ଦୁଇ ପଞ୍ଚାୟତ ବାସିନ୍ଦାଙ୍କ ପାଇଁ ବିପଦ ସାଜିଛି ମହେନ୍ଦ୍ରତନୟା ନଦୀ

ଦୁଇ ପଞ୍ଚାୟତ ବାସିନ୍ଦାଙ୍କ ପାଇଁ ବିପଦ ସାଜିଛି ମହେନ୍ଦ୍ରତନୟା ନଦୀ। ନଦୀ ଉପରେ ପୋଲ ନିର୍ମାଣ ନେଇ ଦାବି କଲେ ୩୦ ଖଣ୍ଡ ଗ୍ରାମବାସୀ ।

ବିପଦ ସାଜିଛି ମହେନ୍ଦ୍ରତନୟା ନଦୀ

ବିପଦ ସାଜିଛି ମହେନ୍ଦ୍ରତନୟା ନଦୀ

  • News18 Odia
  • Last Updated :
  • Brahmapuri (Bramhapuri)
  • Share this:
News 18 Odia Digital

ବ୍ରହ୍ମପୁର: ଭରା ନଈରେ ଜୀବନକୁ ଲାଗିଛି ବାଜି। କେତେବେଳେ ଯେ ପାଣିର ସୁଅ ବଢ଼ିବ ଓ କେଉଁ ପରିସ୍ଥିତି ଉପୁଜିବ ତାହା କହିବା ସମ୍ପୂର୍ଣ୍ଣ ରୂପେ ମୁସ୍କିଲ। ତଥାପି ମଧ୍ୟ ସେଭଳି ବିପଦଜନକ ଭାବେ ନଈ ପାର ହୋଇ ଯାତାୟତ କରୁଛନ୍ତି ଗ୍ରାମବାସୀ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପାତ୍ରପୁର ବ୍ଳକ ତୁମ୍ବା ପଞ୍ଚାୟତରେ।

ତୁମ୍ବା ପଞ୍ଚାୟତ ଓ ବୁରାତାଳ ପଞ୍ଚାୟତର ମଝିରେ ରହିଛି ମହେନ୍ଦ୍ରତନୟା ନଦୀ। ଦୁଇଟି ପଞ୍ଚାୟତର ପ୍ରାୟ ୩୦ ଖଣ୍ଡ ଗାଁ ନଦୀ ଆରପଟେ ରହୁଛି। ଯାହାଫଳରେ ପ୍ରତିଦିନ ନଦୀ ପାର ହୋଇ ଗ୍ରାମବାସୀ ଯାତାୟତ କରୁଛନ୍ତି । ସାଧାରଣ ଦିନରେ ନଦୀରେ ପ୍ରାୟ ଆଣ୍ଠଏ ଲେଖାଏଁ ପାଣି ରହିଥାଏ। ତେଣୁ ଗ୍ରାମବାସୀ ନିଜର ପଞ୍ଚାୟତରେ କୌଣସି କାର୍ଯ୍ୟ ହେଉ ଅଥବା ସ୍କୁଲ, କଲେଜ ସବୁଥିପାଇଁ ଏହି ନଦୀ ପାର ହୋଇ ହିଁ ଯିବାକୁ ପଡ଼ିଥାଏ। ନଚେତ୍ ଆନ୍ଦ୍ର ରାଜ୍ୟ ଦେଇ ବୁଲିବୁଲି ଯିବାକୁ ପଡ଼େ।

ସାଧାରଣ ଦିନରେ କଷ୍ଟେମଷ୍ଟେ ଯାତାୟତ କରିବା ସାମାନ୍ୟ ସମ୍ଭବପର ହେଉଥିବା ବେଳେ ଯେଉଁଦିନ ବର୍ଷା ହୋଇଯାଏ ତେବେ ଯାତାୟତରେ ପଡ଼ିଥାଏ ପୂର୍ଣ୍ଣଚ୍ଛେଦ। ଉପରମୁଣ୍ଡରେ ବର୍ଷା ହେଲେ ନଦୀରେ ପ୍ରାୟ ଅଣ୍ଟାଏ ଉଚ୍ଚର ପାଣି ସୁଅ ମାରିଥାଏ। ତଥାପି ମଧ୍ୟ ବିପଦଜନକ ଭାବେ ନଦୀ ପାର ହେବାକୁ ପଡ଼ିଥାଏ। ଉଭୟ ତୁମ୍ବା ଓ ବୁରାତାଳ ପଞ୍ଚାୟତ କାର୍ଯ୍ୟାଳୟ ନଦୀ ପାର ହେଲେ ହିଁ ପଡ଼ିଥିବା ଯୋଗୁଁ ପ୍ରତିମାସରେ ଅନେକ ବୃଦ୍ଧ ଲୋକେ ଚାଉଳ ଓ ଗହମ ଆଣିବା ପାଇଁ ନଦୀ ପାର ହୋଇ ଯାତାୟତ କରିଥାନ୍ତି। ନଦୀ ପାର ହେବାକୁ ବୃଦ୍ଧମାନଙ୍କୁ ଭୟ ଲାଗୁଥିଲେ ସୁଦ୍ଧା ସେମାନେ ବାଧ୍ୟ ହୋଇ ଯାଇଥାନ୍ତି।

ଦୀର୍ଘ ବର୍ଷ ହେଲା ଏଭଳି ଦୁଇଟି ପଞ୍ଚାୟତର ଗ୍ରାମବାସୀ ବିପଦପୂର୍ଣ୍ଣ ଯାତ୍ରା କରୁଥିବା ନେଇ ସ୍ଥାନୀୟ ଜନପ୍ରତିନିଧି ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ଜଣାଇ ଦିଆଯାଇଛି। ଅନେକ ସମୟରେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଆସି ସ୍ଥିତି ପରଖୁଛନ୍ତି କିନ୍ତୁ କାର୍ଯ୍ୟାନୁଷ୍ଠାନୁ ଶୂନ। ସେହିପରି ସ୍ଥାନୀୟ ଜନପ୍ରତିନିଧିମାନେ ମଧ୍ୟ ଗ୍ରାମବାସୀଙ୍କ ଏହି ସମସ୍ୟାକୁ ଦୃଷ୍ଟି ଦେଉନଥିବା ମଧ୍ୟ ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି ତୁମ୍ବାର ସମିତି ସଭ୍ୟ ନାରାୟଣ ନାୟକ।

ପାତ୍ରପୁର ବ୍ଳକର ତୁମ୍ବା ଓ ବୁରାତାଳ ହେଉଛି ଆଦିବାସୀ ଓ ପାହାଡ଼ିଆ ଅଞ୍ଚଳ। ତୁମ୍ବା ପଞ୍ଚାୟତରେ ୧୨ଟି ୱାର୍ଡ ରହିଥିବା ବେଳେ ବୁରାତାଳ ପଞ୍ଚାୟତରେ ରହିଛି ୧୧ଟି ୱାର୍ଡ । ମହେନ୍ଦ୍ରତନୟା ନଦୀ ଆରପଟେ ତୁମ୍ବା ପଞ୍ଚାୟତର ୩ଟି ୱାର୍ଡ ରହିଥିବା ବେଳେ ବୁରାତାଳ ପଞ୍ଚାୟତର ୪ଟି ୱାର୍ଡ ରହିଛି। ଦୁଇଟି ପଞ୍ଚାୟତର ୭ଟି ୱାର୍ଡରେ ପ୍ରାୟ ୩୦ ଖଣ୍ଡ ଗାଁ ରହିଛି।ତେବେ ଦେଖିବା କଥା ୩୦ ଖଣ୍ଡ ଗାଁର ଗ୍ରାମବାସୀଙ୍କ ଅସୁବିଧା ଉପରେ ସରକାର କେବେ ନଜର ପଡ଼ୁଛି ଓ କେବେ ମହେନ୍ଦ୍ରତନୟା ନଦୀ ଉପରେ ପୋଲ ନିର୍ମାଣ ହେଉଛି ତାହାକୁ ନେଇ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି।
Published by:Soumyashree Mishra
First published: