ଧରାପଡ଼ିଲା ଯାଜପୁରର ନରହନ୍ତା ହାତୀ, ଡ୍ରୋନ୍ କ୍ୟାମେରାରେ ଠାବ ହେଲା; ଟ୍ରାଙ୍କୁଲାଇଜ୍ କରାଗଲା

କଣ୍ଟିପୁର ଜଙ୍ଗଲ ଭିତରେ ବୁଲୁଥିବା ଏହି ଆକ୍ରାମକ ଓ ଚ଼ତୁର ହାତୀଟିର ଗତିବିଧି ଟ୍ରାକ୍ କରିବା ପାଇଁ ନିଆଯାଇଥିଲା ତିନିଟି ଡ୍ରୋନ୍ କ୍ୟାମେରାର ସହାୟତା । ଡ୍ରୋନ୍‌ କ୍ୟାମେରାରେ ହାତୀକୁ ଠାବ କରିବା ପରେ ତାକୁ ଟ୍ରାଙ୍କୁଲାଇଜ୍ କରିଛନ୍ତି ଚ଼ାରିଟି ବିଶେଷଜ୍ଞ ଟିମ୍ ।

ଧରାପଡ଼ିଲା ଯାଜପୁରର ନରହନ୍ତା ହାତୀ, ଡ୍ରୋନ୍ କ୍ୟାମେରାରେ ଠାବ ହେଲା; ଟ୍ରାଙ୍କୁଲାଇଜ୍ କରାଗଲା
ହାତୀଟି ଠାବ ହେବା ପରେ ଲୋକଙ୍କ ଖୁସିର ସୀମା ନ ଥିଲା ।
  • News18 Odia
  • Last Updated: January 27, 2020, 9:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଯାଜପୁର: ଯାଜପୁର ଜିଲ୍ଲାର ଦାନଗଦି ଅଞ୍ଚଳରେ ଦୁଇ ଦିନରେ ଚ଼ାରି ଜଣଙ୍କ ପ୍ରାଣ ନେଇଥିବା ଓ ଗଲା ୧୦ ଦିନ ଧରି ଲୋକଙ୍କୁ ନୟାନ୍ତ କରିଥିବା ନରହନ୍ତା ହାତୀ ଶେଷରେ ଧରା ପଡ଼ିଛି । ଡ୍ରୋନ୍ କ୍ୟାମେରାରରେ ହାତୀକୁ ଆଜି ସନ୍ଧ୍ୟାରେ ଠାବ କରାଯିବା ପରେ ତାକୁ ଟ୍ରାଙ୍କୁଲାଇଜ କରାଯାଇଛି ।

ଆଜି ସକାଳରୁ ହାତୀଟିକୁ କାବୁ କରିବା ପାଇଁ ଆରମ୍ଭ ହୋଇଥିଲା ବଡ଼ ଅପରେସନ । କଟକ, ଯାଜପୁର, କେନ୍ଦୁଝର, ଅନୁଗୁଳ ଭଳି ଚ଼ାରିଟି ଜିଲ୍ଲାର ବନଖଣ୍ଡ ଅଧିକାରୀଙ୍କ ସହ ଦୁଇ ଜଣ ଡିଏସ୍‌ପି, ଚ଼ାରିଟି ଥାନା ଅଧିକାରୀ, ଦୁଇ ପ୍ଲାଟୁନ୍ ଫୋର୍ସ ଓ ଟ୍ରାଙ୍କୁଲାଇଜର ବିଶେଷଜ୍ଞମାନେ ନିୟୋଜିତ ହୋଇଥିଲେ ‘‘ଅପରେସନ ଗଜାନନ’’ରେ ।

କଣ୍ଟିପୁର ଜଙ୍ଗଲ ଭିତରେ ବୁଲୁଥିବା ଏହି ଆକ୍ରାମକ ଓ ଚ଼ତୁର ହାତୀଟିର ଗତିବିଧି ଟ୍ରାକ୍ କରିବା ପାଇଁ ନିଆଯାଇଥିଲା ତିନିଟି ଡ୍ରୋନ୍ କ୍ୟାମେରାର ସହାୟତା । ଡ୍ରୋନ୍‌ କ୍ୟାମେରାରେ ହାତୀକୁ ଠାବ କରିବା ପରେ ତାକୁ ଟ୍ରାଙ୍କୁଲାଇଜ୍ କରିଛନ୍ତି ଚ଼ାରିଟି ବିଶେଷଜ୍ଞ ଟିମ୍ ।

ଲୋକଙ୍କୁ ଆକ୍ରମଣ କରି ଦଉଡ଼ି ପଳେଇ ଯାଉଥିଲା ହାତୀଟି ।


ହାତୀକୁ ଆଣିବା ପାଇଁ ଗୋଟିଏ ହାତୀ ଉଦ୍ଧାର ଗାଡ଼ି ମଧ୍ୟ ପ୍ରସ୍ତୁତ ରଖାଯାଇଛି । ହାତୀର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପ୍ରାଣୀ ଚିକିତ୍ସକ ବି ପ୍ରସ୍ତୁତ ରହିଛନ୍ତି । ଏହି ହାତୀଟି ଅତର୍କିତ ଆକ୍ରମଣ କରି ଜଣେ ନାବାଳକ ସମେତ ଚ଼ାରି ଜଣଙ୍କ ପ୍ରାଣ ନେଇଥିଲା । ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ଅନ୍ୟ ଦଶ ଜଣ ।

ଗତକାଲି ରାତି ୧୨ଟା ପର ଠାରୁ ଏଇ ନରହନ୍ତା ହାତୀଟିକୁ ଠାବ କରିପାରି ନ ଥିଲା ବନ ବିଭାଗ । ହାତୀଟିକୁ ରବିବାର ରାତିରେ ଶେଷ ଥର ପାଇଁ ଧପଙ୍ଖିରେ ଦେଖାଯାଇଥିଲା । ସେବେ ଠାରୁ ସେ କେଉଁଠି ଆତ୍ମଗୋପନ କରି ରହିଥିଲା ବା ଆଉ କୁଆଡ଼େ ଚ଼ାଲିଯାଇଥିଲା ତାହା ବନ ବିଭାଗର କର୍ମଚ଼ାରୀମାନେ ଜାଣିପାରୁ ନ ଥିଲେ ।

ଲୋକେ ଆତଙ୍କିତ ହୋଇ ଘର ବାହାରେ ପହରା ଦେଉଥିଲେ ।


ଆଜି (ସୋମବାର) ସକାଳେ ଖବର ମିଳିଥିଲା ଯେ ଦାନଗଦି ବ୍ଲକର ମାନପୁର ନିକଟ ମୁଣ୍ଡାସାହିରେ ଗତକାଲି ବିଳମ୍ବିତ ରାତିରେ ପୁଣି ଭଙ୍ଗାରୁଜା କରିଥିଲା ସେହି ହାତୀଟି । ଜୀବନ ମୁଣ୍ଡା, ସୁନାରାମ ମୁଣ୍ଡା ଓ ସାଲିଆ ମୁର୍ମୁଙ୍କ ଘର ସେ ଭାଙ୍ଗିଦେଇଥିଲା।

ହାତୀଟିକୁ ଠାବ କରିବା ବନ ବିଭାଗ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଥିଲା ନରହନ୍ତାକୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଶିମିଳିପାଳ ଓ ନନ୍ଦନକାନନରୁ ଆସିଥିଲେ ଦୁଇଟି ବିଶେଷଜ୍ଞ ଟ୍ରାଙ୍କୁଲାଇଜିଂ ଟିମ୍‌ । ସେହି ପରି ଅନୁଗୁଳ ଓ କେନ୍ଦୁଝରରୁ ଆସିଥିଲେ ଅନ୍ୟ ଦୁଇଟି ବିଶେଷଜ୍ଞ ଦଳ ।

ବନ ବିଭାଗର କର୍ମଚ଼ାରୀମାନେ ହାତୀଟିକୁ ଠାବ କରିବାକୁ ଚ଼େଷ୍ଟା କରୁଥିବା ସମୟର ଦୃଶ୍ୟ


ଗତ ଚ଼ାରି ଦିନ ଧରି ହାତୀଟି ଦାନଗଦୀର ଧୂଳିଗଡ଼ ଜଙ୍ଗଲରେ ରହି ଆତଙ୍କ ଖେଳାଇଥିଲା । ଗାଁରେ ପଶି ଘରଦ୍ବାର ଭାଙ୍ଗିବା ସହି ବ୍ୟାପକ ଫସଲ ନଷ୍ଟ କରିଥିଲା । ପରେ କେନ୍ଦୁଝର ଏବଂ ଅନୁଗୁଳରୁ ଆସିଥିବା ଦୁଇଟି ବିଶେଷଜ୍ଞ ଟିମ୍‌ ହାତୀ ଘଉଡ଼ାଇବା ଲାଗି ଗତ ରାତିରେ ଉଦ୍ୟମ ଚ଼ଳାଇଥିଲେ । ତେବେ ବନ ବିଭାଗ ସହ ସ୍ଥାନୀୟ ଲୋକଙ୍କ ସହଯୋଗରେ ଶେଷରେ ହାତୀଟି ଧରା ପଡ଼ିବାରୁ ବନ ବିଭାଗର ଅଧିକାରୀମାନେ ଆଶ୍ୱସ୍ତିର ନିଶ୍ୱାସ ନେଉଛନ୍ତି ।
First published: January 27, 2020, 9:01 PM IST