ପୁରୀ: ଝିଅ ବାହାଘର ଭୋଜି ଦେଇ ନ ପାରିବାରୁ ମିଳିଲା ଅପମାନ; ଆତ୍ମହତ୍ୟା ଉଦ୍ୟମ କଲେ ଝିଅର ବାପା

କୁଳ ଭାଇମାନଙ୍କ ଲଗାତର ଟାହି ଟାପରା ସହି ନ ପାରି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଚାରି ଝିଅଙ୍କ ଗରିବ ବାପା । ଜୁଲାଇ ୨ରେ ବଡ଼ ଝିଅର ବାହାଘର କୌଣସି ମତେ କରାଇଥିଲେ ସେ ।

ପୁରୀ: ଝିଅ ବାହାଘର ଭୋଜି ଦେଇ ନ ପାରିବାରୁ ମିଳିଲା ଅପମାନ; ଆତ୍ମହତ୍ୟା ଉଦ୍ୟମ କଲେ ଝିଅର ବାପା
ପୁରୀର ବ୍ରହ୍ମଗିରି ଥାନା
  • News18 Odia
  • Last Updated: July 10, 2020, 12:10 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ନିଜ ଚାରି ଝିଅଙ୍କ ମଧ୍ୟରୁ ବଡ଼ର ବାହାଘର ନାନା ଆର୍ଥିକ ଅନଟନ ମଧ୍ୟରେ କୌଣସି ପ୍ରକାରେ କରାଇଥିଲେ ସେ । ହେଲେ ନିଜ କୁଳ ଭାଇମାନଙ୍କୁ ଭୋଜି ଦେଇପାରି ନ ଥିବାରୁ ସେମାନଙ୍କ ଟାହି ଟାପରା ଶୁଣିବାକୁ ପଡ଼ୁଥିଲା । ଲଗାତର ମିଳୁଥିବା ଅପମାନ ସହି ନ ପାରି ଶେଷରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଚାରି ଝିଅର ବାପା ।

ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗଡ଼କୋକଲ ଗ୍ରାମର ରବିନ୍ଦ୍ର ଜେନା ଏବେ କଟକ ବଡ଼ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଜାତିରେ ଗୋପାଳ, ହେଲେ ମୁଲ ମଜୁରୀ କରି ପରିବାର ପ୍ରତିପୋଷଣ କରନ୍ତି ରବିନ୍ଦ୍ର । ବଡ଼ ଝିଅର ବାହାଘର ସେ ଜୁଲାଇ ୨ରେ କରାଇଥିଲେ  ।

‘‘ମୋ’ ବାପା ମା’ଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଝିଅ ବାହାଘର ବେଳେ ସେମାନେ କୁଳ ଭାଇମାନଙ୍କୁ ଭୋଜି ଦେବାରେ ଅସମର୍ଥ ହୋଇଥିଲେ । ଏକରେ ଆମ ପାଖରେ ଅର୍ଥର ଅଭାବ, ତା’ ଉପରେ କୋବିଡ କଟକଣା ଥିଲା । ପରେ ସ୍ଥିତି ସୁଧୁରିଲେ ବାପା ଭୋଜି ଦେବେ ବୋଲି କହିଥିଲେ । ହେଲେ ଭୋଜି ଦେଇପାରି ନ ଥିବାରୁ କୁଳ ଭାଇମାନେ ବାପାଙ୍କୁ ବାଟଘାଟରେ ବେଇଜ୍ଜତ କରିବା ସହ ଟାହିଟାପରା କରୁଥିଲେ,’’ କହିଛନ୍ତି ରବିନ୍ଦ୍ରଙ୍କ ଝିଅ ଟିକିଲି ଜେନା ।

ଗଡ଼କୋକଲ ଗାଁରେ ରବିନ୍ଦ୍ର ଜେନାଙ୍କ ଘର


ଭୋଜି ଖାଇବା ପାଇଁ କୁଳ ଭାଇମାନେ ଜିଦ୍‌ କରୁଥିଲେ । ‘‘ଯଦି ଭୋଜି ନ ଦେଇପାରିବୁ ତେବେ ବିଷ ଖାଇ ଦେଉନୁ’’ ବୋଲି ଜଣେ କୁଳ ଭାଇ କହିଥିଲେ ବୋଲି କହିଛନ୍ତି ଟିକିଲି । ‘‘ତାହା ବାପାଙ୍କୁ ଖୁବ୍‌ ବାଧିଥିଲା । ଅପମାନ ସହି ନ ପାରି ବାପା ଶେଷରେ ଜୁଲାଇ ୩ ତାରିଖ ରାତି ୧୧ଟାରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ,’’ ସେ କହିଛନ୍ତି ।

ରବିନ୍ଦ୍ର ପରିବାର ଚଳାଇବା ପାଇଁ ରାଜ୍ୟ ବାହାରକୁ ଶ୍ରମିକ ଭାବେ ଯାଇଥିଲେ । କରୋନା ଯୋଗୁଁ ସେ ଗାଁକୁ ଫେରିଥିଲେ । ଏହି ଅବସରରେ ତାଙ୍କର ବଡ଼ ଝିଅର ବିବାହ ପ୍ରସ୍ତାବ ଆସିବାରୁ ଯାହା କିଛି ସମ୍ବଳ ଥିଲା ସେଥିରେ ବିବାହ କରିଦେଲେ । ରବିନ୍ଦ୍ର କାମ କରିବା ପାଇଁ ବାହାରେ ରହୁଥିବାରୁ ଅନ୍ୟମାନଙ୍କ ଭୋଜିରେ ବି ଯୋଗ ଦେଇପାରୁ ନ ଥିଲେ । ସେଥି ପାଇଁ ଜାତି କୁଳର ଦାବୀ ମୁତାବକ ୫,୦୦୦ ଟଙ୍କା ଜରିମାନା ବି ଦେଇଥିଲେ ।

‘‘ତାଙ୍କ ଝିଅର ବାହାଘର ଭୋଜି ଖାଇବା ପାଇଁ ଦାବୀରୁ କୁଳ ଭାଇମାନେ ଓହରି ନ ଥିବାରୁ ସେ ମାନସିକ ଦୁଶ୍ଚିନ୍ତାରେ ବିଷପାନ କରିଦେଇଥିଲେ । ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା ପରେ ଏହା ସ୍ପଷ୍ଟ ହୋଇଛି,’’ କହିଛନ୍ତି ସମାଜସେବୀ ରମାଶଙ୍କର ପାତ୍ର ।

ରବିନ୍ଦ୍ରଙ୍କୁ ପରିବାର ଲୋକେ ପ୍ରଥମେ ରେବେଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ତା’ପରେ ପୁରୀ ସଦର ଡାକ୍ତରଖାନା ନେଇଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ସେଠାରେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

ରବିନ୍ଦ୍ରଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ତାଙ୍କ ପରିବାର ପକ୍ଷରୁ ଝିଅ ଟିକିଲି ଜେନା ବ୍ରହ୍ମଗିରି ଥାନାରେ ଅଭିଯୋଗ କରିଛନ୍ତି । ‘‘କୁଳ ଭାଇମାନଙ୍କ ସହ ଆଲୋଚନା ପରେ ଏତାଲା ରୁଜୁ ନ କରିବାକୁ ରବିନ୍ଦ୍ରଙ୍କ ପରିବାର ଅନୁରୋଧ କରିଛନ୍ତି । ଏଯାବତ ମାମଲା ରୁଜୁ ହୋଇନାହିଁ । ଯଦି ତାଙ୍କ ପରିବାର କହିବେ ତେବେ କେସ୍‌ ରୁଜୁ କରାଯାଇ ତଦନ୍ତ କରାଯିବ,’’ କହିଛନ୍ତି ବ୍ରହ୍ମଗିରି ଥାନାର ଅଧିକାରୀ ମନୋଜ ଶତପଥି ।

କରୋନା କଟକଣା ଓ ଆର୍ଥିକ ଅନଟନ ଭିତରେ କୁଳ ଭାଇମାନଙ୍କର ଏ ଭଳି ଭୋଜି ପାଇଁ ଜିଦ୍‌ ଓ ଅପମାନପୂର୍ଣ୍ଣ ବ୍ୟବହାରକୁ ସବୁ ସ୍ତରରୁ ନିନ୍ଦା କରାଯାଉଛି ।
Published by: Anand Shankar Thankur Das
First published: July 10, 2020, 12:10 AM IST
corona virus btn
corona virus btn
Loading