News18 Odia Digital
ଚ଼ନ୍ଦକା (ଭୁବନେଶ୍ବର): ଯାଜପୁରରେ ଆତଙ୍କ ଖେଳାଇ ଚ଼ାରି ଜଣ ଲୋକଙ୍କ ପ୍ରାଣ ନେବା ପରେ ମାରଣା ଦନ୍ତା ହାତୀର ଠିକଣା ବଦଳିଛି । ଯାଜପୁରର କଣ୍ଟିପୁର ଜଙ୍ଗଲରେ ତାକୁ ଧରି କୁସୁନପୁର ଜଙ୍ଗଲକୁ ନିଆଯାଉଥିବା ବେଳେ ରାସ୍ତାରେ ଲୋକଙ୍କ ଜୋରଦାର ବିରୋଧ ପରେ ଏକ ନାଟକୀୟ ମୋଡ଼ରେ ବନ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ତାକୁ ଚ଼ନ୍ଦକା ଡମପଡ଼ା ଅଭୟାରଣ୍ୟରେ ପହଞ୍ଚାଇଛି ।
ହେଲେ ହାତୀ ପାଇଁ ପ୍ରକୃଷ୍ଟ ସ୍ଥାନ ହୋଇଥିବା ଏହି ଅଭୟାରଣ୍ୟରେ ଦୁଇଟି ସ୍ଥାନକୁ ନେଇ ବଢ଼ିଛି ଅଡୁଆ । ଗୋଡ଼ିବାରୀ ନା କୁମାରଖୁଣ୍ଟି, କେଉଁଠି ରହିବ ଦନ୍ତା ହାତୀ? କେଉଁଟା ହେବ ତା’ ପାଇଁ ପ୍ରକୃଷ୍ଟ ରହଣି ସ୍ଥାନ? ଏ ନେଇ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ପାରୁନାହାନ୍ତି ବନ ବିଭାଗ କର୍ତ୍ତୃପକ୍ଷ । ସେପଟେ ଚ଼ନ୍ଦକା ଜଙ୍ଗଲକୁ ଲାଗିକରି ଥିବା ଗ୍ରାମଗୁଡ଼ିକରେ ଲୋକେ ଆତଙ୍କିତ ହୋଇଛନ୍ତି।
ଯାଜପୁରର ଏ ମାରଣା ହାତୀକୁ ମଙ୍ଗଳବାର ଦିନ ବାଧ୍ୟ ହୋଇ ଅଧା ବାଟରୁ ଫେରାଇ ଆଣି ମହାବିନାୟକ ସଂରକ୍ଷିତ ଜଙ୍ଗଲ ଫାର୍ମ ହାଉସରେ ରଖାଯିବା ପରେ ସେଠାରେ ବି ବିରୋଧ ହୋଇଥିଲା । ଦୀର୍ଘ ୧୦ ଦିନ ଧରି ଯାଜପୁରର ଦାନଗଦି ଅଞ୍ଚଳରେ ଆତଙ୍କ ଖେଳାଇଥିଲା ଏହି ଦନ୍ତା ହାତୀ । ରାତି ଅନିଦ୍ରା ହୋଇ ତାକୁ କାବୁ କରିଥିଲେ ବନ ବିଭାଗ ଓ ପୋଲିସ କର୍ମୀମାନେ । କଣ୍ଟିଗଡ଼ ଜଙ୍ଗଲରୁ କଟକ କୁସୁନପୁର ଜଙ୍ଗଲ ଅଭିମୁଖେ ନିଆଯାଉଥିବା ବେଳେ ବାଟରେ ଜୋରଦାର ବିରୋଧ କରିଥିଲେ ଲୋକେ । ତେଣୁ ରାତାରାତି ଏକ ହାଇୱା (ଖୋଲା ଟ୍ରକ୍) ରେ ଚ଼ନ୍ଦକା ଜଙ୍ଗଲକୁ ଅଣାଯାଇଥିଲା ଦନ୍ତାକୁ ।

ହାତୀଟିକୁ ହାଇୱାରେ ଜାତୀୟ ରାଜପଥ ଦେଇ ମଙ୍ଗଳବାର କଟକ ଡାଳିଯୋଡ଼ା ରେଞ୍ଜ୍ ଅଭିମୁଖେ ନିଆଯାଉଥିଲା, ହେଲେ ଅଧା ରାସ୍ତାରୁ ଫେରାଇ ଅଣାଯାଇଥିଲା ।
ଚ଼ନ୍ଦକା ଅଭ୍ୟାରଣ୍ୟରେ ଗୋଡ଼ିବାରୀ ଓ କୁମାରଖୁଣ୍ଟି ଦୁଇଟି ସ୍ଥାନ ରହିଛି । ଅଭ୍ୟାରଣ୍ୟର ପ୍ରବେଶ ଦ୍ବାର ଗୋଡ଼ିବାରୀରେ ଗୋଟିଏ ଛୋଟିଆ ଡ୍ୟାମ ରହିଥିବା ବେଳେ କୁମାରଖୁଣ୍ଟିରେ ଏକ ବଡ ଡ୍ୟାମ ରହିଛି । ଏହି ବଡ ଡ୍ୟାମ ପାଖରେ ଶଙ୍କର ନାମକ ହାତୀ ରହୁଥିବା ବେଳେ ଗୋଡ଼ିବାରୀରେ ରହୁଛନ୍ତି ନନ୍ଦ-ଯଶୋଦା ନାମକ ହାତୀ ପିତାପୁତ୍ର । ଶଙ୍କର ଚ଼ାରି ବର୍ଷ ତଳେ ଆତଙ୍କ ଖେଳାଇ ଲୋକଙ୍କୁ ମାରିବା ପରେ ତାକୁ ବନ ବିଭାଗ ନିଜ କରାୟତ୍ତକୁ ଆଣି ଚିକିତ୍ସା କରି ଏବେ କୁମାରଖୁଣ୍ଟି ଡ୍ୟାମ ପାଖରେ ରଖୁଛି ।
ଏବେ ଯାଜପୁରର ଏ ମାରଣା ଦନ୍ତା ରହିବ କେଉଁଠି? ନନ୍ଦ-ଯଶୋଦାଙ୍କ ପାଖରେ ନା ଶଙ୍କର ପାଖରେ? ସେ ନିଷ୍ପତ୍ତି ନେଇ ପାରୁ ନାହିଁ ବନ ବିଭାଗ । ମିଳିଥିବା ସୂଚନା ଅନୁଯାୟୀ ଦୁଇ ଜଣ ମାହୁନ୍ତଙ୍କ ନଜରରେ ଏହି ଦନ୍ତା ହାତୀକୁ ରଖାଯିବ । ସେମାନେ ଦନ୍ତାର ଦେଖାଶୁଣା କରିବା ସହ ସେ କ’ଣ ଚାହୁଁଛି ତାହା ମଧ୍ୟ ବୁଝିବେ । ହେଲେ ଚନ୍ଦକା, ଦାସପୁର ଓ ଅନ୍ଧାରୁଆ ମୌଜାର ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

କାବୁ ହେବା ପରେ ଚ଼ାରିଟି ମଣିଷକୁ ମାରିଥିବା ଦନ୍ତା ହାତୀଟିକୁ ନିଶ୍ଚେତକ ଦିଆଯାଇଥିଲା ।
‘‘ଲୋକମାନେ ଏ ଅଞ୍ଚଳରେ ରାତିଦିନ ଚଳ ପ୍ରଚଳ କରୁଛନ୍ତି । ସମସ୍ତଙ୍କୁ ଏବେ ଏଇ ଯାଜପୁର ହାତୀର ଭୟ ଖାଉଛି । ଯଦି କିଛି ଅସୁବିଧା ହୁଏ ବନ ବିଭାଗ ଦାୟୀ ରହିବ,’’ କହିଛନ୍ତି ଚ଼ନ୍ଦକା ଗ୍ରାମର ଚିତ୍ରସେନ ବେହେରା । ଗୋଡିବାରୀର ବାସିନ୍ଦା ତଥା ଅଟୋ ଚ଼ାଳକ ପ୍ରମୋଦ ବେହେରା କହିଛନ୍ତି: ‘‘ଚନ୍ଦାକା ହାତୀଙ୍କ ବାସସ୍ଥାନ । ହାତୀ ଚ଼ନ୍ଦକାରେ ରହୁ, ଏଥିରେ କାହାରି ଆପତ୍ତି ନାହିଁ । କିନ୍ତୁ କାହାରିକୁ ନ ମାରୁ । ଯଦି କାହାରି କିଛି କ୍ଷତି କରେ, ତେବେ ଆନ୍ଦୋଳନକୁ ବ୍ୟାପକ କରାଯିବ’’ ।
ଚ଼ନ୍ଦକା ଡିଏଫଓ ଏ ବାବଦରେ କିଛି କହିବାକୁ ମନା କରିଦେଇଛନ୍ତି ।
ଯାଜପୁରରେ ସୋମବାର ଦିନରୁ ରାତି ଯାଏଁ ଦାନଗଦି, ଧୂଳିଗଡ଼ ଓ କଣ୍ଟିପୁର ଜଙ୍ଗଲରେ ଚ଼ାଲିଥିଲା ବିରାଟ ହାତୀଧରା ଅଭିଯାନ । ତିନେଟି ଡ୍ରୋନ୍ କ୍ୟାମେରା ଜରିଆରେ ହାତୀକୁ ଠାବ କରାଯିବା ପରେ ଟ୍ରାଙ୍କୁଲାଇଜିଂ ବିଶେଷଜ୍ଞମାନେ ତାକୁ ନିଶ୍ଚେତକ ଦେବାରେ ସଫଳ ହୋଇଥିଲେ । ଟ୍ରେଞ୍ଚ ଖୋଳାଯାଇ ହାତୀକୁ ହାଇୱାରେ ଭର୍ତ୍ତି କରାଯାଇଥିଲା । ମାତ୍ରାଧିକ ନିଶ୍ଚେତକ ଖାଇବା ପରେ ଦନ୍ତା ହାତୀଟି ଅସୁସ୍ଥ ହୋଇପଡ଼ିଥିଲା । ପରେ ତା’ର ପୂରା ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।