News 18 Odia Digital
ଗଞ୍ଜାମ; ଭାରତରେ ଲମ୍ପି ଭାଇରସ୍ ଏବେ ସରକାରଙ୍କ ଚିନ୍ତା ବଢ଼ାଇଛି । ଗତ ୨୦୧୯ ଅଗଷ୍ଟରେ ଓଡ଼ିଶାରେ ଏହି ଭାଇରସ୍ ଦେଖିବାକୁ ମିଳିଥିଲା । ଏବେ ଦେଶର ୧୦ଟି ରାଜ୍ୟରେ ଗାଈ ଗୋରୁଙ୍କ ଦେହରେ ଏହି ଭାଇରସ୍ ଚିହ୍ନଟ କରାଯାଇଥିବା ବେଳେ ଗଂଜାମ ଜିଲ୍ଲାର ସମସ୍ତ ଅଂଚଳରେ ଏବେ ଏହା ବ୍ୟାପିବାରେ ଲାଗିଛି । ଯାହାକୁ ନେଇ ପଶୁ ସମ୍ପଦ ବିଭାଗ ଏହାକୁ ରୋକିବା ପାଇଁ ଗୋପାଳମାନଙ୍କୁ ସଚେତନ ରହିବାକୁ ନିବେଦନ କରିଛି ।
ଗଂଜାମ ଜିଲ୍ଲାର ସାନଖେମୁଣ୍ଡି ଅଂଚଳରେ ପ୍ରଥମେ ଲମ୍ପିଂ ଭାଇରସ୍ ଚିହ୍ନଟ ହେବା ପରେ ପୁରା ଜିଲ୍ଲାରେ ଏବେ ଏହା ବ୍ୟାପିବାରେ ଲାଗିଛି । ଆସିକା , କବିସୂର୍ଯ୍ୟନଗର , ପୋଲସରା , ଭଂଜନଗର ଅଞ୍ଚଳ ସମେତ ସମସ୍ତ ଅଞ୍ଚଳରେ ଏହି ଭାଇରାସର ଲକ୍ଷଣ ଦେଖିବାକୁ ମିଳିଛି । ଯାହାକୁ ନେଇ ଗାଁ ଗୁଡ଼ିକରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି । ଜିଲ୍ଲାର ବିଭିନ୍ନ ବ୍ଲକର ପ୍ରତ୍ୟେକ ଗାଁରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗାଈ ଗୁଡିକ ଖାଦ୍ୟ ଛାଡି ଅସୁସ୍ଥ ହୋଇପଡୁଥିବାର ଅଭିଯୋଗ ହେଲାଣି । ଏମିତି କି ଏହି ରୋଗରେ ପୀଡିତ ହୋଇ ଅନେକ ଗାଇ ମଧ୍ୟ ମୃତ୍ୟୁବରଣ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଗୋପାଳକ ମାନେ ଏଵେ ଏହି ରୋଗରୁ ନିଜ ଗାଈ ଗୋରୁଙ୍କୁ କିଭଳି ସୁରକ୍ଷିତ ରଖିବେ ତାକୁ ନେଇ ଚନ୍ତାରେ ପଡିଗଲେଣି । ତେବେ ତୁରନ୍ତ ରାଜ୍ୟ ସରକାର ଏଥିପ୍ରତି ନଜର ଦେବା ସହ ଗାଈ ଗୋରୁ ମାନେ କିଭଳି ସୁରକ୍ଷିତ ରହିପାରିବେ ସେନେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଆସିକା ଵାବନପୁର ଗାଁର ଗୋପାଳକ ମିଟୁ ପ୍ରଧାନ ।
ଏମିତି କି ଏହି ରୋଗ ବ୍ୟାପିଥିଲେ ମଧ୍ୟ ଆସିକା ଅଂଚଳରେ ଥିବା ପଶୁ ଚିକିତ୍ସକ କୌଣସି ପ୍ରକାର ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଗୋପାଳକ । ରୋଗକୁ ନିରାକରଣ ତ ଦୂରର କଥା ସୂଚନା ଦେଲେ ବି କୌଣସି ପ୍ରକାର ପଶୁ ଚିକିତ୍ସକ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳର ଗୋପାଳକମାନେ ଏବେ ଲମ୍ପିଂ ଭାଇରସକୁ ନେଇ ଆତଙ୍କିତ ହୋଇପଡିଲେଣି ।
ଏପଟେ ଜିଲ୍ଲାର ସମସ୍ତ ଅଞ୍ଚଳରେ ଏହି ଭାଇରସ କାୟା ବିସ୍ତାର କରିଥିବା ଜିଲ୍ଲା ପଶୁ ସମ୍ପଦ ବିଭାଗର ଜିଲ୍ଲା ଅଧିକାରୀ ଦେବରାଜ ବେହେରା ସୂଚନା ଦେଇଥିବା ବେଳେ କେବଳ ସଚେତନ ରହିଲେ ହିଁ ଏହାକୁ ରୋକାଯାଇ ପାରିବ ବୋଲି ବିଭାଗ ସୂଚନା ଦେଇଛନ୍ତି । ତେବେ ଏହି ରୋଗକୁ ନିରାକରଣ କରିବାକୁ ହେଲେ ସଚେତନ ହୋଇ ଗାଈ ଗୋରୁଙ୍କୁ ସୁରକ୍ଷିତ ରଖିପାରିଲେ ଏହା ଆପେ ଆପେ ଉଭେଇ ଯିବ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।