ବଡ଼ଦାଣ୍ଡରେ ‘ପାଗଳ’ ହୋଇ ବୁଲୁଥିବା ସୁଜିତଙ୍କୁ ମିଳିଲା ପୁରୁଣା ସାଙ୍ଗମାନଙ୍କ ସାହାଯ୍ୟ; ଏବେ ଚ଼ିକିତ୍ସା ଚ଼ାଲିଛି

ଅର୍ଦ୍ଧଉଲଗ୍ନ ଅବସ୍ଥାରେ ପୁରୀ ବଡ଼ଦାଣ୍ଡରେ ଦଶ ବର୍ଷ ହେଲା ବୁଲୁଥିଲେ ସେ । OAS ପରୀକ୍ଷା ଦେଇ ସଫଳତା ନ ପାଇବାରୁ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ହେଲେ ଏବେ ତାଙ୍କର ଚ଼ିକିତ୍ସା ଚ଼ାଲିଛି କଟକର SCB ହସ୍ପିଟାଲରେ । ଏହା କରାଉଛନ୍ତି ତାଙ୍କର ସ୍କୁଲ ଓ କଲେଜ ସମୟର ସାଙ୍ଗମାନେ ।

ବଡ଼ଦାଣ୍ଡରେ ‘ପାଗଳ’ ହୋଇ ବୁଲୁଥିବା ସୁଜିତଙ୍କୁ ମିଳିଲା ପୁରୁଣା ସାଙ୍ଗମାନଙ୍କ ସାହାଯ୍ୟ; ଏବେ ଚ଼ିକିତ୍ସା ଚ଼ାଲିଛି
ବଡ଼ଦାଣ୍ଡରେ ବୁଲୁଛନ୍ତି ସୁଜିତ ପାଢ଼ୀ
  • News18 Odia
  • Last Updated: February 22, 2020, 11:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଓ.ଏ.ଏସ୍‌. (OAS) ପରୀକ୍ଷା ଦେଇ ସଫଳତା ନ ପାଇବାରୁ ମାନସିକ ଭାରସାମ୍ୟ ହରାଇ ପୁରୀ ବଡ଼ଦାଣ୍ଡରେ ଅର୍ଦ୍ଧଉଲଗ୍ନ ଅବସ୍ଥାରେ ଦଶ ବର୍ଷ ହେଲା ବୁଲୁଥିଲେ ସେ । ହେଲେ ଏବେ ତାଙ୍କ ସ୍କୁଲ୍‌ ଓ କଲେଜ ସମୟର ବନ୍ଧୁମାନେ ମିଶି ତାଙ୍କର ଚ଼ିକିତ୍ସା କରାଇ ତାଙ୍କୁ ପୂରା ସୁସ୍ଥ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

ପୁରୀ ବଡ଼ଦାଣ୍ଡରେ ‘‘ପାଗଳ ଲୋକ’’ ଭାବେ ଜଣାଶୁଣା ଏହି ସୁଜିତ ପାଢ଼ୀ ହୋଉଛନ୍ତି ଅଭିଜାତ ପରିବାରରେ ବଢ଼ିଥିବା ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି । ରେଭେନ୍ସା କଲେଜରୁ ଇକୋନୋମିକ୍ସରେ ପିଜି କରିବା ପରେ ସେ ଓ.ଏ.ଏସ୍‌. ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ପରୀକ୍ଷା ଦେଇଥିଲେ । ହେଲେ ସେଥିରେ ବାରମ୍ବାର ଅକୃତକାର୍ଯ୍ୟ ହେବାରୁ ମାନସିକ ଭାରସାମ୍ୟ ହରାଇ ନିଜ ପରିବାର ଲୋକଙ୍କ ସହ ସେ ଦୁର୍ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ । ତାଙ୍କ ଉତ୍ପାତରେ ଅତିଷ୍ଠ ହୋଇ ପରିବାର ଲୋକେ ଶେଷରେ ପାଞ୍ଚ ବର୍ଷ ତଳେ ଘର ଛାଡ଼ି ଚ଼ାଲିଯାଇଥିଲେ ବୋଲି କହିଛନ୍ତି ତାଙ୍କ ପଡ଼ୋଶୀମାନେ ।

ସୁଜିତ ଏକା ରହୁଥିବା ପୁରୀ ବଡ଼ଶଙ୍ଖ ନୂଆସାହିର ସେହି ଘରଟିର ପରିତ୍ୟକ୍ତ ଓ ଆବର୍ଜନାପୂର୍ଣ ଦୃଶ୍ୟ ଦେଖିଲେ ସେଠି କୌଣସି ମାନସିକଭାବେ ସୁସ୍ଥ ମଣିଷ ରହୁଥିବ ବୋଲି କେହି କହିବେ ନାହିଁ । ସୁଜିତଙ୍କ ଏମିତି ସ୍ଥିତି ବିଷୟରେ ଜାଣିବା ପରେ କିଛି ବନ୍ଧୁ ତାଙ୍କୁ ସାହାଯ୍ୟ କରି ପୁଣି ପୂର୍ବର ସାଧାରଣ ସ୍ଥିତିକୁ ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଛନ୍ତି । ସେହି ବନ୍ଧୁମାନଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ୱର-କଟକ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

ଜାଗର ଦିନ ସୁଜିତଙ୍କ ସେହି ଘରେ ପହଞ୍ଚି କିଛି ବନ୍ଧୁ ତାଙ୍କୁ ବଡ଼ କଷ୍ଟରେ ବୁଝାଇ ସୁଝାଇ ପୁରୀରୁ ଆମ୍ବୁଲାନ୍ସ ଯୋଗେ କଟକର ଏସ୍‌.ସି.ବି. ହସ୍ପିଟାଲକୁ ଆଣିଥିଲେ । ସେଠାରେ ଏବେ ତାଙ୍କର ଚ଼ିକିତ୍ସା ଚ଼ାଲିଛି । ତାଙ୍କ ଚ଼ିକିତ୍ସା ଭଲରେ କରାଇ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ପାଇଁ ଏହି ସାଙ୍ଗମାନେ ଏକ ହ୍ୱାଟସଆପ୍‌ ଗୃପ୍‌ ବନେଇ ତାଙ୍କୁ ସହାୟତା ଯୋଗାଇ ଦେଉଛନ୍ତି ।

ସୁଜ଼ିତଙ୍କୁ ତାଙ୍କ ସାଙ୍ଗମାନେ ପୁରୀ ହସ୍ପିଟାଲକୁ ନେଉଛନ୍ତି ।


‘‘ଉଚ୍ଚଶିକ୍ଷିତ ପାଗଳ ସୁଜିତ ପାଢ଼ୀ ନିଜ ଘର ପୁରୀ ବଡଶଙ୍ଖ ନୂଆସାହିରୁ ବାହାରି ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବୁଲାବୁଲି କରନ୍ତି । ଭୋକ ହେଲେ ଯେ କୌଣସି ଦୋକାନକୁ ଯାଇ ମାଗିକି ଖାଆନ୍ତି । ସାଙ୍ଗ ସାଥୀ ଦେଖିଲେ ସେ ସେମାନଙ୍କୁ ନାଁ ଧରି ଡାକି ଚ଼ା ପିଇବାକୁ ଓ ଭୋଜନ କରେଇବାକୁ ଅନୁରୋଧ କରନ୍ତି । କାହାକୁ ମାରଧର କରନ୍ତି ନାହଁ । ଗଲା ଦଶ ବର୍ଷ ହେବ ସେ ଏଭଳି ପାଗଳାମୀଭରା ଆଚରଣ କରିଆସୁଛନ୍ତି,’’ କହିଛନ୍ତି ସୁଜିତଙ୍କର ସ୍କୁଲ ସାଙ୍ଗ ତଥା ସାହି ବାସିନ୍ଦା ପ୍ରସନ୍ନ ମହାପାତ୍ର ।

ସୁଜିତଙ୍କୁ ଜାଣିଥିବା ଲୋକେ କହନ୍ତି ତାଙ୍କ ବାପା ଷ୍ଟେସନ ମାଷ୍ଟର ଥିଲେ ଓ ତାଙ୍କ ମା’ ଶହେ ବର୍ଷ ତଳେ ମାଟ୍ରିକ ପାସ୍‌ କରିଥିଲେ, ଅର୍ଥାତ୍‌ ଶିକ୍ଷିତ ଓ ସମ୍ଭ୍ରାନ୍ତ ପରିବାରର ଥିଲେ । ସୁଜିତଙ୍କ ତିନି ଭାଇ ଓ ତିନି ଭଉଣୀ ସରକାରୀ ସ୍ତରରେ ବେଶ୍‌ ଉଚ୍ଚ ପଦ ପଦବୀରେ ଅଛନ୍ତି ।

‘‘ବଡ଼ଦାଣ୍ଡରେ ଆମର ଉଚ୍ଚଶିକ୍ଷିତ ସାଙ୍ଗ ସୁଜିତ ଏମିତି ବୁଲୁଥିବା ଜାଣିବା ପରେ ଭୁବନେଶ୍ୱରରୁ ଆମେ ପୁରୀ ଆସି ଜାଗର ସକାଳୁ ତାଙ୍କୁ ଖୋଜିଥିଲୁ । ସିଂହଦ୍ୱାର ପାଖରୁ ତା’ ପିଛା କରି ଆସି ତା ଘରେ ପହଞ୍ଚିଥିଲୁ । ସେ ଆମ ସହିତ ଆସିବାକୁ ନ ମଙ୍ଗିବାରୁ ଆମେ ଚ଼ାରି ପାଞ୍ଚ ଜଣ ସାଙ୍ଗ ତା’ ହାତ ବାନ୍ଧି ପ୍ରଥମେ ଅଟୋରେ ପୁରୀ ମେଡିକାଲ ନେଇଥିଲୁ । ସେଠୁ ଗୋଟେ ଆମ୍ବୁଲାନ୍ସରେ ଏସ୍‌.ସି.ବି. ହସ୍ପିଟାଲକୁ ନେଇଥିଲୁ । ସେଠି ଆମର ଦୁଇ ଜଣ ସାଙ୍ଗ ମନସ୍ତାତ୍ୱିକ ବିଶେଷଜ୍ଞ ଥିବାରୁ ସେମାନେ ସୁଜିତକୁ ଚ଼ିକିତ୍ସା କରି ଭଲ କରିଦେବାକୁ ପ୍ରତିଶୃତି ଦେଇଛନ୍ତି,’’ କହିଛନ୍ତି ସୁଜିତଙ୍କ ରେଭେନ୍ସା କଲେଜ ସମୟର ସାଙ୍ଗ ବିଭୁ ସୁବୁଦ୍ଧି ।

ସୁଜ଼ିତଙ୍କୁ ଏକ ଆମ୍ବୁଲାନ୍ସରେ କଟକ ବଡ଼ ମେଡିକାଲକୁ ନିଆଯାଉଛି ।


ସବୁ ସାଙ୍ଗ ଏବେ ପାଳି କରି ହସ୍ପିଟାଲରେ ସୁଜିତଙ୍କର ସେବା କରୁଛନ୍ତି । ସେ ସମ୍ପୁର୍ଣ ସୁସ୍ଥ ହେବା ପର୍ୟ୍ୟନ୍ତ ଏମିତି କରୁଥିବେ ବୋଲି କହିଛନ୍ତି ସେମାନେ । ପୁରୁଣା ବନ୍ଧୁମାନଙ୍କର ଏମିତି ବଡ଼ପଣରେ ଅଭିଭୁତ ହୋଇଛନ୍ତି ସୁଜିତଙ୍କ ପଡ଼ୋଶୀ ଓ ସମ୍ପର୍କୀୟମାନେ ।

‘‘ସେ (ସୁଜିତ) ଉଚ୍ଚଶିକ୍ଷିତ ଓ ସରଳ ବିଶ୍ୱାସୀ ଥିଲେ । ପାଠ ପଢାରେ ପ୍ରବୀଣ ଥିଲେ । ତାଙ୍କ ପରିବାରର ସମସ୍ତେ ଉଚ୍ଚଶିକ୍ଷିତ । ସେ ଅନେକ ପରୀକ୍ଷା ଦେବା ପରେ ସଫଳ ନ ହେବାରୁ ମାନସିକ ବିକାରଗସ୍ତ ହୋଇପଡିଥିଲେ । ଦିନେ ସେ ତାଙ୍କ ମା’ଙ୍କୁ ଟଙ୍କା ମାଗିଲେ, ଆଉ ସେ ନ ଦେବାରୁ ତାଙ୍କ ତଣ୍ଟି ଚ଼ିପି ମାରିଦେବାକୁ ଉଦ୍ୟମ କରିଥିଲେ । ସୁଜିତଙ୍କ ବାପା ଆସି ତାଙ୍କ ମାଆଙ୍କୁ ବଞ୍ଚାଇଥିଲେ । ତା’ ପରେ ପରେ ପରିବାର ଲୋକେ ସୁଜିତକୁ ଘରେ ଏକୁଟିଆ ଛାଡି ଚ଼ାଲିଯାଇଥିଲେ, ଆଉ କେଡ଼େ ସୁନ୍ଦର ସେ ଭୁତ ବଙ୍ଗଳା ହୋଇଯାଇଥିଲା,’’ କହିଛନ୍ତି ବଡ଼ଶଙ୍ଖ ନୂଆସାହିର ସୁଜିତଙ୍କର ପଡୋଶୀ ଜମ୍ବେଶ୍ୱର ସ୍ୱାଇଁ ।

ସୁଜିତ ଅନେକ ସମୟରେ ସେହି ଘରେ ମଳତ୍ୟାଗ ଓ ପରିସ୍ରା କରୁଥିବାରୁ ଘରଟି ଦୁର୍ଗନ୍ଧମୟ ଥାଏ ବୋଲି କହିଛନ୍ତି ତାଙ୍କୁ ଜାଣିଥିବା କିଛି ଲୋକ । ତାଙ୍କ ପରିବାର ଲୋକେ ତାଙ୍କର ଉପଯୁକ୍ତ ଚ଼ିକିତ୍ସା ନ କରାଇ ଅବହେଳା କରିବାରୁ ସେ ସମ୍ପୂର୍ଣ୍ଣ ପାଗଳ ହୋଇଗଲେ ବୋଲି ବି କେତେକ କହନ୍ତି ।

‘‘ପିଲାଟି ବେଳୁ ସୁଜିତ ଅତି ଭଦ୍ର ଥିଲା । ଏବେ ଯେମିତି ପାଗଳ ହୋଇ ବୁଲୁଥିଲା କେଉଁଦିନ ସେ ମରିଯାଇଥାନ୍ତା । ତେଣୁ ତା’ ସାଙ୍ଗସାଥୀ ସଠିକ୍‌ ବେଳେ ପ୍ରକୃତ ବନ୍ଧୁର ପରିଚୟ ଦେଇଛନ୍ତି । ଯେଉଁଠି ନିଜ ପରିବାର ଅବହେଳା କଲା, ସେଠି ସାଙ୍ଗମାନଙ୍କର ଏଭଳି ପ୍ରୟାସ ଆଜି ତାଙ୍କୁ ନୁଆ ଜୀବନ ଦେବ । ସେ ଭଲ ହୋଇ ସୁସ୍ଥ ହୋଇ ପୁଣି ନିଜ

ଘରକୁ ଆସନ୍ତୁ ଓ ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ । ସେ ଜଣେ ପରୋପକାରୀ ବ୍ୟକ୍ତି; ପିଲାମାନଙ୍କୁ ବିନା ପାରିଶ୍ରମିକରେ ଗଣିତର ଟ୍ୟୁସନ ପଢାନ୍ତି,’’ କହିଛନ୍ତି ସୁଜିତଙ୍କ ସାହି ବାସିନ୍ଦା ଦିବାକର ଆଚ଼ାର୍ଯ୍ୟ ।

ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତିଙ୍କ ‘ସମ୍ଭାଷ’ ଖବରକାଗଜରେ ସୁଜିତ ଏକଦା ସବ୍‌-ଏଡିଟର ଭାବେ କାର୍ଯ୍ୟ କରିଥିଲେ । ଆଜି ସୁଜିତଙ୍କର ଏଭଳି ଅବସ୍ଥା ବିଷୟରେ ଜାଣି ଦୁଃଖ ପ୍ରକାଶ କରିଛନ୍ତି ମହେଶ୍ୱର । ‘‘ସୁଜିତଙ୍କ ଚ଼ିକିତ୍ସା ଭଲରେ ହେଉ । ତାଙ୍କ ସାଙ୍ଗମାନଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ । ସେ ସୁସ୍ଥ ହୋଇ ଯାଆନ୍ତୁ ବୋଲି ଭଗବାନଙ୍କ ନିକଟରେ ମୋ’ର ପ୍ରାର୍ଥନା,’’ କହିଛନ୍ତି ମହେଶ୍ୱର ମହାନ୍ତି  ।

ପୁରୀରେ ବି.ଟେକ୍‌. ଭିକାରୀ ଗିରିଜା ଶଙ୍କର ଦାସଙ୍କ ପରେ ଏବେ ଉଚ୍ଚଶିକ୍ଷିତ ପାଗଳ ସୁଜିତ ପାଢ଼ୀଙ୍କୁ ନେଇ ଚର୍ଚ୍ଚା ଚ଼ାଲିଛି । ତେବେ ଏମାନେ ନିଜ ଦୋଷରୁ ନା ପାରିବାରିକ ଅବହେଳାରୁ ଏଭଳି ପରିସ୍ଥିତିରେ ପଡ଼ିଛନ୍ତି ତାହା ବିତର୍କର ବିଷୟ ହୋଇ ଠିଆ ହୋଇଛି । ସୁଜିତଙ୍କ କ୍ଷେତ୍ରରେ ତାଙ୍କ ସାଙ୍ଗମାନଙ୍କ ପ୍ରଚ଼େଷ୍ଟାର ସବୁଠି ଭୂରିଭୂରି ପ୍ରଶଂସା ହେଉଛି ।
First published: February 22, 2020, 11:00 PM IST