ମାନସ ହତ୍ୟାକାଣ୍ଡ ଘଟଣାର ଅପଡେଟ୍
News18 Odia Digital
ଭୁବନେଶ୍ବର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ପୁଣି ରିମାଣ୍ଡରେ ଆସିବେ ଦୁଇ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ। ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ପୁଣି ଦ୍ୱିତୀୟ ଥର ପାଇଁ ରିମାଣ୍ଡ ଆବେଦନ କରିଛି କ୍ରାଇମ୍ ବ୍ରାଞ୍ଚ। ରିମାଣ୍ଡ ବେଳେ ମେମୋରୀ ଚିପ ଓ ଡାଏରୀ ସମ୍ବନ୍ଧୀୟ ତଥ୍ୟ ଖୋଜିବ ବୋଲି ତଦନ୍ତକାରୀ ଟିମ ପକ୍ଷରୁ ସୂଚନା ମିଳିଛି।
ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ସରିଲା ହେଲେ ମାନସ ମର୍ଡର ଉପରୁ ଲାଗି ରହିଥିବା ସସପେନ୍ସ ହଟିପାରିଲାନାହିଁ । ତେଣୁ ପୁଣି ଥରେ ରିମାଣ୍ଡରେ ମାନସ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ଓ ଝୁନା ଭୋଇ ଅଣାଯିବ। ରିମାଣ୍ଡ ସମୟରେ ମେମୋରୀ ଚିପର ରହସ୍ୟ ଖୋଜିବ କ୍ରାଇମ୍ ବ୍ରାଞ୍ଚ। କାରଣ ଏବେସୁଧା ଚିପ୍ ସମ୍ପର୍କିତ କୌଣସି ତଥ୍ୟ କ୍ରାଇମ୍ ବ୍ରାଞ୍ଚ ପାଇ ପାରି ନଥିବା ଜଣା ପଡ଼ିଛି। ସେପଟେ ଶନିବାର କ୍ରାଇମସିନ ବେଳେ ଶର୍ମିଷ୍ଠାଙ୍କ ଘରୁ ଏକ ଡାଏରୀ ଜବତ ହୋଇଛି। ତଦନ୍ତ ବେଳେ ଜଣା ପଡ଼ିଛି ଜବତ ଡାଏରୀ ନିରଞ୍ଜନ ସେଠୀଙ୍କର। ତେଣୁ ଜବତ ଡାଏରୀର ପଛର ତଦନ୍ତ କରିବ ତଦନ୍ତକାରୀ ସଂସ୍ଥା।
କ୍ରାଇମ୍ ବ୍ରାଞ୍ଚ ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ରଞ୍ଜନ ଭାଗିରଥି ଓ ବିବେକର ମାଡ଼ରେ ମାନସର ମୃତ୍ୟୁ ହୋଇଛି। କିନ୍ତୁ ଘଟଣା ସ୍ଥଳରେ ନିରଞ୍ଜନ ଓ ଶର୍ମିଷ୍ଠା ମଧ୍ୟ ଉପସ୍ଥିତ ଥିଲେ। ମାନସ ମରିବା ପରେ ତାଙ୍କ ମୃତ ଦେହକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ ଅଭିଯୁକ୍ତ। ହେଲେ ତାହା ସମ୍ଭବ ହୋଇ ପାରି ନଥିଲା। ପରବର୍ତ୍ତୀ ସମୟରେ ମୃତ ଦେହକୁ ନୟାଗଡ଼ ରଣପୁର ନେଇ ପୋତିଥିଲେ। ତେଣୁ ସେ ସବୁ ଦିଗକୁ ନେଇ ଏବେ ତଦନ୍ତ କରୁଛି କ୍ରାଇମ୍ ବ୍ରାଞ୍ଚ।
ବିଶେଷ କରି ରିମାଣ୍ଡ ବେଳେ ମେମୋରୀ ଚିପ୍ ପଛର ରହସ୍ୟ ଖୋଜିବ କ୍ରାଇମ୍ ବ୍ରାଞ୍ଚ। କୁଆଡେ ଗଲା ମୋମୋରୀ ଚିପ୍? ନିଖୋଜ ମେମୋରୀ ଚିପରେ କ'ଣ ରହିଛି? ମେମୋରୀ ଚିପରେ ଏମିତି କ'ଣ ଥିଲା ଯେଉଁ କାରଣ ପାଇଁ ମାନସର ଜୀବନ ଗଲା? ଜବତ ନିରଞ୍ଜନଙ୍କ ଡାଏରୀ ଶର୍ମିଷ୍ଠାଙ୍କ ଘରକୁ କେମିତି ଗଲା? ଫେରାର ହେବା ପରେ ଶର୍ମିଷ୍ଠା କେଉଁ କେଉଁ ସ୍ଥାନକୁ ଯାଇଥିଲେ? ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ବେଳେ ଏସବୁ ପ୍ରଶ୍ନର ଉତ୍ତର ଖୋଜିବ କ୍ରାଇମ୍ ବ୍ରାଞ୍ଚ।
ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି, "କ୍ରାଇମ୍ ବ୍ରାଞ୍ଚ ଯେତିକି ତଥ୍ୟ ପାଇଲାଣି ତାହା କୋର୍ଟରେ ଯଥେଷ୍ଟ। ହେଲେ ଟ୍ରାଏଲ ସମୟରେ ସାକ୍ଷୀମାନଙ୍କୁ କୋର୍ଟରେ ଉପସ୍ଥିତ କରିବା କ୍ରାଇମ୍ ବ୍ରାଞ୍ଚ ପାଇଁ ଚାଲେଞ୍ଜ ହୋଇପାରେ। କାରଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି କୋର୍ଟ ଦୋଷୀ ବିରୁଦ୍ଧରେ ଦଣ୍ଡ ଶୁଣାଇବେ। ତେଣୁ କ୍ରାଇମ୍ ବ୍ରାଞ୍ଚ ଅଧିକରୁ ଅଧିକ ତଥ୍ୟ ଓ ପ୍ରମାଣ ଯୋଗାଡ଼ କରିବା ସହ ସାକ୍ଷୀମାନକୁ ସଠିକ ଭାବେ ସୁରକ୍ଷା ଯୋଗାଇ କୋର୍ଟରେ ହାଜର କରାଇବାକୁ ପଡ଼ିବ।"
ସୂଚନାଯୋଗ୍ୟ, ମାନସ ହତ୍ୟାକାଣ୍ଡ ଘଟଣାରେ ୪ଜଣ ଅଭିଯୁକ୍ତକୁ ପ୍ରଥମ ପର୍ଯ୍ୟାୟ ରିମାଣ୍ଡରେ ଆଣି ଜେରା କରିଛି କ୍ରାଇମ୍ ବ୍ରାଞ୍ଚ। ରିମାଣ୍ଡ ବେଳେ ଅପହରଣ କରିବା ସ୍ଥାନ ଠାରୁ ହତ୍ୟା କରିବା ଓ ମୃତ ଦେହକୁ ପୋତିବା ସ୍ଥାନକୁ ଅଭିଯୁକ୍ତକୁ ନେଇ କ୍ରାଇମସିନରି କ୍ରୀଏସନ କରିଥିଲା କ୍ରାଇମ୍ ବ୍ରାଞ୍ଚ। ଚିପକୁ କେନ୍ଦ୍ରକରି ମାନସକୁ ହତ୍ୟା କରାଯାଇଥିବା ବେଳେ ହତ୍ୟାକାଣ୍ଡ ପଛର କାରଣ ଜଣା ପଡ଼ିନି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।