ପ୍ରଦୂଷିତ ହେଉଛି ପୁରୀ ମଙ୍ଗଳାନଦୀ ଜଳ; ନଦୀ କୂଳରେ ପଡ଼ିଛି କୁଢ଼ କୁଢ଼ ମଲାମାଛ

()ପ୍ରଦୂଷିତ ହେଉଛି ପୁରୀ ମଙ୍ଗଳାନଦୀର ଜଳ । ଗତ ତିନିଦିନ ଧରି ମଙ୍ଗଳାନଦୀ ପଠା ମୁହାଁଣର ଉଭୟ ପାର୍ଶ୍ୱରେ ପଡିଛନ୍ତି କୁଢ କୁଢ ମଲା ମାଛ । ତେବେ ଜଳରେ ବିଓଡିର ମାତ୍ରା କମୁଥିବାରୁ ଏଭଳି ମାଛ ମଡକ ହେଉଛି ବୋଲି କହିଛନ୍ତି ସାମୁଦ୍ରିକ ମତ୍ସ୍ଯ ବିଶେଷଜ୍ଞ ।

ପ୍ରଦୂଷିତ ହେଉଛି ପୁରୀ ମଙ୍ଗଳାନଦୀ ଜଳ

ପ୍ରଦୂଷିତ ହେଉଛି ପୁରୀ ମଙ୍ଗଳାନଦୀ ଜଳ

  • Share this:
News 18 Odia Digital

ପୁରୀ; ମଙ୍ଗଳାନଦୀ ମୁହାଁଣ ଓ ପଠାରେ ଦେଖିବାକୁ ମିଳୁଛି ମଲା ମାଛ । ଏହି ମଲା ମାଛ ଗୁଡ଼ିକୁ ଖାଇବାକୁ ମାଂଶାହାରୀ ପକ୍ଷୀ ସମେତ କୁକୁର ମଧ୍ୟ ନଦୀ ମୁହାଁଣରେ ଘୁରି ବୁଲୁଥିବା ନଜରକୁ ଆସୁଛି । ଅଚାନକ ଏପରି ମାଛ ମୃତ୍ୟୁକୁ ଦେଖି ନଦୀ ଅଞ୍ଚଳରେ ବସବାସ କରୁଥିବା ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ମାଛ ମଡ଼କ ସମ୍ପର୍କରେ ବିଶେଷଜ୍ଞ ଟିମକୁ ଅବଗତ କରାଯାଇଛି । ନଦୀ ପଠାରୁ ମଲା ମାଛ ସମେତ ନଦୀ ମୁହାଁଣର ଜଳକୁ ସଂଗ୍ରହ କରାଯାଇଛି । ଜଳ ନମୁନା ସମେତ ମାଛକୁ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯିବ । ଜଳରେ ଥିବା ଲବଣର ମାତ୍ରା ମଧ୍ୟ ଯାଞ୍ଚ କରାଯିବ ।



ପୂର୍ଣ୍ଣିମା କାରଣରୁ ସମୁଦ୍ରର ଜୁଆର ପାଣି ସହ ମଙ୍ଗଳାନଦୀ ପାଣି ମିଶୁଛି । ସହରର ଅନେକ ଗୁଡ଼ିଏ ଡ୍ରେନର ଦୂଷିତ ପାଣି ମଧ୍ୟ ନାଳ ମାଧ୍ୟମରେ ନଦୀକୁ ପ୍ରବେଶ କରୁଛି । ଫଳରେ ନଦୀ ପାଣି ବିଷାକ୍ତ ହୋଇ ମାଛ ଗୁଡ଼ିକ ମରି ଭାସୁଥିବା କହିଛନ୍ତି ସ୍ଥାନିୟ ମତ୍ସ୍ୟଜୀବୀ । ଗୋଟିଏ ପଟେ ମୁହାଁଣ ପୋତି ହେବା ଯୋଗୁଁ ମଙ୍ଗଳାନଦୀ ଜଳ ପ୍ରବାହିତ ନ ହୋଇ ଜମିରହିବା ଯୋଗୁଁ ଜଳ ପ୍ରଦୂଷିତ ହେଉଛି  । ନଦୀ ଜଳ ବ୍ୟବହାର କରି  ଜନଜୀବନ ପ୍ରଭାବିତ ହେବା ସହ ଜଳଜୀବମାନେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି  ।

ପୂର୍ବବର୍ଷ ମଧ୍ୟ ଏପରି ମାଛ ମଡ଼କ ହୋଇଥିଲା । ଉଭୟ ମାଛ ଓ ନଦୀର ଜଳ ଟେଷ୍ଟ୍ ପାଇଁ ଲ୍ୟାବକୁ ଯାଇଥିଲା । ନଦୀ ଜଳରେ ଅମ୍ଳଜାନ ହ୍ରାସ ହୋଇଥିବା କାରଣରୁ ମାଛ ମରି ଭାସୁଥିବାର ରିପୋର୍ଟ ଆସିଥିଲା । ପୁଣିଥରେ ଏପରି ମାଛ ମଡକ ଘଟଣା ସାମୁଦ୍ରିକ ମତ୍ସ୍ୟ ବିଶେଷଜ୍ଞଙ୍କ ପାଇଁ ଚିନ୍ତା ବଢାଇଦେଇଛି । ମୁହାଁଣ ଅଂଚଳର ନଦୀ ଜଳରେ ଲବଣାକ୍ତ ଅଂଶ ଜିରୋ ରହିଥିବା ବେଳେ ଲୁଣା ମାଛ ଗୁଡିକ ଏଥିପାଇଁ ମରିଛନ୍ତି ବୋଲି ଅନୁମାନ କରାଯାଉଛି । ମଲାମାଛ ଗୁଡ଼ିକ ପଡ଼ିରହିଥିବାରୁ ସ୍ଥାନିୟ ଅଞ୍ଚଳରେ ଏବେ ବାୟୁ ପ୍ରଦୂଷିତ ହେବାରେ ଲାଗିଛି । ଫଳରେ ସ୍ଥାନିୟ ଲୋକେ ସମସ୍ୟା ଭୋଗୁଛନ୍ତି । ତେଣୁ ତୁରନ୍ତ ଏହାକୁ ପରିଷ୍କାର କରିବାକୁ ଦାବି ହୋଇଛି । ଜଣେ ମତ୍ସ୍ୟଜୀବୀ ଏସ.ଶିବାଙ୍କ କହିବାନୁଯାୟୀ ପ୍ରଶାସନିକ ସ୍ତରରେ ଏହା ପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ । ନଚେତ ଏହି ମାଛ ମଡ଼କ ଘଟଣାର ପୁନରାବୃତ୍ତି ହେବ ।



ଅନ୍ୟପଟେ ଯେଉଁ ସମୟରେ ମାଛ ମରୁଛନ୍ତି ସେହି ସମୟରେ ଜଳର ନମୁନା ସଂଗ୍ରହ କରାଗଲେ ଘଟଣାର ସ୍ପଟତା ଜଣାପଡ଼ିବ ବୋଲି କହିଛନ୍ତି ସାମୁଦ୍ରିକ ମତ୍ସ୍ୟ ବିଶେଷଜ୍ଞ ଜ୍ଞାନ ରଞ୍ଜନ ଦାଶ  । ତେବେ କିଭଳି ଏତେ ସଂଖ୍ୟକ ମାଛ ମଲେ ସେ ନେଇ ଆଜି ସାମୁଦ୍ରିକ ମତ୍ସ୍ୟ ବିଶେଷଜ୍ଞଙ୍କ ଏକ ଟିମ ଯାଇ ଘଟଣାସ୍ଥଳରେ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ । ଲଘୁଚାପ ସମୟରେ ମୁହାଣ ମଧ୍ୟ ଦେଇ ବନ୍ୟାଜଳ ପ୍ରବେଶ କରୁଥିବାରୁ ପାଣି ପ୍ରଦୂଷିତ ହୋଇ ମାଛ ମଡକ ହୋଇଥାଇପାରେ ବୋଲି ଆକଳନ କରାଯାଉଛି । ଏ ସମ୍ପର୍କରେ ମତ୍ସ୍ୟ ବିଶେଷଜ୍ଞଙ୍କୁ ଅବଗତ କରାଯାଇଛି । ସେମାନେ ଅନୁଧ୍ୟାନ କରିବା ପରେ କାରଣ ଜଣାପଡ଼ିବ ବୋଲି  କହିଛନ୍ତି ଉପଜିଲ୍ଲାପାଳ ଭବତାରଣ ସାହୁ । 
Published by:Soubhagya Mishra
First published: