SCBକୁ ଦଲାଲ ମୁକ୍ତ କରିବା ପାଇଁ ପ୍ରସ୍ତୁତି; ନିଯୁକ୍ତ ଠିକା କର୍ମଚାରୀଙ୍କ ହେବ ପୋଲିସ ଭେରିଫିକେସନ

ଏସସିବି ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏସସିବିରେ ପ୍ରାୟ ୧୩୦୦ ଜଣ ଠିକା କର୍ମଚାରୀ ଅଛନ୍ତି। ଏମାନେ ବିଭିନ୍ନ ଠିକାସଂସ୍ଥା ଦ୍ବାରା ବିଭିନ୍ନ ବିଭାଗରେ ବିଭିନ୍ନ ପ୍ରକାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି

SCBକୁ ଦଲାଲ ମୁକ୍ତ କରିବା ପାଇଁ ପ୍ରସ୍ତୁତି

SCBକୁ ଦଲାଲ ମୁକ୍ତ କରିବା ପାଇଁ ପ୍ରସ୍ତୁତି

  • Share this:
News18 Odia Digital

କଟକ: ପୁଣି କିଛି ଦିନ ପରେ କଟକ ବଡ଼ ମେଡିକାଲରୁ ଧରା ପଡ଼ିଛନ୍ତି ଦଲାଲ। ଏସସିବିର ରେଡିଓଲୋଜି ବିଭାଗରେ ଏକ ଠିକା ସଂସ୍ଥା ଦ୍ବାରା ନିୟୋଜିତ ହୋଇଥିବା ୫ଜଣ କର୍ମଚାରୀଙ୍କୁ ଦଲାଲି ଅଭିଯୋଗରେ ଗରିଫ କରିଛି ମଙ୍ଗଳାବାଗ ପୋଲିସ। ବଡ଼ କଥା ହେଉଛି ଯେ ପୋଲିସ ନିଜକୁ ରୋଗୀ ସମ୍ପର୍କୀୟ ବେଶ ଧାରଣ କରି ଏମାନଙ୍କୁ ଧରିଥିଲା।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗରିଫ ଅଭିଯୁକ୍ତମାନଙ୍କୁ ରେଡିଓଲୋଜି ବିଭାଗରେ ଡିୟୁଟି ପ୍ରଦାନ କରାଯାଇଥିଲା। ଏମାନେ ସେଠାରେ ଡିୟୁଟି କରିବା ସମୟରେ ବିଭାଗକୁ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା ପାଇଁ ଆସୁଥିବା ରୋଗୀଙ୍କୁ ମେଡିକାଲ ବାହାରେ ଥିବା ବେସରକାରୀ ଡାଗ୍ନୋଷ୍ଟିକ ସେଣ୍ଟରକୁ ନେଇ ଯାଉଥିଲେ। ଏଥିପାଇଁ ଏମାନଙ୍କ ପ୍ରତି ରୋଗୀ ପିଛା କମିଶନ ମଧ୍ୟ ମିଳୁଥିଲା।

"ଏମାନେ କେଉଁ କେଉଁ ବେସରକାରୀ ଡାଇଗ୍ନୋଷ୍ଟିକ ସେଣ୍ଟର ସହିତ ଯୋଗାଯୋଗରେ ଥିଲେ, ତାହାର ଅନୁଧ୍ୟାନ ଚାଲିଛି। ଯଦି କୌଣସି ଡାଇଗ୍ନୋଷ୍ଟିକ ସେଣ୍ଟର ଏମାନଙ୍କୁ ଦଲାଲି କାର୍ଯ୍ୟରେ ନିୟୋଜିତ କରିଥିବା ପ୍ରମାଣ ମିଳିଲେ ସେହି ଡାଇଗ୍ନୋଷ୍ଟିକ ସେଣ୍ଟର ଗୁଡ଼ିକ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ," କହିଛନ୍ତି କଟକ ଡିସିପି ପିନାକ ମିଶ୍ର।

ଏସସିବି ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏସସିବିରେ ପ୍ରାୟ ୧୩୦୦ ଜଣ ଠିକା କର୍ମଚାରୀ ଅଛନ୍ତି। ଏମାନେ ବିଭିନ୍ନ ଠିକାସଂସ୍ଥା ଦ୍ବାରା ବିଭିନ୍ନ ବିଭାଗରେ ବିଭିନ୍ନ ପ୍ରକାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। କିନ୍ତୁ ଗତ କିଛି ଦିନ ହେଲେ ଠିକା ସଂସ୍ଥା ଜରିଆରେ ନିୟୋଜିତ ହୋଇଥିବା ଏହି କର୍ମଚାରୀମାନେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଦେଖିବାକୁ ମିଳିଛି। ଗତ ସପ୍ତାହରେ ଏସସବିରୁ ବାଇକ ଚୋରି ମାମଲାରେ ଦୁଇ ଜଣ ସୁରକ୍ଷା କର୍ମୀଙ୍କୁ ଗରିଫ କରିଥିଲା ପୋଲିସ।

"ରାଜ୍ୟ ସରକାର ଏସସିବିରେ ଲୋକଙ୍କୁ ବିନା ମୂଲ୍ୟରେ ସମସ୍ତ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। କିନ୍ତୁ କିଛି ହାତଗଣତି କର୍ମଚାରୀ ମେଡିକାଲକୁ ଆସୁଥିବା ନିରୀହ ରୋଗୀଙ୍କୁ ଠକିବା ସହ ସେମାନଙ୍କ ମେଡିକାଲ ବାହାରକୁ ପଠାଇ ଲୁଟୁଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏପରି ବେଆଇନ କାର୍ଯ୍ୟକୁ ଆଉ ପ୍ରଶୟ ଦିଆଯିବ ନାହିଁ। ସେଥିପାଇଁ ଏକ ସ୍ବତନ୍ତ୍ର ଯୋଜନା ଉପରେ ଏବେ କାର୍ଯ୍ୟ ଆରମ୍ଭ ହୋଇଛି," କହିଛନ୍ତି ଏସସିବିର ପ୍ରଶାସନିକ ଅଧିକାରୀ ଡକ୍ଟର ଅବିନାଶ ରାଉତ।

ଏହା ପ୍ରଥମ ଘଟଣା ନୁହେଁ। ଏସସିବିକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଲୁଟିବା ଅଭିଯୋଗରେ ପୋଲିସ ଅନେକ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କଲାଣି। ଗତ ଗୋଟିଏ ବର୍ଷ ମଧ୍ୟରେ ୫୬ ଜଣ ଦଲାଲଙ୍କୁ ଗରିଫ କରି ସାରିଛି ମଙ୍ଗଳାବାଗ ପୋଲିସ। ଏହା ପଛରେ ଏକ ବହୁତ ବଡ଼ ରାକେଟ କାମ କରୁଥିଲେ ମଧ୍ୟ ମାଷ୍ଟରମାଇଣ୍ଡ ବଦଳରେ ପ୍ରତି ମାମଲା କେବଳ ମଝିରେ ଥିବା ଲୋକ ହିଁ ଧରା ପଡୁଛନ୍ତି।
Published by:Lipina Das
First published: