News18 Odia Digital
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମ ବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ମଧ୍ୟ ପ୍ରଦେଶ ମୁହାଁ ହୋଇଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟ ହେବାକୁ ଥିବା ଏହି ଲଘୁଚାପ ପ୍ରଭାବରେ ୯ ଓ ୧୦ ତାରିଖରେ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ପାଣିପାଗ ବିଭାଗର ଆକଳନ ଅନୁସାରେ ୯ ତାରିଖରେ କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ ଓ ସୋନପୁରରେ ଅତି ପ୍ରବଳ ଓ ନୂଆପଡା, ନବରଙ୍ଗପୁର, ସମ୍ବଲପୁର, କୋରାପୁଟ, ଗଞ୍ଜାମ ଓ ନୟାଗଡ଼ର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ସେହିପରି ୧୦ ତାରିଖରେ ଗଜପତି, ଗଞ୍ଜାମ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ନବରଙ୍ଗପୁରରେ ଅତି ପ୍ରବଳ ଓ କୋରାପୁଟ, ରାୟଗଡ଼ା, ବୌଦ୍ଧ ଓ ମାଲକାନଗିରିରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଲଘୁଚାପ ମଧ୍ୟ ପ୍ରଦେଶ ମୁହାଁ ହୋଇଥିଲେ ବି ବର୍ତ୍ତମାନ ମୌସୁମୀ ଟ୍ରଫ୍ ଥିବାରୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ ବୋଲି କୁହାଯାଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ. ଆର. ବିଶ୍ୱାସ କହିଛନ୍ତି, ‘‘ଜୁନ ପ୍ରଥମରୁ ଅଗଷ୍ଟ ୬ ମଧ୍ୟରେ ସ୍ୱାଭାବିକ ଠୁ ୧୧ ପ୍ରତିଶତ ବର୍ଷା କମ ହୋଇଛି। ଯେଉଁଠି ନିଆଣ୍ଟିଆ ବର୍ଷା ଥିଲା ଏହି ତିନି ଦିନରେ ପ୍ରାୟ ଭରଣା ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ୨୦ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୧୦ ଜିଲ୍ଲାରେ ସାମାନ୍ୟ ନିଅଣ୍ଟିଆ ରହିଛି ।’’

ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ. ଆର. ବିଶ୍ୱାସ
ନୂଆ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ସତର୍କ ହୋଇଛନ୍ତି ସରକାର। ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ରାଜସ୍ବ ମନ୍ତ୍ରୀ କହିଛନ୍ତି ଗତ ଦୁଇରୁ ତିନି ଦିନ ଭିତରେ ଭଲ ବର୍ଷା ହୋଇ ୧୯୬ ବ୍ଲକରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି, ଯାହାକି ଚାଷ ପାଇଁ ବେଶ ସହାୟକ ହେବ । ଆଉ କିଛି ଜିଲ୍ଲାରେ ଯେଉଁଠି ବର୍ଷା ହୋଇନି ଆଗାମୀ ଲଘୁଚାପ ବର୍ଷା ଥିବାରୁ କିଛି ଅସୁବିଧା ନାହିଁ । କିନ୍ତୁ ବର୍ତ୍ତମାନ ବର୍ଷାଜନିତ କ୍ଷୟକ୍ଷତି ନେଇ ଆଶଙ୍କା ନାହିଁ । ଯଦି କେଉଁଠି ବର୍ଷାଜନିତ ସମସ୍ୟା ଉପୁଜିବ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଛି । ତେବେ ବର୍ତ୍ତମାନ ପରିସ୍ଥିତିରେ ମରୁଡ଼ି ସ୍ଥିତି ନ ଥିବା ବେଳେ ଆଗାମୀ ସ୍ଥିତି ଉପରେ ସରକାରଙ୍କ ନଜର ଥିବା ସେ କହିଛନ୍ତି।
ଏହା ବି ପଢ଼ନ୍ତୁ | PM ମୋଦୀଙ୍କ ବିଶ୍ୱସ୍ତ IAS ଅଫିସର୍ ଗିରିଶ ଚନ୍ଦ୍ର ମୁର୍ମୁ CAG ପଦରେ ଆସୀନ ହୋଇଥିବା ପ୍ରଥମ ଆଦିବାସୀ
ଏହା ବି ପଢ଼ନ୍ତୁ | ଅଗଷ୍ଟରେ କରୋନା ରେକର୍ଡ଼ ଭାଙ୍ଗିଲା; ବିଶ୍ୱର ସବୁ ଠୁ ବେଶୀ ମାମଲା ଭାରତରେ
‘‘କେନ୍ଦୁଝର ଓ ନୟାଗଡ଼ ଜିଲ୍ଲା ସମେତ ଉପକୂଳର ସବୁ ୧୦ ଟି ଜିଲ୍ଲା ଏବଂ ଆଭ୍ୟନ୍ତରୀଣ ୭ଟି ଜିଲ୍ଲାରେ ବେଉଷଣ କାମରେ ଅସୁବିଧା ଥିଲା। ଚାଷ କାମ ଆଗକୁ ଯାଇପାରୁ ନ ଥିଲା । ଅନେକ ସ୍ଥାନରେ ତଳି ମଧ୍ୟ ପୋଡ଼ି ଯାଇଥିଲା । ଏହି ବର୍ଷା ନିଶ୍ଚିତ ଭାବରେ ଚାଷୀମାନଙ୍କ ପାଇଁ ସହାୟକ ହେବ । ତଥାପି କିଛି କ୍ଷତି ହେବ । ଯେତେ ସାର ପକାଇଲେ ମଧ୍ୟ ଯାହା ସ୍ଵାଭାବିକ ସ୍ଥିତି ଦେଖାଯିବା କଥା ତାହା ଦେଖାଯାଉନାହିଁ । କିଛି ମାତ୍ରାରେ କ୍ଷତି ଭରଣା ହୋଇପାରିବ। ଆଗକୁ ୮ରୁ ୧୦ ତାରିଖ ଭିତରେ ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗରରେ ଅର୍ଥାତ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଆଉ ଏକ ଲଘୁଚାପ ହେବାକୁ ଯାଉଛି । ହେଲେ ଏହା ଦ୍ୱାରା ଓଡ଼ିଶାରେ ବିଶେଷ ବର୍ଷା ହେବ ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । ତା’ପରେ ଉପକୂଳ ଓଡ଼ିଶାରେ ସ୍ୱଳ୍ପ ବର୍ଷା ହେବ,’’ କହିଛନ୍ତି କୃଷି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ।
୧୨, ୧୩ ଓ ୧୪ ତାରିଖ ଭିତରେ ସମଗ୍ର ଓଡ଼ିଶାରେ ବର୍ଷା ହେବ ବୋଲି ସେ କହିଛନ୍ତି, ଯାହାକି ଚାଷ ପାଇଁ ନିଅଣ୍ଟିଆ ପରିସ୍ଥିତି ଅନେକାଂଶରେ ଦୂର କରିବ । ‘‘କିନ୍ତୁ ୧୪ ଠାରୁ ୭ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ନାହିଁ । ତେଣୁ ଚାଷ କାମ ଏହି ୧୪ ତାରିଖ ଭିତରେ ଯେଉଁ ବର୍ଷା ଅଛି ସେହି ଆଧାରରେ କରିବା ପାଇଁ ପଡ଼ିବ,’’ କହିଛନ୍ତି ପଶୁପାଳକ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।