ଲୋନ୍ ନେଇ ଶୁଝି ନ ପାରି ଭୁବନେଶ୍ୱରରେ ଦୁଇ ଦୁଇଟି ବ୍ୟାଙ୍କ ଲୁଟିଥିଲା; ଧରା ପଡ଼ିଲା

ସହଜ ଉପାୟରେ କେମିତି ବ୍ୟାଙ୍କ ୠଣ ଶୁଝିହେବ ସେଥି ପାଇଁ ପ୍ଲାନ କରିଥିଲା ସୌମ୍ୟରଞ୍ଜନ ଜେନା l ବ୍ୟାଙ୍କ ଲୁଟର ଅନେକ ଭିଡିଓ ସେ ବାରମ୍ଵାର ୟୁଟୁବରେ ଦେଖିଥିଲା l ହେଲେ କମିଶନରେଟ୍ ପୋଲିସ ତାକୁ ଧରିବାରେ ସଫଳ ହେଲା ।

ଲୋନ୍ ନେଇ ଶୁଝି ନ ପାରି ଭୁବନେଶ୍ୱରରେ ଦୁଇ ଦୁଇଟି ବ୍ୟାଙ୍କ ଲୁଟିଥିଲା; ଧରା ପଡ଼ିଲା
ଅଭିଯୁକ୍ତ ସୌମ୍ୟରଞ୍ଜନ ଜେନା
  • News18 Odia
  • Last Updated: October 5, 2020, 11:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଯେଉଁ ବ୍ୟାଙ୍କରୁ ଋଣ ନେଇଥିଲେ ସେହି ବ୍ୟାଙ୍କରେ ହିଁ କଳା କନା ବୁଲାଇଥିଲେ ରାଜଧାନୀର ଜଣେ ଗାର୍ମେଣ୍ଟ ବ୍ୟବସାୟୀ l ସୌମ୍ୟରଞ୍ଜନ ଜେନା ନାମକ ଏହି ବ୍ୟବସାୟୀ ବ୍ୟାଙ୍କ ଡକାୟତି କରିବା ପାଇଁ ୟୁ ଟୁବ୍‌ ଭିଡିଓ ଦେଖି ବିଭିନ୍ନ କୌଶଳ ଶିଖିଥିଲେ l କାହାରି ସହାୟତା ନ ନେଇ କେମିତି ଏକୁଟିଆ ବ୍ୟାଙ୍କ ଲୁଟ୍‌ କରିହେବ ସେଥି ପାଇଁ ତିନି ଦିନ ଭିତରେ ୩୦ରୁ ଅଧିକ ଭିଡିଓ ୟୁ ଟୁବରେ ଦେଖିଥିଲେ ସେ l

କରୋନା ମହାମାରୀ ସମୟରେ ଭୁବନେଶ୍ୱରରେ ଘଟିଥିବା ଦୁଇଟି ବ୍ୟାଙ୍କ ଡକାୟତି ଘଟଣାର ପର୍ଦାଫାଶ କରିଛି କମିଶନରେଟ ପୋଲିସ l ଅଭିଯୁକ୍ତ ସୌମ୍ୟରଞ୍ଜନ ଜେନା ଗିରଫ ହୋଇଥିବା ବେଳେ ତା’ ପାଖରୁ ଜବତ ହୋଇଛି ୧୦ ଲକ୍ଷ ଟଙ୍କା, ଗୋଟିଏ ମାଉଜର, ଗୁଳି, ଖେଳନା ବନ୍ଧୁକ ଓ ଲୁଟ ପାଇଁ ବ୍ୟବହାର ହୋଇଥିବା ନମ୍ବର ବିହୀନ ଆକ୍ଟିଭା ସ୍କୁଟି ।

ସୌମ୍ୟ ଜଣେ ଯୁକ୍ତ ଦୁଇ ବାଣିଜ୍ୟର ଛାତ୍ର l ୨୦୧୮ରେ ସେ ଭୁବନେଶ୍ଵରରେ ଏକ ଗାର୍ମେଣ୍ଟ ଶୋ’ରୁମ ଖୋଲିଥିଲେ  l ଶୋ’ରୁମ ପାଇଁ ଇଣ୍ଡିଆନ ଓଭରସିଜ ବ୍ୟାଙ୍କର କଳାରାହାଙ୍ଗର ନନ୍ଦନ ବିହାର ଶାଖାରୁ ଓ ବ୍ୟାଙ୍କ ଅଫ ଇଣ୍ଡିଆର ବରିମୁଣ୍ଡ ଶାଖାରୁ ମୋଟ ୧୬ ଲକ୍ଷ ଟଙ୍କାର ଋଣ ନେଇଥିଲେ l କିନ୍ତୁ ମହାମାରୀ ଯୋଗୁଁ ଶୋ’ରୁମ ଚାଲି ପାରି ନ ଥିଲା l ବ୍ୟବସାୟରେ କ୍ଷତି ହୋଇଥିବାରୁ ବ୍ୟାଙ୍କକୁ ୠଣ ସୁଝି ନ ପାରି ତାଙ୍କର ଚିନ୍ତା ବଢ଼ି ଯାଇଥିଲା l

ସୌମ୍ୟରଞ୍ଜନ ଠାରୁ ଜବତ ହୋଇଥିବା ଟଙ୍କା, ମାଉଜର ଓ ଗୁଳି


ସହଜ ଉପାୟରେ କେମିତି ବ୍ୟାଙ୍କ ୠଣ ଶୁଝିହେବ ସେଥି ପାଇଁ ପ୍ଲାନ କରିଥିଲେ ସୌମ୍ୟ l କେମିତି ବ୍ୟାଙ୍କ ଲୁଟ ହେଉଛି ସେ ବାରମ୍ଵାର ୟୁଟୁବରେ ଦେଖିଥିଲେ l ତିନି ଦିନ ଧରି ପ୍ରାୟ ୩୦ଟି ବ୍ୟାଙ୍କ ଲୁଟର ଦୃଶ୍ୟ ସେ ୟୁଟୁବରୁ ଦେଖିଥିଲେ l ଏହା ପରେ କଳାରାହାଙ୍ଗର ନନ୍ଦନ ବିହାରରେ ଥିବା ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ଶାଖାରୁ ୨ ଲକ୍ଷ ୮୧ ହଜାର ଟଙ୍କା ଏବଂ ବରିମୁଣ୍ଡରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ l

ଲୁଟ୍‌ ପାଇଁ ଏକ ନମ୍ବରବିହୀନ ଆକ୍ଟିବା ସ୍କୁଟିରେ ସେ ଆସି ପହଞ୍ଚିଥିଲେ ବ୍ୟାଙ୍କରେ । କଳା ରଙ୍ଗର ପୋଷାକ, କଳା ରଙ୍ଗର ହେଲମେଟ ଓ ଗ୍ଳୋଭସ ପିନ୍ଧିଥିଲେ ସେ l ଗିରଫ ହେବା ପରେ ସୌମ୍ୟ କେମିତି ଦୁଇ ଦୁଇଟି ବ୍ୟାଙ୍କ ଲୁଟିଥିଲେ ତା’ର ଡେମୋ ଦେଖାଇଥିଲେ ପୋଲିସକୁ l

୨୦୧୮ରେ ସୌମ୍ୟରଞ୍ଜନ ଭୁବନେଶ୍ଵରରେ ଏକ ଗାର୍ମେଣ୍ଟ ଶୋ’ରୁମ ଖୋଲିଥିଲେ l


ପୂର୍ବରୁ ସୌମ୍ୟଙ୍କର କୌଣସି ଆପରାଧିକ ରେକର୍ଡ଼ ନ ଥିଲା l କିନ୍ତୁ ଲକଡାଉନ ଓ ସଟଡାଉନ ସୌମ୍ୟଙ୍କୁ ଅପରାଧୀ ସଜାଇ ଦେଲା ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି l

ଏହା ବି ପଢ଼ନ୍ତୁ ହାଥରସ୍ ମାମଲା: ‘‘ଯେଉଁ ମୃତ ଦେହ ପୋଲିସ ପୋଡ଼ିଲା ତାହା ଆମ ଝିଅର ନ ଥିଲା,’’ କହିଲା ପରିବାର

ଏହା ବି ପଢ଼ନ୍ତୁ | ଏହି BJP ନେତା କହିଥିଲେ ତାଙ୍କୁ କରୋନା ହେଲେ ସେ ମମତାଙ୍କୁ ଆଲିଙ୍ଗନ କରିବେ; କରୋନା ହେଲା

‘‘ରାଜଧାନୀରେ ଘଟିଥିବା ଦୁଇ ଦୁଇଟି ବ୍ୟାଙ୍କ ଡକାୟତି ମାମଲାରେ ଅଭିଯୁକ୍ତକୁ ଗିରଫ କରିବା ପୋଲିସ ପାଇଁ ଥିଲା ଏକ ବଡ଼ ଚ୍ୟାଲେଞ୍ଜ l ବିଶେଷକରି ବ୍ୟାଙ୍କ ଡକାୟତିରେ ସଙ୍ଗଠିତ ଅପରାଧିମାନଙ୍କର ସମ୍ପୃକ୍ତି ଥାଏ l ପ୍ରଥମେ ଏହି ଦୁଇଟି ଯାକ ଘଟଣାରେ ପୋଲିସ ଅନ୍ଧାରରେ ଥିଲା,’’ କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।



ସହଜରେ ବ୍ୟାଙ୍କ ଲୁଟ କରି ଟଙ୍କା କେମିତି ରୋଜଗାର କରି ହେବ ତା’ର ଉପାୟ ସୌମ୍ୟ ଶିଖି ସାରିଥିଲା ବୋଲି କହିଛନ୍ତି ଷଡ଼ଙ୍ଗୀ । ‘‘ଏବେ ଯଦି ତାକୁ ଗିରଫ କରାଯାଇ ନ ଥାନ୍ତା ତେବେ ଆଗକୁ ଆହୁରି ଲୁଟପାଟ କରିବାକୁ ତା’ର ସାହସ ବଢିଯାଇଥାନ୍ତା,’’ ସେ କହିଛନ୍ତି ।
Published by: Anand Shankar Thankur Das
First published: October 5, 2020, 11:39 PM IST
corona virus btn
corona virus btn
Loading