News18 Odia Digital
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପ୍ରଥମ ଥର ଲାଗି ଦୁବାଇରେ ଆୟୋଜନ କରାଯାଇଥିବା ନିବେଶକ ସମ୍ମିଳନୀରେ ରାଜ୍ୟ ସରକାର ୨୧ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିବାରେ ସଫଳ ହୋଇଛନ୍ତି। ଏହି ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୧୯,୦୦୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ରାଜ୍ୟର ଭିତ୍ତିଭୂମି, ଆତିଥେୟତା, ଲଜିଷ୍ଟିକ୍ସ, ରସାୟନ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ପୁଞ୍ଜିନିବେଶ କରିବାକୁ ନିବେଶକମାନେ ପ୍ରସ୍ତାବ ଦେଇଛନ୍ତି। ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ସମସ୍ତ କମ୍ପାନୀ ଓ ସେମାନଙ୍କ ପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶା ଆମନ୍ତ୍ରଣ କରିଛନ୍ତି ଓ ସବୁପ୍ରକାର ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଏହି ନିବେଶକ ସମ୍ମିଳନୀରେ ୟୁଏଇ ଓ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକର ୧୫୦ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିଥିଲେ। ଲୁଲୁ ଗ୍ରୁପ୍, ଏନ୍ବିଟିସି ଗ୍ରୁପ୍, ସରାଫ୍ ଗ୍ରୁପ୍, ଟ୍ବେଣ୍ଟି ଫୋର୍ଟିନ୍ ହୋଲ୍ଡିଂ, ତାବଲେଜ୍ ଗ୍ରୁପ୍, ଶୋଭା ଗ୍ରୁପ୍, ଆରବ ଆଣ୍ଡ୍ ଇଣ୍ଡିଆ ସ୍ପାଇସେସ୍ ଏଲ୍ଏଲ୍ସି ଓ ଡିପି ୱାର୍ଲଡ୍ ଭଳି ଏହି ଅଞ୍ଚଳରେ କାରବାର କରୁଥିବା ପ୍ରମୁଖ କମ୍ପାନୀ ସମ୍ମିଳନୀରେ ଭାଗ ନେଇଥିଲେ।

ନିବେଶକମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶାରେ ପୁଞ୍ଜିନିବେଶ ଲାଗି ବ୍ୟାପକ ସୁଯୋଗ ରହିଛି। ଭାରତର ୯୬% କ୍ରୋମାଇଟ, ୯୨% ନିକେଲ, ୫୩% ବକ୍ସାଇଟ୍, ୪୫% ମାଙ୍ଗାନିଜ, ୩୫% ଲୁହାପଥର ଓ ୨୩% କୋଇଲା ଓଡ଼ିଶାରେ ରହିଛି। ସେଥିପାଇଁ ଇସ୍ପାତ, ଷ୍ଟେନଲେସ୍ ଷ୍ଟିଲ୍, ଫେରୋ ଆଲଏଜ୍, ଆଲୁମିନା ଓ ଆଲୁମିନିୟମ କ୍ଷେତ୍ରର ପ୍ରମୁଖ ସଂସ୍ଥାଗୁଡ଼ିକ ଓଡ଼ିଶାରେ କାରଖାନା ସ୍ଥାପନ କରିଛନ୍ତି। ୪୮୦ କିଲୋମିଟର ଲମ୍ବା ବେଳାଭୂମି ଥିବାରୁ ବନ୍ଦର ସ୍ଥାପନ ଲାଗି ଓଡ଼ିଶା ଏକ ଉପଯୁକ୍ତ ସ୍ଥାନ ଭାବେ ଉଭା ହୋଇଛି। ମାନବ ସମ୍ବଳ କ୍ଷେତ୍ରରେ ଓଡ଼ିଶା ବହୁ ଆଗରେ। ଭାରତର ଶ୍ରେଷ୍ଠ ୧୦୦ ଶିଳ୍ପ ତାଲିମ ପ୍ରତିଷ୍ଠାନ ମଧ୍ୟରେ ଓଡ଼ିଶାର ୧୧ଟି ଅନୁଷ୍ଠାନର ନାମ ରହିଛି। ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରି ପ୍ରକ୍ରିୟା ନିବେଶକମାନଙ୍କ କାର୍ଯ୍ୟକୁ ସହଜ କରିଛି। ରାଜ୍ୟରେ ୧୨୦୦ରୁ ଅଧିକ ଷ୍ଟାର୍ଟଅପ୍ ସଂସ୍ଥା ରହିଛନ୍ତି। ୫-ଟି ଅଧୀନରେ ମଧ୍ୟ ଶିଳ୍ପ ଓ ଭିତ୍ତିଭୂମି ବିକାଶ ଲାଗି ବହୁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନିବେଶକାରୀଙ୍କୁ ଜଣାଇଥିଲେ।
ଏହି ଅବସରରେ ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ବିଶ୍ବସ୍ତରୀୟ ନିବେଶକ ସମ୍ମିଳନୀ ମେକ୍ ଇନ୍ ଓଡ଼ିଶା ୨୦୨୨ ଭୁବନେଶ୍ବରରେ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।