ମନୀଷ ହତ୍ୟା ମାମଲା: ଗିରଫ କନେଷ୍ଟବଳଙ୍କୁ ଚାକିରିରୁ ବହିଷ୍କୃତ କଲେ DCP; ନାମରେ ରହିଛି ୫ଟି ଫୌଜଦାରୀ ମାମଲା

ପ୍ରସନ୍ନ ବେହେରାଙ୍କୁ ଶନିବାର ଗିରଫ କରିଥିଲା ପୋଲିସ । କୋଭିଡ ନିୟମ ଉଲଙ୍ଘନ କରିବା, ଲାଇସେନ୍ସ ନଥାଇ ବେଆଇନ ଭାବେ ବାର ଖୋଲିବା ଓ ଅପରାଧିକ ଷଡ଼ଯନ୍ତ୍ର କରିବା ଭଳି ସଙ୍ଗୀନ ଅଭିଯୋଗରେ ପ୍ରସନ୍ନଙ୍କ ବିରୁଦ୍ଧରେ ସାମ୍ନାକୁ ଆସିଥିଲା ।

ଗିରଫ କନେଷ୍ଟବଳଙ୍କୁ ଚାକିରିରୁ ବହିଷ୍କୃତ କଲେ DCP

ଗିରଫ କନେଷ୍ଟବଳଙ୍କୁ ଚାକିରିରୁ ବହିଷ୍କୃତ କଲେ DCP

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଜଣେ କନେଷ୍ଟବଳଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । କନେଷ୍ଟବଳ ଜଣଙ୍କ ହେଲେ ପ୍ରସନ୍ନ ବେହେରା । ପୂର୍ବରୁ ସେ ନିଲମ୍ବିତ ହୋଇଥିବା ବେଳେ ଶନିବାର ତାଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ। ତଦନ୍ତ ବେଳେ ପ୍ରସନ୍ନଙ୍କ ବିରୁଦ୍ଧରେ ପାଞ୍ଚଟି ଫୌଜଦାରୀ ମାମଲା ସାମ୍ନାକୁ ଆସିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ ପୋଲିସ ।

ପ୍ରସନ୍ନ ବେହେରାଙ୍କୁ ଶନିବାର ଗିରଫ କରିଥିଲା ପୋଲିସ । କୋଭିଡ ନିୟମ ଉଲଙ୍ଘନ କରିବା, ଲାଇସେନ୍ସ ନଥାଇ ବେଆଇନ ଭାବେ ବାର ଖୋଲିବା ଓ ଅପରାଧିକ ଷଡ଼ଯନ୍ତ୍ର କରିବା ଭଳି ସଙ୍ଗୀନ ଅଭିଯୋଗରେ ପ୍ରସନ୍ନଙ୍କ ବିରୁଦ୍ଧରେ ସାମ୍ନାକୁ ଆସିଥିଲା । ଆଇ.ପି.ସି.ର ଧାରା ୧୨୦(ବି), ୨୬୯, ୨୭୦, ୫୨ ଅବକାରି ଆକ୍ଟ, ୩,୫,୯୬ optc actରେ ତମାଣ୍ଡୋ ଥାନାରେ ମାମଲା ରୁଜୁ ହୋଇଥିଲା ।

ଭୁବନେଶ୍ୱର ଡି.ସି.ପି.ଙ୍କ କାର୍ଯ୍ୟାଳୟରୁ ଆସିଥିବା ପ୍ରେସରିଲିଜରେ ସ୍ପଷ୍ଟ ଭାବେ ଲେଖା ଯାଇଛି, "କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ଭୁବନେଶ୍ୱର ଡି.ସି.ପି ଉମା ଶଙ୍କର ଦାଶ ପ୍ରସନ୍ନଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ତାଙ୍କ ନାଁରେ ୮ଟି ବିଭାଗୀୟ ପ୍ରୋସିଡିଂ ଚାଲିଥିଲା । ସେହି ଭଳି ପ୍ରସନ୍ନଙ୍କ ନାଁରେ ପାଞ୍ଚଟି ଫୌଜଦାରୀ ମାମଲା ମଧ୍ୟ ରହିଛି । ତେଣୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।’’

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ହୋଟେଲ ସାଉଥ ସିଟିରୁ ମନୀଷ ଗତ ୯ ତାରିଖ ରାତି ପ୍ରାୟ ସାଢ଼େ ୩ଟା ସମୟରେ ଏକା ବାହାରୁ ଥିଲେ । ତେଣୁ ଏତେ ରାତିରେ ମନୀଷ ହୋଟେଲରେ କ’ଣ ଚାଲିଥିଲା ତଦନ୍ତ କରିଥିଲା କମିଶନରେଟ ପୋଲିସ । ଜଣେ ଅତିରିକ୍ତ ଡି.ସି.ପିଙ୍କ ନେତୃତ୍ୱରେ ଘଟଣାର ତଦନ୍ତ କରିଥିଲା ପୋଲିସ । ତଦନ୍ତ ବେଳେ ହୋଟେଲ ସାଉଥ ସିଟିର ସାଙ୍ଘାତିକ ସତ ସାମ୍ନାକୁ ଆସିଥିଲା ।

କମିଶନରେଟ ପୋଲିସର ଅତିରିକ୍ତ ଡି.ସି.ପି. ଦେଇଥିବା ତଦନ୍ତ ରିପୋର୍ଟରେ ସ୍ପଷ୍ଟ କରାଯାଇଛି, କନେଷ୍ଟବଳ ପ୍ରସନ୍ନ ବେହେରା ହୋଟେଲ ସାଉଥ ସିଟିର ବାରକୁ ଲିଜ୍‌ରେ ନେଇଥିଲେ । ଏହି ବାରର ଲାଇସେନ୍ସ ସରିଯାଇଥିବା ବେଳେ ବିନା ଲାଇସେନ୍ସରେ ବାର ଚାଲିଥିଲା । ଗତ ୯ ଓ ୧୦ ତାରିଖରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ବାର ଚାଲିଥିବା ତଦନ୍ତ ବେଳେ ଜଣା ପଡ଼ିଥିଲା । ତେଣୁ ପ୍ରସନ୍ନ ବେହେରାଙ୍କୁ ପ୍ରଥମେ ନିଲମ୍ବିତ କରିବା ସହ ତମାଣ୍ଡୋ ଥାନାରେ ଅଟକ ରଖାଯାଇଥିଲା ।

ପ୍ରସନ୍ନ ଅଟକ ହେବା ପରେ ହୋଟେଲ ସାଉଥ ସିଟିରେ କମିଶନରେଟ ପୋଲିସର ଏକ ଟିମ୍ ଶୁକ୍ରବାର ଦିନ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବାର ଭିତରୁ ବିପୁଳ ପରିମାଣର ମଦ ଜବତ ହୋଇଥିଲା । ଏହା ସହ ବାର ଭିତରେ ବିପୁଳ ନକଲି ନୋଟ ମଧ୍ୟ ପୋଲିସ ଜବତ କରିଛି । ସେହିଭଳି ବାରର ବିଭିନ୍ନ କାଗଜପତ୍ରକୁ ଯାଂଚ କରିବା ସହ ଜବତ କରାଯାଇଛି । ଏ ସବୁ ପ୍ରମାଣ ମିଳିବା ପରେ ରବିବାର ପ୍ରସନ୍ନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ତମାଣ୍ଡୋ ଥାନା ପୋଲିସ ।

କେବଳ ପ୍ରସନ୍ନ ନୁହେଁ, ଏହି ଘଟଣାରେ ହୋଟେଲ ସାଉଥ ସିଟିର ମାଲିକ ପ୍ରଦ୍ୟୁମ୍ନ ଜେନା ଓ ବାର ମ୍ୟାନେଜରଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ତେବେ ଏ ସମସ୍ତଙ୍କୁ ଅନୁକମ୍ପା ଦେଖାଇବା ଅଭିଯୋଗରେ ତମାଣ୍ଡୋ ଥାନା ଅଧିକାରୀ ପ୍ରମୋଦ ପଟ୍ଟନାୟକଙ୍କୁ ଡି.ସି.ପି. ଅଫିସକୁ ବଦଳି କରାଯାଇଥିଲା ।

ସୂଚନା ଅନୁସାରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ଘଟଣାରେ ହୋଟେଲ ସାଉଥ ସିଟି ପୋଲିସ ସ୍କାନରକୁ ଆସିଥିଲା । ମନୀଷ ଶେଷ ଥର ପାଇଁ ପାତ୍ରପଡ଼ାରେ ଥିବା ହୋଟେଲରୁ ଏକୁଟିଆ ବାହାରୁ ବାହାରୁଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା । ରାତି ସାଢ଼େ ୩ଟା ପର୍ଯ୍ୟନ୍ତ ମନୀଷ ହୋଟେଲରେ କ’ଣ କରୁଥିଲେ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଥିଲା କମିଶନରେଟ ପୋଲିସ ।

ଗତ ୧୦ ତାରିଖରେ ମନୀଷଙ୍କ ମୃତ ଦେହ ପାତ୍ରପଡ଼ା ନିକଟରେ ଥିବା ଏକ ପୋଖରୀରୁ ଜବତ ହୋଇଥିଲା । ପରେ ତଦନ୍ତରୁ ଜଣା ପଡ଼ିଥିଲା ଯେ ମନୀଷ ନିଜ ସାଙ୍ଗମାନଙ୍କ ସହ ହୋଟେଲ ସାଉଥ ସିଟିରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଥିଲେ । ବାର ବିଲ୍ କୁ ନେଇ ମନୀଷଙ୍କର ସାଙ୍ଗମାନଙ୍କ ସହ ବିବାଦ ହୋଇଥିଲା । ଯାହାକୁ ନେଇ ମନୀଷଙ୍କୁ ତିନି ସାଙ୍ଗ ମିଶି ହତ୍ୟା କରିବା ପରେ ପୋଖରୀରେ ଫିଙ୍ଗି ଦେଇଥିଲେ । ସେମାନଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଛି ।
Published by:Lipina Das
First published: