News18 Odia Digital
ଭୁବନେଶ୍ୱର: ରବିବାର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସହ ଉତ୍ତର-ପଶ୍ଚିମ ଦିଗରେ ଓଡିଶା-ଉପକୂଳ ଆଡକୁ ଗତିକରିବ। ଫଳରେ ଦୁଇ ଦିନ ପ୍ରବଳ ବର୍ଷା ହେବ। ଆସନ୍ତାକାଲି ୯ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ଲାଗି ରହିଛି ତୁହାକୁ ତୁହା ବର୍ଷା। ଲଘୁଚାପ ପରେ ବଢିବ ବର୍ଷା। ୭୨ ଘଣ୍ଟା ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଆଜି ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର। ଏହା ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସହ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡିଶା-ଉପକୂଳ ଆଡକୁ ମୁହାଁଇବ। ଫଳରେ ଆହୁରି ଦୁଇ ଦିନ ରାଜ୍ୟରେ ଭଲ ବର୍ଷା ହେବ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ୯ ଜିଲ୍ଲା ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ଦେଓଗଡ଼, ବରଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେହିଭଳି କଳାହାଣ୍ଡି, କନ୍ଧମାଳ, ନୂଆପଡା, କଟକ, ଢେଙ୍କାନାଳ, କେନ୍ଦୁଝର ଓ ମୟୁରଭଂଜରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ଏହାସହ ୨୧ ତାରିଖରେ ୨ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ସହ ୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ୪୦ ରୁ ୫୦ କିମି ରହିବ। ଏଣୁ ୨୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ କୁହାଯାଇଛି।
ସେପଟେ ରାଜ୍ୟରେ ବର୍ତ୍ତମାନ ସକ୍ରିୟ ରହିଛି ମୌସୁମୀ। ହେଲେ ଆସନ୍ତାକାଲିଠାରୁ ଦେଶରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହେବ। ଉତ୍ତର ପଶ୍ଚିମ ଭାଗରୁ ପ୍ରଥମେ ମୌସୁମୀ ଫେରିବ। ରାଜ୍ୟରେ ଏହି ଲଘୁଚାପ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ପ୍ରବଳ ବର୍ଷା ରହିବ। ଏହାପରେ ୨୫ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହୁଛି। ଯାହା ପ୍ରଭାବରେ ବର୍ଷା ହେବ। ଏଣୁ ଅକ୍ଟୋବର ଦ୍ଵିତୀୟ ସପ୍ତାହ ବେଳକୁ ରାଜ୍ୟରୁ ମୌସୁମୀ ଫେରିବ ବୋଲି ଅନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ।
ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ବର୍ଷା ହୋଇଥିବାବେଳେ ୧୩ ଜିଲାରେ ପ୍ରବଳ ବର୍ଷା ହୋଇଛି। ମାଲକାନଗିରିରେ ସର୍ବାଧିକ ୮୪ମିମି ବର୍ଷା ହୋଇଛି। ଆଜି ସୁଦ୍ଧା ରାଜ୍ୟରେ ୩% ଅଧିକ ବର୍ଷା ରେକର୍ଡ ହୋଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।