଅନରୋଧ ଶୁଣି ନ ଥିଲେ । କିମ୍ବଦନ୍ତୀ ଅନୁସାରେ ଅଦ୍ଭୁତ ଶକ୍ତିର ଅଧିକାରୀ ବାଳକ ରାମଦାସ ନିଜେ ପିନ୍ଧିଥିବା କୌପନିଟି ଖୋଲି ଦେବାରୁ ପରିଶ୍ରାରେ ଅଧା ବୁଡ଼ି ଯାଇଥିଲା ଦିଲ୍ଲୀ, ଆଉ ତୁରନ୍ତ ସମ୍ରାଟ କ୍ଷମା ମାଗି ତାଙ୍କୁ ଶ୍ରୀକ୍ଷେତ୍ର ପଠାଇଥିଲେ,’’ କହିଛନ୍ତି ଡଃ ଦାଶ ।
ବିଷ୍ଣୁ ଓ ଶିବଙ୍କ ଆରାଧନାକୁ ନେଇ ବାଳକ ରାମଦାସ ପୁରୀରେ ଲାହୋର ମଠ ପ୍ରତିଷ୍ଠା କରିବା ପରେ ତାହା ହରିହର ଉପାସନାର ପ୍ରାଣକେନ୍ଦ୍ର ପାଲଟିଥିଲା । ପରେ ସେହି ମଠଟି ଦିଲ୍ଲୀର ଏକ ସଂସ୍ଥା ପରିଚାଳନା କରୁଥିଲା । ପାକିସ୍ତାନ ଓ ଲାହୋରର ସମ୍ପର୍କକୁ ନାଆଁରୁ ଲିଭେଇ ତାକୁ କେବଳ ରାମଦାସ ମଠ କୁହାଗଲା ।
ବାଳକ ରାମଦାସ ଏହି ମଠ ସ୍ଥାପନ କରିବା ପରେ ଲାହୋର ଓ ଆଖପାଖ ଅଞ୍ଚଳରୁ ଅନେକ ସାଧୁସନ୍ଥ ଶ୍ରୀକ୍ଷେତ୍ର ଆସିଥିଲେ । ପରବର୍ତ୍ତୀ ସମୟରେ ରାମଦାସ ମଠର ପରିଚ଼ାଳନାରେ ଅବ୍ୟବସ୍ଥା ଯୋଗୁଁ ମଠ ଅଧୀନରେ ଥିବା ତିନି ଏକର ଜମିରେ ଜବରଦଖଲକାରୀମାନେ ବଡ଼ ବ଼ଡ ଅଟ୍ଟାଳିକା ନିର୍ମାଣ କରିଥିଲେ । ତେବେ ଶ୍ରୀକ୍ଷେତ୍ରରେ ସମସ୍ତ ମଠବାଡ଼ିର ସମ୍ପତି ଶ୍ରୀମନ୍ଦିର ପ୍ରଶାସନର ବୋଲି ସୁପ୍ରମ କୋର୍ଟଙ୍କ ରାୟ ପରେ ଏବେ ମଠର ଦାୟିତ୍ୱ ଗତ ଦଶ ବର୍ଷ ହେବ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଅଛି ।
ଏହି ମଠରେ ହରିଶଙ୍କର ମନ୍ଦିର ସହ ବାଳକ ରାମଦାସ ଏଇଠି ଜୀବନ୍ତ ସମାଧି ନେଇଥିବାରୁ ତାଙ୍କର ତିନୋଟି ସମାଧି ବି ରହିଛି ଏଠି । ସେଗୁଡିକ ଏବେ ଭାଙ୍ଗିରୁଜି ବିପଦଜନକ ଅବସ୍ଥାରେ ରହିଛି । ଶହ ଶହ ବର୍ଷର ଏହି ପୁରୁଣା ମଠର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଲେ ମଠଟି ଆହୁରି ଆକର୍ଷଣୀୟ ହେବା ସହ ପର୍ଯ୍ୟଟକ ଓ ଭକ୍ତଙ୍କ ଗହଳି ବଢ଼ନ୍ତା ବୋଲି ଗବେଷକ ଓ ତୀର୍ଥଯାତ୍ରୀମାନେ କହୁଛନ୍ତି ।
‘‘ଐତିହ୍ୟ କିର୍ତ୍ତିରାଜିର ସୁରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏହି ମଠକୁ ନିଜ ଅକ୍ତିଆରକୁ ନେଇ ରକ୍ଷଣାବେକ୍ଷଣ ସହ ଉନ୍ନତି କାର୍ଯ୍ୟ କରୁଛି । ବିଭିନ୍ନ ସମୟରେ ମନ୍ଦିରର ବଜେଟରୁ ଟଙ୍କା ଖର୍ଚ୍ଚ କରାଯାଇ ସୌନ୍ଦର୍ଯ୍ୟକରଣ ଓ ପୂଜାର୍ଚ୍ଚନା ଆଦି କରାଯାଉଛି । ଭାଙ୍ଗିରୁଜି ଯାଇଥିବା ଐତିହ ପରିସରର ସଂରକ୍ଷଣ ପାଇଁ ପ୍ରଶାସନ ପଦକ୍ଷେପ ନେଉଛି । ମଠର ଉନ୍ନତିକରଣ ପାଇଁ ସ୍ୱତନ୍ତ୍ର ବଜେଟ କରାଯାଇ ସୌନ୍ଦର୍ଯ୍ୟକରଣ ବି କରାଯାଉଛି,’’ କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଉନ୍ନୟନ ବିଭାଗର ଜୁନିୟର ଇଞ୍ଜିନିୟର ସରୋଜ ଦାଶ ।
ଶ୍ରୀଜଗନ୍ନାଥ ଧାମରେ ବର୍ତ୍ତମାନ ମୋଟ ୨୭୪ଟି ମଠ ଓ ଆଶ୍ରମ ମଧ୍ୟରୁ ବାଳକ ରାମଦାସ ମଠ ଏ ପର୍ଯ୍ୟନ୍ତ ଲାହୋର ଓ ପାକିସ୍ତାନରେ ଜଗନ୍ନାଥ ଭକ୍ତିର ସ୍ମାରକୀ ହୋଇ ଠିଆହୋଇଛି ।