ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ୨୪ ଘଣ୍ଟାରେ ଲଘୁଚାପ; ୧୩ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ। ଫଳରେ ଦ୍ଵିତୀୟ ସପ୍ତାହରେ ବି ହେବ ଭଲ ବର୍ଷା। ଟ୍ରାଞ୍ଜିଟ ପିରିୟଡ଼ରେ ଭଲ ବର୍ଷା ହୁଏ ବୋଲି କହିଲେ ବିଶେଷଜ୍ଞ।

୧୩ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

୧୩ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ବର: ବଦଳୁଛି ପାଣିପାଗ, ବଢ଼ିବ ବର୍ଷା ପରିମାଣ। ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ। ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ। କାଲିଠୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା।

ଆସନ୍ତା ୯ ତାରିଖରେ ସାରା ରାଜ୍ୟରେ ରହିବ ପ୍ରଭାବ। ସେପଟେ ଦକ୍ଷିଣ ମୁଁହା ମୌସୁମୀ ନିମ୍ନଚାପ ରେଖା। ୧୩ ଯାଏଁ ହେବ ଭଲ ବର୍ଷା। ବିଶେଷଜ୍ଞ କହିଲେ ମୌସୁମୀର ଟ୍ରାଞ୍ଜିଟ ପିରିୟଡ଼ରେ ସୃଷ୍ଟି ହୋଇପାରେ ଏକାଧିକ ଘୂର୍ଣ୍ଣିବଳୟ ଓ ଆଣିପାରେ ଭଲ ବର୍ଷା।

ବୁଧବାର ପୂର୍ବ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ରପତ୍ତନ ଠାରୁ ବାୟୁମଣ୍ଡଳର ୫.୮ କିମି ଉଚ୍ଚତା ଯାଏଁ ବ୍ୟାପିଛି। ଏହାର ପ୍ରଭାବରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଫଳରେ ଆସନ୍ତାକାଲି ଠାରୁ ବଢ଼ିବ ବର୍ଷା।

ଆସନ୍ତାକାଲି ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ରାୟଗଡା, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା ଓ ପୁରୀରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସେହିଭଳି ୯ ତାରିଖରେ ସାରା ରାଜ୍ୟରେ ଦେଖିବାକୁ ମିଳିବ ଲଘୁଚାପର ପ୍ରଭାବ। ବିଶେଷ କରି ଗଜପତି, ଗଞ୍ଜାମ, ରାୟଗଡା, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁରରେ ପ୍ରବଳ ଅର୍ଥାତ ୭ ରୁ ୨୦ ସେମି ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଏହି ସମୟରେ ପାହାଡ଼ି ଅଞ୍ଚଲରେ ଭୁସ୍ଖଳନ, ତଳି ଅଞ୍ଚଳରେ ଜଳବନ୍ଦୀ ସମସ୍ୟା, ଟ୍ରାଫିକ ସମସ୍ୟା ସହ ଦୃଶ୍ୟମାନ କମ୍ ରହିପାରେ ବୋଲି ସତର୍କ କରିଛି ପାଣିପାଗ ବିଭାଗ। ୧୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପଶ୍ଚିମ ଦିଗକୁ ଗତି କରିବା ସହ ଲଘୁଚାପର ରୂପ ନେବ। ଯାହା ଓଡ଼ିଶା ଉପକୂଳକୁ ୮ ତାରିଖ ରାତିରେ ପହଞ୍ଚିବ। ଯାହାର ପ୍ରଭାବରେ ୮ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହେବ ଓ ୯ ରୁ ୧୧ ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଓ ଉପକୂଳରେ ମଧ୍ୟ ବର୍ଷା ଲାଗି ରହିବ। ସେପଟେ ମୌସୁମୀ ନିମ୍ନଚାପ ରେଖା ବର୍ତ୍ତମାନ ଦକ୍ଷିଣ ମୁଁହା ହୋଇଥିବାରୁ ମୌସୁମୀ ବାୟୁ ମଧ୍ୟ ସକ୍ରିୟ ହେଉଛି। ଏଣୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହି ବର୍ଷା ଲାଗି ରହିବ।

ଏହା ସହ ବୈତରଣୀ ଓ ଲୋୟର ମହାନଦୀରେ ଅଧିକ ବର୍ଷା ହେବ। ତେବେ ସେପ୍ଟେମ୍ବର ୧ ତାରିଖରୁ ମୌସୁମୀ ବାୟୁ ଭାରତର କିଛି ଅଂଶରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରେ। ଏ ସମୟକୁ ଟ୍ରାଞ୍ଜିଟ ପିରିୟଡ଼ କୁହାଯାଏ।

ଏହି ସମୟରେ ସାଧାରଣତଃ ଅନେକ ଘୂର୍ଣ୍ଣିବଳୟ ସୃଷ୍ଟି ହୁଏ। ସବୁ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନିଏ ନାହିଁ କିନ୍ତୁ ଘୂର୍ଣ୍ଣିବଳ ୟ ମଧ୍ୟ ଭଲ ବର୍ଷା କରାଏ। ଫଳରେ ମୌସୁମୀ ପ୍ରତ୍ୟାବର୍ତ୍ତନ ସମସ୍ୟରେ ଅଧିକ ବର୍ଷା ହୋଇଥାଏ ବୋଲି ପାଣିପାଗ ବିଶେସଜ୍ଞ କହିଛନ୍ତି।

ଆସନ୍ତା ୧୭ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ସୃଷ୍ଟି ହେବାର ଆଶଙ୍କା ରହିଛି। ଯାହା ଫଳରେ ଦ୍ଵିତୀୟ ସପ୍ତାହ ମଧ୍ୟ ଭଲ ବର୍ଷା ହେବାର ସମ୍ଭାବନା ରହିଛି।
Published by:Lipina Das
First published: