ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମମିତା ହତ୍ୟା ମାମଲାକୁ ନେଇ ଥମୁନି ରାଜନୀତି; ପ୍ରତିବାଦରେ BJP ମହିଲା ମୋର୍ଚ୍ଚା

ମମିତା ହତ୍ୟା ମାମଲାକୁ ନେଇ ଥମୁନି ରାଜନୀତି; ପ୍ରତିବାଦରେ BJP ମହିଲା ମୋର୍ଚ୍ଚା

ମମିତା ମେହେରଙ୍କ ମୃତ୍ୟୁକୁ ପ୍ରସଙ୍ଗରେ ଶୁକ୍ରବାର ମଧ୍ୟାହ୍ନରେ ଭୁବନେଶ୍ୱର ୧ ନମ୍ବର ସ୍ଥିତ କ୍ୟାପିଟାଲ ଥାନା ପରିସରରେ ପହଞ୍ଚି ଥିଲେ ବିଜେପିର ମହିଳା ମୋର୍ଚ୍ଚା ଟିମ୍ ।

ମମିତା ହତ୍ୟା ମାମଲାକୁ ନେଇ ଥମୁନି ରାଜନୀତି; ପ୍ରତିବାଦରେ BJP ମହିଲା ମୋର୍ଚ୍ଚା
ମମିତା ହତ୍ୟା ମାମଲାକୁ ନେଇ ଥମୁନି ରାଜନୀତି
  • News18 Odia
  • Last Updated: October 23, 2021, 3:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ସନସାଇନ୍‌ ପବ୍ଲିକ୍‌ ସ୍କୁଲର ଯୁବ ଅଧ୍ୟକ୍ଷା ମମିତା ମେହେରଙ୍କୁ ରାଜ୍ୟରେ ଦେଖିବାକୁ ମିଳୁଛି ଅସନ୍ତୋଷ । ସେପଟେ ରାଜନୀତି ମହଲରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ହଇଚଇ । ଗୁରୁବାର ଦିନ ତମାମ ଉଭୟ କଂଗ୍ରେସ ଓ ବିଜେପିର ମହିଳା ସଦସ୍ୟମାନେ ନିଜ ନିଜ ଢ଼ଙ୍ଗରେ ଏହି ଘଟଣାର ପ୍ରତିବାଦ କରିଥିବା ବେଳେ ଶୁକ୍ରବାର ବି ଏହାକୁ ନେଇ ଜୋରଦାର ପ୍ରତିବାଦ କରିଥିଲା ବିଜେପି ମହିଳା ମୋର୍ଚ୍ଚା ।

ଥାନା ଭିତରକୁ ମହିଳା ମୋର୍ଚ୍ଚାର ସଂଖ୍ୟାଧିକ ସଦସ୍ୟ ଧସେଇ ପଶିବା ସହିତ ଥାନା ଭିତରେ ହୋହାଲ୍ଲା କରିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ, ପୋଲିସ ଅଧିକାରୀଙ୍କ ଅନୁରୋଧକୁ ମୋର୍ଚ୍ଚାର ସଦସ୍ୟମାନେ ଗ୍ରହଣ କରି ନ ଥିଲେ ବରଂ ଧମକ ଦେଇଥିଲେ, ଯେ ପର୍ଯ୍ୟନ୍ତ ଘଟଣାର ମୁଖ୍ୟ ପରଦା ପଛର ନାୟକ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଗିରଫ ହୋଇନାହାଁନ୍ତି ଓ ଏହି ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇ ନାହିଁ, ସେ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ।

ଶୁକ୍ରବାର ମଧ୍ୟାହ୍ନରେ ଭୁବନେଶ୍ୱର ୧ ନମ୍ବର ସ୍ଥିତ କ୍ୟାପିଟାଲ ଥାନା ପରିସରରେ ପହଞ୍ଚି ଥିଲେ ବିଜେପିର ମହିଳା ମୋର୍ଚ୍ଚା ଟିମ୍ । ଟିମ୍‌ରେ ସାମିଲ ଥିଲେ ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର, ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ବରିଷ୍ଠ ବିଜେପି ନେତ୍ରୀ ଉର୍ମିଳା ମହାପାତ୍ର ।

ମମିତା ହତ୍ୟା ମାମଲାକୁ ନେଇ ରାଗିଲେ ବିଜେପି ମହିଳା ମୋର୍ଚ୍ଚା


ସେମାନେ ଶାନ୍ତିପୂର୍ଣ୍ଣ ଭାବେ ଦାବିପତ୍ର ଦେବା ପାଇଁ ଆସିଥିଲେ ମଧ୍ୟ ଥାନା ଭିତରକୁ ଧସେଇ ପଶିବା ସହିତ ହୋହାଲ୍ଲା କରିଥିଲେ । ପୋଲିସ ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ । ଫଳରେ କିଛି ସମୟ ପାଇଁ ଥାନା ଭିତରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।

ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଥିଲେ, ‘‘ଆମର ଉଦେଶ୍ୟ ଥିଲା ଶାନ୍ତିପୂର୍ଣ୍ଣ ଭାବେ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା । ଏ ନେଇ ଆମେ ଯେତେବେଳେ ଥାନାକୁ ପ୍ରବେଶ କଲୁ ପୋଲିସ ଆମକୁ ଅଟକାଇବାକୁ ଉଦ୍ୟମ କଲା । ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହେଲା । ଯଦି ପୋଲିସ ଆମକୁ ଶାନ୍ତିରେ ଯିବାକୁ ଦେଇଥାନ୍ତା, ତେବେ ଏଭଳି ପରିସ୍ଥିତି ଉପୁଜି ନ ଥାଆନ୍ତା ।’’

ସେହିଭଳି ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ‘‘ଏତେ ପ୍ରତିବାଦ, ବିରୋଧ ଓ ହୋହାଲ୍ଲା ସତ୍ତ୍ବେ ବି ରାଜ୍ୟ ସରକାର ଘଟଣାର ନିରବଦ୍ରଷ୍ଟା । କେବଳ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗିରଫ କରି ପୋଲିସ ହାତ ବାନ୍ଧି ବସିଛି । କିନ୍ତୁ ଘଟଣା ପଛରେ କିଛି ବଡ଼ ବଡ଼ିଆଙ୍କ ହାତ ଅଛି ଏ କଥାକୁ ଜାଣି ଜାଣି ପୋଲିସ ଅଣଦେଖା କରିବାକୁ ଉଦ୍ୟମ କରୁଛି । ପ୍ରକୃତ କଥା ହେଉଛି ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ପ୍ରଚ୍ଛନ୍ନ ହାତ ରହିଛି । ଯେତେ ଦିନ ପର୍ଯ୍ୟନ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱରେ ସେ ରହିଥିବେ ସେ ପର୍ଯ୍ୟନ୍ତ ତଦନ୍ତ ବାଟବଣା ହେଉଥିବ । ତେଣୁ ସେ ନିଜ ପଦବୀରୁ ଇସ୍ତଫା ଦେବା ଜରୁରୀ। କେବଳ ସେତିକି ନୁହେଁ, ତାଙ୍କ ନାମରେ ଅଭିଯୋଗ ଉଠିଥିବାରୁ ମୁଖ୍ୟ ମନ୍ତ୍ରୀ ତାଙ୍କୁ ପଦବୀରୁ ବହିଷ୍କାର କରନ୍ତୁ ।’’

ବରିଷ୍ଠ ବିଜେପି ନେତ୍ରୀ ଉର୍ମିଳା ମହାପାତ୍ର ଏହି ଘଟଣାକୁ ନିନ୍ଦା କରିବା ସହିତ ସରକାର ଜାଣିଶୁଣି ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସେ କହିଥିଲେ ଯେ ଏତେ ଘଟଣା ହେବା ପରେ, ଗଣମାଧ୍ୟମରେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ପୁଳା ପୁଳା ତଥ୍ୟ ଉପସ୍ଥାପିତ ହେଉଛି । କିନ୍ତୁ ସେ ସବୁକୁ ଅଣଦେଖା କରାଯିବା ଦୁର୍ଭାଗ୍ୟଜନକ । ନୈତିକତା ଦୃଷ୍ଟିରୁ ରାଜ୍ୟ ସରକାର ତୁରନ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରି ନିଜ ସ୍ୱଚ୍ଛତାର ପ୍ରମାଣ ଦେଖାନ୍ତୁ । ଏହି ଘଟଣା ପରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଚୁପ୍ ବସିବ ନାହିଁ ବୋଲି ସେ ଧମକ ଦେଇଥିଲେ ମଧ୍ୟ ।

ମହିଳା ମୋର୍ଚ୍ଚାର ଥାନା ଘେରାଉ ପୂର୍ବରୁ ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପ ସଭାନେତ୍ରୀ ଅର୍ପିତା ଅପରାଜିତା ବଡ଼ଜେନା ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଏଭଳି ଏକ ସ୍ପର୍ଷକାତର ଘଟଣା ଉପରୁ ନଜର ହଟାଇବା ପାଇଁ ସରକାର ଉଦ୍ୟମ କରୁଛନ୍ତି । ଦଳର ମୁଖପାତ୍ରମାନେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନ କରି ବିରୋଧୀ ଦଳ ଭାବେ ବିଜେପି ଉଠାଇଥିବା ପ୍ରସଙ୍ଗକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି । ଏହାକୁ ଯେତେ ନିନ୍ଦା କଲେ ବି କମ୍ ହେବ । ଭଲ ହୋଇଥାଆନ୍ତା ଯଦି ବିରୋଧୀ ବିଜେପିର ଦାବିକୁ ଶାସକ ଦଳ ଯଥାର୍ଥ ବୋଲି କହିଥାନ୍ତି । ତେଣୁ ଶାସକ ଦଳ ଏହି ଘଟଣାକୁ ଯେତେ ଘୋଡ଼ାଇବାକୁ ଉଦ୍ୟମ କଲେ ବି ପ୍ରକୃତ ତଥ୍ୟ ବାହାରକୁ ଆସିବ । ହେଲେ ଏହା ଉପରେ ଶାସକ ଦଳ ପକ୍ଷରୁ ଏଯାବତ କିଛି ବି ପ୍ରତିକ୍ରିୟା ଆସିନାହିଁ ।
Published by: Lipina Das
First published: October 23, 2021, 3:37 PM IST