News18 Odia Digital
ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଗତକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୨୦ ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବ। ଯାହାର ପ୍ରଭାବରେ ଉପକୂଳରେ ପାଣିପାଗ ବଦଳିଥିବାବେଳେ ଆଜିଠୁ ବର୍ଷା ଆରମ୍ଭ ହୋଇଛି। ଏନେଇ ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ଆଜି କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ନୟାଗଡ଼, କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି, ଭଦ୍ରକ, ଯାଜପୁର, ବାଲେଶ୍ଵର ଓ ମୟୁରଭଞ୍ଜରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ସେହିଭଳି ୧୯ ତାରିଖରେ ୧୭ ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଥିବାବେଳେ ୨୦ ତାରିଖରେ ୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଓ ୧୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ୨୧ରେ ମଧ୍ୟ ବର୍ଷା ଅଧିକ ରହିବ। ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ସାଗରରେ ପବନର ବେଗ ୪୫ ରୁ ୫୫ କିମି ବେଗ ରହିବ। ଫଳରେ ୨୦ ରୁ ୨୨ ତାରିଖ ମଧ୍ୟରେ ମତ୍ସ୍ୟଜୀବୀମାନେ ସମୁଦ୍ର ନ ଯିବାକୁ ସତର୍କ କରାଯାଇଛି।
ତେବେ ଲଘୁଚାପ କ୍ଷେତ୍ର ୨୧ ତାରିଖ ବେଳକୁ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ଅଧିକ ରହୁଛି। ଯାହା ଓଡିଶା ଉପକୂଳ ଦେଇ ଅତିକ୍ରମ କରିବ। ପରବର୍ତ୍ତୀ ସମୟରେ ଓଡିଶା ଉପକୂଳ ଅତିକ୍ରମ କରି ଛତିଶଗଡ଼ ମୁଁହା ହେବ। ଓଡିଶା ଉପକୂଳ ଅତିକ୍ରମ କରିବା ସମୟରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡିଶାରେ ୨୦ ଓ ୨୧ ତାରିଖରେ ଅଧିକ ବର୍ଷା ହେବ। ଛତିଶଗଡ଼ ମୁଁହା ହେବା ବେଳେ ପଶ୍ଚିମ ଓଡ଼ିଶାରେ ୨୨ ତାରିଖରେ ଅଧିକ ବର୍ଷା କରାଇବ। ଏହା ପରେ ଅକ୍ଟୋବର ପ୍ରଥମ ସପ୍ତାହ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ବଙ୍ଗୋପସାଗରରେ ସୃଷ୍ଟି ହେବା ନେଇ ମଧ୍ୟ ଆକଳନ କରିଛନ୍ତି ପାଣିପାଗ ଵିଶେଷଜ୍ଞ।
ମୌସୁମୀ ନିମ୍ନ-ଚାପ ରେଖା ରାଜସ୍ଥାନର ଗଙ୍ଗାନଗରରୁ ବାହାରି ହିସ୍ସାର, ମିରଟ,ଲକ୍ଷ୍ନୌ, ଗୟା, ପୁରୁଲିଆ ଦେଇ ପଶ୍ଚିମବଙ୍ଗର ଦିଘା ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଯାହାର ପ୍ରଭାବରେ ଆଜି ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ସହ ବର୍ଷା ହେବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।