ପୁରୀରେ ମର୍ଡ଼ର: ‘ପିଲା ବେଳର ପ୍ରେମରେ ସେ ବାଧା ଦେଲା, ତେଣୁ ତାକୁ ରାସ୍ତାରୁ ହଟେଇଲି’

ମେ ୧୩ରେ ମଦ ନିଶାରେ ଚୁର୍ ହୋଇ ପ୍ରକାଶର ଗଳାକୁ ଭୁଜାଲିରେ ହାଣି ହତ୍ୟା କରିଥିଲା ମିଥୁନ । ନିଜ ପ୍ରେମିକା ପାଇଁ ଏହି ହତ୍ୟା କରିଛି ବୋଲି ଗିରଫ ହେବା ପରେ ସେ ପୋଲିସକୁ କହିଛି ।

ପୁରୀରେ ମର୍ଡ଼ର: ‘ପିଲା ବେଳର ପ୍ରେମରେ ସେ ବାଧା ଦେଲା, ତେଣୁ ତାକୁ ରାସ୍ତାରୁ ହଟେଇଲି’
ଗିରଫ ହେବା ପରେ ହତ୍ୟାକାଣ୍ଡ ସ୍ଥାନକୁ ମିଥୁନକୁ ନେଇ ତଦନ୍ତ କରୁଛି ପୋଲିସ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ମେ ୧୩ ତାରିଖରେ ପୁରୀ ସଦର ଥାନା ଅନ୍ତର୍ଗତ ହାଟସାହି ଛକରେ ହୋଇଥିବା ହତ୍ୟା କାଣ୍ଡ ପଛରେ ଥିଲା ପ୍ରେମର ଅବରୁଦ୍ଧ ହୋଇଥିବା ବାଟ । ଅନୁସନ୍ଧାନ ପରେ ପୋଲିସ୍‌ ଅଭିଯୁକ୍ତ ଯୁବକକୁ ଗିରଫ କରିବା ପରେ ଏବେ ରହସ୍ୟ ଉପରୁ ପରଦା ଉଠିଛି ।

ହାଟସାହି ଛକରେ ଜଣେ ଯୁବକକୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଭୁଜାଲିରେ ତା’ ବେକକୁ ହାଣି ହାଣି ଖିନ୍‌ ଭିନ୍‌ କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ମାର୍କଣ୍ଡେଶ୍ୱର ସାହିର ୨୮ ବର୍ଷୀୟ ଯୁବକ ପ୍ରକାଶ ସାହୁକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛି ମିଥୁନ ପରିଡ଼ା । ନିଜ ପ୍ରେମିକା ପାଇଁ ଏହି ହତ୍ୟାକାଣ୍ଡ କରିଥିବା ସ୍ୱୀକାର କରିଛି ସେ ।

ପିଲା ବେଳରୁ ଗୋଟିଏ ଝିଅ ସହ ପ୍ରେମ ଥିବା ବେଳେ ମଝିରେ ମଧ୍ୟସ୍ଥି ହୋଇ ପ୍ରକାଶ ତାକୁ ଅଲଗା କରିଦେବାରୁ ବାଧ୍ୟ ହୋଇ ତାକୁ ରାସ୍ତାରୁ ହଟାଇଛି ବୋଲି ପୁଲିସ ଆଗରେ ସ୍ୱୀକାର କରିଛି ମିଥୁନ । ଘଟଣାରେ ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ଖୁବ ଶୀଘ୍ର ତାକୁ ବି ଗିରଫ କରିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ବନାଯାଇଥିବା ସୂଚନା ଦେଇଛନ୍ତି ଏସ୍‌.ପି. ଉମାଶଙ୍କର ଦାଶ ।

ହତ୍ୟାରେ ବ୍ୟବହୃତ ଭୁଜାଲି


ଏହା ଥିଲା ମେ ୧୩ ତାରିଖ ଦିନ ୨ଟା ବେଳର ଘଟଣା । ପୁରୀ ସଦର ଥାନା ହାଟସାହି ଛକରେ ହତ୍ୟା ପରେ ଦୀର୍ଘ ଚାରି ଘଣ୍ଟା ମୃତ ଦେହ ସେଠାରେ ପଡ଼ି ରହିଥିଲା । ଗ୍ରାମବାସୀମାନେ ଖବର ଦେବା ପରେ ପହଞ୍ଚିଥିଲା ପୋଲିସ । ଘଟଣା ସ୍ଥଳରୁ ମୃତ ଦେହ ଜବତ କରିବା ସହ ଏକ ସ୍କୁଟି ଓ ଗୋଟିଏ ଭୁଜାଲି ଜବତ କରିଥିଲା । ତଦନ୍ତ ପରେ ସେହି ମୃତ ଦେହଟି ପୁରୀ ସହରର ମାର୍କଣ୍ଡେଶ୍ୱର ସାହି ରାଧାଗୋବିନ୍ଦ ଲେନର ଗୋବିନ୍ଦ ସାହୁଙ୍କ ସାନ ପୁଅ ପିଣ୍ଟୁ ଓରଫ ପ୍ରକାଶ ସାହୁର ବୋଲି ଜଣାପଡିଥିଲା ।

‘‘ଶବ ଜବତ ହେବା ପରେ ମୃତକଙ୍କ ବାପା ଏକ ଏତାଲା ଦେଇଥିଲେ । ପୁଲିସ ହତ୍ୟା ମାମଲା ୧୧୯/୨୦ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ତଦନ୍ତ ଆରମ୍ଭ କରିଥିଲା,’’ କହିଛନ୍ତି ସଦର ଥାନା ଅଧିକାରୀ ସୁମତି ମହାନ୍ତି । ଏହି ହତ୍ୟାକାଣ୍ଡର ତଦନ୍ତର ନେତୃତ୍ୱ କରିଥିଲେ ପୁରୀ ସଦର ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡ ।

ତଦନ୍ତ ଅନୁଯାୟୀ ପ୍ରେମ ବ୍ୟାପାରକୁ ନେଇ ପିଣ୍ଟୁ ଓରଫ ପ୍ରକାଶ ସାହୁଙ୍କୁ ହତ୍ୟା କରିଥିଲା ଦାମୋଦରପୁର ପଞ୍ଚାୟତର ମିଥୁନ ପରିଡ଼ା । ପିଣ୍ଟୁ ମିଥୁନର ପ୍ରେମକୁ ବିରୋଧ କରୁଥିଲା । କାରଣ ଯୁବତୀଙ୍କ ବାପା ପିଣ୍ଟୁକୁ ଧର୍ମରେ ପୁଅ କରିଥିଲେ । ପିଣ୍ଟୁ ମିଥୁନର ପ୍ରେମ ଜାଣିବା ପରେ ତାକୁ ବାରଣ କରିଥିଲା । ଯୁବତୀଙ୍କ ବାପାଙ୍କୁ ଜଣାଇ ପିଣ୍ଟୁ ଏକ ବିବାହ ପ୍ରସ୍ତାବ ବୁଝିଥିଲା । ଯୁବତୀଙ୍କ ବାପା ବିବାହ ପ୍ରସ୍ତାବରେ ରାଜିଥିଲେ । ଏହା ଜାଣିବା ପରେ ମିଥୁନ ବର ପକ୍ଷ ଘରକୁ ଫୋନ କରି ବିବାହ ପ୍ରସ୍ତାବ ଭାଙ୍ଗିଦେଇଥିଲା । ଏହାକୁ ନେଇ ପିଣ୍ଟୁ ଓ ମିଥୁନ ମଧ୍ୟରେ ଶତୃତା ଆରମ୍ଭ ହୋଇଥିଲା । ପିଣ୍ଟୁ ମିଥୁନକୁ ଏ ନେଇ ଧମକ ଦେବା ସହ ବିବାହ ପ୍ରସ୍ତାବ ଖୋଜିବାରେ ଯାହା ଖର୍ଚ୍ଚ ହୋଇଛି ତାହା ଭରଣା କରିବାକୁ କହିବା ସହ ଥାନାରେ ଏତାଲା ଦେବାକୁ ମଧ୍ୟ କହିଥିଲା । ମିଥୁନ ସହ ନ ମିଶିବା ପାଇଁ ଯୁବତୀକୁ ମଧ୍ୟ ବାରଣ କରିଥିଲା ପିଣ୍ଟୁ  । ବାସ୍‌, ଏହା ପରେ ମିଥୁନ ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା । ସେ ପିଣ୍ଟୁକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା   ।

‘‘ମୋ’ର ସେହି ଯୁବତୀ ସହ ପିଲା ବେଳୁ ପ୍ରେମ ସମ୍ପର୍କ ଥିଲା । ସେ ଯେତେବଳେ ଅଷ୍ଟମ ଶ୍ରେଣୀରେ ପଢୁଥିଲା ମୁଁ ଦଶମ ଶ୍ରେଣୀରେ ପଢୁଥିଲି । ସେବେ ଠାରୁ ତାକୁ ଭଲ ପାଉଥିଲି । ଉଭୟେ ଉଭୟଙ୍କୁ ଭଲ ପାଉଥିଲୁ । ହେଲେ ପିଣ୍ଟୁ ମୋ’ ଠାରୁ ମୋ’ ପ୍ରେମିକାକୁ ଛଡ଼ାଇନେଇଥିଲା । ତା’ ପାଇଁ ମୋ’ ପ୍ରେମିକା ମୋ’ ସହ କଥା ହେଲାନାହିଁ । ତେଣୁ ମେ ୧୩ ଅପରାହ୍ଣ ୨ଟା ବେଳେ ଦାମୋଦରପୁର ସ୍କୁଲ ବାରଣ୍ଡାରେ ମୁଁ ମଦ ପିଇଲି ଓ ପିଣ୍ଟୁକୁ ଭୁଲ ମାଗିବି ବୋଲି କହି ଫୋନ କରି ଡାକିଲି,’’ ପୋଲିସକୁ ନିଜ ବୟାନରେ କହିଛି ଅଭିଯୁକ୍ତ ମିଥୁନ ।

ପ୍ରକାଶ ସେଠି ପହଞ୍ଚିବା ବେଳକୁ ମିଥୁନକୁ ନିଶା ପ୍ରବଳ ହୋଇଥିଲା ବୋଲି ସେ କହିଛି । ‘‘ମୋ’ ସହ ଆଉ ଜଣେ ସହଯୋଗୀ ପ୍ରକାଶ ପ୍ରଧାନ ବି ଥିଲା ।  ପିଣ୍ଟୁ ପହଞ୍ଚିବା ପରେ ଆରମ୍ଭ ହେଲା ଯୁକ୍ତିତର୍କ । ମୋ’ ପାଖରେ ଭୁଜାଲି ଥିଲା । ହଠାତ ପିଣ୍ଟୁର ବେକକୁ ଦୁଇ ଚୋଟ ପକାଇଲି । ପିଣ୍ଟୁ ତାହାକୁ ପ୍ରତିରୋଧ କରି ସେହି ଭୁଜାଲିରେ ମୋତେ ପ୍ରତି ଆକ୍ରମଣ କଲା, ହେଲେ ସେ ନିଜକୁ ବଞ୍ଚାଇପାରି ନ ଥିଲା । ମୁଁ ଓ  ପ୍ରକାଶ ତାକୁ ମାଡ଼ି ବସି ତା’ ବେକକୁ ଗୋଟିଏ ପରେ ଗୋଟିଏ ଚୋଟ ମାରିଚାଲିଲୁ । ସେହିଠାରେ ତାର ପ୍ରାଣବାୟୁ ଉଡ଼ିଗଲା । ସେଠାରେ ଭୁଜାଲିଟି ଫୋଫାଡି ଆମେ ପଳାଇଥିଲୁ । ତା’ ପର ଦିନ ପୋଲିସ ମୋତେ ଧରିବା ପରେ ମୋତେ ଘଟଣା ସ୍ଥଳକୁ ନେଇ ସବିଶେଷ ତଥ୍ୟ ନେଇଛି,’’ କହିଛି ପିଣ୍ଟୁର ହତ୍ୟାକାରୀ ତଥା ମୁଖ୍ୟ ଅଭିଯୁକ୍ତ ମିଥୁନ ପରିଡ଼ା ।

‘‘ଏହି ହତ୍ୟାକାଣ୍ଡକୁ ନେଇ ପୁଲିସ ତଦନ୍ତ କରିବା ପରେ ଅଭିଯୁକ୍ତ ମିଥୁନ ପରିଡାକୁ ଗିରଫ କରିଛି । ହେଲେ ଅନ୍ୟ ଅଭିଯୁକ୍ତ ପ୍ରକାଶ ପ୍ରଧାନ ଫେରାର ଅଛି । କୋବିଡ ଟେଷ୍ଟ ପରେ ମିଥୁନକୁ କୋର୍ଟ ଚାଲାଣ କରି ଜେଲକୁ ପଠାଇଦିଆଯାଇଛି । ତେବେ ଯୁବତୀଙ୍କ ଇଶାରାରେ କୁଆଡ଼େ ମିଥୁନ ଏହି ହତ୍ୟାକାଣ୍ଡ ରଚିଥିଲା ବୋଲି ପୁଲିସ ଖବର ପାଇବାପରେ ଯୁବତୀ ଓ ତାଙ୍କ ଭାଇଙ୍କୁ ମଧ୍ୟ ପୁଲିସ ଘନଘନ ଜେରା କରିଛି । ତଦନ୍ତରେ ଅଗ୍ରଗତି ହେଲେ କାର୍ଯ୍ୟାନୁଷ୍ଠାନ ହେବ । ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ ହୋଇଛି,’’ କହିଛନ୍ତି ପୁରୀ ଏସପି ଉମାଶଙ୍କର ଦାଶ ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: 
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 24, 2020, 7:23 PM IST
corona virus btn
corona virus btn
Loading