News18 Odia Digital
ଭୁବନେଶ୍ୱର: ରାଜଧାନୀରୁ ଜବତ କୋଟିଏ ଟଙ୍କାର କୋକେନ୍ ଘଟଣାରେ ଗିରଫ ଦୁଇ ମାଫିଆଙ୍କ ଆନ୍ତର୍ଜାତୀୟ ଲିଙ୍କ ନେଇ ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ। ୫ଟି ରାଷ୍ଟ୍ରର ମାଫିଆଙ୍କ ସହ ମାଷ୍ଟରମାଇଣ୍ଡ ରବିର ସମ୍ପର୍କ ଥିବା ଜଣା ପଡ଼ିଛି । ମୋବାଇଲ ଯାଞ୍ଚ ବେଳେ ଏଭଳି ତଥ୍ୟ ପାଇଛି ତଦନ୍ତକାରୀ ଟିମ। ରିମାଣ୍ଡର ଦ୍ଵିତୀୟ ଦିନରେ ହକି ବିଶ୍ୱକପ ପାଇଁ ଆସୁଥିବା ବିଦେଶୀ ଦର୍ଶକଙ୍କୁ ଏମାନେ ଟାର୍ଗେଟ କରିଥିବା ନେଇ ଯୋଜନା କରିଥିବା ଜଣା ପଡ଼ିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଭୁବନେଶ୍ୱର ଜାଭିୟର ଛକରୁ ଜବତ ୨୦୨ଗ୍ରାମ କୋକେନର ଫିଟୁଛି ଗୁମର। ୪ଦିନିଆ ରିମାଣ୍ଡରେ ଥିବା ଦୁଇ ମାଫିଆ ରବି ସିଂ ଓ ସନ୍ନି କୁମାରକୁ ଏସଟିଏଫର ମାରାଥନ ଜେରା । ୫ଟି ରାଷ୍ଟ୍ରର ମାଫିଆଙ୍କ ସହ ରହିଛି ସଂପର୍କ ଥିବା ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ ।
"ଜେରା ବେଳେ ମାଷ୍ଟରମାଇଣ୍ଡ ରବି ସିଂର ଆନ୍ତର୍ଜାତୀୟ ଲିଙ୍କ ଥିବାନେଇ ସ୍ପଷ୍ଟ ହୋଇଛି । ସୁଇଜରଲ୍ୟାଣ୍ଡ , ଥାଇଲାଣ୍ଡ, ଚୀନ, ଫ୍ରାନ୍ସ, ଆମେରିକା ମାଫିଆଙ୍କ ସହ ଯୋଗାଯୋଗରେ ରହୁଥିଲା ରବି । ରବିର ମୋବାଇଲରେ ଅନେକ ତଥ୍ୟ ରହିଛି। ଏସବୁକୁ ଯାଞ୍ଚ କରାଯାଉଛି । ଆଗକୁ ହକି ବିଶ୍ୱକପ ଥିବାରୁ ବିଦେଶରୁ ବହୁ ଦର୍ଶକ ଭୁବନେଶ୍ୱର ଆସିବେ । ତେଣୁ ସେମାନକୁ ଟାର୍ଗେଟ କରିଥିଲେ," କହିଛନ୍ତି କ୍ରାଇମବ୍ରାଞ୍ଚ ଏଡ଼ିଜି ସଞ୍ଜୀବ ପଣ୍ଡା ।
ସେପଟେ କୋକେନ୍ ମାଫିଆ ରବି ପୂର୍ବରୁ ପୁରୀ ଆସିଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ଏସଟିଏଫ। ପ୍ରଶ୍ନ ଉଠୁଛି, କାହିଁକି ପୁରୀ ଯାଇଥିଲା କୋକେନ୍ ମାଫିଆ ରବି ସିଂ ? ପୁରୀରେ ବିଛାଇକି କୋକେନ୍ ବ୍ୟବସାୟ ର ନେଟୱାର୍କ ? ପୁରୀରେ ବଡ଼ ବଡ଼ ହୋଟେଲ ସହ ରବୀର ଥିଲା କି ସମ୍ପର୍କ ? କାରଣ ପୁରୀକୁ ବହୁ ବିଦେଶୀ ପର୍ଯ୍ୟଟକ ଆସି ହୋଟେଲରେ ରୁହନ୍ତି । ଆଉ ସେ ହୋଟେଲ ଗୁଡିକ ସହ ରବିର ଲିଙ୍କ ନାହିଁ ତ ? ଏଭଳି କିଛି ପ୍ରଶ୍ନକୁ ନେଇ ଏବେ ଏସଟିଏଫ ତଦନ୍ତ କରୁଛି । ସେପଟେ ଗତକାଲି NCBର ଦୁଇ ଜଣିଆ ଟିମ ଦୁଇ ଅଭିଯୁକ୍ତକୁ ଜେରା କରିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ରବି ୨୦୧୦ମସିହାରୁ ଦିଲ୍ଲୀ ଓ ମୁମ୍ବାଇରେ କୋକେନ୍ ବ୍ୟବସାୟ ଆରମ୍ଭ କରିଛି। ବିଶ୍ୱକପ ପୂର୍ବରୁ ଓଡ଼ିଶାକୁ ଟାର୍ଗେଟ କରିଥିଲା । ଛୋଟ ଛୋଟ ଡ୍ରଗ୍ସ ପେଡଲରକୁ ଧରି ତିଆରି କରୁଥିଲା ବ୍ଲ୍ୟୁ ପ୍ରିଣ୍ଟ।ଆନ୍ତର୍ଜାତୀୟ ଲିଙ୍କ ସ୍ପଷ୍ଟ ହେବାପରେ ଆବଶ୍ୟକ ପଡ଼ିଲେ ଇଣ୍ଟରପୋଲର ସହାୟତା ନିଆଯିବ ବୋଲି ତଦନ୍ତକାରୀ ଟିମ ପକ୍ଷରୁ ସୂଚନା ମିଳିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।