ପୁରୀ: ଭାଣିଜୀ କଲା ପ୍ରେମ ବିବାହ; ତାକୁ ଏକତରଫା ପ୍ରେମ କରୁଥିବା ହତାଶିଆ ମାମୁଁ ପିଇଲା ବିଷ

ଥାନା ଗେଟ୍‌ ନିକଟରେ ପହଞ୍ଚି ସେଠାରେ ପ୍ରେମୀ ଯୁଗଳଙ୍କୁ ଦେଖି ମାମୁଁ ଜଣକ ଭାଣିଜୀକୁ କହିଲେ, ‘‘ତତେ ମାରିବିନି । ମୁଁ ମରିଗଲେ କଥା ସରିବ ।’’ ବାସ୍‌, ଏତିକି କହି ସେ ପିଇଦେଲେ ବିଷ । ପୋଲିସ ତାଙ୍କୁ ହସପିଟାଲରେ ଭର୍ତ୍ତି କଲା ।

ପୁରୀ: ଭାଣିଜୀ କଲା ପ୍ରେମ ବିବାହ; ତାକୁ ଏକତରଫା ପ୍ରେମ କରୁଥିବା ହତାଶିଆ ମାମୁଁ ପିଇଲା ବିଷ
ମାମୁଁ ଜଣକ ଥାନା ପାହାଚରେ ପଡ଼ିଯିବା ପରେ ତାଙ୍କୁ ସାହାଯ୍ୟ କରୁଛନ୍ତି କିଛି ଲୋକ ।
  • News18 Odia
  • Last Updated: September 14, 2020, 3:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଚନ୍ଦନପୁର ଥାନା ଅଞ୍ଚଳରେ ନିଜ ୨୨ ବର୍ଷିୟା ଭାଣିଜୀ (ଛଦ୍ନନାମ ସବିତା) ପ୍ରେମ ବିବାହ କରିବାରୁ ତାକୁ ଏକତରଫା ପ୍ରେମ କରୁଥିବା ତା’ ମାମୁଁ ବଳଙ୍ଗା ଥାନା ସାମନାରେ ବିଷପାନ କରିଛନ୍ତି । ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସବିତା ବଳଙ୍ଗା ଥାନା ଅନ୍ତର୍ଗତ ତାଙ୍କ ମାମୁଁ ଘରେ ରହି ପାଠ ପଢୁଥିଲେ  । ହେଲେ କଲେଜ ପଢ଼ିବା ସମୟରେ ତାଙ୍କର ଏହି ମାମୁଁ ତାଙ୍କୁ ଏକତରଫା ଭଲପାଇ ବସିଥିଲେ ।

ସ୍କୁଲ ସମୟରୁ ମାମୁଁ ଘରେ ରହି ପାଠ ପଢୁଥିଲେ ସବିତା । ନବମ ଓ ଦଶମ ଶ୍ରେଣୀ ସରିବା ପରେ ନିମାପଡ଼ା ମହିଳା ମହାବିଦ୍ୟାଳୟରେ ନାମ ଲେଖାଇଥିଲେ ସେ । ତାଙ୍କର ଏହି ମାମୁଁ ଏକାଧିକ ଯୁବତୀଙ୍କ ସହ ପ୍ରେମ କରୁଥିବା ସେ କହିଛନ୍ତି ।

‘‘ମୋ’ ବଡ ଅଜାଙ୍କ ପୁଅ ମାମୁଁ ଚାରି ଜଣ ଯୁବତୀଙ୍କୁ ପ୍ରେମ କରୁଥିଲେ । ସେ ଗୋଟିଏ ପରେ ଗୋଟିଏ ପ୍ରେମିକା ବଦଳାଉଥିବା ବେଳେ ମୁଁ ଏଥିରେ ସହଯୋଗ କରି ନ ଥିଲି । ସହଯୋଗ ନ କରିବା ଯୋଗୁଁ ମାମୁଁ ଅନେକ ସମୟରେ ମୋତେ ମାଡ଼ ବି ମାରୁଥିଲେ । ତାଙ୍କ ଚତୁର୍ଥ ପ୍ରେମିକା ସହ ସମ୍ପର୍କ ଛିନ୍ନ ହେବା ପରେ କେତେବେଳେ ମାମୁଁ ମୋତେ ଭଲ ପାଇଯାଇଥିଲେ ମୁଁ ଜାଣି ନ ଥିଲି,’’ କହିଛନ୍ତି ସବିତା ।

ଏକତରଫା ପ୍ରେମ କରି ମାମୁ ଜଣଙ୍କ ସ୍ୱପ୍ନ ଦେଖୁଥିବା ବେଳେ କଲେଜ ଯିବା ବାଟରେ ଦୁଇ ବର୍ଷ ତଳୁ ଜଣେ ଯୁବକଙ୍କ ସହ ଭାଣିଜୀର ସମ୍ପର୍କ ଯୋଡ଼ି ହୋଇଥିଲା । ଏ ସବୁ ଜାଣି ନ ଥିଲେ ମାମୁଁ । ମାମୁଁଙ୍କ ସ୍କୁଟି ନେଇ ସେ କଲେଜ ଯାଉଥିଲେ । ସେ ସବିତା ପାଇଁ ଏକ ମୋବାଇଲ ଫୋନ୍‌ ବି କିଣି ଦେଇଥିଲେ । ମୋବାଇଲ୍‌ କାହା ସହ କଥାବାର୍ତ୍ତାରେ ବ୍ୟସ୍ତ ରହୁଥିବା ଓ ଆସ୍ତେ ଆସ୍ତେ ଚାଲିଚଳଣି ବଦଳିବା ଦେଖି ସନ୍ଦେହ କରିଥିଲେ ମାମୁଁ । ଏହା ପରେ ସବିତାଙ୍କ ପ୍ରେମ ସମ୍ପର୍କରେ ଜାଣି ପାରି ସେ ବାରଣ ବି କରିଥିଲେ । ସେହି ଠାରୁ ଆରମ୍ଭ ହୋଇଥିଲା ଅତ୍ୟାଚାର । ଶେଷରେ ସବିତା ତାଙ୍କ ପ୍ରେମିକ ସହ ଗତ ମାସ ଫେରାର୍‌ ହୋଇ କୋର୍ଟରେ ବିବାହ କରିଥିଲେ ।



୩୦ ବର୍ଷୀୟ ମାମୁଁଙ୍କ (ଛଦ୍ମନାମ ରମେଶ ଭୋଇ) କହିଛନ୍ତି, ‘‘ଭାଣିଜୀର ଅନ୍ୟ କାହା ସହ ପ୍ରେମ ବିବାହ ହୋଇଯିବା ଯୋଗୁଁ ମୁଁ  ମାନସିକ ଭାରସାମ୍ୟ ହରାଇଥିଲି । ସେମାନଙ୍କୁ ଖୋଜି ଖୋଜି ରହୁଥିବା ସ୍ଥାନରେ ପହଞ୍ଚି ତା’ ପ୍ରେମିକକୁ ମୋ’ ପ୍ରେମ ସମ୍ପର୍କ କଥା କହିଥିଲି । ଏହାକୁ ନେଇ ମଧ୍ୟ ସେ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା  । ପରେ ମୁଁ ଯୋଜନା କରି ସେମାନଙ୍କୁ ବୈଦିକ ରୀତିରେ ବିବାହ କରାଇବା କଥା କହି ବୁଝାଇଥିଲି । ହେଲେ ମୋତେ ବିବାହ ନ କଲେ ମାରିଦେବି କହି ଛୁରୀ ଦେଖାଇ ଭାଣିଜୀକୁ ଧମକାଇଲି । ତା’ ପରେ ତା’ର ସବୁ ସାର୍ଟିଫିକେଟ ନେଇ ଆସିଲି  । ଏ ସବୁ ଘଟଣା ନେଇ ମୋ ବିରୁଦ୍ଧରେ ବଳଙ୍ଗା ଥାନାରେ ଏତାଲା ବି ଦେଇଥିଲା ଭାଣିଜୀ ।’’

ସେପ୍ଟେମ୍ବର ୧୨ ତାରିଖ ଶନିବାର ମଧ୍ୟାହ୍ନରେ ପୋଲିସର ଫୋନ୍‌ କଲ୍‌ ପାଇ ବଳଙ୍ଗା ଥାନାରେ ପହଞ୍ଚିଥିଲେ ମାମୁ ରମେଶ ଭୋଇ । ଥାନା ଗେଟ୍‌ ନିକଟରେ ପହଞ୍ଚିବା ପରେ ଦେଖିଲେ ଛିଡ଼ା ହୋଇଛନ୍ତି  ପ୍ରେମୀ ଯୁଗଳ । ତାଙ୍କ ମୁଣ୍ଡକୁ ଚଢିଗଲା ପିତ୍ତ । ଥାନା ସାମ୍ନାରେ ପକେଟ୍‌ରୁ ବାହାର କଲେ ବିଷ ବୋତଲ । କହିଲେ, ‘‘ତତେ ମାରିବିନି । ମୁଁ ମରିଗଲେ କଥା ସରିବ ।’’ ବାସ୍‌ ଏତିକି କହି ସେ ପିଇଦେଲେ ବିଷ । ଫିଲ୍ମ ଷ୍ଟାଇଲରେ ଦୌଡ଼ି ଆସି ଥାନା ପାହାଚ ଚଢ଼ିବା ବେଳେ ହଠାତ୍‌ ଓଲଟି ପଡ଼ିଲେ ସେ ।

ଏହି ବି ପଢ଼ନ୍ତୁ ଏଣିକି ଟ୍ରେନ୍ ଭିତରେ ଭିକ ମାଗିଲେ ଓ ସିଗାରେଟ୍ ଟାଣିଲେ ଜେଲ୍ ଦଣ୍ଡ ହେବ ନାହିଁ; ବଦଳୁଛି ନିୟମ

ଏହି ବି ପଢ଼ନ୍ତୁ ଭାରତକୁ ମିଳିଲା ଆମେରିକା ସମେତ ୪ଟି ବଡ଼ ଦେଶର ସମର୍ଥନ; ଚୀନରୁ ଭାରତ ଆସିଲା Apple ର ୮ଟି କାରଖାନା

ବଳଙ୍ଗା ଥାନା ଏ.ଏସ୍‌.ଆଇ. ତଅପୋଇ ନାୟକ କହିଛନ୍ତି, ‘‘ଥାନା ଦୁଆରେ କିଏ ପଡ଼ିଗଲା ବୋଲି ଦୌଡ଼ି ଯାଇ ଦେଖିଲା ବେଳକୁ ଜଣେ ଯୁବକ ବିଷ ପିଇ ଏଭଳି କାଣ୍ଡ ଘଟାଇଛନ୍ତି ବୋଲି ଆମେ ଜାଣିଲୁ । ପୋଲିସ ସହାୟତାରେ ତାଙ୍କୁ ବଳଙ୍ଗା ଡାକ୍ତରଖାନା ଓ ପରେ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଏବେ ସେ ସାମାନ୍ୟ ସୁସ୍ଥ ଥିବା ବେଳେ ଘଟଣା ପଛର ରହସ୍ୟ ବଳଙ୍ଗା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ପ୍ରେମ କରି ହତାଶିଆ ମାମୁ (ବଡ଼ ଅଜାଙ୍କ ପୁଅ) ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି । ଭାଣିଜୀ ଅନ୍ୟତ୍ର ପ୍ରେମ ବିବାହ କରିବାରୁ ମାମୁଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଭାଣିଜୀ ଓ ଭାଣିଜୀ ଜ୍ୱାଇଁ ଏହି ରହସ୍ୟର ଖୁଲାସା କରିଛନ୍ତି । ଆମେ ଏହି ଘଟଣାର ଅଧିକ ଅନୁସନ୍ଧାନ କରୁଛୁ ।’’



ଜଣେ ମାମୁଁର ନିଜ ଭାଣିଜୀକୁ ଏକତରଫା ପ୍ରେମ ଓ ପୁଣି ହତାଶ ହୋଇ ଥାନା ଦ୍ୱାରରେ ବିଷପାନ କରି ଜୀବନ ହାରିବା ଘଟଣା ସମଗ୍ର ବଳଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
Published by: Anand Shankar Thankur Das
First published: September 14, 2020, 3:14 PM IST
corona virus btn
corona virus btn
Loading