ବାଲେଶ୍ୱର: ପତ୍ନୀ ଅଲଗା ହେବା ପରେ ଭାଉଜ ସହ ରହୁଥିବା ଯୁବକଙ୍କ ମୃତ ଦେହ ମିଳିଲା; ହତ୍ୟା ସନ୍ଦେହ

କାଳୀଚରଣ ସିଂଙ୍କ ସ୍ତ୍ରୀ ଗତ କିଛି ବର୍ଷ ଧରି ତାଙ୍କ ଠାରୁ ଅଲଗା ହୋଇ ନିଜ ବାପଘରେ ରହୁଥିଲେ । ସେବେ ଠାରୁ କାଳୀଚରଣ ନିଜ ଭାଉଜଙ୍କ ସହିତ ନିଜ ଘରେ ରହିଆସୁଥିଲେ ।

ବାଲେଶ୍ୱର: ପତ୍ନୀ ଅଲଗା ହେବା ପରେ ଭାଉଜ ସହ ରହୁଥିବା ଯୁବକଙ୍କ ମୃତ ଦେହ ମିଳିଲା; ହତ୍ୟା ସନ୍ଦେହ
ହଳେ ପ୍ଲାଷ୍ଟିକ୍ ଚ଼ପଲ ମୃତ ଦେହ ପାଖରେ ପଡ଼ିଥିଲା ।
  • News18 Odia
  • Last Updated: March 11, 2020, 3:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ଵର: ପତି ଓ ପତ୍ନୀଙ୍କ ମଧ୍ୟରେ ବୁଝାମଣାର ଅଭାବ ଓ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ଏକ ଗାଆଁରେ । ନିଜ ସ୍ତ୍ରୀ ଅଲଗା ହୋଇ ରହିବା ପର ଠାରୁ ନିଜ ଭାଉଜଙ୍କ ସହ ରହୁଥିବା ଜଣେ ଯୁବକଙ୍କ ମୃତ ଦେହ ମିଳିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ମୃତ କାଳୀଚ଼ରଣ ସିଂ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ସିନ୍ଧିଆ ପଞ୍ଚାୟତର ଆଙ୍ଗୁଳା ଗାଁର ବାସିନ୍ଦା ଥିଲେ । ଆଜି ସକାଳେ ତାଙ୍କ ଘର ଠାରୁ ପାଖାପାଖି ଏକ କିଲୋମିଟର ଦୂରରେ ଏକ ଧାନ ବିଲରେ ତାଙ୍କ ମୃତ ଦେହ ପଡ଼ିଥିବାର ଦେଖାଯାଇଥିଲା । କାଳୀଚ଼ରଣ ଏକ ନୀଳ ଜିନ୍ସ ଟ୍ରାଉସର୍ସ ଓ ଏକ ନୀଳ ହାଫ୍‌ ସାର୍ଟ ପିନ୍ଧି ବିଲର ଏକ ହିଡ଼ ପାଖରେ ମୃତ ପଡ଼ିଥିଲେ । ତାଙ୍କ ବେକରେ ଏକ ଗାମୁଛା ପଡ଼ିଥିଲା । ତାଙ୍କର ହଳେ ପ୍ଲାଷ୍ଟିକ୍‌ ଚ଼ପଲ ମୃତ ଦେହ ପାଖରେ ପଡ଼ିଥିଲା ।

ଏ ଘଟଣା ସକାଳେ ଗାଆଁରେ ଶୋକାକୁଳ ପରିସ୍ଥିତି ଆଣିଦେଇଥିଲା । କାଳୀଚ଼ରଣଙ୍କୁ ଆଉ କେଉଁଠି ହତ୍ୟା କରି ମୃତ ଦେହକୁ ଆଣି ବିଲରେ ପକେଇଦିଆଯାଇଛି ବୋଲି ମଧ୍ୟ କିଛି ଲୋକ ସନ୍ଦେହ କରିଥିଲେ । ତେବେ ଗ୍ରାମବାସୀମାନେ ସଦର ଥାନା ପୋଲିସକୁ ଖବର ଦେବା ପରେ ପୋଲିସ ଆସି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ଏହି ବିଲର ହିଡ଼ ପାଖରେ ମୃତ ଦେହ ପଡ଼ିଥିଲା ।


ପୋଲିସ ସୂତ୍ରରୁ ପ୍ରାପ୍ତ ପ୍ରାଥମିକ ସୂଚ଼ନା ଅନୁସାରେ ଚକ୍ରଧର ସିଂଙ୍କ ପୁଅ କାଳୀଚରଣ ସିଂଙ୍କ ସ୍ତ୍ରୀ ଗତ କିଛି ବର୍ଷ ଧରି ତାଙ୍କ ଠାରୁ ଅଲଗା ହୋଇ ନିଜ ବାପଘରେ ରହୁଥିଲେ । ସେବେ ଠାରୁ କାଳୀଚରଣ ନିଜ ଭାଉଜଙ୍କ ସହିତ ନିଜ ଘରେ ରହିଆସୁଥିଲେ । ଗତ କାଲି ସକାଳେ କୈାଣସି ଏକ କାରଣରୁ ତାଙ୍କ ଘରେ ଝଗଡ଼ା ଲାଗିଥିଲା ଓ ପରେ ପୁଣି ଥରେ ସନ୍ଧ୍ୟାରେ ଝଗଡ଼ା ଲାଗିଥିଲା ବୋଲି ପଡୋଶୀମାନେ ପୋଲିସକୁ କହିଛନ୍ତି ।

ହେଲେ ଆଜି ସକାଳେ ଘର ଠାରୁ ଏକ କିଲୋମିଟର ଦୂରରେ କାଳୀଚରଣଙ୍କ ଶବ ମିଳିବା ପରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ୍‌ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ । ଏ ମାମଲାରେ ପୋଲିସ ମୃତ କାଳୀଚ଼ରଣଙ୍କ ଭାଉଜ, ତାଙ୍କ ସ୍ତ୍ରୀ ଓ ତାଙ୍କ ବାପଘର ଲୋକଙ୍କୁ ପଚ଼ରାଉଚ଼ରା କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି ।
First published: March 11, 2020, 3:06 PM IST