ମାର୍କେଟ ବିଲ୍ଡିଂରେ ବ୍ୟବସାୟୀ ଓ ଉଠା ଦେକାନୀଙ୍କ ମଧ୍ୟରେ ମହାଭାରତ; ବନ୍ଦ ହେଲା ସେଣ୍ଟ୍ରାଲ ବଜାର ଏରିଆ

ରାଜଧାନୀର ଲୋକପ୍ରିୟ ବଜାର ମାର୍କେଟ ବିଲ୍ଡିଂକୁ ବ୍ୟବସାୟୀ ସଙ୍ଘ ମଙ୍ଗଳବାର ଅପରାହ୍ନରେ ବନ୍ଦ କରି ଦେଇଥିଲା। ଏଠାରେ ଜଣେ ବ୍ୟବସାୟୀଙ୍କ ଗାଡ଼ି ଭଙ୍ଗାରୁଜା ନେଇ ଉତ୍ତେଜନା ଦେଖାଯିବା ପରେ ସଙ୍ଘ ଏହି ନିଷ୍ପତ୍ତି ନେଇଥିଲା।

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ସେଣ୍ଟ୍ରାଲ  ବଜାର ଏରିଆ

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ସେଣ୍ଟ୍ରାଲ ବଜାର ଏରିଆ

  • Share this:
News18 Odia Digital

ଭୁବନେଶ୍ବର: ମଙ୍ଗଳବାର ଦିନ ମାର୍କେଟ ବିଲ୍ଡିଂରେ ମହାଭାରତ ଦେଖିବାକୁ ମିଳିଥିଲା। ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ଏରିଆରେ ଗ୍ରାହକଙ୍କ ବସିବା ପାଇଁ ଉଦିଷ୍ଟ ଜାଗାରେ ଉଠା ଦୋକାନୀଙ୍କ ଜବରଦଖଲକୁ ନେଇ ସୃଷ୍ଟି ହୋଇଥିଲା ଅପ୍ରୀତିକର ସ୍ଥିତି। କୋଭିଡ଼ କଟକଣା ଲାଗୁ ହେବା ସତ୍ତ୍ବେ ସଂଖ୍ୟାଧିକ ଉଠା ଦୋକାନୀ ଉକ୍ତ ସ୍ଥାନରେ ଜୋରଜବରଦସ୍ତ ବ୍ୟବସାୟ କରିବାରୁ ଏହାକୁ ବିରୋଧ କରିଥିଲା ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ବିଜନେସମ୍ୟାନ ଆସୋସିଏସନ ।

ଆଉ ଏହି କଥା ପୋଲିସ ପାଖରେ ଯାଇ ପହଞ୍ଚିଥିଲା । ହେଲେ ଉଠା ଦୋକାନୀ ନିଜ ଜିଦ୍‌ରେ ଅଟଳ ରହିବାରୁ ବିଜନେସମ୍ୟାନ ଆସୋସିଏସନ ଅନିର୍ଦ୍ଧିଷ୍ଟ କାଳ ପାଇଁ ବ୍ୟବସାୟ ବନ୍ଦ ରଖିବାକୁ ଘୋଷଣା କଲା। ତେବେ ଆଜି ଏନେଇ ପୋଲିସ ଉପସ୍ଥିତିରେ ସମାଧାନ ବୈଠକ ହେବାର ସମ୍ଭାବନା ଥିବାରୁ କିଛି ନିର୍ଯ୍ୟାସ ବାହାରିବାର ଆଶା ରଖିଥିଲେ ସମସ୍ତେ।

ଘଟଣାକ୍ରମ ଥିଲା ଏମିତି ଯେ କୋଭିଡ଼ ପାଇଁ ବାରଣ ସତ୍ତ୍ବେ ପୂର୍ବାହ୍ନରେ ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ଏରିଆରେ ଖାଲି ଥିବା ମଝି ଅଞ୍ଚଳରେ ବ୍ୟବସାୟ କରିବାକୁ ଉଦ୍ୟମ କରିଥିଲେ କିଛି ଉଠା ଦୋକାନୀ। ଏହାକୁ ବିରୋଧ କରିଥିଲେ କିଛି ନିୟମିତ ବ୍ୟବସାୟୀ। ଏହାକୁ ନେଇ ଆରମ୍ଭ ହୋଇଥିଲା ବଚସା । ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ବିଜନେସମ୍ୟାନ ଆସୋସିଏସନ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ମଧ୍ୟ କରାଗଲା । ପରେ ପୋଲିସ ଉପସ୍ଥିତିରେ ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ଉଭୟ ପକ୍ଷ ନିଜ ଜିଦ୍‌ରେ ଅଟଳ ରହିଥିଲେ। ସମାଧାନର ବାଟ ନ ବାହାରିବା କାରଣରୁ ଅନ୍ୟ ଉପାୟ ନ ପାଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ବ୍ୟବସାୟ ବନ୍ଦ ରଖିବାକୁ ଘୋଷଣା କରିଥିଲା ଆସୋସିଏସନ।

ବ୍ୟବସାୟୀ ଆସୋସିଏସନର ସଭାପତି ପ୍ରଦ୍ୟୁମ୍ନ ଜେନାଙ୍କ ସୂଚନା ଅନୁସାରେ, ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ଏରିଆରେ ଏବେ ଉଠା ଦୋକାନୀମାନେ ଜବରଦସ୍ତି ବ୍ୟବସାୟ କରିବା ଆରମ୍ଭ କରିଛନ୍ତି । ଯେଉଁ ଅଞ୍ଚଳ ଗ୍ରାହକ ବସିବା ପାଇଁ ଉଦ୍ଦିଷ୍ଟ ସେହି ଜାଗାକୁ ନିଜ କବଜାକୁ ନେଇ ଜବରଦସ୍ତ ବ୍ୟବସାୟ କରୁଛନ୍ତି । ଫଳରେ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାଛଡ଼ା ଏହି ଉଠା ଦୋକାନୀମାନେ ନିଜର ସୁବିଧା ପାଇଁ ବି.ଏମ.ସି. କରିଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ମଧ୍ୟ ଭାଙ୍ଗିରୁଜି ଦେଉଛନ୍ତି । ଏ ସମସ୍ୟା ଏବେକାର ନୁହେଁ । ସାଂସଦ ଅପରାଜିତା ଷଢ଼ଙ୍ଗୀ ବି.ଏମ.ସି. କମିଶନର ଥିବା ବେଳେ ତାଙ୍କ ଉଦ୍ୟମରେ ହିଁ ମାର୍କେଟ ବିଲ୍ଡିଂ ସେଣ୍ଟ୍ରାଲ ଏରିଆର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଭିତରେ ଥିବା ଉଠା ଦୋକାନୀମାନଙ୍କୁ ବିକଳ୍ପ ଭାବେ ବାହାରେ ବସିବା ପାଇଁ ମଧ୍ୟ ଅନୁମତି ଦିଆଯାଇଥିଲା। ପରେ ଅବସ୍ଥାରେ ସୁଧାର ଆସିଲା ନାହିଁ । ଏହି ଜବରଦସ୍ତ ବ୍ୟବସାୟକୁ ନେଇ ଅନେକ ଥର ଅପ୍ରୀତିକର ପରିସ୍ଥିତି ଉପୁଜିଥିଲେ ମଧ୍ୟ ଏହାର ସମାଧାନ ପାଇଁ କାହାରି ଆନ୍ତରିକ ଉଦ୍ୟମ ନାହଁ।

ସେହିଭଳି ଆସୋସିଏସନ ସମ୍ପାଦକ ବାବୁଲି ପଣ୍ଡାଙ୍କ କହିବା ଅନୁସାରେ, ଉଠା ଦୋକାନୀମାନଙ୍କ ଦୌରାତ୍ମ ଦିନକୁ ଦିନ ବୃଦ୍ଧି ପାଉଛି । ପ୍ରଥମେ ସେମାନେ ଛୋଟ ଜାଗାରେ ବ୍ୟବସାୟ କରୁଥିଲେ ଓ ପରେ ନିୟମିତ ବ୍ୟବସାୟୀଙ୍କ ଦୋକାନ ସାମ୍ନାକୁ ଜବରଦଖଲ କରି ନେଉଛନ୍ତି । ଫଳରେ ଗ୍ରାହକମାନେ ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖିବାକୁ ମିଳୁଛି । ଏହାପଛରେ କିଛି ଅସାମାଜିକ ଯୁବକଙ୍କ ହାତ ଥିବା ଅଭିଯୋଗ ହେଉଥିଲେ ମଧ୍ୟ ସେମାନଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ମଙ୍ଗଳବାର ଯାହା ଘଟଣା ଘଟିଲା ତାହା ଦୁର୍ଭାଗଜନକ । ଉଠା ଦୋକାନୀମାନେ ନିୟମିତ ବ୍ୟବସାୟୀମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଧମକ ମଧ୍ୟ ଦେଇଥିଲେ । ସ୍ଥିତି ଏଭଳି ହୋଇଥିଲା ଯେ ସେମାନେ ମଧ୍ୟ ବ୍ୟବସାୟୀଙ୍କୁ ଧକ୍କା ମାରିଥିଲେ । ବାଧ୍ୟ ହୋଇ ଆସୋସିଏସନ ପୁଣି ଥରେ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ଓ ବି.ଏମ.ସି. ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଠା ଦୋକାନୀମାନେ ନିଜ ଜିଦ୍‌ରେ ଅଟଳ ରହିବାରୁ ବ୍ୟବସାୟୀ ଆସୋସିଏସନ ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ ବ୍ୟବସାୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି।

ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ଏରିଆର କିଛି ବ୍ୟବସାୟୀଙ୍କ ମତରେ ଏହି ଉଠା ଦୋକାନୀମାନଙ୍କ ଜବରଦଖଲ କାରଣରୁ କରୋନା ସଂକ୍ରମଣ ବଢ଼ିବା ସମ୍ଭାବନା ରହିଛି । ସେ ଦୃଷ୍ଟିରୁ ଗ୍ରାହକ ବି ଆସିବାକୁ ମଗୁନାହାଁନ୍ତି । ବି.ଏମ.ସି.ର ମଧ୍ୟ ନଜର ଭିତରେ ରହୁଛି ଏହି ଅଞ୍ଚଳ। ସେ ଦୃଷ୍ଟିରୁ ଏଭଳି ସ୍ଥିତି ବ୍ୟବସାୟକୁ ପ୍ରଭାବିତ କରୁଛି । ତେବେ ବ୍ୟବସାୟୀମାନେ ଆଶା କରୁଛନ୍ତି ଯେ, ବୁଧବାର ବୈଠକରେ କିଛି ଠୋସ୍ ନିଷ୍ପତ୍ତି ନିଆଯିବ। ଯଦି ସେଭଳି କିଛି ସ୍ଥିତି ନ ଉପୁଜେ, ତେବେ ବ୍ୟବସାୟୀମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବ୍ୟବସାୟ ବନ୍ଦ ରଖିବାକୁ ବାଧ୍ୟ ହେବେ। ଏ ନେଇ ଉଠା ଦୋକାନୀ କିଛି ପ୍ରତିକ୍ରିୟା ରଖି ନାହାଁନ୍ତି।
Published by:Lipina Das
First published:
)}