ମନୀଷ ହତ୍ୟା ମାମଲା: ୩ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯିବ କହିଲେ DCP

ବ୍ୟାଚଲର ପାର୍ଟି ମାଗିଥିଲେ ସାଙ୍ଗ। ବାରରୁ ବିବାଦ ଆରମ୍ଭ ହୋଇ ହତ୍ୟା ପର୍ଯ୍ୟନ୍ତ କଥା ଯାଇଥିଲା। ପରେ ପ୍ରମାଣ ନଷ୍ଟ ପାଇଁ ମନିଷଙ୍କ ମୃତ୍ୟୁଦେହକୁ ପୋଖରୀରେ ଫିଙ୍ଗି ଦେଇଥିଲେ ଅଭିଯୁକ୍ତ । ଏବେ ଏମାନଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ ।

ମନୀଷ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯିବ

ମନୀଷ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯିବ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସ ହତ୍ୟା ଘଟଣାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ରିମାଣ୍ଡ ଶେଷ ହୋଇଛି । ତିନି ଅଭିଯୁକ୍ତଙ୍କୁ ଚାରି ଦିନ ପାଇଁ ରିମାଣ୍ଡରେ ନେଇଥିଲା କମିଶନରେଟ ପୋଲିସ । ରିମାଣ୍ଡ ସରିବା ପରେ ପୁଣି ଥରେ ତିନି ହତ୍ୟାକାରୀ ଝାରପଡ଼ା ଜେଲକୁ ପଠାଇ ଦେଇଛି ପୋଲିସ । ରିମାଣ୍ଡ ବେଳେ ଅଭିଯୁକ୍ତମାନେ ଅନେକ କିଛି ତଥ୍ୟ ଲୁଚାଉଥିବାରୁ , ସେମାନଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ ଯୋଜନା କରିଛି ପୋଲିସ ।

ମନୀଷ ହତ୍ୟା କରିଥିବା ତିନି ଅଭିଯୁକ୍ତ ହେଲେ ଅମ୍ରିତ ବିଶ୍ୱାଳ, ମୃତୁଞ୍ଜୟ ମହାପାତ୍ର ଓ ଦିନେଶ ମିଶ୍ର । ଗତ ୯ ତାରିଖ ରାତିରେ ପାତ୍ରପଡ଼ା ଅଞ୍ଚଳରେ ଥିବା ହୋଟେଲ ସାଉଥ ସିଟିରୁ ବାହାରିବା ପରେ ବିଳମ୍ବିତ ରାତିରେ ମନୀଷଙ୍କୁ ହତ୍ୟା କରିଥିଲେ ଏହି ତିନି ଜଣ। ହୋଟେଲର ବିଲକୁ ନେଇ ବିବାଦ ହେବାରୁ ମନୀଷଙ୍କୁ ଆକ୍ରମଣ କରି ହତ୍ୟା କରାଯାଇଥ୍‌ବା ପୋଲିସ ପକ୍ଷରୁ କୁହାଯାଇଥିଲା । ହତ୍ୟାର ଅଧିକ ତଥ୍ୟ ଓ ପ୍ରମାଣ ପାଇଁ ହତ୍ୟାକାରୀଙ୍କୁ ରିମାଣ୍ଡରେ ଆଣି ଜେରା କରିଥିଲା ପୋଲିସ ।

ଡି.ସି.ପି ଉମା ଶଙ୍କର ଦାଶ କହିଛନ୍ତି, “ରିମାଣ୍ଡ ବେଳେ ଅଭିଯୁକ୍ତଙ୍କ ଠାରୁ ଅନେକ କିଛି ତଥ୍ୟ ମିଳିଛି । ଯାହାକୁ ନେଇ ଏବେ ତଦନ୍ତ ଚାଲିଛି । ହତ୍ୟାକାରୀମାନେ ଅନେକ କିଛି ତଥ୍ୟ ଲୁଚାଉ ଥିବାରୁ , ସେମାନଙ୍କର ‘ଲାଏ ଡିଟେକ୍ସ‌ନ ଟେଷ୍ଟ’ କରିବାକୁ ଆମେ ଯୋଜନା କରିଛୁ । ସେହି ଭଳି ମନୀଷ ହତ୍ୟାଘଟଣାର ପୋଷ୍ଟମୋର୍ଟମ ରିପୋର୍ଟ ଆମେ ପାଇଛୁ । ଯାହା ଗଣମାଧ୍ୟମ ଆଗରେ କହିବା ଠିକ୍ ହେବ ନାହିଁ ।’’

ମିଳୁଥିବା ସୂଚନା ଅନୁଯାୟୀ ରିମାଣ୍ଡ ବେଳେ ପୋଲିସ ଆଗରେ ମୁହଁ ଖୋଲି ନାହାଁନ୍ତି ତିନି ହତ୍ୟାକାରୀ । କିଭଳି ଓ କାହିଁକି ମନୀଷକୁ ହତ୍ୟା କଲେ ? କେଉଁ ସ୍ଥାନରେ ହତ୍ୟା କଲେ ? ମନୀଷଙ୍କ ମୋବାଇଲ ଫୋନ୍ କୁଆଡ଼େ ଗଲା ? ଏସବୁ ପ୍ରଶ୍ନ ପଚରା ଯିବା ବେଳ ଚୁପ୍ ରହିଥିଲେ ତିନି ହତ୍ୟାକାରୀ । ତେଣୁ ସେମାନଙ୍କ ମୁହଁରୁ ସତ ବାହାର କରିବା ପାଇଁ ଲାଏ ଡିଟେକ୍ସନ କରିବ ବୋଲି କହିଛନ୍ତି ଭୁବନେଶ୍ୱର ଡି.ସି.ପି ।

ଡି.ସି.ପି ଆହୁରି କହିଛନ୍ତି, “ରିମାଣ୍ଡ ବେଳେ ଯେଉଁ ସବୁ ତଥ୍ୟ ମିଳିଛି ତାହାର ତଦନ୍ତ ଚାଲିଛି । ଅଭିଯୁକ୍ତମାନଙ୍କ ବୟାନ ଆଧାରରେ ବିଭିନ୍ନ ସ୍ଥାନକୁ ଯାଇ ତଥ୍ୟ ସଗ୍ରହ କରୁଛି ପୋଲିସ । ଏମ୍ସରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସି ଥିବାରୁ, ପୁଣି ଥରେ ରିମାଣ୍ଡରେ ଆଣିବାକୁ ଯୋଜନା କରାଯିବ । ତେବେ ଡାଏଟମ ଓ ଭିସେରା ରିପୋର୍ଟ ଆସି ନଥିବାରୁ ଅନେକ କିଛି ତଥ୍ୟ ପ୍ରମାଣକୁ ଅପେକ୍ଷା କରିବାକୁ ପଡ଼ିବ।’’

ମନୀଷ ହତ୍ୟାକାଣ୍ଡରେ ଗିରଫ ହୋଇଥିବା ଅଭିଯୁକ୍ତ ଅମ୍ରିତଙ୍କ ଓକିଲ ଆନନ୍ଦ ମିଶ୍ର କହିଛନ୍ତି, “ପୋଲିସ ଅନ୍ଧାରରେ ବାଡ଼ି ବୁଲାଉଛି । ଏ ପର୍ଯ୍ୟନ୍ତ ଅମ୍ରିତ ବିରୁଦ୍ଧରେ କୌଣସି ତଥ୍ୟ କୋର୍ଟରେ ଉପସ୍ଥାନ କରିନି ପୋଲିସ । ଜାଣିଶୁଣି ଅମ୍ରିତଙ୍କୁ ଏହି ମାମଲାରେ ପୋଲିସ ଛନ୍ଦିଛି । ଆମେ ଟ୍ରାଏଲ ବେଳେ କୋର୍ଟରେ ଏହାର ଜବାବ ଦେବୁ।’’

ସୂଚନା ଅନୁସାରେ, ଗତ ୧୦ ତାରିଖ ଦିନ ପାତ୍ରପଡ଼ାରେ ଥିବା ଏକ ପୋଖରୀରୁ ମନୀଷଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ମୃତ ଦେହ ଉଦ୍ଧାର ହେବାର କିଛି ଘଣ୍ଟା ପୂର୍ବରୁ ମନୀଷଙ୍କୁ ଅପହରଣ ହୋଇଥିବା ନେଇ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ ମନୀଷଙ୍କ ବାପା ।
ପୋଲିସ ଏହି ଘଟଣାର ତଦନ୍ତ କରି ମନୀଷଙ୍କ ତିନି ସାଙ୍ଗ, ଅମ୍ରିତ, ମୃତୁଞ୍ଜୟ ଓ ଦିନେଶକୁ ଗିରଫ କରିଛି । ତେବେ ହୋଟେଲ ବିଲ୍ ପାଇଁ ମନୀଷଙ୍କୁ ହତ୍ୟା କରାଯାଇଥିବା କଥାକୁ ସହଜରେ ବିଶ୍ୱାସ କରୁ ନାହାଁନ୍ତି ମନୀଷଙ୍କ ପରିବାର।
Published by:Lipina Das
First published: