ଯାଜପୁରର ନରହନ୍ତା ହାତୀକୁ ଜଙ୍ଗଲକୁ ନେବା ବେଳେ ଲୋକଙ୍କ ବିରୋଧ; ଅଧା ରାସ୍ତାରୁ ଫେରିଲା ହାତୀ

ଚ଼ାରିଟି ମଣିଷ ମାରିଥିବା ଏଇ ଦନ୍ତା ହାତୀଟି କାବୁ ହେବା ପରେ ଦାନଗଦି ଅଞ୍ଚଳବାସୀଙ୍କ ମୁଣ୍ଡରୁ ଚିନ୍ତା ଯାଇଛି ସିନା, ହେଲେ ଡାଳିଯୋଡ଼ା ରେଞ୍ଜ୍ ଓ କୁସୁନପୁର ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କର ଚ଼ିନ୍ତା କିନ୍ତୁ ହଠାତ୍ ବଢ଼ିଯାଇଛି ।

ଯାଜପୁରର ନରହନ୍ତା ହାତୀକୁ ଜଙ୍ଗଲକୁ ନେବା ବେଳେ ଲୋକଙ୍କ ବିରୋଧ; ଅଧା ରାସ୍ତାରୁ ଫେରିଲା ହାତୀ
କାବୁ ହେବା ପରେ ଚ଼ାରିଟି ମଣିଷକୁ ମାରିଥିବା ଦନ୍ତା ହାତୀଟିକୁ ନିଶ୍ଚେତକ ଦିଆଯାଇଥିଲା ।
  • News18 Odia
  • Last Updated: January 28, 2020, 9:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଯାଜପୁର: ଦାନଗଦି ଅଞ୍ଚଳରେ ଚ଼ାରି ଜଣଙ୍କ ପ୍ରାଣ ନେଇଥିବା ଓ ୧୦ ଦିନ ଧରି ଲୋକଙ୍କୁ ନୟାନ୍ତ କରିଥିବା ନରହନ୍ତା ହାତୀଟିକୁ ବଡ଼ କଷ୍ଟରେ ଧରିବା ପରେ ତାକୁ କୁସୁନପୁର ଜଙ୍ଗଲକୁ ନେଉଥିବା ବେଳେ ଜୋରଦାର ବିରୋଧ କରିଥିଲେ ଜଙ୍ଗଲ ନିକଟସ୍ଥ ଲୋକେ । ବାଧ୍ୟ ହୋଇ ହାତୀକୁ ଫେରାଇ ଆଣି ମହାବିନାୟକ ସଂରକ୍ଷିତ ଜଙ୍ଗଲ ଫାର୍ମ ହାଉସରେ ରଖିଛି ବନ ବିଭାଗ।

ଯାଜପୁର ଜିଲ୍ଲାର ଦାନଗଦି ଅଞ୍ଚଳରେ ଚ଼ାରିଟି ମଣିଷର ପ୍ରାଣ ନେବା ପରେ କେଉଁଠି ଲୁଚ଼ି ରହିଥିବା ଏଇ ମାରଣା ହାତୀକୁ ସୋମବାର ଦିନରୁ ରାତି ଯାଏଁ ଦାନଗଦିର ଧୂଳିଗଡ଼ ଓ କଣ୍ଟିପୁର ଜଙ୍ଗଲରେ ଖୋଜା ଚ଼ାଲିଥିଲା । ଶେଷରେ ତିନୋଟି ଡ୍ରୋନ କ୍ୟାମେରା ସହାୟତାରେ ତାକୁ ଠାବ କରି କାବୁ କରାଯାଇଥିଲା । ତା’ପରେ ଆଜି (ମଙ୍ଗଳବାର) ହାତୀଟିକୁ ଗୋଟେ ହାଇୱାରେ କଣ୍ଟିପୁର ଜଙ୍ଗଲରୁ ଜାତୀୟ ରାଜପଥ ଦେଇ ନିଆଯାଉଥିଲା କଟକ ଡାଳିଯୋଡ଼ା ରେଞ୍ଜ୍‌ ଅଭିମୁଖେ ।

ମାରଣା ଦନ୍ତା ହାତୀଟି କାବୁ ହେବା ପରେ ଦାନଗଦି ଅଞ୍ଚଳବାସୀଙ୍କ ମୁଣ୍ଡରୁ ଚିନ୍ତା ଯାଇଥିଲା ସିନା, ଡାଳିଯୋଡ଼ା ରେଞ୍ଜ୍‌ ଓ କୁସୁନପୁର ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କର ଚ଼ିନ୍ତା କିନ୍ତୁ ହଠାତ୍‌ ବଢ଼ିଯାଇଥିଲା ।

ହାତୀଟିକୁ ହାଇୱାରେ ଜାତୀୟ ରାଜପଥ ଦେଇ କଟକ ଡାଳିଯୋଡ଼ା ରେଞ୍ଜ୍ ଅଭିମୁଖେ ନିଆଯାଉଛି ।


ଟାଙ୍ଗୀ ହଳଦୀବସନ୍ତ ଠାରେ ଲୋକେ ହାଇୱା ସହ ବନ ବିଭାଗର ଅଧିକାରୀମାନଙ୍କୁ ଅଟକାଇଥିଲେ । ମାରଣା ହାତୀକୁ କାହିଁକି ଏହି ଅଞ୍ଚଳରେ ଛଡ଼ାଯାଉଛି ବୋଲି କହି ତୀବ୍ର ବିରୋଧ କରିଥିଲେ ସ୍ଥାନୀୟ ଲୋକେ । କୌଣସି ପରିସ୍ଥିତିରେ ହାତୀକୁ ଆଗକୁ ଯିବାକୁ ଦିଆଯିବ ନାହିଁ ବୋଲି ଜିଦ୍ ଧରିଥିଲେ । ପ୍ରବଳ ବିରୋଧ ହେବାରୁ ବାଧ୍ୟ ହୋଇ ପଛଘୁଞ୍ଚା ଦେଇଥିଲେ ବନ ଅଧିକାରୀ । ହାତୀକୁ ଧରି ପୁଣି ପଛକୁ ଫେରିଥିଲେ ।

‘‘ଆମମାନଙ୍କ ଜୀବନ ପ୍ରତି ବିପଦ ଅଛି ନା ନାହିଁ? ଏଠିକା ସ୍ଥାନୀୟ ଲୋକଙ୍କ ଭିତରେ ପ୍ରବଳ କ୍ଷୋଭ ପ୍ରକାଶ ପାଇଛି । ବନ ବିଭାଗର କର୍ମଚ଼ାରୀମାନେ ଲୁଚ଼ି ବୁଲୁଛନ୍ତି । ସେମାନେ ଆମ ଫୋନ୍‌ ବି ଉଠାଉ ନାହାନ୍ତି । ସେମାନେ ସ୍ପଷ୍ଟ କରନ୍ତୁ ହାତୀକୁ କ’ଣ ପାଇଁ ଏଠିକି ଆଣୁଛନ୍ତି,’’ କହିଛନ୍ତି ବିରୋଧ ପ୍ରଦର୍ଶନରେ ଥିବା ଆଇନଜୀବୀ ଉଦୟ ସାହୁ ।

ହାଇୱା ଭିତରେ ଠିଆହୋଇ ଯାତ୍ରା କରୁଛି ହାତୀଟି ।


ହାତୀକୁ ନେଇ ସରିନାହିଁ ଜଙ୍ଗଲ ବିଭାଗର ଟେନସନ । ହାତୀ ବାହାରେ ବୁଲିଲେ ଟେନସନ, ତାକୁ ବାନ୍ଧି ଜଙ୍ଗଲକୁ ନେଲେ ବି ଟେନସନ । ଏଇ ମାରଣା ହାତୀଟିକୁ ତାହେଲେ କେଉଁଠି ରଖାଯିବ, ତାକୁ ନେଇ ବନ ବିଭାଗ ଚିନ୍ତାରେ ପଡ଼ିଛି ।

’’ମାତ୍ରାଧିକ ନିଶ୍ଚେତକ ଖାଇବା ପରେ ଦନ୍ତାହାତୀଟି ଅସୁସ୍ଥ ହୋଇପଡ଼ିଛି । ଏବେ ତିନି ଚାରି ଦିନ ଧରି ତା’ର ସମସ୍ତ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ସଂପୂର୍ଣ୍ଣ ସୁସ୍ଥ ହେଲେ ହାତୀକୁ ନନ୍ଦନକାନନ କିମ୍ବା କପିଳାସ ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରକୁ ସ୍ଥାନାନ୍ତର କରାଯାଇପାରେ,’’ କହିଛନ୍ତି ଯାଜପୁରରୋଡ ଫରେଷ୍ଟ ରେଞ୍ଜର ଦେବେନ୍ଦ୍ର ପଟ୍ଟନାୟକ ।
First published: January 28, 2020, 9:35 PM IST
corona virus btn
corona virus btn
Loading