News18 Odia Digital
ପୁରୀ: ଶନିବାର ଧୁମଧାମରେ ପବିତ୍ର ମକର ସଂକ୍ରାନ୍ତି ପାଳନ କରିଛନ୍ତି ଦେଶବାସୀ। ସବୁଠି ଉତ୍ସବର ମାହୋଲୋ। ସେପଟେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ମଧ୍ୟ ବେଶ୍ ଆକର୍ଷଣୀୟ। ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମକର ଚାଉଳ ପ୍ରସାଦ ପାଇବା ପାଇଁ ଅହେତୁକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।
ସେପଟେ ପରମ୍ପରା ଅନୁଯାୟୀ ଗତକାଲି ବାପଘରୁ ଶ୍ରୀମନ୍ଦିର ଲେଉଟିଛନ୍ତି ମା' ଲକ୍ଷ୍ମୀ ଠାକୁରାଣୀ। ସାଙ୍ଗରେ ଆଣିଛନ୍ତି ମକର ଚାଉଳ। ମଧ୍ୟାନ୍ନଧୂପରେ ଲାଗି ହୋଇଛି ମକର ଚାଉଳ ପ୍ରସାଦ। ଏଥି ସହିତ ପବିତ୍ର ଦିବସରେ ମହାପ୍ରଭୁଙ୍କୁ ଲାଗି ହୋଇଛି ସର୍ବବୃହତ ପାନ।
ସେପଟେ ଖାଲି ଶ୍ରୀମନ୍ଦିର ନୁହେଁ ପରମ୍ପରା ଅନୁଯାୟୀ ବିଭିନ୍ନ ମଠବାଡି ଓ ପୁରପଲ୍ଲୀରେ ପାଳିତ ହୋଇଛି ବନ୍ଧୁତ୍ୱର ପର୍ବ ମକର ସଂକ୍ରାନ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମକର ସଂକ୍ରାନ୍ତି ଏକ ପ୍ରମୁଖ ଯାତ୍ରା। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜିଠାରୁ ସୂର୍ଯ୍ୟଦେବଙ୍କର ଆରମ୍ଭ ହୋଇଥାଏ ଉତ୍ତରାୟଣ ଗତି। ଏହି ଉତ୍ତରାୟଣ ସମୟରେ ଧିରେ ଧିରେ ଗରମ ଅନୁଭୁତ ହୋଇଥାଏ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମକର ସଂକ୍ରାନ୍ତି ଏକ ପ୍ରମୁଖ ପର୍ବ ହୋଇଥିବା ବେଳେ ଶ୍ରୀମନ୍ଦିରରେ ପାଳିତ ହେଉଛି ମକରବେଢା।
ଏହି ଅବସରରେ ବିଭିନ୍ନ ସୁଗନ୍ଧିତ ପୁଷ୍ପ, ତୁଳସୀରେ ମାଳଚୂଳ ସହ ଛଅମୁର୍ତ୍ତୀ ଅଳଙ୍କାରରେ ବିଭୁଷିତ ହୋଇ ମକର ଚୌରାସୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଅନୁସାରେ କରାଯାଉଛି ନୀତି।
ଗତକାଲି ରାତିରୁ ଆଲାମଚଣ୍ଡୀ ପକ୍ଷରୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ମକର ଚାଉଳ ଭୋଗ ପାଇଁ ମକରତାଡ ଯୋଗାଇ ଦିଆଯାଇଥିଲା। ଅବକାଶ ନୀତି ପରେ ମହାପ୍ରଭୁ ମକରବେଶ ବା ମକର ଚୌରାଶୀ ବେଶରେ ମଇଲମ ହୋଇଛନ୍ତି। ସେପଟେ ଚୁନରା ସେବାୟତଙ୍କ ପକ୍ଷରୁ ଅଁଳା ବେଢା ଉପରେ ଗେରୁ ରଙ୍ଗରେ ରାମାନନ୍ଦି ଚିତ୍ତା ଅଙ୍କନ ସହ ନିଳଚକ୍ର ମାଜଣା ହୋଇଛି।
ସେପଟେ ଏହି ଅବସରରେ ହଡପନାୟକ ସେବକଙ୍କ ପକ୍ଷରୁ ମହାପ୍ରଭୁଙ୍କୁ ଲାଗି ହୋଇଛି ସର୍ବବୃହତ ଖିଲିପାନ।
ସେପଟେ ଆଜିର ଏହି ପବିତ୍ର ଦିବସରେ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି।। ସେପଟେ ପ୍ରତିଟି ଓଡ଼ିଆଙ୍କ ଘରେ ଘରେ ଆଜି ସୁସ୍ୱାଦୁ ମକର ଚାଉଳ ପ୍ରସ୍ତୁତ କରି ତାକୁ ଭୋଗ କରିବା ପରେ ବନ୍ଧୁ ପରିଜନଙ୍କୁ ବଣ୍ଟନ କରାଯିବାର ପରମ୍ପରା ରହିଛି।
ଅନ୍ୟପଟେ ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥିବା ପହିଲି ଭୋଗ ମକର ସଂକ୍ରାନ୍ତି ଦିନ ଠାରୁ ହିଁ ବନ୍ଦ ହୋଇଥାଏ। କାରଣ ମା' ଲକ୍ଷ୍ନୀ ଠାକୁରାଣୀ ଧନୁ ସଂକ୍ରାନ୍ତି ଠାରୁ ନିଜ ବାପଘରକୁ ଯାଇଥିବାରୁ ମା' ବିମଳା ନିଜ ପୁତ୍ରପାଇଁ ସକାଳୁ ପହିଲି ଭୋଗ ପ୍ରସ୍ତୁତ କରୁଥିଲେ। ଆଉ ଏବେ ଲକ୍ଷ୍ନୀ ସାଆନ୍ତାଣୀ ପ୍ରତ୍ୟାବର୍ତ୍ତନ କରିଥିବାରୁ ଏବେ ମହାପ୍ରଭୁ ମା ଲକ୍ଷ୍ନୀଙ୍କ ହାତରନ୍ଧା ଖାଇବେ ବୋଲି ବିଧି ରହିଛି। ସେପଟେ ଖାଲି ଶ୍ରୀମନ୍ଦିର ନୁହେଁ ମଠବାଡିରୁ ଆରମ୍ଭ କରି ପୁରପଲ୍ଲୀରେ ମକରଚାଉଳ ଭୋଗ କରି ସ୍ନେହ ଓ ବନ୍ଧୁତ୍ୱର ପର୍ବ ପାଳନ କରାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।