Make in Odisha; ଆଜି ହାଇଦ୍ରାବାଦରେ ମେକ ଇନ ଓଡ଼ିଶା ଇନଭେଷ୍ଟର ମିଟ
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ଆଜି ହାଇଦ୍ରାବାଦରେ ଅନୁଷ୍ଠିତ ହେବ ମେକ ଇନ ଓଡ଼ିଶା ଇନଭେଷ୍ଟର ମିଟ । ପୁଞ୍ଜିପତିଙ୍କ ସହ ସିଧସଳଖ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ଗତ କାଲି ଠାରୁ ହାଇଦ୍ରାବାଦ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ସିଧାସଳଖ ବଡ ଶିଳ୍ପପତିଙ୍କ ସହ କଥା ହୋଇ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରିବେ । ମାଇକ୍ରୋସଫ୍ଟ, ପିଡବ୍ଲୁସି, ଡେଲୋଏଟ୍, ଭାରତ ବାୟୋଟେକ୍, ଓରାକଲ୍, କିମ୍ସ, ଏସ୍ଏମ୍ଏସ୍ ଫାର୍ମା, ତୋଷାଳି ସିମେଣ୍ଟ୍ସ, ମାଇ ହୋମ୍, ମେଘା ଇଞ୍ଜିନିୟରିଂ, ରାମ୍କି, କଣ୍ଟ୍ରୋଲ୍ ଏସ୍, ଆପୋଲୋ ହସ୍ପିଟାଲ୍ସ ଆଦି ସଂସ୍ଥା ଭଳି ୪୦ ସଂସ୍ଥାର ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ରବିବାର ଦିନ ମୁଖ୍ୟ ସଚିବ ସୁରେଶ ମହାପାତ୍ର ୧୩ଟି ସଂସ୍ଥାର ମୁଖ୍ୟ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।
ଓପୋନ୍ କ୍ୟୁବ୍ ଟେକ୍ନୋଲୋଜିସ୍ର ପ୍ରତିଷ୍ଠାତା ବିନୋଦ ପି, ବିଞ୍ଜ୍ରାଜ୍କା ଭାଲ୍ୟୁ ଷ୍ଟିଲ୍ସର ସିଏମ୍ଡି ଦୀନେଶ ବ୍ରିଞ୍ଜ୍ରାଜ୍କା, ଶ୍ରୀଚକ୍ର ପଲିପ୍ଲାଷ୍ଟ୍ର ସିଇଓ ପି ଭି ରବିନ୍ଦ୍ର, ଜେମିନି ଅଏଲ୍ସ ଆଣ୍ଡ୍ ଫ୍ୟାଟ୍ସର ପରିଚାଳନା ନିର୍ଦେଶକ ପ୍ରଦୀପ ଚୌଧୁରୀ, ରାଧା ଟିଏମ୍ଟିର ଏମ୍ଡି ସୁମନ ସରାଫ, ସୁଧାକର ପାଇପ୍ସର ଏମ୍ଡି ଜୟଦେବ ମେଳା, ଅଗ୍ନିନାଇନ୍ ଗ୍ରୁପ୍ର ଅଧ୍ୟକ୍ଷ ଜି ଭି ସୁରେଶ ବାବୁ, ଏସ୍ଭି ଇକ୍ବିପ୍ମେଣ୍ଟ୍ର ଅଧ୍ୟକ୍ଷ କେ ନାଗେଶ୍ବର ରାଓ, ଏସ୍କେ ଫେବ୍ରିକେସନ୍ସର ଅଧ୍ୟକ୍ଷ କେ କୀରଣ କୁମାର, ପିଏସ୍ଆର୍ ଗ୍ରାନାଇଟ୍ସର ଏମ୍ଡି ସୁମେଘା ଶ୍ୟାମ ଏସ୍ ଓ ଲକ୍ଷ୍ମୀ ସ୍ପିନିଂ ମିଲ୍ସର ଏମ୍ଡି ଆର୍ ରେଡ୍ଡିଙ୍କୁ ସେ ସାକ୍ଷାତ କରିଛନ୍ତି । ସନ୍ଧ୍ୟାରେ ପ୍ରାୟ ୩ଶହ ଶିଳ୍ପ ପ୍ରତିନିଧିଙ୍କୁ ଭେଟିବେ ରାଜ୍ୟ ସରକାରଙ୍କ ପ୍ରତିନିଧି । ଶିଳ୍ପମନ୍ତ୍ରୀ, ଶିଳ୍ପ ସଚିବଙ୍କ ସହ ଅନ୍ୟ ପ୍ରତିନିଧି ବି ଶିଳ୍ପପତିଙ୍କୁ ଭେଟି ଓଡ଼ିଶା ଆମନ୍ତ୍ରଣ କରିବେ । ଓଡ଼ିଶାରେ ପୁଞ୍ଜି ନିବେଶ ନେଇ କଣ ସୁବିଧା ସୁଯୋଗ ରହୁଛି, ସରକାର କଣ ସୁବିଧା ସୁଯୋଗ ଦେଉଛନ୍ତି ସେ ନେଇ ପୁଞ୍ଜିପତିଙ୍କୁ ଅବଗତ କରିବା ସହ ମେକ୍ ଇନ ଓଡ଼ିଶା ତୃତୀୟ ସଂସ୍କରଣରେ ଯୋଗ ନେବାକୁ ଆମନ୍ତ୍ରଣ କରିବେ ।
ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି, ଓଡ଼ିଶାରେ କେମିକାଲ, ପେଟ୍ରୋ କେମିକାଲ,ଆଇଟି,ଖାଦ୍ୟ ପ୍ରକ୍ରିୟକରଣ ଭଳି କ୍ଷେତ୍ରରେ ପୁଞ୍ଜି ନିବେଶ ନେଇ ପର୍ଯ୍ୟାପ୍ତ ସୁବିଧା ରହିଛି । ତେଣୁ ଅଧିକରୁ ଅଧିକ ପୁଞ୍ଜିପତି ଆଗାମୀ ସଂସ୍କରଣରେ ଭାଗ ନେବେ ବୋଲି ସରକାର ଆଶା ରଖିଛନ୍ତି । ପୂର୍ବରୁ ଅନୁଷ୍ଠିତ ହୋଇଯାଇଥିବା ନିବେଶକ ସମ୍ମିଳନୀ ଗୁଡ଼ିକ ଭଳି ହାଇଦ୍ରାବାଦ ସମ୍ମିଳନୀରେ ମଧ୍ୟ ସେ ତିନି ପ୍ରମୁଖ କ୍ଷେତ୍ର ଆଇଟି, ସ୍ବାସ୍ଥ୍ୟ ସେବା ଓ ଫାର୍ମାସ୍ୟୁଟିକାଲ୍, ବୟନ ଓ ପୋଷାକ, ଇଏସ୍ଡିଏମ୍ ଓ ଡାଟା ସେଣ୍ଟର, ଖାଦ୍ୟ ପ୍ରକ୍ରିୟାକରଣ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ନିବେଶକମାନଙ୍କୁ ଆହ୍ୱାନ ଦେବେ ।ଅର୍ଥ ବିଶେଷଜ୍ଞ ତ୍ରିନାଥ ଲେଙ୍କା କହିଛନ୍ତି " ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଅନୁକୂଳ ବାତାବରଣ ରହିଛି । ସଠିକ୍ ସମୟରେ ସରକାର ସଠିକ୍ ପଦକ୍ଷେପ ନେଲେ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଢେର୍ ଆଗକୁ ଯାଇପାରିବ । ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ମଧ୍ୟରେ ଆୟୋଜିତ ହେବ ମେକ ଇନ ଓଡ଼ିଶା ତୃତୀୟ ସଂସ୍କରଣ । ପ୍ରଥମେ ଦୁବାଇ ପରେ ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର ପରେ ଆଜି ହାଇଦ୍ରାବାଦରେ ହେବାକୁ ଯାଉଛି ଇନଭେଷ୍ଟର ମିଟ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।