News18 Odia Digital
ପୁରୀ: ପ୍ରେମ ପାଇଁ ବିଭତ୍ସ ହତ୍ୟା। ବିବାହ ଭାଙ୍ଗିବାରୁ ପ୍ରେମିକା ଘର ସମ୍ମୁଖରେ କରିଥିଲା ବୋମାମାଡ଼। ଆଉ ଯୁବତୀଙ୍କ ପରିବାର ଲୋକେ ପ୍ରେମିକକୁ ପିଟିପିଟି ମରିଦେବା ଭଳି ଅଭାବନୀୟ ଘଟଣାକୁ ନେଇ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ସଦର ଥାନା ବାଟଗାଁ ନିକଟ ନୂଆଗାଁରେ ଘଟିଥିଲା ଏଭଳି ଘଟଣା।
ମୃତ ପ୍ରେମିକ ମୁନା ପ୍ରଧାନଙ୍କ ବାପା କୁଞ୍ଜ ପ୍ରଧାନଙ୍କ ଏତଲା ଅନୁଯାୟୀ, "ଆମ ଘର ହେଉଛି ପେଣ୍ଠକଟା ମେରାଇନ ଥାନା ନିକଟ ସମଗରା ଗାଁରେ। ମୋର ୨୮ ବର୍ଷୀୟ ପୁଅ ମୁନା ପ୍ରଧାନ ସଦର ଥାନା ଅଞ୍ଚଳର ବାଟଗାଁ ନିକଟ ନୂଆଗାଁର ଜଣେ ଯୁବତୀ ଝୁନିକୁ ପ୍ରେମ କରୁଥିଲା। ଆଉ ବିବାହ ପାଇଁ କହିବାରୁ ତାଙ୍କ ପରିବାର ମୋ ପୁଅକୁ ହତ୍ୟା କରିଥିଲେ। ପ୍ରେମ ଜନିତ ହତ୍ୟାକାଣ୍ଡ ଘଟଣାକୁ ନେଇ ଆମେ ଏତଲା ଦେବାପରେ ଗୁରୁବାର ସଦର ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଏଥିରେ ଆହୁରି ସମ୍ପୃକ୍ତ ରହିଥିବା ଲୋକଙ୍କୁ ଗିରଫ କରାଯାଉ।’’
ଯୁବତୀ ଝୁନିର ପରିବାର ପକ୍ଷରୁ କୁହାଯାଇଛି,"ମୁନା ସବୁବେଳେ ଆସି ପାଟିତୁଣ୍ଡ କରିବା ସହ ବିବାହ ପାଇଁ ଜିଦ କରୁଥିଲା। ଆଉ ଆମ ପରିବାର ପକ୍ଷରୁ ମନା କରିବା ପରେ ବି ଆମ ଘର ଉପରକୁ ମେ ୧୪ରେ ୩ଟି ବୋମାମାଡ଼ କରି ଫେରାର ହୋଇଯାଇଥିଲା। ପୁଣିଥରେ ୧୬ ତାରିଖ ରାତିରେ ଆସି ଘର ସମ୍ମୁଖରେ ହଙ୍ଗମା କରିବା ବେଳେ ଆମ ପରିବାର ଓ ଗାଁ ଲୋକେ ମୁନାକୁ ସଂଘବଧ ଆକ୍ରମଣ କରିବା ସହ ପିଟିପିଟି ଗୋଡ଼ହାତ ଭାଙ୍ଗି ଦେଇଥିଲା। ପରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ପୋଲିସକୁ ଖବର ଦିଆଯାଇଥିଲା। ଆଉ ପୋଲିସ ତାକୁ ଉଦ୍ଧାର କରି ମେଡ଼ିକାଲ ନେଇଥିଲେ। ତେଣୁ ଆମେ ମୁନାର ବ୍ୟବହାରରେ ଅତିଷ୍ଠ ହୋଇ ଏଭଳି ଆକ୍ରମଣ କରିଥିଲୁ।’’
ସଦର ଥାନା ଅଧିକାରୀ ସୁଶାନ୍ତ ସାହୁଙ୍କ ସୂଚନା ଅନୁଯାୟୀ,"ସଦର ଥାନାରେ ହତ୍ୟା ମାମଲା ଅନୁଯାୟୀ ଆମେ ଗୁରୁବାର ଦିନ ନୂଆଗାଁର ୫୫ ବର୍ଷୀୟ ଭଗବାନ ବିଶ୍ୱାଳ ଓ ତାଙ୍କ ସ୍ତ୍ରୀ ୫୦ ବର୍ଷୀୟ ମଣି ବିଶ୍ୱାଳକୁ ଗିରଫ କରିଥିବା ବେଳେ ହତ୍ୟାରେ ବ୍ୟବହୃତ ଲୁହା ରଡ଼କୁ ମଧ୍ୟ ଜବତ କରିଛୁ। ଏହି ଦମ୍ପତି ଗିରଫ ହୋଇ ଜେଲ ଯାଇଥିବା ବେଳେ ଝୁନି, ତା ଭିଣୋଇ ସୁନୀଲ ପତି , ସେହି ଗାଁର କଂଠିଆ ପଲେଇକୁ ଗିରଫ କରାଯିବ। ତେବେ ୧୬ ତାରିଖ ରାତିରେ ଏମାନେ ମୁନାକୁ ଲୁହା ରଡ଼ରେ ପିଟିପିଟି ମାଡ଼ ମାରି ଗୋଡ଼ ହାତ ଭାଙ୍ଗି ଦେଇଥିବା ବେଳେ ତା ମୁଣ୍ଡରେ ଆଘାତ କରିବାରୁ କଟକ ନେବା ବାଟରେ ତା'ର ମୃତ୍ୟୁ ହୋଇଥିଲା।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।