ରାଉରକେଲା: ମାତ୍ର ଦେଢ଼ ଲକ୍ଷ ଟଙ୍କା ବିନିମୟରେ ନିଜ ସ୍ତ୍ରୀକୁ ତା’ ପ୍ରେମିକ ହାତରେ ଟେକିଦେଲା ସ୍ୱାମୀ । ଗଲା ମେ ମାସରେ ହୋଇଥିବା ବିବାହର ଏମିତି ହୃଦୟବିଦାରକ ସ୍ଥିତି ଏବେ ସାମ୍ନାକୁ ଆସିଛି ରାଉରକେଲା ଉପକଣ୍ଠରୁ ।
ଏଇ ବିବାହିତା ତରୁଣୀ ଓ ତାଙ୍କ ପ୍ରେମିକଙ୍କ ହାତ ଗୋଡ଼ ବାନ୍ଧି ଶଶୁର ଘର ଲୋକେ ଅମାନୁଷିକ ଭାବେ ଦୁହିଙ୍କୁ ମାଡ଼ ବି ମାରିଲେ । ଘଟଣା ସ୍ଥଳରୁ ପଚାଶ ହଜାର ଟଙ୍କା ଦେଇ ଯୁବକଙ୍କୁ ଉଦ୍ଧାର କଲେ ତାଙ୍କ ଘର ଲୋକେ । ତାପରେ ଆଉ ଲକ୍ଷେ ଟଙ୍କା ନ ଦେଲେ ତରୁଣୀ ସହ ତାଙ୍କ ପ୍ରେମିକଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳୁଥିବାର ଅଭିଯୋଗ ହେଉଛି । ନିରୁପାୟ ହୋଇ ରାଉରକେଲା ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ତରୁଣୀ ଓ ତାଙ୍କ ପ୍ରେମିକଙ୍କ ପିତାମାତା ।
ତରୁଣୀଙ୍କ କହିବା ଅନୁସାରେ ସେ ଶଶୁର ଘର ଲୋକଙ୍କ ନିର୍ଯ୍ୟାତନା ସହି ନପାରି ଘର ଛାଡ଼ି ପଳେଇ ଆସିଥିଲେ ରାଉରକେଲା ବସଷ୍ଟାଣ୍ଡକୁ। କୁଆଡେ ଯିବେ ଭାବି ପାରୁନଥିଲେ। ଏହି ସମୟରେ ସେଠାରେ ପହଞ୍ଚିଥିଲେ ତାଙ୍କ ସ୍ୱାମୀ ଓ ତାଙ୍କ ଘର ଲୋକେ। ବସଷ୍ଟାଣ୍ଡରୁ ତରୁଣୀଙ୍କୁ ସିଧା ଟେକି ନେଇ ଆସିଥିଲେ ସେମାନେ। ତା’ପରେ ଟେକି ଆଣିଥିଲେ ପ୍ରେମିକଙ୍କୁ । ଗାଁରେ ଗୋଟେ କଙ୍ଗାରୁ କୋର୍ଟରେ ମାମଲାର ବିଚାର ହେବା ପରେ ଦି’ ଜଣଙ୍କ ହାତ ଗୋଡ଼ ବାନ୍ଧି ଅମାନୁଷିକ ଭାବେ ପିଟିଥିଲେ ସେମାନେ । ଏ ସମଗ୍ର ଘଟଣାର ଭିଡିଓ ତିଆରି କରି ଭାଇରଲ ବି କରିଥିଲେ। ପ୍ରାୟ ଦୁଇ ମାସ ତଳେ ଘଟିଥିଲା ଏହି ଘଟଣା ବୋଲି ଜଣା ପଡ଼ିଛି।
ଏବେ ନିଜ ଜୀବନ ପ୍ରତି ବିପଦ ଅଛି ବୋଲି କହି ସୁରକ୍ଷା ପାଇଁ ରାଉରକେଲା ଏସ୍ପିଙ୍କ ନିକଟରେ ପହଞ୍ଚିଛନ୍ତି ତରୁଣୀଙ୍କ ପ୍ରେମିକ ଓ ତାଙ୍କ ପରିବାର ଲୋକେ ।
ଗଲା ମେ ମାସରେ ଲାଠିକଟା ମୁଣ୍ଡାଝୋରର ପୁକଲି ଓରାମଙ୍କ ବିବାହ ହୋଇଥିଲା ବ୍ରାହ୍ମଣୀତରଙ୍ଗ ଥାନା ମାଣ୍ଡିଆକୁଦ ଅଞ୍ଚଳର ଜମ୍ବୁ ଓରାମଙ୍କ ସହ। ହେଲେ ବାହାଘର ପରଠୁ ଜମ୍ବୁ ନିଜ ସ୍ତ୍ରୀ ପୁକଲିଙ୍କର ତାଙ୍କର ପୁରୁଣା ପ୍ରେମିକ ବିଶ୍ରା ଥାନା ଅନ୍ତର୍ଗତ ଚିରୁବେଡାର ପୂରଣ ସିଂଙ୍କ ସହ ସମ୍ପର୍କ ଥିବା ସନ୍ଦେହରେ ପୁକଲିଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ ଆସିଥିଲା ।
ପୁକଲି ଏହି ନିର୍ଯ୍ୟାତନା ସହି ନ ପାରି ଘର ଛାଡିଥିଲେ। ପ୍ରଥମେ ପୂରଣ ଏବଂ ପୁକଲିଙ୍କୁ ବନ୍ଦୀ ଅବସ୍ଥାରୁ 50 ହଜାର ଟଙ୍କା ଦେଇ ମୁକ୍ତ କରିଥିଲେ ପୂରଣଙ୍କ ପରିବାର ଲୋକେ । ତା’ପରେ ଆଉ ଲକ୍ଷେ ଟଙ୍କା ବିନିମୟର ବୁଝାମଣା କରି ପୁକଲିଙ୍କୁ ପୂରଣଙ୍କ ହାତରେ ଟେକି ଦେଇଥିଲେ ସ୍ୱାମୀ ଜମ୍ବୁ ଓ ତାଙ୍କ ପରିବାର ଲୋକେ। ବାକି ଅର୍ଥ ଦେଇ ପାରୁନଥିବାରୁ ପୂରଣ ଓ ପୁକଲିଙ୍କୁ ଏବେ ଧମକ ମିଳୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ପୁଣି ଥରେ ଉଠେଇନେବାକୁ ଚେତାବନୀ ମିଳୁଛି ବୋଲି କହିଛନ୍ତି ସେମାନେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।