କଳାହାଣ୍ଡି ଜିଲ୍ଲାରେ ମଣ୍ଡି ସମସ୍ୟା; ମିଲରର୍ସ ଏଜେଣ୍ଟଙ୍କୁ ନେଇ ଚିନ୍ତାରେ ଚାଷୀମାନେ

ଧର୍ମଗଡ ବ୍ଲକ ଅନ୍ତର୍ଗତ ତମ୍ବାଛଡ଼ା ଓ ଖବରପଦର ଧାନ ମଣ୍ଡିରେ ସୋମବାର ଠାରୁ ଲାଗି ରହିଛି ଅଚଳାବସ୍ଥା । ପୂର୍ବରୁ ଏହି ମଣ୍ଡିରେ ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନକୁ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ୫ କିଲୋ କଟନୀ କରାଯାଉଥିଲା ।

 କଳାହାଣ୍ଡି ଜିଲ୍ଲାରେ ମଣ୍ଡି ସମସ୍ୟା

କଳାହାଣ୍ଡି ଜିଲ୍ଲାରେ ମଣ୍ଡି ସମସ୍ୟା

  • Share this:
News18 Odia Digital

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ସୁଧୁରୁନି ମଣ୍ଡି ବ୍ୟବସ୍ଥା । ଚଳିତ ଖରିଫ ପାଇଁ ଗତ ନଭେମ୍ବର ୨୫ ତାରିଖରୁ ଖୋଲିଥିଲା ଧାନ ମଣ୍ଡି । ତେବେ ମଣ୍ଡି ଆରମ୍ଭ ହେଲା ଦିନ ଠାରୁ ହିଁ ଲାଗି ରହିଛି ସମସ୍ୟା । ମଣ୍ଡି ଆରମ୍ଭରୁ ଚାଷୀମାନେ ଧାନ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ୫ କିଲୋ କଟନୀର ଶିକାର ହୋଇ ଆସୁଥିବା ବେଳେ ନୂଆ ବର୍ଷରେ ନୂଆ ନୀତି ପ୍ରଣୟନ କରିଛନ୍ତି ମିଲରର୍ସ। ବର୍ତ୍ତମାନ ୫ କିଲୋ ପରିବର୍ତ୍ତେ ସର୍ବନିମ୍ନ ୬ କିଲୋ କଟନୀ ପାଇଁ ଚାଷୀଙ୍କୁ ବାଧ୍ୟ କରୁଛି ମିଲରର୍ସ ଏଜେଣ୍ଟ । ଯହାକୁ ନେଇ ଚାଷୀମାନେ ନାରାଜ ଅଛନ୍ତି। ଫଳରେ ଦେଖା ଦେଇଛି ଅଚଳାବସ୍ଥା।

ଧର୍ମଗଡ ବ୍ଲକ ଅନ୍ତର୍ଗତ ତମ୍ବାଛଡ଼ା ଓ ଖବରପଦର ଧାନ ମଣ୍ଡିରେ ସୋମବାର ଠାରୁ ଲାଗି ରହିଛି ଅଚଳାବସ୍ଥା । ପୂର୍ବରୁ ଏହି ମଣ୍ଡିରେ ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନକୁ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ୫ କିଲୋ କଟନୀ କରାଯାଉଥିଲା । ତେବେ ଚାଷୀ ଅନିଛା ସତ୍ତ୍ବେ ବି ଧାନ ବିକ୍ରି ହୋଇଯିବା ଆଶାରେ କଷ୍ଟ ସହି ଦେଇ ଦେଉଥିଲା ଧାନ। ତେବେ ସୋମବାର ଠାରୁ ନୂଆ ବର୍ଷରେ ନୂଆ ନୀତି ଆପଣେଇଛି ମିଲରର୍ସ। ଏଠାରେ କ୍ୱିଣ୍ଠାଲ ପିଛା ସର୍ବନିମ୍ନ ୬ କିଲୋ କଟନୀ କରିବାକୁ ବାଧ୍ୟ କରୁଛନ୍ତି ମିଲରର୍ସ ଦ୍ୱାରା ନିୟୋଜିତ ଏଜେଣ୍ଟ। ଯେଉଁ ଚାଷୀ ଏଥିରେ ରାଜି ନ ହେବ ତାର ଧାନ ନ ଉଠାଇବାକୁ ମଧ୍ୟ ଧମକ ମିଳୁଥିବା ଅଭିଯୋଗ ଆଣିଛନ୍ତି ଚାଷୀ।

ଅପରପକ୍ଷେ ଚାଷୀ ଏହାକୁ ମାନିବାକୁ ନାରାଜ। ଫଳରେ ସୋମବାର ମଣ୍ଡିରୁ ଉଠି ନ ଥିଲା ଧାନ । ଏହି ଦୁଇ ଗୋଟି ଧାନ ମଣ୍ଡିରେ କେସିଙ୍ଗା ଅଞ୍ଚଳର କିଛି ପ୍ରଭାବଶାଳୀ ମିଲରର୍ସ ଟ୍ୟାଗ ହୋଇଥିବାରୁ କୁଆଡେ ତାଙ୍କ ଇସାରାରେ ଚାଲେ ଯୋଗାଣ ବିଭାଗ। ଏହି ଅଭିଯୋଗ ମଧ୍ୟ ଆଣିଛନ୍ତି ସ୍ଥାନୀୟ ଚାଷୀ। ସେହିପରି ଚାଷୀମାନଙ୍କୁ ମିଲରର୍ସ ଧାନ ବସ୍ତା ଦେଉ ନ ଥିବା ମଧ୍ୟ ଅଭିଯୋଗ ହେଲା ପରେ ଚାଷୀମାନେ ବିକ୍ଷୋଭ କରିଥିଲେ । ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଯିବାରୁ ଧର୍ମଗଡ ଉପଖଣ୍ଡ ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ମଧ୍ୟ କରିବାକୁ ପଡ଼ିଥିଲା । ପରେ ଚାଷୀଙ୍କୁ ବୁଝାସୁଝା କରିବାପରେ ପରିସ୍ଥିତି ଶାନ୍ତ ହୋଇଥିଲା।

ମିଲରର୍ସ ଏଜେଣ୍ଟଙ୍କୁ ନେଇ ଚିନ୍ତାରେ ଚାଷୀମାନେ


କଳାହାଣ୍ଡି ଜିଲ୍ଲାରେ ଚଳିତ ଖରିଫ ଧାନ ସଂଗ୍ରହ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୦ ଲକ୍ଷ ୨୫ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ ରଖିଛି ଜିଲ୍ଲା ପ୍ରଶାସନ । ଯାହା ଏପର୍ଯ୍ୟନ୍ତ ୧୯ ଲକ୍ଷ ୩ ହଜାର ୭୮୦ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି । ଏହି ଧାନ ସଂଗ୍ରହ ପାଇଁ ଜିଲ୍ଲାରେ ସମୁଦାୟ ୨୦୭ ଗୋଟି ଧାନ ମଣ୍ଡି ଖୋଲାଯାଇଛି । ତେବେ ବହୁ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟା ମନ୍ଥର ଗତିରେ ଚାଲୁଥିବା ବେଳେ ଚାଷୀମାନେ ଶୀତ କାକରରେ ମଣ୍ଡିରେ ରାତି ତମାମ ପଡ଼ି ରହୁଛନ୍ତି ।

ଯାହାକି ଚାଷୀମାନଙ୍କ ପାଇଁ କଷ୍ଟ ସାଧ୍ୟ ହୋଇପଡୁଛି । କଳାହାଣ୍ଡି ଜିଲ୍ଲାରେ ମଣ୍ଡି ମାନଙ୍କରେ ଚାଷୀମାନେ ମିଲରର୍ସଙ୍କ ଶୋଷଣର ଶିକାର ହେଉଥିବା ବେଳେ ଏହି ସବୁ ଜାଣି ମଧ୍ୟ ଚୁପ ବସିଛି ଜିଲ୍ଲା ଯୋଗାଣ ବିଭାଗ । ଚାଷୀମାନଙ୍କ ଠାରୁ କ୍ୱିଣ୍ଟାଲ ପିଛା ୫ ରୁ ୭ କିଲୋ ଧାନ କଟନୀ କରାଯାଉଥିବା ବେଳେ ଏହାକୁ ନେଇ ବିଭିନ୍ନ ସମୟରେ ଚାଷୀମାନେ ପ୍ରତିବାଦ କରୁଛନ୍ତି ତେବେ ସୁଦ୍ଧା ଆଖି ଖୋଲୁ ନାହିଁ ଯୋଗାଣ ବିଭାଗ । ତେଣୁ ରାଜ୍ୟ ସରକାର ଏହି ମଣ୍ଡି ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଚାଷୀମାନେ।
Published by:Lipina Das
First published:
)}