News 18 Odia Digital
ଭୁବନେଶ୍ୱର: ରାଜ୍ୟକୁ ଅଧିକ ପୁଞ୍ଜିନିବେଶ ଯୋଜନା କରିଛନ୍ତି ସରକାର । ମେକ ଇନ ଓଡ଼ିଶାର ପ୍ରଥମ ଦୁଇ ସଂସ୍କରଣ ଅପେକ୍ଷା ଆଗାମୀ କାର୍ଯ୍ୟକ୍ରମରୁ ସରକାର ଅଧିକ ନିବେଶ ଆଶା ରଖିଛନ୍ତି । ଦୁବାଇରୁ ୨୧ ହଜାର କୋଟି ପ୍ରସ୍ତାବ ପରେ ଅହମଦବାଦ ଓ ଦିଲ୍ଲୀରୁ ବି ଅନୁରୂପ ସଫଳତା ଆଶା ରଖିଛନ୍ତି ସରକାର । ନଭେମ୍ବର ୩୦ରୁ ଡିସେମ୍ବର ୪ ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣ । ଚଳିତ ଥର ପ୍ରାୟ ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ଆଣିବାକୁ ଆଶା ରଖିଛନ୍ତି ରାଜ୍ୟ ସରକାର ।
ଦୁବାଇ ଓ ଅହମଦାବାଦ ପରେ ବୁଧବାର ଦିଲ୍ଲୀରେ ନିବେଶକଙ୍କୁ ଓଡ଼ିଶା ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, ୟୁଏଇ, ସାଉଦି ଆରବ, ବାହାରିନ, ଓମାନ ,ସିଙ୍ଗାପୁର, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ବେଲଜିଅମ, ଆମେରିକା ପରି ୩୦ ଦେଶର ରାଷ୍ଟ୍ରଦୂତଙ୍କ ସହ ୫୦ ରୁ ଉର୍ଦ୍ଧ ଶିଳ୍ପସଂସ୍ଥାର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟରେ ଷ୍ଟିଲ, ଷ୍ଟେନଲେସ ଷ୍ଟିଲ,ଆଲୁମିନିୟମ କେମିକାଲ, ପେଟ୍ରୋକେମିକାଲ , ଟେକ୍ସଟାଇଲ, ଆଇଟି ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନିବେଶ ପାଇ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଭାଗ ନେଇଥିବା ରାଷ୍ଟ୍ରର ଏ ସବୁ କ୍ଷେତ୍ରରେ ଆଗ୍ରହ ଥିବାରୁ ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କରିଛନ୍ତି ସରକାର ।
ରାଜ୍ୟରେ ଶିଳ୍ପ ଅନୁକୂଳ ବାତାବରଣ ସହ ସିଙ୍ଗିଲ ୱିଣ୍ଡୋ ବ୍ୟବସ୍ଥା, ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଭଳି ବ୍ୟବସ୍ଥା ବାବଦରେ ଅବଗତ କରାଯାଇଛି । ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କଣ ସୁବିଧା ଦେଉଛନ୍ତି ଜଣାଇ ରାଜ୍ୟରେ ପୁଞ୍ଜି ଖଟାଇବାକୁ ପ୍ରସ୍ତାବ ଦେଇଛନ୍ତି । ଦୁବାଇ ଇନଭେଷ୍ଟର ମିଟରୁ ପ୍ରାୟ ୨୧ ହଜାର କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଥିବା ବେଳେ ପରେ ଅହମଦାବାଦ ଓ ଦିଲ୍ଲୀ କାର୍ଯ୍ୟକ୍ରମରୁ ସଫଳତା ଆଶା କରିଛନ୍ତି ସରକାର । ବିଶେଷଜ୍ଞଙ୍କ ମତରେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଭରପୁର ସୁଯୋଗ ଥିଲେ ବି ପ୍ରଶାସନିକ ତତ୍ପରତା ନିବେଶକଙ୍କୁ ଆକୃଷ୍ଟ କରିବାରେ ବାଧକ ସାଜୁଛି । ରାଜ୍ୟର ସମ୍ପଦକୁ ବିନିଯୋଗ କରି ଅଧିକ ପୁଞ୍ଜି ଆଣିବାକୁ ପ୍ରୟାସ ଜାରି ରଖିଛନ୍ତି ସରକାର । ଏହି କ୍ରମରେ ପ୍ରଥମ ୨ଟି ମେକ ଇନ ଓଡ଼ିଶା ସଂସ୍କରଣରୁ ୬ ଲକ୍ଷ ୨୬ ହଜାର ୩୫୦ କୋଟି ଟଙ୍କାର ପୁଞ୍ଜିନିବେଶ ଆଗ୍ରହ ପ୍ରସ୍ତାବ ବି ମିଳିଛି ।
ସରକାରଙ୍କ ତଥ୍ୟ ଅନୁସାରେ ୨୦୧୬ରେ ୨ ଲକ୍ଷ ୩ ହଜାର କୋଟି ଓ ୨୦୧୮ରେ ଆସିଛି ୪ ଲକ୍ଷ ୨୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ । ପ୍ରାୟ ୬ ଲକ୍ଷ ନିଯୁକ୍ତି ଆକାଳନ ବି କରାଯାଇଛି । ଏହି ଦୁଇ ସଂସ୍କରଣରେ ମୋଟ ୨୮୬ ଟି ଆଗ୍ରହ ପ୍ରସ୍ତାବ ମଧ୍ୟରୁ ୧୬୪ ଟି ପ୍ରସ୍ତାବକୁ ଅନୁମୋଦନ ଦେଇଛି ସିଙ୍ଗିଲ ୱିଣ୍ଡୋ । ଏଥିରୁ ୧୬ ଟି ବୃହତ୍ ପ୍ରକଳ୍ପ ସ୍ଥାପନ ହୋଇ ଆଂଶିକ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ଯାହାକି ୫୬୪୭ ଟଙ୍କାର ପୁଞ୍ଜିନିବେଶ ସହ ୫୮୭୮ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ପ୍ରସ୍ତାବ ଓ କର୍ଯନ୍ଵୟନରେ ବ୍ୟବଧାନ ନେଇ ପ୍ରଶ୍ନ ଉଠାଇଛନ୍ତି ଅର୍ଥନୀତି ବିଶେଷଜ୍ଞ ଚିତ୍ତ ରଞ୍ଜନ ବେହେରା । ସେ କହିଛନ୍ତି ଜମି ଅଧିଗ୍ରହଣ ସମସ୍ୟା ସହ ଭିତ୍ତିଭୂମି, ଯୋଗାଯୋଗ ଓ ପ୍ରଶାସନିକ ବ୍ୟବସ୍ଥାରେ ଶିଥିଲତା ଯୋଗୁଁ ଶିଳ୍ପ ପ୍ରତିଷ୍ଠାରେ ବାଧକ ସାଜୁଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।