ଭୁବନେଶ୍ୱରରେ ସ୍ୱିଗୀ କମ୍ପାନୀର ବ୍ୟାଗରେ ଗଞ୍ଜେଇ ଚାଲାଣ କରୁଥିବା ଯୁବକ ଗିରଫ ହେଲା
ଗିରଫ ହୋଇଥିବା ଯୁବକର ବ୍ୟାଗ ଭିତରୁ ୭୫ ହଜାର ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ହୋଇଛି । ସ୍ୱିଗୀ କମ୍ପାନୀ ସ୍ପଷ୍ଟୀକରଣ ଦେଇ କହିଛି ଯେ ଗିରଫ ଯୁବକର କମ୍ପାନୀ ସହ କୌଣସି ସମ୍ପର୍କ ନାହିଁ ।
ସ୍ୱିଗୀ ବ୍ୟାଗରେ ଗଞ୍ଜେଇ ରଖି ବାଇକରେ ଯାଉଥିଲା ଅଭିଯୁକ୍ତ ।
- News18 Odia
- Last Updated: September 8, 2021, 11:39 PM IST
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ନୁଆ ଶୈଳୀରେ ନିଶା କାରବାର ହେଉଥିବା ଦେଖିବାକୁ ମିଳିଛି । ସ୍ୱିଗୀ ଅନଲାଇନ୍ ଫୁଡ୍ ଡେଲିଭରି କମ୍ପାନୀର ବ୍ୟାଗରେ ଜଣେ ଡ୍ରଗ୍ସ ମାଫିଆ ମଙ୍ଗଳବାର ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ଦ୍ୱାରା ଗିରଫ ହୋଇଛି ।
ଗିରଫ ଅଭିଯୁକ୍ତ ହେଉଛି ପୁରୁଣା ଭୁବନେଶ୍ୱର ଅଞ୍ଚଳର ପ୍ରେମଚାନ୍ଦ ନାୟକ (୨୯) । ତା’ଠାରୁ ୧୫ କେଜି ୨୦୦ ଗ୍ରାମ୍ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୫ ହଜାର ଟଙ୍କା ହେବ ବୋଲି କହିଛନ୍ତି ଅଧିକାରୀମାନେ । ଜବତ ଗଞ୍ଜେଇ ଫୁଲବାଣୀରୁ ଜଣେ ଦଲାଲ ସାହାଯ୍ୟରେ ଭୁବନେଶ୍ୱର ଆଣିଥିଲା ପ୍ରେମଚାନ୍ଦ । ପୋଳିସ ସନ୍ଦେହରୁ ମୁକୁଳିବା ପାଇଁ ସ୍ୱିଗି ବ୍ୟାଗରେ ରଖି ଚାଲାଣ କରୁଥିଲା ସେ । ତାକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…

ସ୍ୱିଗୀ କମ୍ପାନୀର ସ୍ପଷ୍ଟୀକରଣ ଚିଠି
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଆସାମରେ ୨ଟି ଡଙ୍ଗାର ମୁହାଁମୁହିଁ ଧକ୍କା ହେଲା; ବୁଡ଼ିଗଲେ ଅନେକ ଯାତ୍ରୀ
ଭିନ୍ନ ଭିନ୍ନ ନୁଆ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ହେବା ନୁଆ କଥା ନୁହେଁ । ଗତ ମାସ ଦିଲ୍ଲୀର ଦୁଇ ଜଣ ଯୁବକ କୋରିଅର୍ ଯୋଗେ ୪୫ କିଲୋ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଭୁବନେଶ୍ୱର ସହିଦ ନଗର ପୋଲିସ ଦ୍ୱାରା ଗିରଫ ହୋଇଥିଲେ । କିଛି ଦିନ ତଳେ କାଜୁ ଖୋଳପା ଭିତରେ ବିଶାଖାପାଟଣାକୁ ଟ୍ରକ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଚନ୍ଦକା ଅଞ୍ଚଳରୁ ଗାଡି଼ ସହ ଗଞ୍ଜେଇ ଜବତ କରିଥିଲା ନାର୍କୋଟିକ୍ସ ଟିମ୍ ।
ଏହା ବି ପଢ଼ନ୍ତୁ | କଶ୍ମୀରରେ ବିଚ୍ଛିନ୍ନତାବାଦୀ ରାଜନୀତିର ପୁରୋଧା ସୈଦ୍ ଅଲୀ ଶାହ ଗିଲାନୀଙ୍କ ଦେହାନ୍ତ ହେଲା
ଗଞ୍ଜେଇ ମାଫିଆଠାର ସ୍ୱଗୀ ବ୍ୟାଗ ଜବତ ହେବା ପରେ ସ୍ୱିଗୀ କମ୍ପାନୀର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି । ସ୍ୱିଗୀ ପକ୍ଷରୁ ଏ ନେଇ ଏକ ପ୍ରେସ ରିଲିଜ ଜାରି କରି ସ୍ପଷ୍ଟୀକରଣ ଦିଆଯାଇଛି । ଅବକାରୀ କମିଶନରଙ୍କୁ ସ୍ୱିଗୀ ପକ୍ଷରୁ ଏହି ଚିଠି ପଠାଯାଇଛି । ଏଥିରେ ସ୍ୱିଗୀ ପକ୍ଷରୁ କୁହାଯାଇଛି, “ଆମେ ଆମର ରେକର୍ଡ ଯାଞ୍ଚ କରିଛୁ । ଗିରଫ ହୋଇଥିବା ଯୁବକ ଜଣଙ୍କର ସ୍ୱିଗୀ ସହିତ କୌଣସି ସମ୍ପର୍କ ନାହିଁ । ତାଙ୍କ ଠାରୁ ମିଳିଥିବା ବ୍ୟାଗ ନକଲି ଅଥବା ବେଆଇନ୍ ଭାବେ ପ୍ରାପ୍ତ କରାଯାଇଛି । ସ୍ୱଗୀ ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରୁଛି ।’’
ସ୍ୱିଗୀର ସ୍ପଷ୍ଟୀକରଣ ପରେ ଗିରଫ ଅଭିଯୁକ୍ତ ପ୍ରେମଚାନ୍ଦକୁ ପଚରାଉଚରା କରୁଛି ଅବକାରୀ ବିଭାଗ । ସ୍ୱିଗୀ ବ୍ୟାଗ ସେ କେଉଁଠୁ ଆଣିଲା, ତା’ର କେହି ସମ୍ପର୍କାୟ ସ୍ୱିଗୀରେ କାମ କରୁଛନ୍ତି କି ଓ ସେ କେଉଁଠି କାମ କରୁଛନ୍ତି ଏସବୁ ଦିଗ ନେଇ ଅଭିଯୁକ୍ତକୁ ପଚରାଉଚରା କରୁଛି ତଦନ୍ତକାରୀ ଟିମ୍ ।






