ଗ୍ୟାଙ୍ଗ ୱାର୍‌ ବେଲଗାମ୍‌, ହୋଟେଲ କାଉଣ୍ଟରରେ ଗୁଳି ମାରି ଯୁବକକୁ ହତ୍ୟା, ଚାରି ମାସରେ ମଲେଣି ଦୁଇ ଜଣ

ଲକ୍ଷ୍ମୀ କେଫେ ହୋଟେଲରେ କାଉଣ୍ଟର ନିକଟରେ ଠିଆ ହୋଇଥିବା ମଣ୍ଟୁ ଘୋଷକୁ ଭୀମା ପ୍ରଥମେ ଧକ୍କା ଦେଇ ତା ଛାତିରେ ଗୁଳି ମାରିଥିଲା । ମଣ୍ଟୁ ତଳେ ପଡିଯିବା ପରେ ଅତି ନିକଟରୁ ତା ମୁଣ୍ଡକୁ ତିନୋଟି ଗୁଳି ମାରିବା ପରେ ଦବଙ୍ଗ ଷ୍ଟାଇଲରେ ବ୍ଲାଙ୍କ୍‌ ଫାଇରିଂ ଦ୍ୱାରା ଲୋକଙ୍କୁ ଭୟଭୀତ କରି ହୋଟେଲରୁ ସହଯୋଗୀମାନଙ୍କ ସହ ଖସି ପଳାଇଥିଲା ।

ଗ୍ୟାଙ୍ଗ ୱାର୍‌ ବେଲଗାମ୍‌, ହୋଟେଲ କାଉଣ୍ଟରରେ ଗୁଳି ମାରି ଯୁବକକୁ ହତ୍ୟା, ଚାରି ମାସରେ ମଲେଣି ଦୁଇ ଜଣ
ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଅନନ୍ତ ଧଳ ଓରଫ ଭୀମା, ଯିଏ ମଣ୍ଟୁ ଘୋଷକୁ ପେଟରେ ଗୋଟେ ଓ ମଥାରେ ତିନୋଟି ଗୁଳି ମାରିଥିଲା ।
  • News18 Odia
  • Last Updated: November 6, 2019, 6:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଝାରସୁଗୁଡା: ଗ୍ୟାଙ୍ଗ ୱାର୍‌ର ଭୟଙ୍କର ପରିଣତି ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ସହରରେ । ପୋଲିସକୁ ଅପରାଧୀ ଦେଉଛନ୍ତି ଖୋଲାଖୋଲି ଚ୍ୟାଲେଞ୍ଜ । ସାଧାରଣ ଲୋକେ ବର୍ତ୍ତମାନ ଭୟଭୀତ । ପରିସ୍ଥିତି ଏପରି ହେଲାଣି ଯେ ବ୍ରଜରାଜନଗର ସହର ହୋଇ ପଡିଛି ଅଶାନ୍ତ ।

ବ୍ରଜରାଜନଗର ସହରର ଏକ ହୋଟେଲରେ ନଭେମ୍ବର ୫ ସଂଧ୍ୟାରେ ପୁଣି ଫୁଟିଲା ଗୁଳି । ମଣ୍ଟୁ ଘୋଷ ନାମକ ଯୁବକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଗଲା ।

ସିସିଟିଭି ରେ କଏଦ ହୋଇଥିବା ଦୃଶ୍ୟକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି ପୁର୍ବ ପ୍ରସ୍ତୁତି ହୋଇ ସ୍ୱର୍ଗୀୟ ଅମିତ ଧଳର ସମ୍ପର୍କୀୟ ଭାଇ ଅନନ୍ତ ଧଳ ଓରଫ ଭୀମା ବ୍ରଜରାଜନଗର ସହର ଭିତରେ ଥିବା ଲକ୍ଷ୍ମୀ କେଫେ ହୋଟେଲରେ କାଉଣ୍ଟର ନିକଟରେ ଠିଆ ହୋଇଥିବା ମଣ୍ଟୁକୁ ପ୍ରଥମେ ଧକ୍କା ଦେଇ ତା ଛାତିରେ ଗୁଳି ମାରିଥିଲା  । ତା ପରେ ମଣ୍ଟୁ ତଳେ ପଡିଯିବା ପରେ ଅତି ନିକଟରୁ ତା ମୁଣ୍ଡକୁ ତିନୋଟି ଗୁଳି ମାରିବା ପରେ ଦବଙ୍ଗ ଷ୍ଟାଇଲରେ ଅନ୍ୟ ମାନଙ୍କୁ ଭୟଭୀତ କରି ବ୍ଲାଙ୍କ୍‌ ଫାଇରିଂ କରି ହୋଟେଲରୁ ବାହାରି ପଳାଇଥିଲା  ।

ମୃତ ଯୁବକ ମଣ୍ଟୁ ଘୋଷ


ଭୀମା ସହ ରହିଥିବା ଅନ୍ୟ ଜଣେ ସହଯୋଗୀ ମଧ୍ୟ ମଣ୍ଟୁ ଉପରକୁ ଗୁଳି ଚଳାଇଥିବା ସିସିଟିଭି ଭିଜୁଆଲରୁ ଜଣାପଡୁଛି । ମୋଟ ଉପରେ 7 ରାଉଣ୍ଡ ଗୁଳି ଫୁଟିଥିବା ପୋଲିସ ସ୍ପଷ୍ଟ କରିଛି  । ଘଟଣା ଘଟିବା ପରେ ଗୁରୁତର ମଣ୍ଟୁକୁ ମଣ୍ଡଳିଆ ସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳଯରେ ଭର୍ତ୍ତି କରାଯିବା ପରେ ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାର ହେବା ପରେ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଯାଇଥିଲା ।

ଗତ ଚାରି ମାସ ମଧ୍ୟରେ ଗୋଟିଏ ପରେ ଗୋଟିଏ ଗୁଳିକାଣ୍ଡ ଘଟଣା ଘଟୁଥିବା ବେଳେ ଦୁଇ ଜଣ ଗୁଳିମାଡ଼ରେ ପ୍ରାଣ ହରାଇଲେଣି । ଗତ ଦେଢମାସ ମଧ୍ୟରେ 3 ଟି ପ୍ରୁଥକ ଏନକାଉଣ୍ଟର କରି ପୋଲିସ୍ ସଫଳତା ପାଇଲେ ମଧ୍ୟ ଅପରାଧ ଘଟାଉଥିବା ଅପରାଧୀଙ୍କ ନାହିଁ ଭୟ ।

ଗତ ଜୁନ ମାସ ୨୪ ତାରିଖରେ ବସ ଷ୍ଟାଣ୍ଡ୍‌ ନିକଟରେ ରାତି 9ଟାରେ ଦୁର୍ବୁତ୍ତମାନେ ଗୁଳିମାଡ଼ କରି ଜଣେ ଯୁବକ ଅମିତ ଧଳଙ୍କୁ ହତ୍ୟା କରିଥିଲେ । ଏହି ଘଟଣା ପରେ ଅମିତର ସହଯୋଗୀ ଓ ସଂପର୍କୀୟମାନେ ହତ୍ୟାକାଣ୍ଡର ବଦଲା ନେବାକୁ ରକ୍ତ ଚାଉଳ ଚୋବାଇ ହେଉଥିଲେ । ଯେହେତୁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ୍‌ ସୋନୁ ଘୋଷ ଏବେ ଜେଲରେ ଅଛି ସେଥିପାଇଁ ତା ଭାଇକୁ ଟାର୍ଗେଟ କରି ଗତରାତିରେ ସଫଳତା ହାସଲ କଲେ ଅମିତ ଧଳର ସଂପର୍କୀୟ ଗୋଷ୍ଠୀ ।

ବ୍ରଜରାଜନଗରରେ ସାଧାରଣ ଲୋକେ ବର୍ତ୍ତମାନ ଭୟଭୀତ ।


ତେବେ ଏହି ଘଟଣା ଘଟିବା ପରେ ଝାରସୁଗୁଡା ପୋଲିସ କୁ ମିଳିଛି ବଡ଼ ସଫଳତା । ପୋଲିସ ଏନକାଉଣ୍ଟରରେ ୪ ଅପରାଧୀ ହୋଇଛନ୍ତି ଗୁରୁତର | ଗୁଳିକାଣ୍ଡ ପରେ ପୋଲିସ ବ୍ରଜରାଜନଗରକୁ ଚାରିଆଡୁ ସିଲ କରିଦେଇଥିବା ବେଳେ ଅଭିଯୁକ୍ତ ମାନେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ମଧୁପୁର ଜଙ୍ଗଲ ନିକଟରେ ପୋଲିସ ସହିତ ମୁଁହାମୁହିଁ ହୋଇ ଥିଲେ ଏବଂ ପୋଲିସ ଉପରକୁ ଅଭିଯୁକ୍ତ ମାନେ ଫାୟରିଂ କରିଥିଲେ । ଏଥିରେ ଜଣେ ପୋଲିସ ଅଧିକାରୀ ଆହତ ହୋଇଥିଲେ ।

ପୋଲିସ ପାଲଟା ଗୁଳି କରିବାରୁ ଅଭିଯୁକ୍ତ ମାନେ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଅଭିଯୁକ୍ତକୁ ଚିକିତ୍ସା ପାଇଁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଘଟଣାରେ ଚାରି ଜଣ ସାମିଲ ଥିବା ବେଳେ ସମସ୍ତଙ୍କୁ ଗିରଫ କରାଯାଇଛି ।

ବ୍ରଜରାଜନଗର କୋଇଲା ଖଣି ଅଞ୍ଚଳ ହୋଇଥିବାରୁ ସେଠାରେ ସବୁବେଳେ ନିଜ ନିଜର ପତିଆରା ଦେଖାଇବାକୁ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ଗୁଳିଚାଳନା ଘଟଣା ନୁଆ ନୁହେଁ । କିନ୍ତୁ ଗତ ୪ ମାସ ମଧ୍ୟରେ ଶତ୍ରୁତା ଏପରି ବଢି଼ଛି ଯେ ଗଡି଼ଲାଣି ଦୁଇଟି ମୁଣ୍ଡ ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଥିଲେ ।

ଏହି ସବୁ ମାମଲାରେ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷ ଓ ତାର ସହଯୋଗୀ ଜେଲରେ ଥିବା ବେଳେ ଅନ୍ୟ ଗୋଷ୍ଠୀର ମଧ୍ୟ କିଛି ଅପରାଧୀ ଜେଲରେ ରହିଛନ୍ତି । କିନ୍ତୁ ଗତ ଚାରି ମାସ ମଧ୍ୟରେ ଯେପରି ଭାବେ ଖୁଲମଖୁଲା ଭାବେ ଅପରାଧୀ ଗୁଳି ଫୁଟାଇ ଅନାୟାସରେ ବୁଲିବାର ସୁଯୋଗ ପାଇଛନ୍ତି, ସେଥିପାଇଁ ସ୍ଥାନୀୟ ଲୋକଙ୍କ ଟାର୍ଗେଟରେ ଆସିଛି ସ୍ଥାନୀୟ ପୋଲିସ ।

ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ


ପୋଲିସର ଅପାରଗତାକୁ ଦାୟୀ କରିବା ସହ ଆଗକୁ ଯେପରି ଆଉ ଅପରାଧ ନ ଘଟେ ସେଥିପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକେ । ଆଜି ଏହି ଘଟଣାରେ ପୋଲିସକୁ ପ୍ରାଥମିକ ସଫଳତା ମିଳିଥିଲେ ମଧ୍ୟ ଆଗକୁ ଅପରାଧୀମାନେ ସତର୍କ ହେବାକୁ ଚେତାବନୀ ଶୁଣାଇଛନ୍ତି ଉତ୍ତରାଞ୍ଚଳ ଡିଆଇଜି ହମାଂଶୁ ଲାଲ ।

ଝାରସୁଗୁଡାରେ ଏକ ସାମ୍ବଦିକ ସମ୍ମିଳନୀରେ ବ୍ରଜରାଜନଗରରେ ଗ୍ୟାଙ୍ଗୱାର ସେମାନେ ଆରମ୍ଭ କରିଛନ୍ତି, ତାକୁ ଆମେ ଶେଷ କରିବୁ ବୋଲି କିଛି କଡା ଟିପ୍ପଣୀ ଦେଇ ଅପରାଧୀ ସୁଧୁରିଯାଅ ନଚେତ ଏରିଆ ଛାଡ ବୋଲି କଡା ଚେତାବନୀ ଦେଇଛନ୍ତି ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ ।

କୋଇଲା ବ୍ୟବସାୟକୁ ନେଇ ଗ୍ୟାଙ୍ଗୱାରର ଆରମ୍ଭ ବୋଲି ଡିଆଇଜି ସ୍ପଷ୍ଟ କରିବା ସହ ଚାରି ଅଭିଯୁକ୍ତ ଅନନ୍ତ ଧଳ, ଶୈଳେନ୍ଦ୍ର ପାତ୍ର, ନିକି ସିଂ ଓ ରଫିକ ଅନସାରୀକୁ ଗିରଫ କରି ସେମାନଙ୍କ ନିକଟରୁ ଗୋଟିଏ ମାଉଜର, ଗୋଟିଏ ଦେଶୀ ପିସ୍ତଲ ସହ ଦୁଇଟି ଗୁଳି ଓ କେଟ୍ରିଜ୍ ଏବଂ ହତ୍ୟାକାଣ୍ଡରେ ବ୍ୟବହୃତ ବାଇକ୍‌କୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି ବୋଲି ସୁଚନା ଦେଇ ଯେପରି କୋର୍ଟ ସେମାନଙ୍କୁ ଦଣ୍ଡ ବିଧାନ କରିବ ସେହି ଢଙ୍ଗରେ ତଦନ୍ତ କରାଯିବ ବୋଲି ଭରସା ଦେଇଛନ୍ତି ।

କୋଇଲ ବ୍ୟବସାୟ ଓ ଠିକା କୁ ନେଇ ବ୍ରଜରାଜନଗର ଅଶାନ୍ତ ହୋଇପଡିଥିବା ବେଳେ ବେଲଗାମ ଆଇନଶ୍ରୁଙ୍ଖଳା ପରିସ୍ଥିତି କିପରି ନିଜ ଲଗାମକୁ ଆଣିବ ତାହା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ।
First published: November 6, 2019, 6:44 PM IST