ବାହାଘର ଭୋଜିରେ ହାଣ୍ଡିଆ ନଥିବାରୁ ବନ୍ଦ ହେଲା ବାହାଘର

ବାହାଘର ଭୋଜିରେ ମୁଖିଆଙ୍କ ପାଇଁ ହାଣ୍ଡିଆ ବ୍ୟବସ୍ଥା କରିବାରେ ବିଫଳ ହେବା ପରେ ଅଧାରୁ ଭାଙ୍ଗିଥିଲା ବାହାଘର।

ହାଣ୍ଡିଆ ନଥିବାରୁ ବନ୍ଦ ହେଲା ବାହାଘର

ହାଣ୍ଡିଆ ନଥିବାରୁ ବନ୍ଦ ହେଲା ବାହାଘର

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ଢେଙ୍କାନାଳ: ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ବାହାଘର ଭୋଜିରେ ମୁଖିଆଙ୍କ ପାଇଁ ହାଣ୍ଡିଆ ବ୍ୟବସ୍ଥା କରିବାରେ ବିଫଳ ହେବା ପରେ ଅଧାରୁ ଭାଙ୍ଗିଥିଲା ବାହାଘର। ବରପକ୍ଷ କାହିଁକି ହାଣ୍ଡିଆ ମଦର ଆୟୋଜନ କରି ନାହାନ୍ତି ବୋଲି ଗ୍ରାମବାସୀ ଭାଙ୍ଗିଦେଲେ ବାହାଘର।ସେମାନଙ୍କୁ ବୁଝାଇବାକୁ ଯାଇ ନାକେଦମ ବି ହେଲା ପୋଲିସ।

ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଜୟପୁରା କାଟେଣୀ ପଞ୍ଚାୟତ କାଦବସନ୍ତ ଗାଁରେ।ଏହି ଗାଁର ଅନନ୍ତ ମାରାଣ୍ଡିଙ୍କ ପୁଅ ପାରାଉ ମାରାଣ୍ଡି ପରଜଙ୍ଗ କେନ୍ଦୁମୁଣ୍ଡା ଗାଁର ସଜନୀ ମାରାଣ୍ଡି ନାମକ ଜଣେ ନିଜ ସାନ୍ତାଳ ସମ୍ପ୍ରଦାୟର ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ।ଆଠ ବର୍ଷ ତଳେ ଉଭୟଙ୍କ ବିବାହ ହୋଇଥିଲେ ମଧ୍ୟ ଗାଁର ପରମ୍ପରା ଓ ଆଦିବାସୀ ସମ୍ପ୍ରଦାୟର ରିତିନିତି ଅନୁସାରେ ବିବାହ ସମ୍ପର୍ଣ୍ଣ ହୋଇ ନଥିବାରୁ ସଜନୀ ମଥାରେ ସିନ୍ଦୁର ପିନ୍ଧିବାରୁ ବଞ୍ଚିତ ହୋଇ ଆସୁଥିଲେ।

ଶେଷରେ ଗାଁର ପରମ୍ପରା ଓ ରିତିନିତିରେ ବିବାହ କରିବା ପାଇଁ ବଡ ଭୋଜିର ଆୟୋଜନ କରିଥିଲେ ବର ପାତ୍ର ପାରାଉଙ୍କ ଭାଇ ।ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଭୋଜିଭାତ କରିବା ସହ ଆଖପାଖ ଅଞ୍ଚଳର ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ।କିନ୍ତୁ ଠିକ ସମୟରେ ବାଧକ ସାଜିଥିଲା ଗାଁର ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର କୁ - ପ୍ରଥା।ଗାଁ ମୁଖିଆ ଓ କିଛି ସହଯୋଗୀ ବର ଘର ନିକଟରେ ପହଞ୍ଚି ହାଣ୍ଡିଆ ମଦ ମାଗିଥିଲେ ।ହାଣ୍ଡିଆ ମଦ ପିଇବାକୁ ନଦେଲେ ଏହି ବାହାଘର ହୋଇ ପାରିବ ନାହିଁ ବୋଲି ରୋକଠୋକ କହିଥିଲେ।ମାତ୍ର ଏହାକୁ ପାରାଉ ବାରଣ କରିବାରୁ ଭାଙ୍ଗି ଯାଇଥିଲା ବାହାଘର।

ଗ୍ରାମ୍ୟ ମୁଖ୍ୟ ମାଝି ବାବା ଓରଫ ରାମଚନ୍ଦ୍ର ହେମ୍ବ୍ରମ କହିଛନ୍ତି ଯେ ଆଦିବାସୀ ସମ୍ପ୍ରଦାୟର ନିତି ନିୟମ ନ ମାନି ବିବାହ କରାଉଥିବାରୁ ଗାଁର ମୁଖ୍ୟ ହିସାବରେ ଏହାକୁ ବିରୋଧ କରାଯାଇଛି।ତେଣୁ ଯଦି ପାରାଉ ସମାଜ ଆଗରେ କ୍ଷମା ପ୍ରାର୍ଥନା କରନ୍ତି ଏବଂ ସମ୍ପ୍ରଦାୟର ନିତି ନିୟମରେ ବିବାହ କରିବାକୁ ରାଜି ହେବେ ତେବେ ଆମ କହିବା ଅନୁସାରେ ତାରିଖ ଧାର୍ଯ୍ୟ କରାଯାଇ ବାହାଘର କରାଯିବ।

ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଥିଲା କାମାକ୍ଷାନଗର ଥାନା ପୋଲିସ।ଘଣ୍ଟା ଘଣ୍ଟା ଧରି ଲୋକଙ୍କୁ ବୁଝାସୁଝା କରି ଶେଷରେ ବିଫଳ ହୋଇଥିଲା ପୋଲିସ।
"ଏନେଇ କାମାକ୍ଷାନଗର ଥାନାରେ ଉଭୟ ପକ୍ଷ ଏତଲା ଦେଇଛନ୍ତି।ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏହି ବିବାଦକୁ ନେଇ ତଦନ୍ତ ଜାରି ରହିଥିବା କହିଛନ୍ତି ଥାନା ଅଧିକାରୀ ଶରତ ଚନ୍ଦ୍ର ମହାଳିକ।ଘଟଣାରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।"
Published by:Soumyashree Mishra
First published: